ଖୋର୍ଦ୍ଧା ପୌର ପରିଷଦରେ ନାଳ ଖୋଳାରେ ଚଞ୍ଚକତା ଅଭିଯୋଗ

କାଉନ୍ସିଲର ବିନା ଅନୁମୋଦନରେ ଟେଣ୍ଡର ଆହ୍ୱାନ

ଖୋର୍ଦ୍ଧା : ଘରେ ନପଶୁଣୁ ଚାଳ ବାଜିବା ଭଳି ଖୋର୍ଦ୍ଧା ପୌର ପରିଷଦର ପ୍ରଥମ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଉ କେହି ନୁହେଁ ଖୋଦ୍ ପୌର ପରିଷଦର ଉପାଧ୍ୟକ୍ଷ ଓ କାଉନ୍ସିଲରମାନେ କରିଛନ୍ତି ।

ଚଳିତ ମାସ ୩ ତାରିଖରେ ଏକ ଓଡ଼ିଆ ଦୈନିକ ଖବରକାଗଜରେ ଖୋର୍ଦ୍ଧା ପୌର ପରିଷଦର ତିନିଟି କ୍ଲଷ୍ଟରର ସମସ୍ତ ୨୨ଟି ୱାର୍ଡର ନାଳଗୁଡ଼ିକର ସଫା କରିବା ଓ ପୁନରୁଦ୍ଧାର କରିବା ପାଇଁ ଟେଣ୍ଡର ବାହାରିଲା । ବିଜ୍ଞାପନ ଅନୁସାରେ, ୮ ତାରିଖ ସକାଳ ୧୦ଟାରେ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା । ୧୨ଟା ବେଳକୁ ଟେଣ୍ଡର ଖୋଲାଯାଇଥିଲା । ଏଥିପାଇଁ ୩ଜଣ ଟେଣ୍ଡର ଦାଖଲ କରିଥିଲେ । ତେବେ ଶେଷରେ ପୌରାଧ୍ୟକ୍ଷାଙ୍କ ଉପସ୍ଥିତିରେ ଜନୈକ କାଉନ୍ସିଲରଙ୍କ ଭାଇଙ୍କୁ ଏହି ଟେଣ୍ଡର ଦିଆଯାଇଥିଲା । ୧୦ ତାରିଖରେ ଉପଜିଲ୍ଲାପାଳ ତଥା ପୌର ପରିଷଦର ନିର୍ବାହୀ ଅଧିକାରୀ ଏକ ଚିଠି ମାଧ୍ୟରେ ୱାର୍ଡ ସୁପରଭାଇଜରଙ୍କୁ ନିଦେ୍ର୍ଦଶ ଦେଇଥିଲେ ଯେ ପ୍ରତିୱାର୍ଡ଼ରେ ଚାଲିଥିବା ନାଳ ପୁନରୁଦ୍ଧାର କାମର ତଦାରଖ କରି ରିପୋର୍ଟ ଦାଖଲ କରିବେ । ସେହିଦିନ ହିଁ ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା ।

ଏନେଇ ୱାର୍ଡ଼ ନମ୍ବର ୬ର କାଉନ୍ସିଲର କମଲ କୁମାର ପ୍ରଧାନ କହିଛନ୍ତି ଯେ, ଯେଉଁଦିନ ଟେଣ୍ଡର ଖୋଲାଗଲା ସେଦିନ ସେ ପୌର କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । କିନ୍ତୁ ଟେଣ୍ଡର ଖୋଲିବା ବେଳେ ତାଙ୍କୁ ବାହାରକୁ ଚାଲିଯିବାକୁ କୁହାଯାଇଥିଲା । ସେ ଜଣେ କାଉନ୍ସିଲର, ପୌର ପରିଷଦର ଓ ତାଙ୍କ ୱାର୍ଡ଼ର ଉନ୍ନୟନ କାର୍ଯ୍ୟ ତାଙ୍କୁ ନଜଣାଇ ଓ ଗୁପ୍ତ ଭାବେ କରାଯିବା ପଛରେ ପୌର ଅଧ୍ୟକ୍ଷା ସେମାନଙ୍କୁ ଅବିଶ୍ୱାସ କରିବା ଓ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ହୋଇଛି । ଏନେଇ ସେ ନିଜର ଅସନ୍ତୋଷ ପୌର ପରିଷଦକୁ ଜଣାଇଦେଇଛନ୍ତି । ସେହିଭଳି ୱାର୍ଡ଼ ନମ୍ବର ୫ର କାଉନ୍ସିଲର ଅମୀୟ ମହାନ୍ତି କହିଛନ୍ତି ଯେ ଦୁଇମାସ ପୂର୍ବେ ପୌର ପରିଷଦର ପ୍ରଥମ ବୈଠକରେ ନାଳନର୍ଦ୍ଦମା ସଫା କରିବାକୁ ଆଲୋଚନା ହୋଇଥିଲା । କିନ୍ତୁ ଏନେଇ କେତେ ବଜେଟ୍ ହେବ, କେତେ ଖର୍ଚ୍ଚ ହେବ ସେନେଇ କୌଣସି ଆଲୋଚନା ହୋଇନାହିଁ କିମ୍ବା ସେ ଜଣେ କାଉନ୍ସିଲର ଭାବେ ଟେଣ୍ଡର ନେଇ କୌଣସି ସୂଚନା ଦିଆଯାଇନାହିଁ । କେବଳ ୧୦ ତାରିଖ ଶୁଭ ଦେବା ଦିନ ତାଙ୍କୁ ଡକାଯାଇଥିଲା, ଶାରୀରିକ ଅସୁସ୍ଥତା ଯୋଗୁଁ ସେ ଯାଇପାରିନଥିଲେ ।
ତେବେ ପୌର ପରିଷଦ ଉପାଧ୍ୟକ୍ଷ ଶୌର୍ଯ୍ୟ ରଂଜନ ମହାନ୍ତି କହିଛନ୍ତି ଯେ ଯେଉଁ ଟେଣ୍ଡର ଆହ୍ୱାନ କରାଯାଇ କାମ କରାଯାଉଛି, ତାହା ମୌସୁମୀ ଆସିବା ବେଳେ କାହିଁକି କରାଯାଉଛି । ଏନେଇ ଦୁଇମାସ ପୂର୍ବରୁ ଆଲୋଚନା ହୋଇଥିଲା, ଯଦି ସତରେ କାର୍ଯ୍ୟ କରିବାର ଥିଲା ପୂର୍ବରୁ କରାଯାଇପାରନ୍ତା, କିନ୍ତୁ ବାହାଘର ବେଳକୁ ବାଇଗଣରୁଆ ଭଳି ତରବରିଆ ଭାବେ ଲୁଚାଇଛପାଇ ଯେଉଁଭଳି ଟେଣ୍ଡର ଆହ୍ୱାନ କରାଗଲା ଓ କାମ କରାଗଲା ତାହା ନିଶ୍ଚିତ ଭାବେ ସନେ୍ଦହଜନକ ।

ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି କହିଛନ୍ତି ଯେ ବର୍ଷା ପୂର୍ବରୁ ନାଳନର୍ଦ୍ଦମା ସଫା କରିବାକୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିଲେ । ଏନେଇ ତୁରନ୍ତ ବୈଠକ ଡାକି ପରିଷଦରେ ଅନୁମୋଦନ କରିବାକୁ ସମୟ ହେଲା ନାହିଁ । ଜଣେ ପୌରାଧ୍ୟକ୍ଷ ଭାବେ ତାଙ୍କର କ୍ଷମତା ଅନୁସାରେ ସେ କୌଣସି କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇ ପରେ ପରିଷଦରେ ଗୃହୀତ କରାଇପାରିବେ । ଏଥିରେ କୌଣସି ଅନିୟମିତତା ହୋଇନାହିଁ । ତେବେ ଅଧିକ ଜାଣିବା ପାଇଁ ତାଙ୍କ ସ୍ୱାମୀଙ୍କ ସହ କଥା ହେବାକୁ କହିଛନ୍ତି ।

ସମ୍ବନ୍ଧିତ ଖବର