ସମ୍ବଲପୁରରେ ବୋମାମାଡ଼ ଘଟଣା: ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳଙ୍କ ନିବେଦନ

ସମ୍ବଲପୁର: ସମ୍ବଲପୁର ପୀରବାବା ଛକରେ ବୋମା ମାଡ଼ ଘଟଣାର ତଦନ୍ତ କରିବାକୁ ସମ୍ବଲପୁରରେ ବମ୍ବ ସ୍କ୍ୱାଡ ପହଞ୍ଚିଛନ୍ତି। ସହରରେ ହିଂସା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଯଥାସାଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ସହର ସମେତ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନିବେଦନ କରିଛନ୍ତି।

ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଖୁବ ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି। ପରିସ୍ଥିତି ଏବେ ଶାନ୍ତ ରହିଛି, ବୋମାମାଡ଼କୁ ନେଇ ସମ୍ବଲପୁର ସହରରେ ଯେମିତି ଉତ୍ତେଜନା ନ ବଢେ, ସାମ୍ପ୍ରଦାୟିକ ହିଂସାକାଣ୍ଡ ନ ଘଟେ ପ୍ରଶାସନ ସେଥିପ୍ରତି ସଜାଗ ରହିଛି। ଦରକାର ପଡ଼ିଲେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ କରା ଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତ।
ସେପଟେ ବୋମାମାଡ଼ରେ ଆହତ ୩ଜଣଙ୍କ ମଧ୍ୟରୁ ୨ଜଣ ମେଡିକାଲରୁ ଡିସଚାର୍ଜ ହୋଇସାରିଥିବା ବେଳେ ଜଣେ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ସମ୍ବଲପୁରର ପୀରବାବା ଛକରେ ମଙ୍ଗଳବାର ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି, ଏହି ବୋମାମାଡ଼ରେ ଗୋଟିଏ ବୁଲେଟ ଗାଡ଼ି ମଧ୍ୟ ପୋଡ଼ିଯାଇଛି। ପୀରବାବ ଫ୍ଲାଏଓଭର ଉପରୁ ବୋମାମାଡ଼ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୋମାମାଡ଼ ପଛରେ ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଏସପି ମୁକେଶ ଭାମୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି।
ସମ୍ବନ୍ଧିତ ଖବର