ନ୍ୟାୟ ପାଇଁ ଦୌଡି ଦୌଡି ନୟାନ୍ତ ପରେ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ମା’ ଓ ପୁଅ

ଭଦ୍ରକ: ନ୍ୟାୟ ପାଇଁ ଦୌଡି ଦୌଡି ନୟାନ୍ତ ପରେ ଭଦ୍ରକ ଏସପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ମା’ ଓ ପୁଅ। ଏମିତି କି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପହଞ୍ଚି ଏସପିଙ୍କୁ ମା’ ଓ ପୁଅ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ କିରୋସିନ ଢାଳି ହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି ମା’ ଓ ପୁଅ।

ସୂଚନାଯୋଗ୍ୟ,  ମା’ ଓ ପୁଅ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଗଣିଜାଙ୍ଗ ଅଞ୍ଚଳରେ ବସବାସ କରନ୍ତି।  ମା’ଙ୍କ ନାମ ଜୋସ୍ନାରାଣୀ ପାତ୍ର ହୋଇଥିବା ବେଳେ ପୁଅର ନାମ ପଞ୍ଚାନନ ପାତ୍ର । ତେବେ ଜମିବାଡ଼ି ବିବାଦ ନେଇ ପୂର୍ବରୁ ଥାନାରେ ଦୁହେଁ ଅଭିଯୋଗ କରିଥିଲେ । ତାଙ୍କ ଜମି ଜବରଦଖଲ ହୋଇଥିବା ନେଇ ପୁଲିସ, ତହସିଲଦାର, ଜିଲ୍ଲାପାଳଙ୍କ ନିକଟରେ ବହୁ ଥର ଅଭିଯୋଗ କରିଥିଲେ ମା’ ଓ ପୁଅ । ଏପରିକି ଅଦାଲତର ମଧ୍ୟ ଆଶ୍ରୟ ନେଇଥିଲେ ।

ମାମଲା ଜିତିବା ପରେ ମଧ୍ୟ ଜବରଦଖଲକାରୀ ଅଦାଲତର ନିର୍ଦ୍ଦେଶକୁ ମାନି ନଥିଲେ । ଏନେଇ ଉଭୟ ମା’ ଓ ପୁଅ ପୁଣି ଗ୍ରାମାଞ୍ଚଳ ଥାନାର ଆଶ୍ରୟ ନେବା ସହ ଭଦ୍ରକ ଏସପିଙ୍କୁ ଭେଟିଥିଲେ । ଏସପିଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିଶୃତି ପରେ ମଧ୍ୟ ଜବରଦଖଲକାରୀ କୌଣସି ଭୃକ୍ଷେପ କରି ନ ଥିଲେ । ଶେଷରେ ମା’ ଓ ପୁଅ ଭଦ୍ରକ ଏସପିଙ୍କୁ ଭେଟିବା ସହ କୌଣସି ସଠିକ ଉତ୍ତର ନପାଇବାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନ ଢାଳି ହୋଇ ଆତ୍ମହୁତି ଉଦ୍ୟମ କରୁଥିବା ବେଳେ ପୁଲିସକର୍ମୀମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ତେବେ ଏନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେଇନାହିଁ ।

ସମ୍ବନ୍ଧିତ ଖବର