ନବରଙ୍ଗପୁରରେ ବେଆଇନ ଭାବେ ପରିଚାଳିତ ୨ଟି କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ନବରଙ୍ଗପୁର: ବେଆଇନ ଭାବେ ପରିଚାଳିତ ୨ଟି କ୍ଲିନିକ୍‌କୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଉପଜିଲ୍ଲାପାଳ ଭାସ୍କର ରଇତଙ୍କ ନେତୃତ୍ୱରେ ତହସିଲଦାର ଗୀତା ମୁର୍ମୁ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ପ୍ରିୟରଞ୍ଜନ ବାହାଲି ପ୍ରମୁଖ ବେଆଇନ କ୍ଲିନିକ ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ।

ପ୍ରଶାସନ ପକ୍ଷରୁ ନବରଙ୍ଗପୁର ସହରରେ ଚାଲିଥିବା ବିଭିନ୍ନ ପ୍ରକାର କ୍ଲିନିକ ଗୁଡିକ ଉପରେ ଚଢ଼ାଉ କରାଯାଇଥିଲା। ସାଇସୁଧା ଡିଜିଟାଲ ଏକ୍ସରେ, ଫିଜିଓଥାରୋପି ସେଣ୍ଟର, ଡାକ୍ତର ଏଣ୍ଡ ଡକ୍ତର ପ୍ଲାଜା ଓ ଓମ୍‌ ସାଇନାଥ ପାଥୋଲଜି ଉପରେ ଚଢ଼ାଉ କରାଯାଇଥିଲା। ତେବେ ପ୍ରଶାସନର ଏହି ଚଢ଼ାଉ ବେଳେ ସହରର ମଙ୍ଗଲମ୍‌ ଟିମ୍ବରସ୍‌ ରାସ୍ତାରେ ଥିବା ଓମ ସାଇନାଥ ପାଥୋଲଜି ଓ ମୁଖ୍ୟ ରାସ୍ତାରେ ଥିବା ସାଇସୁଧା ଡିଜିଟାଲ ଏକ୍ସରେରେ ଚଢ଼ାଉ କରି ଆବଶ୍ୟକ କାଗଜ ପତ୍ର ଯାଞ୍ଚ କରାଯାଇଥିଲା।

ଏହି ୨ଟି କ୍ଲିନିକ୍‌ ବିନା ପଞ୍ଜିକରଣରେ ଚାଲିଥିବା ଜଣାପଡ଼ିଥିଲା। ଏହି କ୍ଲିନିକର ମାଲିକମାନେ ପଞ୍ଜିକରଣ ପ୍ରମାଣ ପତ୍ର, ପରିବେଶ ମଞ୍ଜୁରୀ ପ୍ରମାଣ ପତ୍ର, ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଆଦି ଦେଖାଇ ପାରିନଥିଲେ। ଯାହା ଫଳରେ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀମାନେ ଏହି ୨ ଗୋଟି କ୍ଲିନିକକୁ ସିଲ୍‌ କରିଥିବାର ପ୍ରଶାସନ ପକ୍ଷରୁ ଜଣାପଡିଛି। ତେବେ ଏମାନେ ପଞ୍ଜିକରଣ ପାଇଁ ଆବେଦନ ବି କରିନଥିବାର କୁହାଯାଇଛି। ଅନ୍ୟ ଫିଜିଓଥେରାପି ସେଣ୍ଟର ଓ ଡାକ୍ତର ଏବଂ ଡକ୍ତର ପ୍ଲାଜା ୨ ଗୋଟି କ୍ଲିନିକ ୧ ମାସ ସମୟ ମାଗିବାରୁ ପ୍ରଶାସନ ପକ୍ଷରୁ ମହଲତ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର