କରୋନା ଯୋଦ୍ଧା: ଶଯ୍ୟାଶାୟୀ ମା’ଙ୍କୁ ଦେଖିବାକୁ ଯାଇ ପାରୁ ନାହାନ୍ତି ଫୁଲବାଣୀ ଟାଉନ ଥାନାର ମହିଳା ସବଇନ୍ସପେକ୍ଟର

ଫୁଲବାଣୀ: କରୋନା ବିଶ୍ବବାସୀଙ୍କ ଆଖରୁ ନିଦ ହଜାଇ ଦେଇଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। କରୋନାକୁ ମୁକାବିଲା କରିବା ନିମନ୍ତେ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଲାଗି ପଡିଛନ୍ତି। ସେମାନେ ହେଉଛନ୍ତି ପ୍ରଥମ କରୋନା ଯୋଦ୍ଧା। ହେଲେ ଅନ୍ୟତମ କରୋନା ଯୋଦ୍ଧା ପୁଲିସ କାମକୁ ବି ଏଡାଇ ଦେଇ ହେବ ନାହିଁ। ଦେଶରେ ଚାଲିଥିବା କରୋନା କଟକଣା ଓ ଲକ୍ ଡାଉନର ସଫଳ ପରିକଳ୍ପନା କରିବା ସେମାନଙ୍କ ବିନା ସମ୍ଭବ ନୁହେଁ। ଏମିତି ବହୁ ପୁଲିସ ଅଧିକାରୀ ଓ କର୍ମଚାରୀ ଅଛନ୍ତି ଯେଉଁମାନେ ପରିବାର କଥା ଭୁଲି କାମ କରି ଚାଲିଛନ୍ତି। ଏମିତି ଜଣେ କରୋନା ଯୋଦ୍ଧା ହେଉଛନ୍ତି ଫୁଲବାଣୀ ଟାଉନ ଥାନାର ମହିଳା ସବଇନସପେକ୍ଟର ରଚିତା ମାଡକାନି।

ରଚିତାଙ୍କର ଘର ମାଲକାନଗିରି। ସେ ୬ ମାସ ହେଲା ଘରକୁ ଯାଇ ନାହାନ୍ତି। ପରିବାର ସଦସ୍ୟାଙ୍କୁ ଦେଖି ନାହାନ୍ତି। ଯାହା କେବଳ ଫୋନରେ କଥା ହେଉଛନ୍ତି। ମାର୍ଚ୍ଚରେ ଘରକୁ ଯିବାକୁ ଚାହିଁ ଥିଲେ। ଏ ନେଇ ସେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ମଧ୍ୟ ଅନୁମତି ପାଇଥିଲେ। ହେଲେ କରୋନା ସବୁ କିଛି ଗୋଳମାଳ କରି ଦେଲା। ନିଜର ଦାୟିତ୍ବ ବଢିଗଲା। ଘରକୁ ଯିବା କଥା ଭୁଲି ଗଲେ ରଚିତା। ରଚିତାଙ୍କ ମା’ ସରୋଜିନୀ ଦେବୀ କିଛି ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇ ଏବେ ଘରେ ସେ ଶଯ୍ୟାଶାୟୀ। ପରିବାର କହିଲେ ଗୋଟିଏ ଭଉଣୀ ଓ ଛୋଟ ୨ ଭାଇ ଅଛନ୍ତି। ହେଲେ କରୋନା ସମୟରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲାଗି ପଡିଥିବା ରଚିତା ନାଁ ଘରକୁ ଯାଇ ପାରୁ ଛନ୍ତି ନାଁ ମା’ଙ୍କ ‌ଭଲମନ୍ଦ କଥା ବୁଝି ପାରୁଛନ୍ତି।

ପରିବାର ଓ ମାଙ୍କୁ ଦେଖା କରିବାକୁ ଇଛା ଥିଲେ ବି କରୋନା ଲଢେଇ ପାଇଁ ଘରକୁ ଯାଇ ପାରୁ ନଥିବାରୁ ରଚିତା କେବେ ବି ଦୁଃଖ ପ୍ରକାଶ କରି ନାହାନ୍ତି। କରୋନା ମହାମାରୀ ସମୟରେ ଆଗେ ଲୋକଙ୍କ ସୁରକ୍ଷା ପରେ ପରିବାର କଥା ବୋଲି ରଚିତା କହନ୍ତି। କାର୍ଯ୍ୟ କରିବା ସମୟରେ ଲୋକଙ୍କୁ କରୋନା ସଚେତନତା  କଥା କହିବା ସହ ସମାଜିକ ଦୂରତା ରକ୍ଷା କରିବା ଏବଂ ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହାରିବାକୁ କହୁଛନ୍ତି। ନିଜର କର୍ତ୍ତବ୍ୟ ଓ ଦାୟିତ୍ବ ପ୍ରତି ବେଶ ସଚେତନ  ଥିବା ରଚିତା ଅନ୍ୟ ପୁଲିସ ଅଧିକାରୀ ଓ କମର୍ଚାରୀଙ୍କ ପ୍ରତି ଉଦାହରଣ। କରୋନା ମୁକାବିଲାରେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରଚିତାଙ୍କ ପ୍ରତିବନ୍ଧତାକୁ ଫୁଲବାଣୀ ଟାଉନ ଥାନାର ଥାନାଧିକାରୀ ନରେଶ କୁମାର ସାହୁଙ୍କ ସମେତ ବିଭାଗର ପଦସ୍ଥ ଅଧିକାରୀ ତାରିଫ କରନ୍ତି।

ସମ୍ବନ୍ଧିତ ଖବର