ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା,୨ ମୃତ ଓ ୩ ଆହତ 

ଭଞ୍ଜନଗର: ତାରସିଂ ଥାନା ଅର୍ନ୍ତଗତ କାଠଚିରା ଗ୍ରାମ ଛକରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ କୋଟିବାଡି ଗ୍ରାମର ସୁବାସିନୀ ବେହେରା(୬୧) ଏବଂ ଗାଲେରୀ ଗ୍ରାମର ବବ୍ରୁ ନାୟକ(୨୪)ଙ୍କ ମୃତ୍ୟୁ ହେବା ସହ ବାଇକରେ ଥିବା ସୁବାସିନୀଙ୍କ ପୁଅ ତିର୍ଥ ବେହେରା(୨୩) ଏବଂ ଜିଲୁଣ୍ଡି ଗ୍ରାମର ଜୁନିଆ ନାୟକ(୨୫) ଓ କଇଣ୍ଡି ଗ୍ରାମର ନିଳାଚଳ ନାୟକ(୨୧) ଆହାତ ହୋଇ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସିତ‌ ହେଉଛନ୍ତି।

ସୂଚନା ପ୍ରକାରେ ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା କୋଟିବାଡି ଗ୍ରାମର ବଙ୍ଗାଲି ବେହେରାଙ୍କ ସ୍ତ୍ରୀ ସୁବାସିନୀ ଏବଂ ତାଙ୍କ ପୁଅ ତିର୍ଥ ତାରସିଂ ଥାନା ପଥରାପଲ୍ଲୀ ଗ୍ରାମକୁ ନିଜ ଭଉଣୀକୁ ଭେଟିବ ପାଇଁ ଆସିଥିଲେ। ସେଠାରୁ ସେମାନେ ଆଜି ଅପରାହ୍ନ ସାଢେ ୪ଟା ସମୟରେ ନିଜ ଘରକୁ ବାଇକ୍‌ରେ ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଗାଲେରୀ ଗ୍ରାମର ବବ୍ରୁ ନାୟକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବବ୍ରୁ ଗାଡି ଚଳାଉଥିବା ବେଳେ ତାରି ଗାଡିରେ ଜୁନିଆ ଏବଂ ନିଳାଚଳ ବସିଥିଲେ।

ଘଟଣାସ୍ଥଳରେ ବବ୍ରୁର ମୃତ୍ୟୁ ଘଟିଥିବା ବେଳେ ତାରସିଂ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଆହାତ ମାନଙ୍କୁ ସେଠାରୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲା। ଏଠାରେ ଡାକ୍ତର ସୁବାସିନୀକୁ ମୃତ ଘୋଷଣା କରିଥିବା ବେଳେ ତିର୍ଥ ଜୁନିଆ ଓ ନିଳାଚଳର ଚିକିତ୍ସା କରାଯାଇଛି। ତାରସିଂ ପୁଲିସ୍‌ ଉଭୟ ଶବକୁ ଜବତ କରିବା ସହ ବ୍ୟବ‌ଚ୍ଛେଦ ନିମନ୍ତେ ପଠାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି। କରୋନା ପାଇଁ କଟକଣା ଫଳରେ ଦୁର୍ଘଟଣା ବହୁ ମାତ୍ରାରେ ହ୍ରାସ ପାଇଥିବା ବେଳେ ବର୍ତ୍ତମାନ ଲକ୍‌ ଡାଉନ ଜାରି ରହିଥିଲେ ମଧ୍ୟ ଅନାୟସରେ ବାଇକ ଚାଳକ ମାନେ ଘୂରି ବୁଲୁଥିବାରୁ ପ୍ରତିଦିନ ପୂର୍ବ ପରି ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣା ଫଳରେ ସ୍ଥାନୀୟ ଅଞ୍ଚଳରେ‌ ଶୋକ ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର