ସଦର ଡାକ୍ତରଖାନା ଦୁଷ୍କର୍ମ ମାମଲା : ସୁରକ୍ଷୀ କର୍ମୀ ଗିରଫ

ସମ୍ବଲପୁର : ରକ୍ଷକ ହେଲା ଭକ୍ଷକ। ସମ୍ବଲପୁର ସଦର ଡାକ୍ତରଖାନାରେ ୪ ବର୍ଷର ଶିଶୁକନ୍ୟାକୁ ଦୁର୍ଷ୍କମ ଅଭିଯୋଗରେ ଟାଉନ ଥାନା ପୁଲିସ ‘ଜି୫ଏସ’୍‌ ସଂସ୍ଥାର ସୁରକ୍ଷା କର୍ମୀ ସୁଜିତ ରଣା(୨୨)କୁ ଗିରଫ କରିଛି। ମଂଗଳବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାଆ ଓ ଶିଶୁ ଡାକ୍ତରଖାନାରେ ମାନେଶ୍ୱର ବ୍ଲକ ବତେମୁରା ଗାଁ ନିବାସୀ ସୁଜିତ ରଣା ଡ୍ୟୁଟିରେ ଥିଲା। ପୀଡ଼ିତା ଶିଶୁକନ୍ୟା ଡାକ୍ତରଖାନା ବାରଣ୍ଡାରେ ଖେଳୁଥିଲା। ତାଙ୍କ ମା’ ଡାକ୍ତରଖାନାରେ ଭର୍ତି ହୋଇଥିବା ନିଜ ଛୋଟପିଲା ସହିତ ଥିବା ଦେଖି ଉକ୍ତ ଶିଶୁକନ୍ୟାକୁ ଖେଳିବା ପାଇଁ ଡାକି ନେଇଥିଲା। ସୁରକ୍ଷା କର୍ମୀଙ୍କ ସହିତ ଯାଉଥିବାରୁ ଦେଖିିଥିବା ଲୋକେ କେହି ସନ୍ଦେହ କରିନଥିଲେ।

ଡାକ୍ତରଖାନାର ନିଛାଟିଆ ଜାଗାକୁ ଡାକି ନେଇ ଏହି ନରପିଶାଚ ଦୁଷ୍କର୍ମ କରିିଥିଲା। ଦୁଷ୍କର୍ମ ପରେ ପୀଡ଼ିତାକୁ ପୁଣି ଉକ୍ତ ଓ୍ଵାର୍ଡ ପାଖରେ ଛାଡ଼ି ଦେଇଥିଲା। ରାତି ୧୦ଟାରେ ସେ ଡ୍ୟୁଟି ସରିବା ପରେ ଘରକୁ ଚାଲି ଆସିଥିଲା। ପୀଡ଼ିତା ନିଜ ମାଆଙ୍କୁ ଘଟଣା ସଂକ୍ରାନ୍ତ ଅବଗତ କରିବା ପରେ ଟାଉନ ଥାନା ପୁଲିସ୍‌ ସୂଚନା ଦିଆଯାଇଥିଲା। ଟାଉନ ଥାନା ପୁଲିସ୍‌ ସିସିଟିଭି ଫୁଟେଜ ଯାଂଚ କରିବା ବେଳେ ସୁଜିତ ଶିଶୁକନ୍ୟା ସହ ଯାଉଥିବାର ଦୃଶ୍ୟ ଦେଖିବାକୁ ପାଇଥଲା। ଏହା ପରେ ବତେମୁରାରେ ଚଢ଼ଉ କରି ସୁଜିତକୁ ଘରୁ ଗରିଫ କରିଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ମିହିର ପଣ୍ଡା ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ଉକ୍ତ ସିକ୍ୟୁରିଟି ସଂସ୍ଥାକୁ ଟର୍ମିନେଟ୍‌ କରାଯିବା ପାଇଁ ନୋଟିସ ଦିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଓ ସିଡିଏମ୍‌ଓ କେ.କେ.ଗୁପ୍ତା କହିଛନ୍ତି। ସହରର କେନ୍ଦ୍ର ସ୍ଥଳରେ ଥିବା ସମ୍ବଲପୁର ସଦର ଡାକ୍ତରଖାନାରେ ରୋଗୀ ଓ ସଂପର୍କୀୟମାନଙ୍କ ସୁରକ୍ଷା ବାରମ୍ବାର ବିପନ୍ନ ହେଉଛି। ଏହି ଡାକ୍ତରଖାନା ଭିତରୁ ଜଣେ ଅପରିଚିତ ମହିଳା ଏକ ନବଜନ୍ମିତ ଶିଶୁପୁତ୍ରକୁ ରାତି ଅଧରେ ମାଆ କୋଳରୁ ଚୋରି କରିନେବା ଘଟଣା ଏବେ ବି ଅସମାହିତ ହୋଇ ରହିଛି। କିଛି ମାସ ପୂର୍ବରୁ ପୁଣି ଜଣେ ରୋଗୀଙ୍କ ସଂପର୍କୀୟ ମହିଳାଙ୍କୁ ଅସଦାଚରଣ କରି ଏହି ମାଆ ଓ ଶିଶୁ ଡାକ୍ତରଖାନାର ୨ଜଣ ସୁରକ୍ଷା କର୍ମୀ ଗିରଫ ହୋଇଥିଲେ।

ଏହାପରେ ପୁଣି ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସଂପୃକ୍ତ ସିକ୍ୟୁରିଟି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ବିକାଶ ମଂଚ, ବିଜେପି, ବିଜେଡି, ସ୍ୱାଭିମାନ ସମ୍ବଲପୁର ଅନୁଷ୍ଠାନର ପ୍ରତିନିଧି ଦଳ ସିଡିଏମ୍‌ଓ/ଏଡିଏମ୍‌ଓ ତଥା ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଉତ୍ସର୍ଗ, ନାଗରିକ କଲ୍ୟାଣ ସମିତି ଆଦି ସଂସ୍ଥା ମଧ୍ୟ ସିକ୍ୟୁରିଟି ସଂସ୍ଥାକୁ କଳାତାଳିକାଭୁକ୍ତ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର