ମହାବିଦ୍ୟାଳୟରେ ରାଗିଂ ବିରୋଧରେ ଖୋର୍ଦ୍ଧା ଛାତ୍ର କଂଗ୍ରେସର ବିକ୍ଷୋଭ

ଖୋର୍ଦ୍ଧା: ଗଂଜାମ ଜିଲ୍ଲା ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳର କ୍ୟାମ୍ପସ କମିଟିର ଆବାହକଦ୍ୱାରା ଛାତ୍ରୀଙ୍କୁ ନିର୍ଯାତନା ଓ ରାଗିଂ ଦିଆଯାଉଥିବା ଘଟଣାରେ ଆଜି ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ କମିଟିପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଏକ ଦାବିପତ୍ର ଦିଆଯାଇଛି । ଖୋର୍ଦ୍ଧା ନଗର କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତା ଓ ସଦସ୍ୟମାନେ ହାତରେ ପ୍ଲାକାର୍ଡ, ବ୍ୟାନର ଆଦି ଧରି ଶୋଭାଯାତ୍ରାରେ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ସହ ସେଠାରେ ଏକ ପ୍ରତିବାଦ ସଭା ଓ ପରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଥିଲେ ।

ଏନେଇ ଏନ୍ଏସ୍ୟୁଆଇର ଜିଲ୍ଲା ସଭାପତି ସୌମ୍ୟରଂଜନ ବରାଳଙ୍କ କହିବାନୁସାରେ, ରାଗିଂ କ୍ଷେତ୍ରରେ ଦେଶରେ ଓଡ଼ିଶା ତିନି ନମ୍ବରରେ ରହିଛି । ତାମିଲନାଡ଼ୁ, ଆସାମ ପ୍ରଭୃତି ରାଜ୍ୟରେ ରାଗିଂ ନିରୋଧ ଆଇନ ଲାଗୁ ହୋଇଥିବା ବେଳେ ଓଡ଼ିଶାରେ ଏହା ଲାଗୁ ହୋଇପାରିନାହିଁ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଥିବା ରାଗିଂ ନିରୋଧୀ ସ୍କ୍ୱାଡ୍ କେବଳ ନାମକୁ ମାତ୍ର ରହିଛି । ରାଗିଂ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ରାଜ୍ୟର ବିଜେଡି ସରକାରର କୌଣସି ଆନ୍ତରିକତା ନାହିଁ । ଏଥିରେ କଂଗ୍ରେସର ନେତା ଶିଶିର କୁମାର ପରିଡ଼ା, ପଦ୍ମଚରଣ ରାୟ, ଛାତ୍ର କଂଗ୍ରେସର ବ୍ଲକ ସଭାପତି ସୂର୍ଯ୍ୟକାନ୍ତ ବଳିଆରସିଂହ, ଜଟଣୀ ଟାଉନ ଛାତ୍ର କଂଗ୍ରେସର ସଂକେତ କୁମାର ପାଟ୍ଟଷାଣୀ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ରାଜେଶ କୁମାର ସାହୁ, ସ୍ୱୟଂ ସ୍ୱାଇଁ, ଅଭିଜିତ ଦଳବେହେରା, ଆକାଶ ବାରିକ, ମହେଶ ମହେନ୍ଦ୍ର, ବିପିନ ପ୍ରଧାନ, ଚିତ୍ତରଂଜନ ବିଶୋୟୀଙ୍କ ସହ ଛାତ୍ର କଂଗ୍ରେସର କର୍ମକର୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର