ନବରଙ୍ଗପୁର: ଦଣ୍ଡମୁକ୍ତ ଅଞ୍ଚଳରେ କୋମଳମତି ୭ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ

ଶବ୍ଦ ଉଚ୍ଚାରଣ କରିପାରିଲେନି ୩ୟ ଶ୍ରେଣୀ ପିଲା, ଘଟଣା ପଦାକୁ ଆସିବା ପରେ ମେଡିକାଲକୁ ନେଇ ଚିକିତ୍ସା

ନବରଙ୍ଗପୁର: ଉମରକୋଟ ବ୍ଲକ ମୁର୍ତ୍ତୁମା ପ୍ରାଥମିକ ବିଦ୍ୟାଳୟର ୭ ଜଣ ୩ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ଦ୍ଵାରା ନିସ୍ତୁକ ମାଡ ହୋଇଥିବାର ଘଟଣା ପଦାକୁ ଆସିଛି। ଏହି ଘଟଣା ଶୁକ୍ରବାର ହୋଇଥିବା ବେଳେ ଶନିବାର ଲୋକଲୋଚନକୁ ଆସିବା ପରେ ସ୍କୁଲର ସୁପରିଟେଣ୍ଡଣ୍ଟ ମାଡ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉମରକୋଟ ମେଡିକାଲକୁ ଆଣି ଚିକିତ୍ସା କରାଇଛନ୍ତି। ଆହତ ହୋଇଥିବା ଛାତ୍ରଛାତ୍ରୀ ମାନେ କହିଛନ୍ତି ଯେ ସେମାନେ ଶିକ୍ଷୟତ୍ରୀଙ୍କ କିଛି ଶବ୍ଦର ଉଚ୍ଚାରଣ କରିପାରିନଥିଲେ। ବାସ ସେତିକିରେ ଶିକ୍ଷୟତ୍ରୀଙ୍କ ରୋଷର ଶିକାର ହେଲେ।

ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀ ୩ୟ ଶ୍ରେଣୀର ଅନିଲ ବାଞ୍ଜରା, ନନ୍ଦ ଗଣ୍ଡ, ମନବୋଧ ଭତ୍ରା, ସିଦ୍ଧାର୍ଥ ନାୟକ, ଭଗବାନ ଭତ୍ରା, ଲକ୍ଷ୍ମୀଧର ଗଣ୍ଡ, ସୁରଭି ଜାନୀ ଏହି ୭ ଜଣଙ୍କୁ ଜଣଙ୍କ ପରେ ଜଣଙ୍କୁ ହାତରେ ଏବଂ ବାଡିରେ ନିସ୍ତୁକ ମାଡ ମାରିଥିଲେ ବୋଲି ଆହତ ହୋଇଥିବା ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ମାଡ ଖାଇବା ପରେ ପିଲା ମାନେ ଚିତ୍କାର କରିଥିଲେ। ଏହି ଘଟଣା ଜାଣିବା ପରେ ସ୍କୁଲର ଅନ୍ୟ ଶିକ୍ଷକ ମାନେ ମାଡ ହୋଇଥିବା ସ୍ଥାନରେ ମଲମ ଲଗାଇ ଘଟଣା ଚପାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଯେଉଁ ପିଲାଙ୍କୁ ମାଡ ହୋଇଥିଲା ସେଥି ମଧ୍ୟରୁ ୫ ଜଣ ହଷ୍ଟେଲରେ ରହୁଥିବା ବେଳେ ଅନ୍ୟ ୨ ଜଣ ସେହି ଗାଁର ଡେ ସ୍କୋଲାର ଥିଲେ। ସେହି ପିଲା ମାନେ ସେମାନଙ୍କ ଘରେ ଯାଇ କହିବା ପରେ ଆଜି ଅଭିଭାବକ ମାନେ ସ୍କୁଲକୁ ଆସି ହୋହଲ୍ଲା କରିଥିଲେ।

ଆଜି ବିଦ୍ୟାଳୟର ସୁପରିଟେଣ୍ଡଣ୍ଟ ବେଣୁଧର ଭତ୍ରା ଆହତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ ଏକ ଅଟୋ ସାହାଯ୍ୟରେ ଉମରକୋଟ ମେଡିକାଲକୁ ନେଇ ଭର୍ତ୍ତି କରାଇଥିଲେ। ଘଟଣାର ଦିନକ ପରେ ବି ପିଲାଙ୍କ ଦେହରେ ଆଜି କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଛାତ୍ରଛାତ୍ରୀ ମାନେ ଉମରକୋଟ ମେଡିକାଲରେ ଚିକିତ୍ସିତ ହେବା ପରେ ପୁଣି ସ୍କୁଲକୁ ଫେରିଥିଲେ। ଆହତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରାବାସର ଓ ଅନ୍ୟ ୨ ଜଣ ଡେସ୍କଲାର ବୋଲି ଜଣାପଡ଼ିଛି। ବ୍ଲକ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର