ସମ୍ବଲପୁର ସାଂସଦଙ୍କ ଅନୁଦାନ ପାଣ୍ଠି:ୟୁସି ନଦେବାରୁ ମିଳିଲାନି ଅର୍ଥ

ସମ୍ବଲପୁର: ସମ୍ବଲପୁର ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସାଂସଦ ପାଣ୍ଠି ଅର୍ଥ ବିନିଯୋଗ ପ୍ରମାଣପତ୍ର(ୟୁସି) ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଆଉ ଏହି ବିଳମ୍ବ କାରଣରୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ସାଂସଦ ଅନୁଦାନ ପାଣ୍ଠିକୁ ଅର୍ଥ ପ୍ରଦାନ କରି ନଥିବା ଜଣାପଡ଼ିଛି।
ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ୨୦୧୪-୧୫, ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷ ସକାଶେ ସାଂସଦ ନଗେନ୍ଦ୍ର ପ୍ରଧାନ ୧୧୮୦ ପ୍ରକଳ୍ପ ପାଇଁ ସମ୍ବଲପୁର ଜିଲ୍ଲାକୁ ୬ କୋଟି ୪୩ ଲକ୍ଷ ଟଙ୍କା ମଂଜୁର କରିଛନ୍ତି। ସେଥିମଧ୍ୟରୁ ବର୍ତମାନ ସୁଦ୍ଧା ୨ କୋଟି ୮୯ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଜିଲ୍ଲା ପ୍ରଶାସନ ଦାଖଲ କରିପାରି ନାହିଁ। ସାଂସଦ ଶ୍ରୀ ପ୍ରଧାନଙ୍କ ଅନୁଦାନ ପାଣ୍ଠିରୁ ସମ୍ବଲପୁର ଜିଲ୍ଲାକୁ ୨୦୧୪-୧୫ରେ ୨ କୋଟି ୫୭ ଲକ୍ଷ ଟଙ୍କା, ୨୦୧୫-୧୬ରେ ୧ କୋଟି ୩୯ ଲକ୍ଷ ଟଙ୍କା, ୨୦୧୬-୧୭ରେ ୨ କୋଟି ୭୨ ଲକ୍ଷ ଟଙ୍କା ବିଭିନ୍ନ ପ୍ରକଳ୍ପ ପାଇଁ ବିଭିନ୍ନ କାର୍ଯନିର୍ବାହୀ ସଂସ୍ଥାମାନଙ୍କୁ ଦିଆଯାଇଛି। ବିନିଯୋଗ ପ୍ରମାଣପତ୍ର ପ୍ରଦାନ ବିଫଳ ତାଲିକାର ସର୍ବାଗ୍ରେ ରହିଛନ୍ତି ଧନକଉଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ)।

ଧନକଉଡ଼ା ବ୍ଲକୁ ସମୁଦାୟ ୧ କୋଟି ୭୬ ଲକ୍ଷ ଟଙ୍କା ପ୍ରକଳ୍ପ ଦିଆଯାଇଛି। ମାତ୍ର ଧନକଉଡ଼ା ବିଡିଓ ଏପର୍ଯ୍ୟନ୍ତ ୫୩ ଲକ୍ଷ ୬୦ ହଜାର ଟଙ୍କା ବିନିଯୋଗ ପ୍ରମାଣପତ୍ର ଦାଖଲ କରି ପାରନାହାନ୍ତି। ଠିକ୍‌ ସେହିପରି ଜମନକିରା ବିଡିଓ ୨୨ ଲକ୍ଷ ୫୦ ହଜାର ଟଙ୍କା, ଯୁଯୁମୁରା ବିଡିଓ ୧୯ ଲକ୍ଷ ୬୦ ହଜାର ଟଙ୍କା, କୁଚିଣ୍ଡା ବିଡିଓ ୯ ଲକ୍ଷ ଟଙ୍କା, ମାନେଶ୍ୱର ବିଡିଓ ୩୧ ଲକ୍ଷ ୫୦ ହଜାର ଟଙ୍କା, ନାକଟିଦେଉଳ ବିଡିଓ ୧୨ ଲକ୍ଷ ଟଙ୍କା, ରେଢ଼ାଖୋଲ ବିଡିଓ ୧୮ ଲକ୍ଷ ଟଙ୍କା, ରେଂଗାଲି ବିଡିଓ ୧୬ ଲକ୍ଷ ଟଙ୍କା, ବାମରା ବିଡିଓ ୨ ଲକ୍ଷ ଟଙ୍କା ବିନିଯୋଗ ପ୍ରମାଣପତ୍ର ଦେବାରେ ବିଫଳ ହୋଇଛନ୍ତି। କୁଚିଣ୍ଡା ବିଜ୍ଞାପିତ ଅଂଚଳ ପରିଷଦ ୨କୋଟି ୨୮ ଲକ୍ଷ ଟଙ୍କା ବିନିଯୋଗ ପ୍ରମାଣପତ୍ର ଦେବା ବାକି ରହିଛି। ଏଥିରୁ କେବଳ ସୋଲାର ଲାଇଟ ଲଗାଇବା ବାବଦକୁ ୩୫ ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦିଆଯାଇ ନାହିଁ।

ଅନ୍ୟ ପକ୍ଷରେ ୨୦୧୪-୧୫ ଆର୍ଥିକ ବର୍ଷର ୪୧ ଲକ୍ଷ ଓ ୨୦୧୫-୧୬ ଆର୍ଥିକ ବର୍ଷର ୪୧ ଲକ୍ଷ ଟଙ୍କା ମଧ୍ୟ ଏପର୍ଯ୍ୟନ୍ତ ଖର୍ଚ କରି ପାରି ନାହାନ୍ତି। ଅନ୍ୟ ପକ୍ଷରେ ଶୌଚାଳୟ ନଥିବା ଦର୍ଶାଇ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ୮ଟି ବିଦ୍ୟାଳୟକୁ ୪୦ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରେରଣ କରୁ ନାହିଁ। ଅବଶ୍ୟ ଶୌଚାଳୟ ନଥିବାରୁ ସାଂସଦ ପାଣ୍ଠି ଅର୍ଥ ମଂଜୁର ହୋଇଥିବା ବ୍ଲକ ଗ୍ରାଣ୍ଡ ହାଇସ୍କୁଲରେ ଶୌଚାଳୟ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ଏମ୍‌ସଏଲ୍‌କୁ ନିକଟରେ ପତ୍ର ଲେଖିଥିବା ଜଣାପଡ଼ିଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବଲପୁର ଜିଲ୍ଲା ସରକାରଙ୍କଠାରୁ ପ୍ରଶଂସିତ ହୋଇଛି। ଅପରପକ୍ଷରେ କାର୍ଯ୍ୟନିର୍ବାହୀ ସଂସ୍ଥାମାନଙ୍କର ଅବହେଳା ଯୋଗୁଁ ସାଂସଦ ପାଣ୍ଠି ବିନିଯୋଗରେ ବାଧା ଉପଜୁଛି। ଏଭଳି ଧାରା ଜାରି ରହିଲେ, ସାଂସଦଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ପାଣ୍ଠି ମିଳିପାରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର