ପ୍ରେମିକା ଘର ସମ୍ମୁଖରେ ଜଳିଗଲେ ପ୍ରେମିକ: କହିଲେ- ବଂଚିଲେ କହିବି ସବୁ କଥା

ଜଗତସିଂହପୁର ଟାଉନ୍‌: ପ୍ରେମିକାର ଘର ସମ୍ମୁଖରେ ଜଳିଗଲେ ପ୍ରେମିକ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଡେରିକି ପଂଚାୟତ ବାଲିଚନ୍ଦ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ନିଆଁରେ ଜଳିଯାଇଥିବା ଯୁବକ ଜଣକ ହେଲେ ବିପିନ ସାହୁ (୨୩)। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ମାଧ୍ୟମରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଶରୀର ଜଳିଯିବା ପରେ ବିପିନ କହିଛନ୍ତି, ବଂଚିଲେ ସବୁ କଥା କହିବି। ପ୍ରେମିକ ଜଣକ କହିଛନ୍ତି ଯେ, ପ୍ରେମିକାର ପରିବାର ଲୋକଙ୍କ ସହିତ ତାଙ୍କର ପୂର୍ବ ଶତ୍ରୁତା ଥିଲା।

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାର ଯୁବକ ବିପିନ ସାହୁ ଜଗତସିଂହପୁର ଜିଲ୍ଲା ନାଉଗାଁରେ ରହି ମାର୍ବଲ ମିସ୍ତ୍ରୀ ଭାବେ କାମ କରୁଥିଲେ। ଏହି ଅଂଚଳରେ ସେ ବହୁଦିନ ପର୍ଯ୍ୟନ୍ତ ରହିବା ଫଳରେ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବିପିନ ଯୁବତୀଙ୍କୁ ମନ-ପ୍ରାଣ ଦେଇ ଭଲ ପାଉଥିଲେ। କିନ୍ତୁ ଯୁବତୀଙ୍କ ଘର ଲୋକେ ଏହାକୁ ବିରୋଧ କରୁଥିଲେ। ପ୍ରେମ ସଂପର୍କ ନେଇ ପୂର୍ବରୁ ମତାନ୍ତର ମଧ୍ୟ ହୋଇଥିଲା। ହେଲେ ଆଜି ଯୁବକ ଜଣକ ହଠାତ ଯୁବତୀଙ୍କ ଘର ସମ୍ମୁଖରେ ଜଳିଯାଉଥିବା ଲୋକେ ଦେଖିଥିଲେ। ବିପିନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟରେ ଯୁବକ ଜଣକ କେମିତି ନିଆଁ ଲାଗି ଜଳିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି ଯେ, ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପ୍ରେମିକାର ଘର ଲୋକ ନିଆଁ ଲଗାଇ ଦେଇଥିବା ଯୁବକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର