ଖୋର୍ଦ୍ଧା ଉପକଣ୍ଠରେ କଳା ପଲସର ଆତଙ୍କ, ୩୦ ମିନିଟ୍‌ରେ ୨ଟି ଲୁଟ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ୍‌ ଠାରେ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଦୁଇଟି ଲୁଟ କରି ଆତଙ୍କ ସୃଷ୍ଟି କରିଛନ୍ତି ‘କଳା ପଲସର’ ଲୁଟେରା ।
ସୂଚନାନୁସାରେ, ଆଜି ରାତି ପ୍ରାୟ ୯ଟା ବେଳେ ମୁକୁନ୍ଦପ୍ରସାଦ-ଜଟଣୀ ବାଇପାସ୍‌ ଓ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୁଇଟି ଲୁଟ ହୋଇଛି। ଦମ୍ପତି ମମତା ବେହେରା (୨୬) ଓ ହେମନ୍ତ କୁମାର ବେହେରା (୩୨) ଉଭୟ ନିଜ ବାଇକ୍‌ରେ ଭୁବନେଶ୍ୱରରୁ ନିରାକାରପୁର ଫେରୁଥିଲେ। ମୁକୁନ୍ଦପ୍ରସାଦ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ପଛପଟୁ ଦୁଇଜଣ କଳା ପଲସଲରେ ଆସି ମମତାଙ୍କ ବେକରେ ଥିବା ସୁନାଚେନ୍‌ ଓ ମଙ୍ଗଳସୂତ୍ରକୁ ଝାମ୍ପି ନେଇଯାଇଥିଲେ। ଫଳରେ ମମତା ବାଇକ୍‌ରୁ ପଡ଼ିଯିବା ସହ ତାଙ୍କ ହାତ ଓ ମୁଣ୍ଡରେ ଆଘାତ ଲାଗିଥିଲା ।

ସେହିଭଳି ଏହାର ୧୫ ମିନିଟ୍‌ ପରେ ପୁଣି ଏକ ଲୁଟ ହୋଇଛି ମୁକୁନ୍ଦପ୍ରସାଦ-ଜଟଣୀ ବାଇପାସ୍‌ ଠାରେ। ସାଗର ରାଉତ (୨୯) ନିଜ ମା’ ଉର୍ମିଳା ରାଉତ (୪୪)ଙ୍କ ସହିତ ବାଇକ୍‌ରେ ଭୁବନେଶ୍ୱରରୁ ଡାଳତୋଳା ଫେରୁଥିଲେ। ଏହି ସମୟରେ କଳା ପଲସରରେ ପଛପଟୁ ଆସି ଉର୍ମିଳା ଧରିଥିବା ଭ୍ୟାନିଟ୍‌ ବ୍ୟାଗ୍‌ଟିକୁ ଛଡ଼ାଇନେଇଯାଇଥିଲେ। ଏହି ବ୍ୟାଗ୍‌ରେ ୧୦ହଜାର ଟଙ୍କା ଓ ପରିଚୟପତ୍ର ଆଦି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଥିବା ସେ କହିଛନ୍ତି।

ଲୁଟର ଶିକାର ହୋଇଥିବା ୪ଜଣ ଶିଳ୍ପାଂଚଳ ଫାଣ୍ଡିରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତନାଘନା ଆରମ୍ଭ କରିଛି। କଳା ପଲ୍‌ସରରେ ଆସିଥିବା ଲୁଟେରା ଉଭୟ ଲୁଟରେ ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧିତ ଖବର