୪କୋଟି ୩୦ଲକ୍ଷ ଖର୍ଚ୍ଚ ପରେ ବି ବର୍ଜ୍ୟବସ୍ତୁ ପରିଚାଳନା ଫେଲ୍

ଜୟପୁର : ଲକ୍ଷାଧିକ ଲୋକ ବସବାସ କରୁଥିବା ଜୟପୁର ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ସାହି, ଗଳି, ମୁଖ୍ୟରାସ୍ତା ଗୁଡିକରେ ମଇଳା ଅବର୍ଜନା ଜମା ହୋଇ ପଡ଼ି ରହିବା ସହ ରାସ୍ତା ଉପରେ ପଲିଥିନ୍ ଉଡ଼ୁଥିବା ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ପରେ ନାଳ ଗୁଡିକରେ ମଇଳା ଆବର୍ଜନା ପାଣି ଜମା ହୋଇ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।  ଯେଉଁ ରାସ୍ତାରେ ଗଲେ ବି ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି। ଅନ୍ୟ ପକ୍ଷରେ ପ୍ରତିବର୍ଷ ସହରର ୨୮ଟି ୱାର୍ଡର ସଫେଇ , ବ୍ଲିଚିଂ, ଫିନାଇଲ୍ , ମଶା ଔଷଧ ପକାଯିବା ପାଇଁ ୪କୋଟି୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି। ଏହା ବାଦେ ବି ମଶା ଓ ମାଛିର ପ୍ରାଦୁର୍ଭାବ ସହ ଦୁର୍ଗନ୍ଧମୟ ପରିବେଶ ଲୋକଙ୍କୁ ଅସହ୍ୟ କରୁଛି। ନାଳ ଗୁଡିକ ଠିକ୍ ଭାବେ ସଫେଇ ହେଉନଥିବାରୁ ପାଣି ଜମା ହୋଇ ମଶା ଓ ମାଛି ଘର କରି ସାରିଲେଣି ।

ସହରକୁ ସଂପୁର୍ଣ୍ଣ ସଫା ସୁତରା କରି ରଖିବା ପାଇଁ ୨୮ଟି ୱାର୍ଡକୁ ୨ଟି  ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଏହା ବାଦେ ବି ଯଥା ପୂର୍ବଂକୁ ତଥା ପରଂ। ସ୍ବେରେଜ ବ୍ୟବସ୍ଥା ଠିକ ନଥିବାରୁ ସହରର ମଇଳା, ନାଳ, ନର୍ଦ୍ଦମାର ପାଣି ସବୁ ବିଭିନ୍ନ ଜଳାଶୟରେ ପଶୁଛି। ଏହାର ସଦ୍ୟ ଉଦାହରଣ ଜଗନ୍ନାଥସାଗର ଓ ନୀଳକଣ୍ଠସାଗର। ସହରରୁ ସଂଗ୍ରହ ହେଉଥିବା ଶୁଖିଲା ଓ କଂଚା ମଇଳା, ଆବର୍ଜନ ଆଦିକୁ ଅତ୍ୟାଧୁନିକ ପ୍ରଣାଳୀରେ ମୋ ଖତ କରିବା ପ୍ରକ୍ରିୟା ପାଇଁ ୪ଟି ଏମସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) କରିବାକୁ ଯୋଜନା କରାଯାଇଥିଲା। ତେବେ ଗୋଟିଏ ମାତ୍ର  ଗଡ଼ିଆ ଧୋବାସାହି ମଧ୍ୟରେ ଥିବା ଏମସିସି କାର୍ଯ୍ୟକ୍ଷମ ହେଉଥିବା ବେଳେ ବଳକା ୩ଟି ଆରମ୍ଭ ହୋଇନି। ବ୍ୟାଟେରୀ ଚାଳିତ ଗାଡି(ବିଓଭି)ରେ ମଇଳା ସଂଗ୍ରହ ପାଇଁ ୨ଟି ପର୍ଯ୍ୟାୟରେ ୭୬ଲକ୍ଷ ବ୍ୟୟରେ ୪୦ଟି କିଣାଯାଇଥିଲା। ଏଥିରୁ ଏବେ ମାତ୍ର ୨୮ଟି ହିଁ ଚାଲୁଛି। ଆଉ ୨ଟିର ସଂପୁର୍ଣ୍ଣ ଖରାପ ହୋଇ ସାରିଥିବା ବେଳେ ଆଉ ୧୦ଟିର ମରାମତି କାମ ଚାଲିଛି। ଏହା ସହ ୧୦ଟି ଟ୍ରାକ୍ଟର,୩ଟି ଅଟୋ ଟିପ୍ପରରେ ଏବେ ମଇଳା ବୁହା ଚାଲିଛି। ୨ଟି ଟିପ୍ପର, ୨ଟି ଅଟୋ ଟିପ୍ପରର ବି ଯନ୍ତ୍ରାଂଶରେ ମରାମତି ଦେଖା ଦେବା ସହ ପୌର କାର୍ଯ୍ୟାଳୟ ପରିସରରେ ପଡ଼ି ରହିଛି। ଗତ ଅଗଷ୍ଟ ମାସରେ ଜିଲ୍ଲାପ୍ରଶାସନ ୨୮ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ସଫେଇ ଭ୍ୟାନ୍ ଜୟପୁର ପୌରପାଳିକାକୁ ଦେଇଥିଲା। ଏହାକୁ ବ୍ୟବହାର କରିବାର ସପ୍ତାହକ ମଧ୍ୟରେ ହିଁ  ଯନ୍ତ୍ରାଂଶରେ ମରାମତି ଦେଖା ଦେବା ସହ ସେଭଳି ପଡ଼ି ରହିଛି ।

କିଛି ସାହିର ନାଳ କାମ ସରିବା ପରେ ଏହା ଉପରେ ସ୍ଲାପ ପ୍ଲେଟ୍ ପକାଯାଇଛି। ନିୟମିତ ଭାବେ  ନାଳ ସଫା ନ କରିବା ଫଳରେ ମଶା, ମାଛି ଘର କରିବା ସହ ପୁତ୍ତିଗନ୍ଦମୟ ପରିବେଶ ସୃଷ୍ଟି ହୋଇଛି। ନୂଆସାହି, ଧୋବାସାହି, ମହାନ୍ତିସାହି, ସୌରାସାହି, ଚନ୍ଦନବାଢ଼, ପାର୍କ ସାହି, ଭିଆଇପି ଲାଇନରେ ଦେଖିବାକୁ ମିଳିଛି। ୨ଟି ଘରୋଇ ସଂସ୍ଥାର ୧୨୦, ୩୭ଜଣ ସ୍ଥାୟୀ ସଫେଇ କର୍ମଚାରୀ, ୨୮ଟି ବିଓଭି, ଟ୍ରାକ୍ଟର, ଟିପର ଦ୍ବାରା ସହରର ମଇଳା ଉଠାଯିବାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ସେଭଳି ବିଓଭି, ରାସ୍ତା ସଫେଇ ଯନ୍ତ୍ରାଂଶର ମରାମତି ପାଇଁ ସ୍ଥାନୀୟ ବୈଷୟିକ କର୍ମଚାରୀ କେହି ନଥିବାରୁ ଏହି  କଂପାନୀକୁ ଅବଗତ କରାଯାଇଛି। ଉକ୍ତ କଂପାନୀର ବୈଷୟିକ କର୍ମଚାରୀମାନେ ଆସି ଯନ୍ତ୍ରାଂଶ ସଜାଡ଼ିବା କାମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ।

 

ସମ୍ବନ୍ଧିତ ଖବର