ରାସ୍ତାଉପରେ ଝୁଲୁଛି ଅଧା ଭଙ୍ଗା ଡାଳ, ବିପଦକୁ ନିମନ୍ତ୍ରଣ

ଭଞ୍ଜନଗର: ହାତ ପାହାନ୍ତରେ ଝୁଲୁଛି ରହିଛି ମୃତ୍ୟୁର ଜାଲ। କେଉଁ ସମୟରେ ବି ନେଇପାରେ ଅମୂଲ୍ୟ ଜୀବନ। ସାମାନ୍ୟ ଅସାବଧାନତା ଘଟିଲେ ଡାଳ ପଡି ଜୀବନ ଚାଲିଯିବାର ଭୟ। ରାସ୍ତା ଉପରେ ଏପରି ମୃତ୍ୟୁର ଡାଳ ଓହଳି ରହିଥିଲେ ମଧ୍ୟ ଏହାପ୍ରତି କାହାରି ଦୃଷ୍ଟି ନପଡିବା ଅତ୍ୟନ୍ତ ପରିତାପର ବ‌ିଷୟ ପାଲଟିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ଅଧୀନ ମୁଜାଗଡ ଓ ଗାଲେରୀ ମୁଖ୍ୟ ରାସ୍ତା ଉପରେ। ନିଧିଆପଲ୍ଲୀ ଛକ ଠାରୁ ‌ଗାଲେରୀକୁ ଯାଇଥିବା ଜଙ୍ଗଲିଆ ରାସ୍ତାରେ ଏକ ବଡ ଡାଳ ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟଡାଳ ସହ ଛନ୍ଦି ହୋଇ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି। କେଉଁ ମୁହୂର୍ତ୍ତରେ ବି ପଡିବାର ସମ୍ଭାବନା ରହିଛି। ଗତ କିଛି ଦିନର ବର୍ଷା ପବନ ଫଳରେ ଉକ୍ତ ଡାଳଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି। ଏହି ରାସ୍ତାରେ ଥିବା ଡାଳଖାଇ ମନ୍ଦିର ଠାରୁ କିଛି ଦୂର ଗଲେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଡାଳ ଝୁଲି ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଶତାଧିକ ଯାନବାହା ଚଳାଚଳ କରୁଛି। ଏହି ରାସ୍ତା ଉପରେ ବ୍ରାହ୍ମଣପଦର ଠାରୁ ଆରମ୍ଭ କରି, ଝାଲିଆଗୋଚ୍ଛା, ରାଣୀକିଆରି, କୁପାଟି, ତଳଜୀବିକା, ନାରୀଗୋଚ୍ଛା ଗ୍ରାମ ଠାରୁ ଆରମ୍ଭ କରି କନ୍ଧମାଳ ଜିଲ୍ଳାର ଗସମା, ଚାହାଳି ସହ ଚକାପାଦ ଯାଉଥିବା ଲୋକ ମାନେ ନିର୍ଭର କରିଥାନ୍ତି।

Sambad

ପ୍ରାୟତ ଗ୍ରାମାଞ୍ଚଳ ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବ‌େଳେ ବ୍ଳକ୍‌ର ଗ‌ୋଷ୍ଠି ଚିକିତ୍ସାଳୟ ଗାଲେରୀକୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ବହୁ ଜନସାଧାରଣ ଏହି ରାସ୍ତା ଦେଇ ଯାଇଥାନ୍ତି। ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଡାଳଟି କାହା ଉପରେ ମଧ୍ୟ ପଡି ଅଘଟଣ ଘଟିବାର ସମ୍ଭାବନା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଏହାକୁ ହଟାଇ ଜରୁରୀ ହୋଇପଡିଛି। ପ୍ରକାଶ ଥାଉକି ଗତ ଜୁନ ମାସରେ ଗୁଜୁରାଳି ଗ୍ରାମ ଛକ ଠାରେ ଏକ ବିରାଟ ଡାଳ ପଡି ହରିଗଡ ଗ୍ରାମର ଅଭିମନ୍ୟୁ ସାହୁଙ୍କ ପୁଅ ନୀଳମଣୀ ସାହୁଙ୍କ ମୃତ୍ୟୁ ଘଟିଥିଲା ସେ ଗୁଜୁରାଳି ପାଟଖଣ୍ଡା ମନ୍ଦିରକୁ ଆସିଥିବା ବ‌େଳେ ସେଠାରେ ଥିବା ଏକ କାକପୋଇ ଗଛର ଡାଳ ହଠାତ ତାଙ୍କ ମୁଣ୍ଡ ଉପରେ ପଡିଯାଇଥିଲା। ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ସେଠାର ସମସ୍ୟା କିପରି ଦୂର କରାଯାଇ ପାରିବ  ତାହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର