୨୦ ହଜାର ଟଙ୍କାର ଅନୁକମ୍ପା ରାଶି ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଧରାପଡିଲେ ବ୍ଲକ କାର୍ଯ୍ୟକ୍ରମ ସହାୟକ

ଉମରକୋଟ: ଗରିବଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଛନ୍ତି। କିନ୍ତୁ କିଛି ସରକାରୀ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେଉଛି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏକ ଗରିବ ପରିବାରର ରୋଜଗାରିଆ ବାପା ଆକସ୍କିକ ମୃତ୍ୟୁ ବରଣ କରିବା ପରେ ପରିବାର କିପରି ଚଳିବ ସେ ନେଇ ଚିନ୍ତାରେ ପଡ଼ିଥିବାବେଳେ ସରକାରଙ୍କଠାରୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ କୋଡ଼ିଏ ହଜାର ଟଙ୍କା ଅନୁକମ୍ପା ରାଶି ପାଇଁ ଆବେଦନ କରିଥିଲେ। ତେବେ ଏହି ଅର୍ଥ ରାଶି ପାଇଁ ମଧ୍ୟ କର୍ମଚାରୀ ଜଣକ ୫ ହଜାର ଟଙ୍କା ଲାଞ୍ଚ ମାଗି ହୀନ ମାନବିକତାର ପରିଚୟ ଦେଇଛନ୍ତି | ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ଏପରି ଏକ ଘଟଣା ଘଟିଛି । ଦାରିଦ୍ର୍ୟ ରେଖା ତଳେ ବାସ କରୁଥିବା ଓ ପରିବାରକୁ ବହୁ କଷ୍ଟେମଷ୍ଟେ ଚଳାଉଥିବା ହୀରାପୁର ଗ୍ରାମର ବଳଦେବ ହରିଜନଙ୍କ ପିତାଙ୍କର ୧୧/୧୧/୨୦୧୯ ତାରିଖରେ ମୃତ୍ୟୁ ହୋଇଯାଇଥିଲା | କୌଣସି ସୁତ୍ରରୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସରକାର ୨୦ ହଜାର ଟଙ୍କା ଆର୍ଥିକ ସହାୟତା ଦେଉଛନ୍ତି ବୋଲି ଜାଣିବା ପରେ ୨୦୨୨ ନଭେମ୍ବରରେ ବଳଦେବ ଉମରକୋଟ ବ୍ଲକ କାର୍ଯ୍ୟାଳୟକୁ ଆସି ସମାଜ ମଙ୍ଗଳ ବିଭାଗକୁ ଆସି ଆବେଦନ କରିଥିଲେ।

ତେବେ ବଳରାମ ଟଙ୍କା ପାଇଁ ବହୁବାର ଏହି ବିଭାଗର କାର୍ଯ୍ୟକ୍ରମ ସହାୟକ ବିରବଲ ସତନାମିଙ୍କୁ କାକୁତିମିନତି ହେଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ। ଶେଷରେ ବଳଦେବ ୫ ହଜାର ଟଙ୍କା ଲାଞ୍ଚ ଦେବା ପାଇଁ ରାଜି ହେବା ପରେ ବିରବଲ ଫାଇଲ ଆଗକୁ ବଢ଼ାଇଥିଲେ। ଏହାପରେ ଆଜି ବଳଦେବ ବିରବଲଙ୍କୁ ଲାଞ୍ଚ ଟଙ୍କା ଦେବା ପାଇଁ ଦିନ ଧାର୍ଯ୍ୟ ହେଇଥିଲା।। ଏହି ଘଟଣାପରେ ବଳଦେବ ନବରଙ୍ଗପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଶେଷରେ ଆଜି ବଳଦେବ ବିରବଲଙ୍କୁ ଲାଞ୍ଚ ଦେବା ସମୟରେ ଆଗରୁ ଛପିକି ଥିବା ଭିଜିଲାନ୍ସ ବିଭାଗ ଅଧିକାରୀମାନେ ବିରବଲଙ୍କୁ କାବୁ କରି କେମିକାଲ ବୋଳାଯାଇଥିବା ୫୦୦୦ଟଙ୍କା ଉଦ୍ଧାର କରିବା ସହ ବ୍ଲକ କାର୍ଯ୍ୟାଳୟ ଓ ଉମରକୋଟ ସହରକୁ ଲାଗିକି ଥିବା ନିଜ ଗ୍ରାମ କଚନୀଆମ୍ବାଠାରେ ଥିବା ତାଙ୍କ ଘରକୁ ମଧ୍ୟ ଯାଞ୍ଚ କରିଥିଲେ । ବର୍ତ୍ତମାନ ଭିଜିଲାନ୍ସ ବିଭାଗ ବିରବଲକୁ ଗିରଫ କରି ନବରଙ୍ଗପୁର ନେଇଯାଇଛି। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ନବରଙ୍ଗପୁର ଡିଏସପି କଲାବତି ବାଘ, ଜୟପୁର ଡିଏସପି ଅନନ୍ତ ପ୍ରସାଦ ମଲିକ, ମାଲକାନଗିରି ଡିଏସପି ଜୟଶ୍ରୀ ପ୍ରଧାନ, ଇନ୍ସପେକ୍ଟର ଆର. ବିଜୟ କୁମାର, ଅଜିତ ପାଢୀ, ସୂତାନଶୁ ଶେଖର ପଟ୍ଟନାୟକ, ଦିବ୍ୟ ରଂଜନ ବେହେରା ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର