ମାଲକାନଗିରିରେ ସଟ୍‌ଡାଉନ୍‌: ଅମାନିଆ ହୋଇ ବୁଲୁଥିଲେ ତୁରନ୍ତ ଜରିମାନା ଆଦାୟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ବାଲିମେଳା, କାଲିମେଳା ଏବଂ ମାଲକାନଗିରି ସହରକୁ ସଂପୂର୍ଣ୍ଣ ରୂପେ ସଟ୍‌ଡାଉନ୍‌ ଘୋଷଣା  କରାଯିବା ପରେ ଆଜି ଏହା ଠପ୍ ହୋଇଯାଇଛି। ରାସ୍ତାରେ କେବଳ ପୁଲିସ ଛାଉଣି ଦେଖିବାକୁ ମିଳିଛି। ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ସହ ଆଇଆଇସି ରାମ ପ୍ରସାଦ ନାଗଙ୍କ ନେତୃତ୍ବରେ ପୁଲିସ କର୍ମଚାରୀମାନେ ସହରର ବିଭିନ୍ନ ଛକରେ ଜଗି ରହି ଲୋକଙ୍କୁ ସଚେତନ କରାଉଛନ୍ତି। କେହି ଯଦି ରାସ୍ତାରେ ଅମାନିଆ ହୋଇ ବୁଲୁଥିବାରୁ ଦେଖୁଥିଲେ ତୁରନ୍ତ ଜରିମାନା ଆଦାୟ କରାଯାଉଛି। କେବଳ ଅତ୍ୟାବଶକୀୟ କାମ ଥିବା ଲୋକଙ୍କୁ ହିଁ ଛଡା ଯାଉଛି। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଯାତାୟତ କାଁ ଭାଁ ରହିଥିଲା। ଲୋକେ ମଧ୍ୟ ସଚେତନ ହୋଇ ଘରୁ ପଦାକୁ ବାହାରୁନଥିବା ଦେଖିବାକୁ ମିଳିଥିଲା। କରୋନା ପୁଣି ଫେରିଥିବାରୁ ସଟଡାଉନ ମଧ୍ୟ ଫେରିଛି। 

ମାଲକାନଗିରରି ଜିଲ୍ଲାରେ ଆଜି ଚାରି ଜଣ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି। ତେବେ ଏହି ଚାରି ଜଣ ମାଲକାନଗିରି ପୌର ପରିଷଦ ଅଂଚଳର ହୋଇଥିବାରୁ ସହରର ଲୋକମାନଙ୍କୁ ସଚେତନ କରାଯାଉଛି। ଏହା ଯେମିତି ଆଗକୁ ନବଢେ ସେଥିପ୍ରତି ଦୃଷ୍ଟି ଦେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରାଯାଉଛି। ଏହା ଦ୍ବାରା ହିଁ କରୋନାକୁ ରୋକାଯାଇପାରିବ ବୋଲି କୁହାଯାଇଛି। ତହସିଲ ପକ୍ଷରୁ ତହସିଲଦାର ଗୁଣନିଧି ନାୟକଙ୍କ ନେତୃତ୍ବରେ ସହରର ଗଳିକନ୍ଦିରେ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା କରାଯାଉଛି।

ଜିଲ୍ଲାରେ ମୋଟ ୫୨୬୯ ଜଣ ସଂକ୍ରମିତ ହୋଇଥିବା ବେଳେ ସେଥିରୁ ୫୨୨୪ ଜଣ ସୁସ୍ଥ ହୋଇଥିଲେ। ୨୫ ଜଣ ମୃତ୍ୟୁବରଣ କରିଥିବା ବେଳେ ଏବେ ୨୦ ଜଣ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ପ୍ରଶାସନ କହିଛି। ଗତ ସପ୍ତାହକ ତଳେ ଜିଲ୍ଲାରେ କିଛି ସଂକ୍ରମିତ ଲୋକ ନଥିବା ବେଳେ ଏହି ସଂଖ୍ୟା ଏବେ ୨୦ରେ ପହଞ୍ଚିଲାଣି। ତେଣୁ ସମସ୍ତଙ୍କୁ ପୂର୍ବ ଭଳି ସଚେତନ ହୋଇ ରହିବାକୁ ପଡିବ।

ପୁଲିସ କହିବା ଅନୁଯାୟୀ ଅତି ଦରକାର ନହେଲେ ଘରୁ ପଦାକୁ ନବାହାରନ୍ତୁ। ଅତ୍ୟାବଶକ ହେଲେ ହିଁ ବାହାରନ୍ତୁ ବୋଲି କୁହାଯାଇଛି। ତେଣୁ ଜିଲ୍ଲାକୁ ସୁରକ୍ଷିତ ରଖିବାକୁ ହେଲେ ସମସ୍ତେ ଜାଗ୍ରତ ହେବାକୁ ପଡିବ। ଏଥିସହ ମାଲକନଗିରି-ଛତିଶଗଡ଼ ସୀମାକୁ  ସିଲ କରାଯାଇଛି। ପୁଲିସ ଏବଂ ପ୍ରଶାସନ ତରଫରୁ ଘନ ଘନ ଯାଞ୍ଚ କରାଯାଉଛି। ସେହିପରି ମୋଟୁ ରାସ୍ତା ଦେଇ ମଧ୍ୟ ପ୍ରବାସୀ ଫେରୁଥିବାରୁ ସେଠାରେ ମଧ୍ୟ ପ୍ରଶାସନ ଏବଂ ପୁଲିସ ତରଫରୁ କଡାକଡି ଯାଞ୍ଚ କରାଯାଉଛି।

ସମ୍ବନ୍ଧିତ ଖବର