ସୁନ୍ଦରଗଡ଼ ସହରକୁ ଲଜ୍ଜିତ କରୁଛି ଶଙ୍କରା ରାସ୍ତା; ଅଟକିଛି ୫୦୦ ମିଟର ପ୍ରଶସ୍ତକରଣ
୭ ଦିନ ମଧ୍ୟରେ ନୋଟିସ ନହେଲେ ଆନ୍ଦୋଳନ
ସୁନ୍ଦରଗଡ଼: ଗାଁ ପରିମଲ ଧୋବ ତୁଠ ଭଳି ସୁନ୍ଦରଗଡ଼ର ପ୍ରବେଶ ଦ୍ବାର ଶଙ୍କରାର ଶୋଚନୀୟ ରାସ୍ତା ସହରକୁ ଲଜ୍ଜିତ କରିଛି। ଏନଟିପିସି ମେଡିକାଲ କଲେଜ ଦେଇ ଆସୁଥିବା ଏ ରାସ୍ତା ଜମି ଅଧିଗ୍ରହଣର ବିଳମ୍ବିତ ପ୍ରକ୍ରିୟା ମଧ୍ୟରେ ନିର୍ମାଣ ନହୋଇ ପଡ଼ି ରହିଛି। ମାତ୍ର ୫ ଶହ ମିଟର ପ୍ରଶସ୍ତକରଣ ହୋଇ ନପାରିବା ଓ ରାସ୍ତା ଉପରେ ଘରର ବର୍ଜ୍ୟପାଣି ଆସି କର୍ଦ୍ଦମାକ୍ତ କରି ଦେଉଥିବାରୁ ସାଧାରଣ ଯାତାୟତରେ ବାଧା ସୃଷ୍ଟି ହେଉଛି।
ଅନ୍ୟପଟେ ଜମି ଅଧିଗ୍ରହଣକୁ ଦିନ ଗଡ଼ୁଥିବା ବେଳେ ରାସ୍ତା କଡ଼କୁ ଲାଗିଥିବା ଘର ମାଲିକ କ୍ଷତିପୂରଣ ଆଶାରେ ନୂଆ ନିର୍ମାଣ ଜାରି ରଖିଛନ୍ତି। ଏହାର ପ୍ରତିବାଦ କରିଛନ୍ତି ସୁନ୍ଦରଗଡ଼ର ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ। ଜିଲ୍ଲାପାଳଙ୍କୁ ଶଙ୍କରାର ପ୍ରଭାବିତ ଲୋକଙ୍କ ସହ ଭେଟି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି। ୭ ଦିନ ମଧ୍ୟରେ ଜମି ଅଧିଗ୍ରହଣ ସମ୍ପର୍କିତ ନୋଟିସ ନବାହାରିଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ସହରକୁ ସଂଯୋଗ କରୁଥିବା ଶଙ୍କରା ରାସ୍ତା ଅଣଓସାରିଆ ହୋଇପଡ଼ିଥିବାରୁ ଯାତାୟରେ ଘୋର ଅସୁବିଧା ଦେଖା ଦେଉଥିବାରୁ ୨୦୧୭ରେ ରାସ୍ତାର ପ୍ରଶସ୍ତକରଣ ପାଇଁ ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ପଦକ୍ଷେପ ଗ୍ରହଣ କରିଥିଲେ।
ଶଙ୍କରାରେ ଲୋକଙ୍କ ସହ ଆଲୋଚନା କରି ସମସ୍ତଙ୍କ ସମ୍ମତିକ୍ରମେ ୩୬ ଜଣଙ୍କ ଜମି ଓ ଘର ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। କିଛି ଦୋକାନ ଓ ଘର ଭଙ୍ଗା ଯାଇଥିଲା। ଶ୍ରୀ ମୀନାଙ୍କ ବଦଳି ପରେ ଏହା ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା। ଲୋକେ ପୁଣି ସେଠାରେ ଦୋକାନ ଗୃହ ନିର୍ମାଣ କରିନେଲେ। ଏପରିକି ବିଳମ୍ବ ହେଲେ ମଧ୍ୟ ଆଗକୁ ଜମି ଅଧିଗ୍ରହଣ ହେବ ଓ କ୍ଷତିପୂରଣ ଅଧିକ ମିଳିବ, ସେହି ଆଶାରେ କିଛି ବିତ୍ତଶାଳୀ ରାସ୍ତାକୁ ଜବରଦଖଲ କରି କୋଠା ତିଆରି କରି ନେଇଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଜମି ଓ ଘରର କ୍ଷତିପୂରଣ ରାଶି ୧୩ କୋଟିରୁ ୨୦ କୋଟିକୁ ବୃଦ୍ଧି ହୋଇଥିଲେ ମଧ୍ୟ କାମ ଆଗେଇ ପାରୁନାହିଁ। ଅନ୍ୟପଟେ ଦଦରା ରାସ୍ତା ଉପରକୁ ଲୋକେ ଘରର ବର୍ଜ୍ୟ ପାଣି ଛାଡ଼ି ଦେଉଥିବାରୁ ଖରା ଦିନେ ବି କାଦୁଆପାଣି ସରସର କରୁଛି। ତେଣୁ ତୁରନ୍ତ ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ ଆରମ୍ଭ କରିବାକୁ ଡ. ଷଡ଼ଙ୍ଗୀ ଦାବି କରିଥିଲେ। ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ୩ ଦିନ ମଧ୍ୟରେ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।