କାଳବୈଶାଖୀର ତାଣ୍ଡବ; ବର୍ଷାରେ ଭିଜିଗଲା ଧାନ

ବରଗଡ଼: ବରଗଡ ସହରରେ ୧୫ ମିନିଟ୍‌ର କାଳ ବୈଶାଖୀର ତାଣ୍ଡବ ଅଶେଷ କ୍ଷତି କରିଛି। ବିଶେଷ କରି ଚାଷୀଙ୍କ ପାଇଁ ଏହା କାଳ ହୋଇଛି। ବର୍ଷାଭାବରୁ ଜିଲ୍ଲା କ୍ରମାଗତ ମରୁଡ଼ିର ଶିକାର ହେଉଛି। ଅନ୍ୟପଟେ ରୋଗପୋକ, ଅଚାନକ ବର୍ଷା, କରକାପାତ ଏବଂ ଝଡ଼ ତୋଫାନ ଯୋଗୁଁ ଚାଷୀର ବଳକା ଫସଲ ନଷ୍ଟ ହେଉଛି। ଶୁକ୍ରବାର ଅପରାହ୍‌ଣରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାଣ୍ଡବ ରଚିଛି। ପ୍ରାୟ ୧୫ ମିନିଟ୍‌ ଧରି ବରଗଡ଼ ସଦର ସମେତ ଆଖପାଖ ବ୍ଲକରେ ପ୍ରବଳ ବର୍ଷା ହୋଇଛି। ବିଲରେ ଅମଳ ପାଇଁ ଥିବା ଫସଲ ଧରାଶାୟୀ ହେବା ସହ ବର୍ଷାରେ ଭିଜିଯାଇଛି।

ଆଜିଠାରୁ ଜିଲ୍ଳାରେ ଅତାବିରା ବ୍ଲକ୍‌ରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲିଛି। ମଣ୍ଡିକୁ ଧାନ ବିକ୍ରି ଉଦ୍ଦେଶ୍ୟରେ ଚାଷୀମାନେ ଧାନ କାଟି ଖଳାରେ ରଖିଥିଲେ। କିଛି ଚାଷୀ ଧାନକୁ ବସ୍ତାରେ ଭରି କରି ମଣ୍ଡିକୁ ନେଇଥିଲେ। ହେଲେ ପ୍ରବଳ ବର୍ଷା ଏବଂ ଝଡ଼ପବନ ଯୋଗୁଁ ମଣ୍ଡିକୁ ଯିବାକୁ ଥିବା ଧାନ ଭିଜି ଯାଇଛି। ଭେଡ଼େନ, ଅତାବିରା ବ୍ଲକର ବିଭିନ୍ନ ଗାଁରେ କଟା ହୋଇଥିବା ଧାନ ବର୍ଷାପାଣିରେ ଭିଜି ଯାଇଛି। ଅଧିକାଂଶ ସ୍ଥାନରେ ବିଲରେ ଧାନ ଝଡ଼ି ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଝଡ଼ ପବନ ଯୋଗୁଁ ବରଗଡ଼ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ବିଦ୍ୟୁତ ତାର ଛିଣ୍ଡିଯିବା ଯୋଗୁଁ ସହର ଏବଂ ଆଖପାଖ ଅଂଚଳରେ ବିଜୁଳି ସେବା ଠପ୍‌ ହୋଇ ପଡ଼ିଛି। କେତେକ ଜାଗାରେ ବିଦ୍ୟୁତ ଖୁଣ୍ଟ ବି ପଡ଼ିଯାଇଛି। ସହରର ସବୁ ରାସ୍ତା ଆବର୍ଜନାରେ ଭରି ହୋଇ ଯାଇଛି। ତେବେ ସୌଭାଗ୍ୟବଶତଃ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର