ଅନୁଗୁଳ: ସ୍ତ୍ରୀକୁ ସୁରକ୍ଷା ଦେବାରୁ ବାପାମାଆଙ୍କୁ ହାତୁଡ଼ିରେ ପିଟି ହତ୍ୟାକଲା ପୁଅ

ଅନୁଗୁଳ: ପୁଅ ମଦ ପିଏ। ବାହାରେ ବୁଲି ମଦ ପଇ ଘରକୁ ଫେରେ, ଆଉ ଘରକୁ ଫେରିଲା ପରେ ସ୍ତ୍ରୀ ଓ ପିଲାମାନଙ୍କୁ ନିର୍ଦ୍ଧୁମ ମାଡ଼ ମାରେ। ଗତକାଲି ରଜ ଉପଲକ୍ଷେ ସକାଳୁ ଘରୁ ବାହାରି ଯାଇ ମଦ ପଇ ମାତାଲ ଅବସ୍ଥାରେ ରାତିରେ ଘରକୁ ଫେରିଲା ପୁଅ। ଘରକୁ ପଶୁପଶୁ ଆରମ୍ଭ କଲା ପାଟିତୁଣ୍ଡ। ଆଉ ପୁଅର ଦୌରାତ୍ମ୍ୟରୁ ବୋହୁ ଓ ନାତି ନାତୁଣୀମାନଙ୍କୁ ରକ୍ଷା କରିବା ପାଇଁ ଉଭୟ ବାପାମାଆ ସେମାନଙ୍କୁ ଗୋଟିଏ ଘର ଭିତରେ ପୁରାଇ ବାହାରୁ କବାଟ ବନ୍ଦ କରି ଦେଇଥିଲେ। ହେଲେ ମାତାଲ ପୁଅ ହିତାହିତ ଜ୍ଞାନ ଭୁଲି ସ୍ତ୍ରୀକୁ ମାଡ଼ ମାରିବା ପାଇଁ ଘର ଭିତରକୁ ପଶିବା ଉଦ୍ୟମ କଲାବେଳେ ଏହାକୁ ବାଧା ଦେଲେ ବାପା ମା। ଆଉ ଏଥିରେ ପୁଅର କ୍ରୋଧ ଚରମ ସୀମା ଛୁଇଁଲା। ଘରେ ପଡ଼ିଥିବା ଏକ ହାତୁଡ଼ି ଆଣି ଅତି ନିର୍ମମ ଭାବେ ବାପାମାଙ୍କ ମୁଣ୍ଡକୁ ପିଟିଚାଲିଲା ମାତାଲ ପୁଅ। ଏପରିକି ଏଥିରେ ବାଧା ଦେବାକୁ ଆସିଥିବା ସ୍ତ୍ରୀ ମଧ୍ୟ ଆକ୍ରମଣର ଶିକାର ହେଲେ। ଉଭୟ ବାପାଆଙ୍କୁ ହତ୍ୟା କରିବା ପରେ ପୁଅ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବଡ଼ପଦର ଗାଁରେ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ପଦର ଗାଁର ଦୁଃଖ ବଘାର(୩୫ ବର୍ଷ) ଅଧିକାଂଶ ସମୟରେ ନିଶାସକ୍ତ ଭାବେ ପତ୍ନୀ ଓ ପିଲାମାନଙ୍କୁ ମାରଧର କରନ୍ତି। ଗତକାଲି ସକାଳୁ ବାହାରି ଥବା ଦୁଃଖ ଯେତେବେଳେ ରାତିରେ ମଦ ପିଇ ମାତାଲ ହୋଇ ଘରକୁ ଫେରି ପତ୍ନୀଙ୍କୁ ମାଡ଼ ମାରିବାକୁ ଗୋଡ଼ାଇଲେ, ଏହାକୁ ବିରୋଧ କରିଥିଲେ ତାଙ୍କ ମା ଚମ୍ପା ବଘାର(୬୫ ବର୍ଷ) ଓ ବାପା କରୁଣାକର ବଘାର(୭୦ ବର୍ଷ)। ଆଉ ବାପାମାଙ୍କ ଏହି ପ୍ରତିରୋଧ କୋଧାନ୍ଧ ଦୁଃଖ ପାଇଁ ଅସହ୍ୟ ଥିଲା । ଘରେ ପଡ଼ିଥିବା ଏକ ହାତୁଡ଼ି ଆଣି ଦୁଃଖ ବାପା ଓ ମାଆଙ୍କ ମୁଣ୍ଡକୁ ପିଟି ପିଟି ହତ୍ୟା କରିଥିଲା। ପୁଅର ହାତୁଡ଼ି ମାଡ଼ରେ ଘଟଣାସ୍ଥଳରେ ହିଁ ବାପାମା ଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗାଁରେ ମଧ୍ୟ ଜଣେ ଯୁବକ ଭତ୍ତା ଟଙ୍କା ପାଇଁ ତାଙ୍କ ମାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର