ମଧ୍ୟରାତିରେ ଚୋରି ଉଦ୍ୟମ ବିଫଳ: ହୋମଗାର୍ଡଙ୍କୁ ନିସ୍ତୁକ ମାଡ ଅଭିଯୋଗରେ ୩ ଗିରଫ

ନବରଙ୍ଗପୁର: ମଧ୍ୟରାତିରେ ଦୋକାନକୁ ଭାଙ୍ଗିବା ପାଇଁ ଉଦ୍ୟମ ବେଳେ ହୋମଗାର୍ଡ ହାବୁଡ଼ରେ ପଡିଯାଇଥିଲେ। ଅଟକାଇବାରୁ ହୋମଗାର୍ଡଙ୍କୁ ନିସ୍ତୁକ ପିଟି ୩ ଗିରଫ ହେଲେ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରରେ। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତ ସ୍ୱାଧୀନତା ଦିବସ ଦିନ ରାତିରେ ନବରଙ୍ଗପୁର ଥାନାର ନକୂଳ ନାୟକ ଡ୍ୟୁଟି ସାରି ରାତି ୧୨ଟା ବେଳେ ନିଜ ଘରକୁ ଫେରୁଥିଲେ। ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକରେ ଥିବା ଏକ ଦୋକାନ ନିକଟରେ ୩ ଜଣ ଯୁବକ କବାଟକୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିଲେ। ସେହି ସମୟରେ ହୋମଗାର୍ଡ ନକୂଳ କବାଟକୁ କାହିଁକି ଭାଙ୍ଗୁଛ ବୋଲି ପଚାରିବାରୁ ଉକ୍ତ ୩ ଜଣ ଯୁବକ ନିସ୍ତୁକ ମାଡ ମାରିଥିଲେ।

ନକୂଳ ଏ ନେଇ ରାତି ପେଟ୍ରୋଲିଂରେ ବୁଲୁଥିବା ପୁଲିସ ଗାଡ଼ିକୁ ଫୋନ କରି ଜଣାଇଥିଲେ। ଖବର ପାଇ ଥାନା ଅଧିକାରୀ ତାରିକ ଅହମ୍ମଦ ସାଙ୍ଗେ ସାଙ୍ଗେ ପୁଲିସ ପେଟ୍ରୋଲିଂ ଗାଡିକୁ ଘଟଣାସ୍ଥଳକୁ ପଠାଇଥିଲେ। ପୁଲିସ ଗାଡି ପହଞ୍ଚିବା ପୂର୍ବରୁ ଉକ୍ତ ୩ ଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ପୁଲିସ ପେଟ୍ରୋଲିଂ ଗାଡି ହୋମଗାର୍ଡ ନକୂଳଙ୍କୁ ଘଟଣାସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଇଥିଲେ। ଏସଆଇ ରାକେଶ ବେହେରା, ଅମିତାନ ମାଝୀ ଓ ବଳରାମ ବେହେରା ଉକ୍ତ ୩ ଜଣଙ୍କୁ ଧରିବା ପାଇଁ ରାତିରେ ସହରରେ ପଇଁତରା ମାରିଥିଲେ। ମାଝିଗୁଡା ନିକଟରେ ଏହି ୩ ଜଣ ଯୁବକଙ୍କୁ ଠାବ କରିବାରେ ସକ୍ଷମ ହୋଇଥିଲେ। ଗତ କାଲି ନକୂଳ ଡାକ୍ତରଖାନାରୁ ଫେରିବା ପରେ ନବରଙ୍ଗପୁର ଥାନାରେ ଏ ନେଇ ଏକ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର