ଗଞ୍ଜାମ: ହାତୀଗଡ଼ା ଗ୍ରାମରେ ପିଟି ପିଟି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତୀଗଡ଼ା ଗ୍ରାମରେ ଆଜି ରାତିରେ ଜଣେ ପ୍ରବାସୀ ଫେରନ୍ତା ଓଡ଼ିଆ ଯୁବକଙ୍କୁ କିଛି ଯୁବକ ଘରୁ ଡାକି ନେଇ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ସ‌ୋରଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ହାତୀଗଡ଼ା ଗ୍ରାମର ସନ୍ତୋଷ ଗୌଡ଼ଙ୍କ ପୁଅ ଅରୁଣ ‌ଗୌଡ଼ (୨୮)। ଅରୁଣଙ୍କ ଶବ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଅରୁଣ ରାଜ୍ୟ ବାହାରେ କାମ କରୁଥିଲେ। କରୋନା କଟକଣା ଯୋଗୁଁ ଗାଁକୁ ‌ଫେରିଥିଲେ। ସଙ୍ଗରୋଧରେ ରହିବା ପରେ ଗତ ୨୦ ଦିନ ପୂର୍ବେ ଘରକୁ ଫେରିଥିଲେ। ଆଜି ସକାଳେ ଗାଁରେ ଜଣେ ସମ୍ପର୍କୀୟଙ୍କ ‌ଭୋଜିକୁ ଯାଇଥିଲେ। ସେଠାରୁ ଫେରି ଅରୁଣ ସନ୍ଧ୍ୟାରେ ଘରେ ଥିବା ବେଳ‌େ କିଛି ଯୁବକ ତାଙ୍କୁ ବାହାରକୁ ଡାକିଥିଲେ। ସେ ବାହାରକୁ ଆସି କଥାବାର୍ତ୍ତା ହେଉଥିଲେ। ହଠାତ୍ ୬ରୁ ଊର୍ଦ୍ଧ୍ବ ଯୁବକ ଠେଙ୍ଗା ଓ କାଠ ଫାଳିଆରେ ଅରୁଣଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଅରୁଣଙ୍କୁ ଛାଡ଼ି ସେଠାରୁ ପଳାଇଥିଲେ। ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ହୋଇଥିଲା। ଏନେଇ ବାପା ସୋରଡ଼ା ଥାନାରେ ଖବର ଦେବା ପରେ ଥାନା ଅଧିକାରୀ ରମେଶ ପ୍ରଧାନ ପୁଲିସ ଟିମ୍ ହାତୀଗଡ଼ା ଗ୍ରାମରେ ପହଞ୍ଚିଛନ୍ତି। ମୃତ ଦେହକୁ ଜବତ କରି ପୁଲିସ ଗ୍ରାମବାସୀଙ୍କୁ ପଚରାଉଚରା କରୁଥିବା ନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି।
ସମ୍ବନ୍ଧିତ ଖବର