‘କୋଭିଡ୍-୧୯’ଚିକିତ୍ସାରେ ବ୍ୟବହୃତ ‘ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ଔଷଧ ରପ୍ତାନି ନିଷେଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମ୍ୟାଲେରିଆ ନିରୋଧୀ ଔଷଧ “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ରପ୍ତାନି ଉପରେ ଆଜି କେନ୍ଦ୍ର ସରକାର ନିଷେଧାଦେଶ ଜାରି କରିଛନ୍ତି । ଏବେ ଏହି ଔଷଧ କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା ନିମନ୍ତେ ସ୍ୱାସ୍ଥ୍ୟକର୍ମୀମାନେ ବ୍ୟବହାର କରୁଛନ୍ତି । ସ୍ଥାନୀୟ ବଜାରରେ ଏହା ଯଥେଷ୍ଟ ପରିମାଣରେ ଉପଲବ୍ଧ କରାଇବା ନିମନ୍ତେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଜି ଏକ ବିଜ୍ଞପ୍ତିରେ ବାଣିଜ୍ୟ ମନ୍ତ୍ରାଳୟ ଅଧୀନ ରପ୍ତାନି ଓ ଆମଦାନି ବିଷୟ ବୁଝାସୁଝା କରୁଥିବା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (ଡିଜିଏଫ୍ଟି) କହିଛି ଯେ ଏତଦ୍ଦ୍ୱାରା “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ଏବଂ ସେଥିରୁ ତିଆରି ଫର୍ମ୍ୟୁଲେସନଗୁଡ଼ିକର ରପ୍ତାନି ଉପରେ ନିଷେଧାଦେଶ ଜାରି କରାଯାଉଛି ।

Image Source: FixHIV

କିନ୍ତୁ, ସ୍ଥଳବିଶେଷରେ ମାନବୀୟ ଦୃଷ୍ଟିକୋଣରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କ୍ରମେ ଏହି ଔଷଧ ରପ୍ତାନି ନିମନ୍ତେ ସରକାର ଅନୁମତି ଦେଇ ପାରନ୍ତି ।
କରୋନାଭାଇରସ୍ ସଂକ୍ରମଣ ଚିକିତ୍ସା ନିମନ୍ତେ “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ବ୍ୟବହାର କରିବାକୁ ସୋମବାର ଦିନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚର ମହାନିର୍ଦେଶକ ବଳରାମ ଭାର୍ଗବ ଅନୁମୋଦନ କରିଛନ୍ତି । କିନ୍ତୁ “କୋଭିଡ୍-୧୯’ ଆକ୍ରାନ୍ତଙ୍କ ପ୍ରତି ଏହାକୁ କେବଳ ଜରୁରୀ କ୍ଷେତ୍ରରେ ବ୍ୟବହାର କରିବାକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଅନୁମତି ଦେଇଛି ।

Image Source: Techcrunch

“କୋଭିଡ୍-୧୯’ ଚିକିତ୍ସାରେ ଫଳପ୍ରଦ ହେଉଛି କହି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ “ହାଇଡ୍ରୋକ୍ସିକ୍ଲୋରୋକୁଇନ୍’ ଏବଂ “କ୍ଲୋରୋକୁଇନ୍’ ବ୍ୟବହାରକୁ ଅନୁମୋଦନ କରିବା ପରେ ଏହାର ଚାହିଦା ଢେର୍ ବଢ଼ିଯାଇଛି । ବ୍ୟାକୁଳ ହୋଇ ଲୋକେ ଏହାକୁ ଖରିଦ କରୁଛନ୍ତି ।

ସମ୍ବନ୍ଧିତ ଖବର