ଖାଁ ଖାଁ ଗୁପ୍ତେଶ୍ବର ପୀଠ, ପୁଲିସ ଓ ପ୍ରଶାସନ ଉପସ୍ଥିତିରେ ପାଳନ ହେଲା ନିତୀକାନ୍ତି

ଜୟପୁର: ଆଜି ପବିତ୍ର  ମହାଶିବରାତ୍ରୀ । ରାଜ୍ୟର ପ୍ରମୁଖ ଶୌବପୀଠ ଗୁପ୍ତେଶ୍ବରରେ ଶ୍ରଦ୍ଦାଳୁ ଭକ୍ତଙ୍କ ବିନା ଜାଗର ଉତ୍ସବ ପାଳନ କରାଯାଇଛି।  ପୁଲିସ ଓ ପ୍ରଶାସନର ଅଧିକାରୀ, ସେବାୟତଙ୍କ ଉପସ୍ଥିତିରେ ଏଥରକ ସମସ୍ତ ନିତୀକାନ୍ତି ଅନୁଷ୍ଠିତ ହୋଇଛି। କରୋନା ଲେଉଟାଣିରେ ସଂକ୍ରମଣ ଭୟରେ  ରାଜ୍ୟର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ବରକୁ  ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଯିବାକୁ ପ୍ରଶାସନ ବାରଣ କରିଥିଲା। ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଛତିଶଗଡ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ସହ କଳାହାଣ୍ଡି ଜିଲ୍ଲାରୁ ଏଠାକୁ ମହାଶିବରାତ୍ରି ଜାଗର ବ୍ରତରେ ସାମିଲ ହେବାକୁ ଆସିଥାଆନ୍ତି।

ଗତ କିଛି ଦିନ ହେବ ସଂକ୍ରମଣ ସାମାନ୍ୟ ସ୍ବାଭାବିକ ହେବା ପରେ ଶ୍ରଦ୍ଧାଳୁ ମାନେ ଏଥରକ ମହାପ୍ରଭୁ ଗୁପ୍ତେଶ୍ବର ବାବାଙ୍କର ଦର୍ଶନ କରିବେ ବୋଲି ଆଶା ବାନ୍ଧିଥିଲେ। ତେବେ ଶେଷ ମୂହର୍ତ୍ତରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍ପତି ଏବଂ କରୋନା ସଂକ୍ରମଣର ଭୟ ଯୋଗୁଁ ଲୋକେ ଆଉ ଗୁପ୍ତେଶ୍ବର ବାବାଙ୍କର ଦର୍ଶନ କରି ପାରିଲେ ନାହିଁ। ପ୍ରତି ବର୍ଷ  ଗୁପ୍ତେଶ୍ବର ପୀଠ ପାର୍ଶ୍ବ ଦେଇ ପ୍ରବାହିତ ଶାବରୀ ନଦୀ ଉପ‌ର ଦେଇ  ବାଉଁଶ ପୋଲ ନିର୍ମାଣକରି ଛତିଶଗଡ଼ରୁ ବି ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆସିଥାଅନ୍ତି। ଏହା ସହ ଏଠାକୁ ଆସୁଥିବା ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ , ତେଲଙ୍ଗାନା ସହ କଳାହାଣ୍ଡି ଜିଲ୍ଲାର ଶ୍ରଦ୍ଧାଳୁ ଭକ୍ତ ମାନେ ବି ଏହି ବାଉଁଶ ପୋଲ ଉପର ଦେଇ  ଛତିଶଗଡ଼ ସୀମାନ୍ତ ପଠକୁ ବୁଲିବାକୁ ଯାଇ ଥାଅନ୍ତି। ତେବେ ଏହି ଅଂଚଳରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ହେମକାନ୍ତ ସୟ।

ଗତକାଲି ରାତି ସାଢ଼େ ୧୦ଟାରେ ପୂଜକ ସଦାଶିବ ମିଶ୍ରଙ୍କ ସହ ଅନ୍ୟ ୫ଜଣ ଏଭଳି ୬ଜଣ ପୂଜକ ଗୁପ୍ତେଶ୍ବର ପୀଠକୁ ଯାଇ ମହାପ୍ରଭୁଙ୍କର ମହାସ୍ନାନ କରାଇଥିଲେ। ଏହା ପରେ ଅଭିଶେଖ କରିବା ପରେ ପାଟବସ୍ତ୍ର, ଅଳଙ୍କାର, ରୁପାନାଗ ଆଦି ପିନ୍ଧାଇ ବାଳଭୋଗ କରି ଆଳତୀ ଦେଇଥିଲେ। ଇତିହାସରେ ପ୍ରଥମ କରି ଗତ କାଲି ରାତିରୁ ଭକ୍ତ ମାନେ ଆସିନଥିଲେ। ପୂଜକ ମାନେ ସେଭଳି ରାତିରେ ରହିଥିଲେ। ସକାଳୁ ପୁଣି ବାଳଭୋଗ, ଆଳତୀ, ସଂଧ୍ୟାରେ ମହାଅଳତୀ, ରାତି ୧୦ଟାରେ ମହାସ୍ନାନ , ପାଟବେଶ, ସୁନାଲାଗି କରାଯିବା ସହ ତଳରୁ ମହାପ୍ରଭୁ ହରି ଆସିବା ପରେ ହରିହର ଭେଟ କରାଯିବ ବୋଲି କହିଛନ୍ତି ପୂଜକ ସଦାଶିବ ମିଶ୍ର। ସେଭଳି ରାତି ୧୨ଟା ବେଳେ ମହାଦୀପ ଉଠିଥିଲା। ଉପଜିଲ୍ଲାପାଳ ହେମକାନ୍ତ ସୟ, ଜୟପୁର ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଟୁଲ୍ଲିଆମ୍ମା ପ୍ରଧାନ, ଏସଡିପିଓ ଅରୁଫ ଅଭିଶେଖ ବେହେରା, ବୈପାରୀଗୁଡା ବିଡିଓ, ତହସିଲଦାର, ଆଇଆଇସି ରଘୁନାଥ ମାଝୀଙ୍କ ସହ ୪ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଗୁପ୍ତେଶ୍ବର ଯିବାକୁ ଥିବା ସମସ୍ତ ରାସ୍ତା ଗୁଡ଼ିକରେ ପୁଲିସ ମୁତୟନ କରାଯାଇ ସିଲ୍ କରାଯାଇଥିଲା।

 

 

ସମ୍ବନ୍ଧିତ ଖବର