ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ, ଯାନବାହନ ଚଳାଚଳ ଅବ୍ୟାହତ
ସୁନ୍ଦରଗଡ଼: ରାଜ୍ୟ ସରକାର ସୁନ୍ଦରଗଡ଼ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଜାରି କରିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବି ନେଇ ଆଜି ବିଜେପି ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି ।ଆଜି ସକାଳୁ ସହରରେ ଥିବା ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିଥିବାର ସୂଚନା ମିଳିଛି। ତେବେ ଆଜି ବନ୍ଦ ପାଳନ ସମୟରେ ଯାନବାହନ ଚଳାଚଳ ଅବ୍ୟାହତ ରହିଥିବା ଜଣାଯାଇଛି। କିଛି ସମୟପରେ ବିଜେପି ପକ୍ଷରୁ ଏକ ବିରାଟ ରାଲି ବାହାରୁଥିବାର ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଜାରି କରିଥିବା ନିଲମ୍ବନ ପ୍ରତିବାଦରେ ଗତକାଲି ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଫାଇଭ୍ ଟି ସଚିବ ଭି.କେ ପାଣ୍ଡିଆନ୍ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ କୁଶପୁତ୍ତଳିକା ମଧ୍ୟ ଦଳ ପକ୍ଷରୁ ଦାହ କରାଯାଇଥିଲା।
ସୂଚନାଯୋଗ୍ୟ, ଗତକାଲି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଦେଖିଲା ବେଳକୁ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ହୋଇଥିଲେ ‘ଫାଇଭ୍ ଟି’ ସଚିବ ଭି.କେ ପାଣ୍ଡିଆନ୍ । ଏହାପରେ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି ହୋଇଥିଲା।