ଶାରୀରିକ ସମ୍ପର୍କ ନ ରଖିବାରୁ ହତ୍ୟା: ପ୍ରେମିକ ଗିରଫ

ଗୋପାଳପୁର ନାବାଳିକା ଶବ ଉଦ୍ଧାର ଘଟଣା

ହେମଗିର : ଗୋପାଳପୁର ନାବାଳିକା ଶବ ଉଦ୍ଧାର ଘଟଣାରେ ପୁଲିସ ପର୍ଦ୍ଦାଫାସ କରି ହତ୍ୟା ଅଭିଯୁକ୍ତ ବିବାହିତ ପ୍ରେମିକକୁ ଗିରଫ କରିଛି। ଅଭିଯୁକ୍ତ ପ୍ରେମିକ ଜଣକ ଡୁରୁବଗା ଗ୍ରାମର କୁଲଦୀପ ମଗର(୨୧)। ଅଭିଯୁକ୍ତ କୁଲଦୀପ ନାବାଳିକାକୁ ହତ୍ୟା କରିଥିବା ନେଇ ପୁଲିସ ଆଗରେ ସ୍ବୀକାର କରି ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ନାବାଳିକାର ଗଳା ଚିପି ହତ୍ୟା କରିଥିବା ପ୍ରକାଶ କରିଛି। ପୁଲିସ ଅଭିଯୁକ୍ତ ନାମରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତ କୁଲଦୀପ ଡୁରୁବଗାରୁ ଗାଡି ଯୋଗେ ପ୍ରତିଦିନ ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ବୋତଲ ପାଣି ଯୋଗାଇଥାଏ। ଏହା ମଧ୍ୟରେ ମାତ୍ର କିଛି ଦିନ ଆଗରୁ ଅଭିଯୁକ୍ତ ଉକ୍ତ ନାବାଳିକା ସଙ୍ଗେ ଚିହ୍ନା ପରିଚୟ ହୋଇ ମୋବାଇଲରେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଥିଲେ। ପୂର୍ବରୁ କୁଲଦୀପ ବିବାହିତ ଥିବା ବେଳେ ତାର ସ୍ତ୍ରୀ ଏବେ ଦୁଇ ମାସର ଗର୍ଭବତୀ ଅଛି।

ଘଟଣା ଦିନ ଅର୍ଥାତ ଗତ ଶନିବାର ୨୦ ତାରିଖରେ ସବୁଦିନ ପରି ଚାଳକ କୁଲଦୀପ ଗାଡି ଯୋଗେ ପାଣି ନେଇ ଗୋପାଳପୁର ଯାଇଥିଲା। ପ୍ରାୟ ପୂର୍ବାହ୍ନ ୧୧ଟା ରେ ସେ ନାବାଳିକାକୁ ଭେଟିବା ପାଇଁ ତାଙ୍କ ଘର ପଛପଟେ ନଦୀ ତଟ ବୁଦା ମୂଳକୁ ଡାକିଥିଲା। ନାବାଳିକା ଜଣକ ଘରୁ ବାଲଟିରେ ପାଣି ନେଇ ଘର ଲୋକଙ୍କୁ ଶୌଚ ପାଇଁ ଯାଉଥିବା କହି ଉକ୍ତ ବୁଦା ପଟକୁ ଯାଇ କୁଲଦୀପ ସହ କଥା ହେବା ପରେ କୁଲଦୀପ ତା ସହ ଶାରୀରିକ ସଂପର୍କ ରଖିବାକୁ ବଳପୂର୍ବକ ଚେଷ୍ଟା କରିବାରୁ ନାବାଳିକା ଜଣକ ଏହାର ବିରୋଧ କରି ମତେ ବାହା ହେଲେ ଏଥିପାଇଁ ଅନୁମତି ଦେବି ବୋଲି କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ କୁଲଦୀପ ତା ଉପରେ ମାଡି ବସି ତାର ଗଳାକୁ ଚିପି ହତ୍ୟା କରିଥିଲା। ଫଳରେ ଘଟଣାସ୍ଥଳରେ ନାବାଳିକାର ମୃତ୍ୟୁ ‌ହୋଇଥିଲା। ପରେ କୁଲଦୀପ ଶବକୁ ଘୋଷାରି ନେଇ ଏକ ବୁଦା ମୂଳରେ ପକାଇ ଦେଇ ସେଠାରୁ ଫେରାର ହୋଇଯାଇଥିଲା। ଏହାର କିଛି ସମୟ ପରେ ସେ ପୁଣି ଘଟଣାସ୍ଥଳରେ ପହଞ୍ଚି ନାବାଳିକାର ମୋବାଇଲରୁ ତାର ନମ୍ବର ଡିଲିଟ କରିବା ପାଇଁ ମୋବାଇଲ ଖୋଜିଥିଲେ ମଧ୍ୟ ସେଠାରେ ମୋବାଇଲ ନପାଇ ପଲାଇଯାଇଥିଲା। ଦୁଇ ଦିନ ଧରି ଘର ଲୋକେ ଖୋଜାଖୋଜି କରି ଝିଅକୁ ନପାଇବାରୁ ଥାନାରେ ଏତଲା ଦେବାପାଇଁ ଆସିଥିବା ବେଳେ ଘର ପଛପଟେ ବୁଦାରୁ ଏକ ଗଳିତ ଶବ ପଡିଥିବା ଖବର ପାଇଁ ତାଙ୍କ ଝିଅ ବୋଲି ଚିହ୍ନଟ କରିଥିଲେ।

ସମ୍ବନ୍ଧିତ ଖବର