ସମସ୍ୟାର ଚକ୍ରବ୍ୟୁହରେ ସାପଘେରା, ଅଭିଶପ୍ତ ଜୀବନ ଜିଇବା ଏଠି ଦେହସୁହା

ଦୂଷିତ ପାଣି ଭରସା, ଖଟିଆରେ ରୋଗୀ ବୁହା

ରାଇରଙ୍ଗପୁର: ଚାରିପଟେ ସମସ୍ୟା, ରାସ୍ତାଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ। ଜୀବନ ଜିଇବା ପାଇଁ ଏଭଳି ମୌଳିକ ସୁବିଧା ଆନ୍ତରିକତାର ଅଭାବ ହେଉ କିମ୍ବା ଅପରାଗତା ହେଉ ପ୍ରଶାସନଠାରୁ ମିଳୁନି। ଦାବି କଲେ ବି କେହି ଶୁଣିବାର ନାହିଁ। ଏହା କାହାର ଅଭିଶାପ ନୁହେଁ ତ ଆଉ କ’ଣ? ଏଭଳି ଅଭିଶପ୍ତ ଜୀବନ ଜିଇବା ଦେହସୁହା ହୋଇଗଲାଣି। ସମସ୍ୟାର ଚକ୍ରବ୍ୟୁହରୁ ମୁକୁଳିବାର ଜୁ ନାହିଁ। ତଥାପି ବଂଚିଛୁ କେବଳ ଭାଗ୍ୟକୁ ଆଦରି ବୋଲି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ସରଗଡା ପଞ୍ଚାୟତ ସାପଘେରା ଗ୍ରାମର ନାଲାକଚା ସାହିର ଲୋକେ ପ୍ରକାଶ କରିଛନ୍ତି।

ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରହିଛି ସାପଘେରା। ପାନୀୟଜଳର ଘୋର ଅଭାବ। ଗାଁକୁ ପକ୍କା ରାସ୍ତା ନାହିଁ । ଭଙ୍ଗା ଦଦରା ଘରେ ଜୀବନ କାଟୁଛନ୍ତି ଅନେକ ଲୋକ। ପାଠ ପଢିବା ପାଇଁ ୩ କି.ମି ଚାଲି ଚାଲି ଯିବାକୁ ପଡ଼ୁଛି। ଏଭଳି ସମସ୍ୟା ଗ୍ରାମବାସୀଙ୍କୁ ସବୁବେଳେ ଅସହ୍ୟ କରୁଛି। ସାହିରେ ବସବାସ କରନ୍ତି ପାଖାପାଖି ୨ଶହ ଲୋକ। ଦୁର୍ଭାଗ୍ୟର ବିଷୟ ଯେ, ଘଞ୍ଚ ଜଙ୍ଗଲ ପାହାଡ଼ ତଳେ ସମସ୍ୟାକୁ ସାଥି କରି ଏମାନେ ଜୀଉଁଛନ୍ତି। ପାନୀୟଜଳ କହିଲେ ଗାଁରେ ରହିଛି ଦୁଇଟି ନଳକୂପ। ହେଲେ ପାଣି ବାହାରୁନି। ପୁରା ଅଚଳ। ପାଖରେ ଥିବା ଏକ ଛୋଟ ଖାଲ (ଚୁଆ)ରୁ ଦୂଷିତ ପାଣି ଆଣୁଛନ୍ତି ଲୋକେ। ଦୂଷିତ ପାଣି ପିଇଲେ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଗ୍ରାମରେ ଏକ ବାହାଘର କିମ୍ବା ଶୁଦ୍ଧି କ୍ରିୟା କାର୍ଯ୍ୟ ପଡିଲେ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯଦି ରାସ୍ତା କଥା ଚିନ୍ତା କରାଯାଏ ତେବେ ଉକ୍ତ ସାହିକୁ ଯିବାକୁ ହେଲେ ମାଟି ରାସ୍ତା ଦେଇ ଯିବାକୁ ପଡେ। ବର୍ଷା ଦିନ କଥା କହିଲେ ନସରେ। ଏପରିକି ଆମ୍ବୁଲାନ୍ସ ମଧ୍ୟ ଗାଁକୁ ଆସି ପାରେ ନାହିଁ। ଖଟିଆରେ ବୁହା ହୋଇଥାନ୍ତି ଉକ୍ତ ଗ୍ରାମର ରୋଗୀ। ସବୁଠାରୁ ବଡକଥା ହେଲା ଉପଯୁକ୍ତ ପାଠ ପଢାରୁ ବଞ୍ଚିତ ରହୁଛନ୍ତି ସାହିର ଛାତ୍ରଛାତ୍ରୀ।

Sambad

ଗ୍ରାମରେ ସ୍କୁଲ ନଥିବାରୁ ଦୀର୍ଘ ୩ କି.ମି ଚାଲି ପାଖ ଗାଁ ସ୍କୁଲକୁ ଯିବାକୁ ପଡ଼ୁଛି ଯାହା ଛୋଟ ଛୋଟ ପିଲାମାନଙ୍କ କ୍ଷେତ୍ରରେ କାଠିକର ପାଠ ହୋଇ ପଡୁଛି। ଯେଉଁଥି ପାଇଁ ଅଧିକାଂଶ ପିଲା ପାଠ ପଢ଼ାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମବାସୀ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ଅଛନ୍ତି। ଯାହାଫଳରେ ଭଙ୍ଗା ଦଦରା ଘରେ ଜୀବନ କାଟୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଝଡ଼ବର୍ଷା ଆସିଲେ ଭଗବାନ ହିଁ ଭରସା ହୋଇଥାନ୍ତି। ଉକ୍ତ ଗ୍ରାମର ଦଶରଥ ଦେହୁରୀ ତାଙ୍କ ସ୍ତ୍ରୀ ଏବଂ ନବଜାତ ଶିଶୁ ସହିତ ସରକାରୀ ପାଇଖାନାରେ ବାସ କରୁଥିବା ଦେଖିବାକୁ ମିଳିଛି। କିଛି ଲୋକଙ୍କ ଆବାସ ଯୋଜନା କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ଅଟକିଛି। ଗାଁରେ ଥିବା କିଛି ବୃଦ୍ଧା ସରକାରୀ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅଛନ୍ତି। ଏଭଳି ଅଧିକାଂଶ ସମସ୍ୟା ଦୈନନ୍ଦିନ ନ ଜୀବନ ଶୈଳୀରେ ଗ୍ରାମବାସୀଙ୍କୁ ତଳିତଳାନ୍ତ କରିଛି। ଏ ନେଇ ସ୍ଥାନୀୟ ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ କରିବା ସତ୍ତ୍ବେ କୌଣସି ପ୍ରକାର ସୁଫଳ ମିଳୁନାହିଁ। ତେବେ ସ୍ଵାଧୀନତାର ୭୫ ବର୍ଷ ପରେ ଗ୍ରାମବାସୀ ଏଭଳି ଅଭିଶପ୍ତ ଜୀବନ ବିତାଇବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର