ଗଞ୍ଜାମରେ ନକଲି ମଦର ବନ୍ୟା : କାଳ ସାଜିବ ସ୍ପିରିଟ୍‌ ମିଶ୍ରିତ ଜହର

ବ୍ରହ୍ମପୁର : ନକଲି ସାମଗ୍ରୀର ଗନ୍ତାଘର ପାଲଟିଛି ଗଞ୍ଜାମ। ରେଶମ ସହର ବ୍ରହ୍ମପୁର ଠାରୁ ଆରମ୍ଭ ହୋଇଥିବା ଏହି ନକଲି କାରବାରର ଚେର ଜିଲ୍ଲାର ଗାଁଗହଲକୁ ଲମ୍ବିଛି। ଏଭଳି କୌଣସି ସାମଗ୍ରୀ ନାହିଁ ଯାହାର ନକଲି କରାଯାଇ ପାରିବ ନାହିଁ। ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି, ଥଣ୍ଡା ପାନୀୟ, ଗୁଟ୍‌ଖା, ମଦ ସବୁ କିଛି ନକଲି ପ୍ରସ୍ତୁତ ହେଉଛି। ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଗଞ୍ଜାମ ଜିଲ୍ଲାରେ ନକଲି ମଦ କାରବାର ଅହେତୁକ ଭାବେ ବୃଦ୍ଧି ପାଇଛି। ପୁଲିସ ଓ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ଉ କରି ବହୁ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଛି। ତଥାପି ଗଞ୍ଜାମ ଜିଲ୍ଲାରେ ନକଲି ମଦର କାରବାର ବନ୍ଦ ହେଉ ନାହିଁ। କିଛିକିଛି ଦିନର ବ୍ୟବଧାନରେ ବେଆଇନ ମଦ କାରବାର ପର୍ଦ୍ଦାଫାସ୍‌ ହେଉଛି। ହୋମିଓପାଥି ଔଷଧ ପାଇଁ ବ୍ୟବହୃତ ସ୍ପିରିଟ୍‌କୁ ମିଶ୍ରଣ କରି ବିଭିନ୍ନ ବ୍ରାଣ୍ଡ୍‌ର ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବଜାରକୁ ଛଡ଼ାଯାଉଛି। ସେହି ସ୍ପିରିଟ୍‌ ମିଶ୍ରିତ ଜହର ଲୋକଙ୍କ ପାଇଁ ଭବିଷ୍ୟତରେ କାଳ ସାଜିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାକୁ ଦୁଇଟି ଅବକାରୀ ଜିଲ୍ଲାରେ ବିଭକ୍ତ କରାଯାଇଛି। ଗୋଟିଏ ବ୍ରହ୍ମପୁର ଓ ଅନ୍ୟଟି ଗଞ୍ଜାମ। ଏହି ଦୁଇଟି ଅବକାରୀ ଜିଲ୍ଲାରେ ମୋଟ ୧୦୦ଟି ବିଦେଶୀ ଠିପିବନ୍ଦ ମଦ ଦୋକାନ ରହିଛି। ଗଞ୍ଜାମ ଅବକାରୀ ଜିଲ୍ଲା ଅଧୀନରେ ୬୪ଟି ବିଦେଶୀ ମଦ ଦୋକାନ ରହିଥିବା ବେଳେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୩୬ଟି କାଉଣ୍ଟର୍‌ ରହିଛି। କରୋନା ସଂକ୍ରମଣ ପାଇଁ ଜାରି କରାଯାଉଥିବା ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ବନ୍ଦ ରହୁଛି। ଏହାର ଫାଇଦା ଉଠାଇ ମାଫିଆମାନେ ନକଲି ମଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି। ବ୍ରହ୍ମପୁର ସହରରୁ ନକଲି ମଦ ପ୍ରସ୍ତୁତ ହୋଇ ଗ୍ରାମାଞ୍ଚଳକୁ ଚାଲାଣ ହେଉଛି। ସେହିପରି ସହର ତଥା ଉପକଣ୍ଠ ଅଞ୍ଚଳର ବିଭିନ୍ନ ପାନ ଦୋକାନ, ହୋଲେଟଗୁଡ଼ିକରେ ଏଭଳି ଅପମିଶ୍ରିତ ମଦ ବିକ୍ରି ହେଉଛି। ମାଫିଆମାନେ ୧୮୦ଏମ୍‌ଏଲ୍‌ ବୋତଲ ମଦ ତିଆରି ପାଇଁ ମାତ୍ର ୩୦/୪୦ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହା ଶହେ ଟଙ୍କାରେ ବିକ୍ରି କରିଥାନ୍ତି। ସେହି ନକଲି ସ୍ପିରିଟ୍‌ ମିଶ୍ରିତ ଜହର ବଜାରରେ ଅସଲି ନାଁରେ ସରକାରୀ ଧାର୍ୟ୍ୟ ଦରରେ ବିକ୍ରି ହୋଇଥାଏ। ପୁଣି ଲକ୍‌ଡାଉନ୍‌ ସମୟରେ ତା’ର ମୂଲ୍ୟ ଦୁଇଗୁଣ ହୋଇଯାଇଥାଏ। ୧୮୦ଏମ୍‌ଏଲ୍‌ ବୋତଲରେ ୧୨୦ଏମ୍ଏଲ୍‌ ପାଣି ରହୁଥିବା ବେଳେ ୬୦ଏମ୍‌ଏଲ୍‌ ସ୍ପିରିଟ୍‌ ଓ ଆସେନ୍ସ ମିଶ୍ରଣ କରାଯାଥାଏ। ସ୍ପିରିଟ୍‌ ପରିମାଣରେ ସାମାନ୍ୟ ଗଡ଼ବଡ଼ ହେଲେ ମଦମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। କୋଲକାତାରୁ ଲେବଲ୍‌, ବୋତଲ, ବିଭିନ୍ନ ବିଦେଶୀ ମଦ କମ୍ପାନିର ଷ୍ଟିକର୍‌, ଠିପି ପ୍ରଭୃତି ଆଣି ମାଫିଆମାନେ ତାଙ୍କର କାରବାର ଚଳାଇଥାନ୍ତି। ଏହି ନକଲି କାରବାରର କାୟା ସମଗ୍ର ଜିଲ୍ଲାରେ ବସ୍ତାର ହେବାରେ ଲାଗିଛି। ହୋମାଓପାଥି ଡାକ୍ତରଙ୍କ ଠାରୁ ଚୋରାରେ ସ୍ପିରିଟ୍‌ କିଣି ନକଲି ମଦ ପ୍ରସ୍ତୁତ କରିଥାନ୍ତି ।

ଅବକାରୀ ଗୁଇନ୍ଦା ବିଭାଗ ଗତ ମେ ୩ତାରିଖରେ ଫାଷ୍ଟଗେଟ୍‌ ଶ୍ରୀକ୍ଷେତ୍ରବିହାରସ୍ଥିତ ଏକ ଭଡ଼ାଘରେ ଚଢ଼ଉ କରି ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଥିଲା। ସେଠାରୁ ୧୫ ପେଟି ନକଲି ମଦ, ପ୍ରାୟ ୧ହଜାର ଲିଟର୍‌ ସ୍ପିରିଟ୍‌, ଏସେନ୍ସ,‌ ଷ୍ଟିକର୍‌, ଲେବଲ୍‌ ଜବତ କରିଥିଲା। ସେହିପରି ବଡ଼ବଜାର ଥାନା ପୁଲିସ ଗତ ମେ ୨୭ତାରିଖରେ ଜଗନ୍ନାଥବିହାର ମଶାଣି ସାହିର ଏକ ଭଡ଼ାଘରୁ ନକଲି ମଦ ଫ୍ୟାକ୍ଟ୍ରି ଠାବ କରିଥିଲା। ସେଠାରୁ ୫୪୦ଲିଟର୍‌ ନକଲି ମଦ, ୪୮ଲିଟର୍‌ ସ୍ପିରିଟ୍‌, ୫ଲିଟର୍‌ ରଙ୍ଗ, ୫ଶହ ଏମ୍‌ଏଲ୍‌ ଆସେନ୍ସ ପ୍ରଭୃତି ଜବତ କରିଥିଲା। ସେହିପରି ଜୁଲାଇ ୨୭ତାରିଖରେ ଗାଙ୍ଗପୁର ପୁଲିସ ପାଇଲିପଡ଼ା ଛକରେ ବ୍ଲକିଂ କରି ଏକ କାର୍‌ରୁ ଶହେ ବୋତଲ ନକଲି ମଦ ଜବତ କରିଥିଲା। ଏହାପରେ ପାଇଲପଡ଼ା ଧାନପୁଞ୍ଜା ଗ୍ରାମରେ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ୭୪୯ଟି ମଦ ବୋତଲ, ୧୪୪ଟି ସ୍ପିରିଟ୍ ବୋତଲ, ଖାଲି ବୋତଲ, ଷ୍ଟିକର୍‌ ପ୍ରଭୃତି ଜବତ କରିଥିଲା। ଗତ ୧୬ତାରିଖରେ ଭଞ୍ଜନଗର ବ୍ଲକ ମୁଜାଗଡ଼ ପଞ୍ଚାୟତ ବିରିପଦର ଗ୍ରାମ ନିକଟସ୍ଥ ରାଇପଲ୍ଲୀ ଜଙ୍ଗଲରେ ଚଢ଼ଉ କରି ଏକ ପରିତ୍ୟକ୍ତ ଘରେ ଚାଲିଥିବା ମଦ ଫ୍ୟାକ୍ଟ୍ରି ଠାବ କରିଥିଲା। ସେଠାରୁ ବିଭିନ୍ନ ବ୍ରାଣ୍ଡ୍‌ର ୧୨୮୯ ଟି ମଦ ବୋତଲ, ହୋମିଓପାଥି ଔଷଧରେ ବ୍ୟବହୃତ ସ୍ପିରିଟ୍‌ ଆର୍ସେନିକ୍‌ ଆଲବମ୍‌ ୪୪ଟି ବୋତଲ (୫୦୦ ଏମ୍‌ଏଲ୍), ଷ୍ଟିକର୍‌, ଲେବଲ୍‌ ପ୍ରଭୃତି ଜବତ ହୋଇଥିଲା। ଏହା ସହିତ ବଡ଼ବଜାର ଥାନା ଓ ସଦର ଥାନା ଇଲାକାର ବିଭିନ୍ନ ସ୍ଥାନରୁ ଏଭଳି ନକଲି ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ବାରମ୍ବାର ଚଢ଼ଉ ସତ୍ବେ ମାଫିଆମାନେ ତାଙ୍କର କାରବାର ଜାରି ରଖିଛନ୍ତି। ଯାହାକି ଭବିଷ୍ୟତରେ ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦମୃତ୍ୟୁର କାରଣ ସାଜିପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର