ମହିଳାମାନେ ମଦ ବନ୍ଦ ସପକ୍ଷରେ କାହିଁକି?

ଯୋଗେନ୍ଦ୍ର ଯାଦବ

ଆଇଆଇଟି ଦିଲ୍ଲୀର ତିନି ଜଣ ଗବେଷକଙ୍କ ଦ୍ବାରା କରାଯାଇଥିବା ଏକ ନୂତନ ଅନୁଧ୍ୟାନ ଦେଶର ନୀତି ନିର୍ଦ୍ଧାରକମାନଙ୍କୁ ମଦ ବନ୍ଦ ସମ୍ପର୍କରେ ପୁନର୍ବାର ବିଚାର କରିବାକୁ ବାଧ୍ୟ କରିପାରେ। ଏହି ଗବେଷଣା ସେମାନଙ୍କୁ ଦେଖାଇପାରେ ଯେ ମହିଳାମାନଙ୍କୁ କେନ୍ଦ୍ରରେ ରଖି ଏହି ସମସ୍ୟା ବିଷୟରେ କିପରି ଚିନ୍ତା କରିବା ଉଚିତ। ଏହା ଜରିଆରେ ଏକଥା ବୁଝାଯାଇପାରେ ଯେ, ସାରା ଦେଶରେ ମହିଳାମାନେ ମଦ ବନ୍ଦକୁ କାହିଁକି ସମର୍ଥନ କରନ୍ତି। ଅନ୍ତତଃ ପକ୍ଷେ, ଏହା ଏତିକି ଶିଖାଇପାରେ ଯେ ମଦ ବନ୍ଦ ପ୍ରଶ୍ନ ବିଷୟରେ କିପରି ଚିନ୍ତା କରିବା ଆବଶ୍ୟକ।
ମଦ ବନ୍ଦ ଉପରେ ଜାତୀୟ ବିତର୍କ ଦୁଇ ପ୍ରକାର ଭୁଲ୍‌ ଚିନ୍ତାଧାରାର ଶିକାର ହୋଇ ରହିଛି। ଗୋଟିଏ ପଟେ ଯେଉଁମାନେ ଏହି ମଦ ନିଷେଧାଦେଶକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛନ୍ତି, ସେମାନେ ଏହାକୁ ଏକ ନୈତିକ, ଚାରିତ୍ରିକ ଓ ସାଂସ୍କୃତିକ ପ୍ରଶ୍ନ ଭାବରେ ଉପସ୍ଥାପନ କରନ୍ତି। ଅନ୍ୟ ପକ୍ଷରେ, ଯେଉଁମାନେ ସରକାରଙ୍କ ମଦ ନିଷେଧାଦେଶକୁ ବିରୋଧ କରୁଛନ୍ତି, ସେମାନେ ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଉଲ୍ଲଂଘନ ଏବଂ ଅଣ-ଆଧୁନିକ ରକ୍ଷଣଶୀଳ ଚିନ୍ତାଧାରା ବୋଲି ବିବେଚନା କରନ୍ତି। ଏ ପରିପ୍ରେକ୍ଷୀରେ ଉଭୟ ଯୁକ୍ତି ହିଁ ଯଥାର୍ଥ ନୁହେଁ। କାରଣ ମଦ୍ୟପାନ କରିବା କିମ୍ବା ନକରିବା ଦ୍ବାରା ଜଣଙ୍କର ଚରିତ୍ର ଭଲ କିମ୍ବା ଖରାପ ହୋଇଯାଏନି। ଏମିତି ତ ଆମ ସମାଜରେ କୌଣସି ନା କୌଣସି ମାଦକ ଦ୍ରବ୍ୟ ପ୍ରୟୋଗର ପୁରୁଣା ପ୍ରଥା ରହିଆସିଛି। ଏପଟେ ପାଶ୍ଚାତ୍ୟ ସଭ୍ୟତାର ପ୍ରତ୍ୟେକ ଅନୁକରଣକୁ ଆଧୁନିକତା ‌େବାଲି କହିବା ହେଉଛି ମାନସିକ ଦାସତ୍ବର ସଂକେତ। ଏମିତି ତ ସରକାର ଯଦି ସିଗାରେଟ୍‌ ଓ ହେଲମେଟ୍‌ ଉପରେ କଟକଣା ଲଗାଇ ପାରୁଛନ୍ତି ମଦ୍ୟପାନ ଉପରେ କାହିଁକି ନୁହେଁ?
ମଦ୍ୟପାନ କିପରି ନିୟନ୍ତ୍ରିତ ହୁଏ, ସେ ବାବଦରେ ଆମର ଏକ ନୂତନ ଦୃଷ୍ଟିକୋଣ ରହିବା ଆବଶ୍ୟକ। ମଦ୍ୟପାନ ଓ ମଦ ନିଷେଧକୁ ବ୍ୟକ୍ତିଗତ ସ୍ବାଧୀନତା ବନାମ ନୈତିକତାର ନିରର୍ଥକ ବିତର୍କରୁ ବାହାର କରି ସାର୍ବଜନୀନ ସ୍ବାସ୍ଥ୍ୟ ଓ ସାମାଜିକ ନ୍ୟାୟର କଷଟି ପଥରରେ ପରୀକ୍ଷା କରିବା ଜରୁରୀ। ଏହି ଦୃଷ୍ଟିକୋଣରୁ, ମଦ୍ୟର ଅବାଧ ପ୍ରଚଳନରୁ ସୃଷ୍ଟ ପ୍ରକୃତ ସମସ୍ୟା ହେଉଛି ଏହା ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ, ଗରିବ ପରିବାରର ଆର୍ଥିକ ସ୍ଥିତିକୁ ଶୋଚନୀୟ କରିଦେଇ ପରିବାରର ମେରୁଦଣ୍ଡକୁ ଭାଙ୍ଗି ଦେଇଥାଏ।

ବିହାରରେ ମହିଳାମାନଙ୍କ ଉପରେ ପୁରୁଷମାନେ ଦେଖାଉଥିବା ହିଂସା ପରିମାଣ ୨୦୧୬ ପରଠାରୁ ସ୍ପଷ୍ଟ ଭାବରେ କମିଛି। କେବଳ ସେତିକି ନୁହେଁ, ବାହାରକୁ ଯିବା ଏବଂ ଖର୍ଚ୍ଚ ଆଦିରେ ମହିଳାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଓ କଟକଣା ମଧ୍ୟ ହ୍ରାସ ପାଇଛି। ଏଭଳି ପରିବର୍ତ୍ତନ ସଂଯୋଗବଶତଃ ଘଟି ନାହିଁ କି ଅନ୍ୟ କୌଣସି ସରକାରୀ ନୀତି ଅଥବା ଅନ୍ୟ କାରଣରୁ ହୋଇନାହିଁ ବୋଲି ଗବେଷକ ତ୍ରୟ ପୁଙ୍ଖାନୁପୁଙ୍ଖ ଓ ଯତ୍ନର ସହିତ ନିରୀକ୍ଷଣ କରି ମତ ଦେଇଛନ୍ତି।

ଏଠାରେ ପ୍ରଶ୍ନ ହେଉଛି, ମଦ୍ୟପାନର ଏହି କୁପରିଣତିଗୁଡ଼ିକର ମୁକାବିଲା ପାଇଁ ଏହାକୁ ସଂପୂର୍ଣ୍ଣ ନିଷେଧ କରିବା ଏକ ପ୍ରଭାବଶାଳୀ ଉପାୟ କି? ଆମ ଦେଶର ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ହରିଆଣାରେ ସଂପୂର୍ଣ୍ଣ ମଦ ନିଷେଧ ହେବାର ଅନୁଭବରୁ ଏହି ନୀତିର ବି ଅନେକ କୁପରିଣତି ସାମନାକୁ ଆସିଛି। ଗୋଟିଏ ରାଜ୍ୟରେ ମଦ ବନ୍ଦ କରିଦେବାଟା ଯଥେଷ୍ଟ ହେବ ନାହିଁ। କାରଣ ସେତିକି ବେଳେ ପଡ଼ୋଶୀ ରାଜ୍ୟମାନଙ୍କରୁ ମଦର ଚୋରା ଚାଲାଣ ଆରମ୍ଭ ହୋଇଯାଏ, କଳାବଜାର କରୁଥିବା ମାଫିଆ ଜନ୍ମ ନେଇଥା’ନ୍ତି। ଯେତେବେଳେ ଆଇନଗତ ଭାବେ ମଦ୍ୟପାନ ନିଷେଧ ହୁଏ, ସେତେବେଳେ କଞ୍ଚା ମଦ, ବିଷାକ୍ତ ମଦ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ବିସ୍ତାର ଆରମ୍ଭ ହୋଇଯାଏ। ଏହି ଯୁକ୍ତି ଯୋଗୁଁ ହିଁ ନିଷେଧାଦେଶ ଉପରେ ଏକ ଜାତୀୟ ସହମତି ହୋଇପାରିନାହିଁ। ସରକାରଙ୍କ ପାଇଁ ସବୁଠୁ ବଡ଼ ଯୁକ୍ତି ହେଲା, ମଦ ନିଷେଧ ହେତୁ ବିପୁଳ ପରିମାଣର ରାଜସ୍ବ କ୍ଷତି ଘଟୁଛି। ଦୁର୍ଭାଗ୍ୟବଶତଃ, ମଦ ସେବନ ଉପରେ ଲାଗୁ ହେଉଥିବା ଅବକାରୀ ଶୁଳ୍‌କ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଆୟର ଉତ୍ସ।
ଏଭଳି ପରିସ୍ଥିତିରେ ୨୦୧୬ରେ ବିହାରରେ ସଂପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବାକୁ ନୀତୀଶ ସରକାରଙ୍କ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗତ ସାତ ବର୍ଷ ଧରି ଏହି ନୀତିର ଭଲ ଓ ଖରାପ ଫଳାଫଳ ବାବଦରେ ଖବର ଆସୁଛି, ମାତ୍ର ଏହାର ଲାଭ ଓ କ୍ଷତି ବିଷୟରେ କୌଣସି ସ୍ପଷ୍ଟ ମତ ଆସିପାରିନାହିଁ। ଗଣମାଧ୍ୟମରେ ଏହି ନୀତିକୁ ବାରମ୍ବାର ବିଫଳ ଘୋଷିତ କରାଯାଇଛି, ଏହା ଦ୍ବାରା ଅପରାଧ ବଢ଼ିଛି ବୋଲି ମଧ୍ୟ ଦାବି କରାଯାଇଛି। କିନ୍ତୁ ବିହାର ସରକାର ଏହାକୁ ମଦ ମାଫିଆଙ୍କ ଅପପ୍ରଚାର ବୋଲି କହିବା ସହ ନିଷେଧାଦେଶକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଛନ୍ତି।
ନିକଟରେ ଆଇଆଇଟି ଦିଲ୍ଲୀର ତିନି ଜଣ ଅର୍ଥନୀତିଜ୍ଞ (ହଁ, କେବଳ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ନୁହେଁ, ଆଇଆଇଟିରେ ସମାଜ ବିଜ୍ଞାନ ଓ ଅନ୍ୟାନ୍ୟ କଳା ବା ‘ହ୍ୟୁମାନିଟିଜ୍‌’ ବିଷୟ ଉପରେ ମଧ୍ୟ ଉଚ୍ଚକୋଟୀର ଗବେଷଣା କରାଯାଇଥାଏ) ବିହାରର ମହିଳାଙ୍କ ଉପରେ ମଦ ବନ୍ଦ ନୀତିର ପ୍ରଭାବ ଉପରେ ଅନୁଧ୍ୟାନ କରି ଏହି ନୀତିର ବସ୍ତୁଗତ ମୂଲ୍ୟାଙ୍କନ ପାଇଁ ବାଟ ଫିଟାଇ ଦେଇଛନ୍ତି। ଗବେଷକ ଶିଶିର ଦେବନାଥ, ସୌରଭ ପାଲ ଓ କୋମଲ ସରିନ ସେମାନଙ୍କ ଗବେଷଣାର କେନ୍ଦ୍ରରେ ଏକ ବଡ଼ ପ୍ରଶ୍ନ ହିଁ ରଖିଥିଲେ। ତାହା ହେଲା, ମଦ ବନ୍ଦ ଦ୍ବାରା ମହିଳାଙ୍କ ଉପରେ ହେଉଥିବା ହିଂସା କ’ଣ କମିଯିବ? ଏ ସପକ୍ଷରେ ଦାବି କରାଯାଇଛି, ସେ ସବୁ ଦାବିର ଖଣ୍ଡନ ମଧ୍ୟ କରାଯାଇଛି, ହେଲେ, ଏହାର କୌଣସି ସ୍ପଷ୍ଟ ନିଷ୍କର୍ଷ ଏଯାବତ୍‌ ମିଳିପାରିନାହିଁ।
ଏହି ତିନି ଗବେଷକ ଏପରି ଅନୁଧ୍ୟାନ ପାଇଁ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ସହାୟତା ନେଇଛନ୍ତି, ଯାହା ଦେଶର ସର୍ବବୃହତ୍‌ ତଥା ପ୍ରାମାଣିକ ସୂଚନା ଉତ୍ସ ଭାବେ ବିବେଚିତ। ଏହି ସର୍ବେକ୍ଷଣର ବିଶେଷତ୍ବ ହେଉଛି, ଏହା ମଦ୍ୟପାନକୁ ମାପିବା ପାଇଁ କୌଣସି ସରକାରୀ ତଥ୍ୟ ବ୍ୟବହାର କରେ ନାହିଁ। ବରଂ, ଘରର ମହିଳାମାନଙ୍କୁ ପଚାରି ତଥ୍ୟ ସଂଗ୍ରହ କରିଥାଏ। ସେହିପରି ମହିଳାଙ୍କ ଉପରେ ହେଉଥିବା ହିଂସା ଓ ନିର୍ଯାତନା ସମ୍ପର୍କରେ କେବେ ପୁଲିସ ଥାନାର ରେକର୍ଡ ଦେଖାଯାଇନଥାଏ, ଯାହା ଅତ୍ୟନ୍ତ ବିଭ୍ରାନ୍ତିକର ହୋଇଥାଏ। ବରଂ, ଏ ବିଷୟରେ ସ୍ବୟଂ ମହିଳାମାନଙ୍କୁ ବ୍ୟକ୍ତିଗତ ସ୍ତରରେ ପଚାରି ତଥ୍ୟ ଯୋଗାଡ଼ କରାଯାଇଥାଏ। ଦେଶରେ ସ୍ବାସ୍ଥ୍ୟ ସମେତ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ସମ୍ପର୍କିତ ତଥ୍ୟର ଏହା ହେଉଛି ସବୁଠାରୁ ପ୍ରାମାଣିକ ଉତ୍ସ। ଏହି ସର୍ବେକ୍ଷଣ ପ୍ରଥମେ ୨୦୦୫-୦୬ ଓ ପରେ ୨୦୧୫-୧୬ରେ ହୋଇଥିଲା ଏବଂ ଶେଷ ଥର ପାଇଁ ଏହା ୨୦୧୯-୨୦ରେ ଅନୁଷ୍ଠିତ ହୋଇଥିଲା।
ସଂଯୋଗ ବଶତଃ, ଏହି ସର୍ବେକ୍ଷଣର ଦ୍ବିତୀୟ ପାଳି ବିହାରରେ ଠିକ୍‌ ମଦ ନିଷେଧାଦେଶ ଲାଗୁ ହେବା ପୂର୍ବରୁ ହିଁ ହୋଇଥିଲା। ଫଳସ୍ବରୂପ, ତାହାକୁ ଆଧାର କରି ମଦ ନିଷେଧାଦେଶର ପ୍ରଭାବକୁ ଠିକ୍‌ରେ ଯାଞ୍ଚ କରାଯାଇପାରିଥିଲା। ସର୍ବେକ୍ଷଣ ତଥ୍ୟର ଏକ ନୂତନ ବିଶ୍ଳେଷଣକୁ ଆଧାର କରି ଏହି ଗବେଷକମାନେ ଦର୍ଶାଇଛନ୍ତି ଯେ, ମଦ ନିଷେଧ ହେବା ପରେ ବିହାରରେ (ପରିବାରର ମହିଳାମାନଙ୍କ କହିବାନୁସାରେ) ପୁରୁଷଙ୍କ ଦ୍ବାରା ମଦ୍ୟପାନ ପୂର୍ବାପେକ୍ଷା ଯଥେଷ୍ଟ କମିଆସିଛି, ସେହି ସମୟ ଭିତରେ ଅନ୍ୟ ରାଜ୍ୟମାନଙ୍କରେ ମଦ୍ୟପାନ ଅପେକ୍ଷାକୃତ ବୃଦ୍ଧି ପାଇଛି। ତାହା ହିଁ ତ ଅପେକ୍ଷା କରାଯାଉଥିଲା। ସେମାନଙ୍କର ସବୁଠୁ ଗୁରୁତ୍ବପୂର୍ଣ୍ଣ ନିଷ୍କର୍ଷଟି ହେଲା, ବିହାରରେ ମହିଳାମାନଙ୍କ ଉପରେ ପୁରୁଷମାନେ ଦେଖାଉଥିବା ହିଂସା ପରିମାଣ ୨୦୧୬ ପରଠାରୁ ସ୍ପଷ୍ଟ ଭାବରେ କମିଛି। କେବଳ ସେତିକି ନୁହେଁ, ବାହାରକୁ ଯିବା ଏବଂ ଖର୍ଚ୍ଚ ଆଦିରେ ମହିଳାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଓ କଟକଣା ମଧ୍ୟ ହ୍ରାସ ପାଇଛି। ଏଭଳି ପରିବର୍ତ୍ତନ ସଂଯୋଗବଶତଃ ଘଟି ନାହିଁ କି ଅନ୍ୟ କୌଣସି ସରକାରୀ ନୀତି ଅଥବା ଅନ୍ୟ କାରଣରୁ ହୋଇନାହିଁ ବୋଲି ଗବେଷକ ତ୍ରୟ ପୁଙ୍ଖାନୁପୁଙ୍ଖ ଓ ଯତ୍ନର ସହିତ ନିରୀକ୍ଷଣ କରି ମତ ଦେଇଛନ୍ତି।
ଏହି ଅନୁଧ୍ୟାନ ପ୍ରଥମ ଥର ପାଇଁ ମହିଳା ସଂଗଠନ ଓ ଜନ ଆନ୍ଦୋଳନର ଅଭିଜ୍ଞତା ଓ ଅନୁଭବକୁ ନିଶ୍ଚିତ କରେ, ଯାହା ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ମଦ୍ୟପାନ ସହିତ ଯୋଡ଼ିଥାଏ ଏବଂ ସେଥି ପାଇଁ ଏପରି ମଦ ନିଷେଧାଦେଶ ଚାହିଁଥାଏ। ଏଣିକି ଆଶା କରିବା ଉଚିତ ହେବ ଯେ ନିଷେଧାଦେଶ ବିଷୟରେ ଚିନ୍ତା କରୁଥିବା ବେଳେ ନୀତି ନିର୍ଦ୍ଧାରକମାନେ ଏହି ଦିଗ ପ୍ରତି ଧ୍ୟାନ ଦେବା ଆରମ୍ଭ କରିବେ। ମାତ୍ର ଯେଉଁ ସପ୍ତାହରେ ଉକ୍ତ ଗବେଷଣାତ୍ମକ ନିର୍ଯାସ ପ୍ରକାଶିତ ହେଲା, ସେହି ସପ୍ତାହରେ ସରକାର ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ କରୁଥିବା ସଂସ୍ଥା ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପପୁଲେସନ୍‌ ଷ୍ଟଡିଜ୍‌’ର ନିର୍ଦ୍ଦେଶକଙ୍କୁ ନିଲମ୍ବନ କରିଛନ୍ତି। ବୁଦ୍ଧିଜୀବୀମାନଙ୍କର ବିଶ୍ବାସ ଯେ ଉକ୍ତ ନିର୍ଦ୍ଦେଶକଙ୍କ ଅପସାରଣର ପ୍ରକୃତ କାରଣ ହେଉଛି- ଉକ୍ତ ସର୍ବେକ୍ଷଣକୁ ସରକାର ପସନ୍ଦ କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଏହି ଗବେଷଣା ଉପରେ ଆଧାର କରି ନୀତି ନିର୍ଦ୍ଧାରଣ ଉପରେ କେତେ ଆଶା ପ୍ରକଟ କରାଯାଇପାରିବ, ତାହା ହିଁ ବଡ଼ ପ୍ରଶ୍ନ!
ଅଧ୍ୟକ୍ଷ, ସ୍ବରାଜ ଇଣ୍ଡିଆ

ସମ୍ବନ୍ଧିତ ଖବର