ପାଞ୍ଚମାସ ପୂର୍ବରୁ ଭାଙ୍ଗିଯାଇଛି ପାଣି ଟାଙ୍କି, ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ

ବୈପାରିଗୁଡା: ଗତ ପାଞ୍ଚମାସ ଧରି ଭାଙ୍ଗି ପଡ଼ିରହିଛି ପାଣି ଟାଙ୍କି। ଯେତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର କେରାଅଟାଳ ଗ୍ରାମରେ। ୫୦ ପରିବାର ବିଶିଷ୍ଟ କେରାଅଟାଳ ଗ୍ରାମରେ ଗୋଟିଏ ନଳକୂପ ଏବଂ ଗୋଟିଏ କୂଅ ରହିଛି। ପ୍ରବଳ ଖରାରେ କୂଅରୁ ପାଣି ଶୁଖିଯିବା ଫଳରେ ୫୦ ପରିବାର ଗୋଟିଏ ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଦଶ ବାର ଗରା ପାଣି ନେବା ପରେ ନଳକୂପରୁ ଗୋଳିଆ ପାଣି ବାହାରେ। କିନ୍ତୁ ଅନ୍ୟଦିଗରେ ଗ୍ରାମବାସୀଙ୍କୁ ଜଳ ଯୋଗାଣ ପାଇଁ ରହିଥିବା ପାଣି ଟାଙ୍କିଟି ଗତ ପାଞ୍ଚମାସ ତଳୁ ଭାଙ୍ଗିଯାଇ ଅକାମୀ ହୋଇ ପଡ଼ିରହିଛି। ପାଣି ଟାଙ୍କିକୁ ସଂଯୋଗ କରାଯାଇଥିବା ସୋଲାର ପ୍ଲେଟ ମଧ୍ୟ ଅଚଳ ହୋଇପଡିଛି।

ଯାହାଫଳରେ ଟୋପାଏ ପାଣି ପାଇଁ ଗାଁ ଲୋକଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ଗ୍ରାମବାସୀ ମାନେ ବାଧ୍ୟ ହୋଇ ନଳକୂପ ଉପରେ ଭରସା କରି ବଞ୍ଚୁଛନ୍ତି। ସଫା ପାଣି ଟୋପାଏ ପାଇବା ପାଇଁ ପ୍ରବଳ ଖରାରେ ମଧ୍ୟ ଘଣ୍ଟାଘଣ୍ଟା ଧରି ଠିଆ ହେବା ପାଇଁ ବାଧ୍ୟ ହେଉଛନ୍ତି। ଏସଂପର୍କରେ ସଂପୃକ୍ତ ବିଭାଗକୁ ଜଣାଇଲେ ମଧ୍ୟ କୈାଣସି ପଦକ୍ଷେପ ଆଜିଯାଏ ନିଆଯାଇ ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର