ୟୁପିଏସ୍‌ସି ପରୀକ୍ଷା: ଚତୁର୍ଥ ଉଦ୍ୟମରେ ୩୮ତମ ରୢାଙ୍କ ରଖିଲେ ଜଗତସିଂହପୁରର ଅନୁପ ଦାସ

ଜଗତସିଂହପୁର ଟାଉନ୍: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୨ରେ ଜଗତସିଂହପୁର ମାଟିର ପୁଅ ଅନୁପ ଦାସ ୩୮ତମ ସ୍ଥାନ ହାସଲ କରିଛନ୍ତି। ସିଭିଲ ସର୍ଭିସ୍‌ ପରୀକ୍ଷାରେ ସେ ଚତୁର୍ଥ ଥର ଏଭଳି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୯ ମସିହାରେ ୧୨୦ତମ ସ୍ଥାନ ହାସଲ କରିଥିଲେ। ଶ୍ରୀ ଦାସ ୨୦୧୭ ଓ ୨୦୧୮ରେ ମଧ୍ୟ ସିଭିଲ ସର୍ଭିସ୍‌ ପରୀକ୍ଷା ଦେଇଥିଲେ। ସଫଳତା ହାସଲ କରିବା ପରେ ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ୟୁପିଏସ୍‌ସି ପରୀକ୍ଷା କଠିନ। କିନ୍ତୁ ଏଥିରେ ସଫଳତା ହାସଲ କରିବା ଅସମ୍ଭବ ନୁହେଁ।

ନାଉଗାଁ ବ୍ଲକ କୋକିଡ଼ିହ ଅଞ୍ଚଳର ଅନୁପ ଦାସ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ୟୁପିଏସ୍‌ସି ପରୀକ୍ଷାରେ ୩୮ତମ ସ୍ଥାନ ହାସଲ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ସେ ଏବେ ନୂଆଦିଲ୍ଲୀସ୍ଥିତ ଆୟକର ବିଭାଗରେ ସହକାରୀ କମିସନର ଭାବେ କାର୍ଯ୍ୟରତ ଅଛନ୍ତି। ସେ ୨୦୧୯ ୟୁପିଏସ୍‌ସି ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରିବା ପରେ ଆୟକର ବିଭାଗରେ ଯୋଗ ଦେଇଛନ୍ତି।  ୧୯୯୫ ଅଗଷ୍ଟ ୭ ତାରିଖରେ ଜନ୍ମିତ ଅନୁପ ୨୦୧୧ରେ ମାଟ୍ରିକ୍‌ ପାସ୍ କରିଥିଲେ।

ଶ୍ରୀ ଦାସ ଭୁବନେଶ୍ବରସ୍ଥିତ ବିଜେବି କଲେଜରୁ ୨୦୧୩ରେ ଯୁକ୍ତ ୨ ପାସ୍ କରିଥିଲେ। ପିଲାଟି ଦିନରୁ ମେଧାବୀ ଛାତ୍ର ଥିବା ଅନୁପ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ୨୦୧୬ରେ ପ୍ରାଣୀ ବିଜ୍ଞାନ ସ୍ନାତକରେ ଟପର୍ ହୋଇଥିଲେ। ୨୦୧୮ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକତ୍ତୋର ପାସ୍ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର