କରୋନା ମୁକାବିଲା: ବଲାଙ୍ଗୀରରେ ସୁଲଭ ମୂଲ୍ୟରେ ମାସ୍କ ଯୋଗାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ବଲାଙ୍ଗୀର: ଜିଲ୍ଲାରେ ଜୋରସୋରରେ ଜାରି ରହିଛି କରୋନା କସରତ । ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇ ଯିଏ ଯେଉଁ ପ୍ରକାରେ କରୋନା ଭାଇରସର ମୁକାଵିଲା କରିବା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମରେ ଲାଗି ପଡିଛନ୍ତି । ଏହି ମିସନରେ ସାମିଲ ହୋଇଛନ୍ତି ବଲାଙ୍ଗୀର ଠିକାଦାରପଡା ଗାୟତ୍ରୀ ଏସ.ଏଚ.ଜି ଗ୍ରୁପର ମହିଳାମାନେ । ବର୍ତ୍ତମାନ ମାସ୍କର ଚାହିଦା ବଢିଯାଇଥିବା ବେଳେ ବ୍ୟବସାୟୀମାନେ କଳାବଜାରୀ କରି ଲୋକଙ୍କୁ ଠକେଇ କରୁଛନ୍ତି । ଏମିତ ସମୟରେ ସୁଲଭ ମୁଲ୍ୟରେ ଉତ୍ତମମାନର ମାସ୍କ ତିଆରି କରି ଲୋକମାନଙ୍କୁ ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଥିଲା ଗାୟତ୍ରୀ ସ୍ୱୟଂ ସହାୟକ ଦଳ । ହୋଲସେଲ କପଡା ଦୋକାନରୁ କପଡା ଆଣି ମହିଳାମାନେ ଆରମ୍ଭ କରି ଦେଇଥିଲେ ମାସ୍କ ତିଆରି କାମ ।

ଏଥିପାଇଁ ସେମାନକୁ ମିଶନ ଶକ୍ତି ତରଫରୁ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇଥିଲା । ପ୍ରଥମେ ମାସ୍କ ତିଆରି କରିବା ପରେ ବଲାଙ୍ଗୀର ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କୁ ସେମ୍ପୁଲ ଦେଖାଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନଠାରୁ ଅନୂମତି ପାଇବା ପରେ ଗତ ଚାରି ଦିନ ହେଲା ଦିନକୁ ଆଠଘଣ୍ଟା ପରିଶ୍ରମ କରି ଶହ ଶହ ମାସ୍କ ତିଆରି କରୁଛନ୍ତି ମହିଳାମାନେ ।  ମାତ୍ର ୨୫ ଟଙ୍କାରେ ଜନସାଧାରଣଙ୍କୁ ମାସ୍କ ଯୋଗାଇ ଦିଆଯାଉଛି । ପରେ ଏହି ମାସ୍କକୁ ପ୍ରଶାସନ ଓ ସ୍ୱାସ୍ଥ୍ୟା ବିଭାଗ କିଣି ନେଇ ଅନ୍ୟମାନଙ୍କୁ ଯୋଗାଇ ଦେବ । ଲୋକେ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଅନୁମୋଦିତ ମାସ୍କ କେମିତି ପାଇ ପାରିବେ ସେ ନେଇ ଏସ.ଏଚ.ଜି ଗ୍ରୁପର ମହିଳାମାନଙ୍କୁ ଗାଇଡ କରୁଛନ୍ତି ମିଶନ ଶକ୍ତି ବିଭାଗର କର୍ମଚାରୀ ଓ ଅଧିକାରୀ।

ସମ୍ବନ୍ଧିତ ଖବର