ସୁନ୍ଦରଗଡ଼: ରକ୍ଷକ ସାଜିଲା ଭକ୍ଷକ । ସୁନ୍ଦରଗଡରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ବିଚଳିତ କରିଦେବ । ଦୁଷ୍କର୍ମର ଶିକାର ନାବାଳିକାଙ୍କୁ ପୁଣି ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ଜଣେ ପୁଲିସ ବାବୁ । ବୀରମିତ୍ରପୁର ଥାନା ଅଧିକାରୀଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

ସିଡବ୍ଲୁସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଛି । ଗତ ୨୨ ତାରିଖରେ ଏଭଳି ଘଟଣା ଜଣାପଡିଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକ ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦେଶ କ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର  ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ  ସତ ସାମ୍ନାକୁ ଆସିଥିଲା ।

ସୁନ୍ଦରଗଡ ଶିଶୁ ମଙ୍ଗଳ ଅଧିକାରୀ ଏହି ଘଟଣାକୁ ସାମ୍ନାକୁ ଆଣିବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଏସପି ସୌମ୍ୟା ମିଶ୍ର । ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି, ଘଟଣାର ସହ-ଅଭିଯୁକ୍ତ ଏସଆଇ ଦୋଳମଣି ନାୟକ, ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାମରେ ରାୟବଗା ଥାନାରେ ମାମଲା ରୁଜୁ ହୋଇଛି । ଅତିରିକ୍ତ ଏସପି ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଏସପିି ନିଜେ ବୀରମିତ୍ରପୁର ଥାନାରେ ପହଞ୍ଚି ଛାନଭିନ୍ କରିଛନ୍ତି । ବର୍ତମାର ସୂଚନା ଅନୁସାରେ, ଅଭିଯୁକ୍ତମାନେ ଫେରାର ଥିବା ବେଳେ ଆସନ୍ତା ୨ ଦିନ ଭିତରେ ଅଭିଯୁୁକ୍ତଙ୍କୁ ଗିରଫ ନହେଲେ, କଂଗ୍ରେସ ବିରମିତ୍ରପୁର ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ଜର୍ଜ ତିର୍କୀ ।