ପୂର୍ବ ଶତ୍ରୁତାକୁ ନେଇ ବରିପୁଟରେ ହତ୍ୟା: ୨ଗିରଫ

ଜୟପୁର: ପୂର୍ବ ଶତ୍ରୁତାକୁ ନେଇ ବିସିଂପୁର ଥାନା ଅର୍ନ୍ତଗତ ବରିପୁଟ ଗାଁରେ ହୋଇଛି ହତ୍ୟା। ୨ଜଣ ହତ୍ୟାକାରୀ ଜଣେ ବ୍ୟକ୍ତିଙ୍କୁ କାଠ ପାଳିଆରେ ପିଟି ପିଟି ଜୀବନରେ ମାରିବାକୁ ଯୋଜନା କରିଥିଲେ। ରକ୍ତାକ୍ତ ହୋଇ ଅଚେତ ହୋଇ ବ୍ୟକ୍ତି ଜଣକ ପଡ଼ିଯିବାରୁ ମରିଯାଇଥିବା ଭାବି ଅଭିଯୁକ୍ତ ମାନେ ଛାଡି ପଳାଇ‌ଥିଲେ। ତେବେ ରାତି ତମାମ ସେଭଳି ପଡ଼ି ରହିଥିବା ବ୍ୟକ୍ତି ଜଣକ ସକାଳୁ ବଂଚି ଯାଇଥିଲେ। ତେବେ ଗୁରୁତର ଭାବେ ମାଡ଼ ହୋଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ବିସିଂପୁର ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ବିସିଂପୁର ଥାନା ଓଆଇସି ଦାମଧର ବିହାରୀ।

ମିଳିଥିବା ସୂଚନା ମୁତାବକ, ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ଗତ ୨୭ତାରିଖ ଦିନ ସଂଧ୍ୟାରେ ବୋରିଗୁମ୍ମା ବ୍ଲକର ବିସିଂପୁର ଥାନା ଅର୍ନ୍ତଗତ ବରିପୁଟ ଗାଁରଖଗପତି ପେଣ୍ଟିଆ, ପକନାଝୋଲା ଗାଁର ଲଲିତ ପେଣ୍ଟିଆ, ରାଣିଗଡ ଗାଁ ବାସୁଦେବ ରଣାଙ୍କୁ ବରିପୁଟ ଗାଁକୁ ଡାକିଥିଲେ। ତିନି ଜଣ ମିଶି ଖଗପତି ସହ ବସି ମଦ ପିଇଥିଲେ। ପରେ ଅଭିଯୁକ୍ତ ଖଗପତି ଓ ଲଲିତ  ପୂର୍ବ ଯୋଜନା ମୁତାବକ ବାସୁଦେବଙ୍କୁ କାଠ ପାଳିଆରେ ମାଡ଼ ମାରିଥିଲେ। ଗୁରୁତର ଏବଂ ରକ୍ତାକ୍ତ ଅବସ୍ଥାରେ ବାସୁଦେବଙ୍କୁ ଏମାନେ ମରି ଯାଇଥିବା ଭାବି ଛାଡି ପଳାଇଥିଲେ।  ସଂଧ୍ୟା‌ରୁ ଘରକୁ ନ ଫେରିବାରୁ ମୃତ ବାସୁଦେବଙ୍କ ଭାଇ ଓପରିବାରବର୍ଗ ଖୋଜାଖୋଜି କରୁଥିଲେ। ପରେ ଖବର ପାଇ ବରିପୁଟ ଯାଇ ଅଭିଯୁକ୍ତ ଖଗପତିଙ୍କ ଘରର ପଛ ପାର୍ଶ୍ବରୁ ଗୁରୁତର ଅବସ୍ଥାରେ ବାସୁଦେବଙ୍କୁ ଉଦ୍ଧାର କରିଥିଲେ। ସେଠାରୁ  ପ୍ରଥମେ ବୋରିଗୁମ୍ମା ସିଏଚସି ଓ ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୨୮ତାରିଖ ଦିନ ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବାସୁଦେବଙ୍କର ମୃତ୍ୟୁ ହୋଇଥିଲା।

ଏନେଇ ବିସିଂପୁର ଥାନାରେ ବାସୁଦେବଙ୍କ ପରିବାରବର୍ଗ ପକ୍ଷରୁ ଏତଲା ଦେବା ପରେ ଦଫା ୩୪୧,୩୦୨,୩୪ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯିବା ସହ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଥିଲା ବୋଲି ବିସିଂପୁର ଥାନା ଅଧିକାରୀ ଦାମଧର ବିହାରୀ, ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ବାଲ୍ମିକୀ ପ୍ରଧାନ କହିଛନ୍ତି। ଆସନ୍ତାକାଲି ଉଭୟ ଅଭିଯୁକ୍ତଙ୍କୁ ବୋରିଗୁମ୍ମା ଜେଏମଏଫସିକୋର୍ଟକୁ ଚାଳାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର