ଜୁନ୍‌ ୨୨ରୁ ପ୍ରମୁଖ ଭାରତୀୟ ବନ୍ଦରରେ ଅଟକି ରହିଛି ଚୀନ୍‌ରୁ ଆମଦାନି ହୋଇଥିବା ସାମଗ୍ରୀ

ନୂଆଦିଲ୍ଲୀ: କେତେକ ଭାରତୀୟ ବାଣିଜ୍ୟ ସଙ୍ଗଠନ ଚୀନ୍‌ ସାମଗ୍ରୀ ବର୍ଜନ କରିବା ପାଇଁ ଦାବି କରୁଥିବା ବେଳେ ଚୀନ୍‌ ତିଆରି ସାମଗ୍ରୀ ବରାଦ କରିଥିବା ଆମଦାନିକାରୀ ଏବଂ ଗ୍ରାହକମାନେ ଜୁନ୍‌ ୨୨ ତାରିଖରୁ ପ୍ରମୁଖ ଭାରତୀୟ ସାମୁଦ୍ରିକ ଓ ବିମାନ ବନ୍ଦରରୁ ସେଗୁଡ଼ିକୁ ନେଇ ନାହାନ୍ତି।

ଏ ସଂକ୍ରାନ୍ତରେ କୌଣସି ଆନୁଷ୍ଠାନିକ ସୂଚନା ମିଳି ନ ଥିଲେ ମଧ୍ୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳୁଛି ଯେ, ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଚୀନ୍‌ ନିର୍ମିତ କୌଣସି ସାମଗ୍ରୀ ଡେଲିଭରି ନ କରାଇବାକୁ ଶିଳ୍ପ ପ୍ରତିନିଧିମାନେ କହିଛନ୍ତି।

‘ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ମେଡିକାଲ୍ ଡିଭାଇସ୍ ଇଣ୍ଡଷ୍ଟ୍ରି’ର ଫୋରମ୍ କୋଅର୍ଡିନେଟର୍ ଏବଂ ହିନ୍ଦୁସ୍ତାନ ସିରିଞ୍ଜ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ଦିଲ୍ଲୀର ରାଜୀବ ନାଥ କହିଛନ୍ତି, ଆମକୁ ସୂଚନା ମିଳିଛି ଯେ, ଚୀନ୍‌ର ମଗାଯାଇଥିବା ସମସ୍ତ କନ୍‌ସାଇନ୍‌ମେଣ୍ଟ୍‌ର ୧୦୦% ତନଖି ଗତ ମଧ୍ୟରତ୍ରୀରୁ ଆରମ୍ଭ ହୋଇଛି।

Image Courtesy of Business Today

ଚେନ୍ନାଇର ଏକ ଶିଳ୍ପସୂତ୍ରରୁ ଜଣାପଡ଼ିଛି ମଧ୍ୟ କହିଛି ଯେ, ମାଲ ପରିବହନ ବନ୍ଦ ହେବ ନାହିଁ, କିନ୍ତ ପୁନଃତନଖି କରାଯିବ। ପୂର୍ବରୁ କ୍ଲିଅରାନ୍‌ସ୍ ପାଇଥିବା ସାମଗ୍ରୀଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବ।

ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଚୀନ୍‌ ଓ ଅନ୍ୟାନ୍ୟ ଦେଶରୁ ଆମଦାନି ହେଉଥିବା ବୈଦ୍ୟୁତିକ ସାମଗ୍ରୀରେ କାଳେ କୌଣସି ‘ମାଲ୍‌ୱେର୍’ ଥିବ, ସେଥିପାଇଁ ତନଖି କରାଯାଉଛି।

କିନ୍ତୁ, ଏ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟରୁ କୌଣସି ଉତ୍ତର ମିଳିନାହିଁ। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ର ପ୍ରସାର ନିମନ୍ତେ ସରକାରୀ ଇ-ମାର୍କେଟ୍‌ପ୍ଲେସ୍‌ରେ ବିକ୍ରେତାମାନେ ଉତ୍ପାଦ ନିର୍ମିତ ଦେଶ ସମ୍ପର୍କରେ ସୂଚନା ଉଲ୍ଲେଖ କରିବେ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ବାଧ୍ୟତାମୂଳକ କରିସାରିଛି।

ସମ୍ବନ୍ଧିତ ଖବର