ଖାଇବା ତେଲ ଦର ବେଲଗାମ କାହିଁକି?

ସରଳ କୁମାର ଦାସ

କୋଭିଡ କାଳରେ ଲୋକଙ୍କ ଆୟ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହି ସମୟରେ ବାଦାମ ତେଲ, ସୋରିଷ ତେଲ, ବନସ୍ପତି, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଓ ପାମ ତେଲ ଭଳି ଛଅ ପ୍ରକାର ଖାଇବା ତେଲର ଦର ପ୍ରାୟ ଦେଢ଼ ଗୁଣ ବା ତା’ଠାରୁ ଅଧିକ ବୃଦ୍ଧି ପାଇ ଖାଉଟିଙ୍କୁ ଅତିଷ୍ଠ କରିଛି। ଜନସାଧାରଣଙ୍କ ରୋଷକୁ ପ୍ରଶମିତ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ବାଧ୍ୟ ହୋଇ ଅଶୋଧିତ ଓ ବିଶୋଧିତ ପାମ ତେଲ, ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନି ଶୁଳ୍‍କ ଓ ସେସ ହ୍ରାସ କରିଛନ୍ତି, ଯଦ୍ଦ୍ୱାରା ତେଲ ଦର ଲିଟର ପିଛା ୫ରୁ ୧୦ ଟଙ୍କା ହ୍ରାସ ପାଇଛି। ତେବେ ଏହି ପରିପ୍ରେକ୍ଷୀରେ ଖାଉଟି ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ଖାଇବା ତେଲ ଦରରେ ହଠାତ୍ ନିଆଁ ଲାଗିଲା କାହିଁକି?

ଖାଇବା ତେଲର ବ୍ୟବହାର ଦୃଷ୍ଟିରୁ ଆମେରିକା, ଚୀନ, ବ୍ରାଜିଲ ପଛକୁ ଭାରତର ସ୍ଥାନ ଚତୁର୍ଥ। ଏଠାରେ ଖାଇବା ତେଲର ଚାହିଦା ବାର୍ଷିକ ପ୍ରାୟ ୨.୫ କୋଟି ଟନ ଥିବା ବେଳେ ଘରୋଇ ଉତ୍ପାଦନର ପରିମାଣ ମାତ୍ର ପ୍ରାୟ ୧ କୋଟି ଟନ। ସାରା ବିଶ୍ୱର ତୈଳବୀଜ ଉତ୍ପାଦନର ୮ ପ୍ରତିଶତ ଭାରତରେ ହେଉଥିଲେ ବି ଏଠାକାର ଖାଇବା ତେଲ ଚାହିଦାର ପ୍ରାୟ ୬୦ ପ୍ରତିଶତ ବିଦେଶରୁ ଆମଦାନି ହୋଇଥାଏ। ଖାଇବା ତେଲ ଆମଦାନି କ୍ଷେତ୍ରରେ ଭାରତର ସ୍ଥାନ ବିଶ୍ୱରେ ପ୍ରଥମ। ଦୁଇ ଦଶକ ତଳେ ବିଦେଶରୁ ମାତ୍ର ୪୦ ଲକ୍ଷ ଟନ ଖାଇବା ତେଲ ଆମଦାନି ହେଉ ଥିଲା। ଏବେ ତାହା ୧.୫ କୋଟି ଟନ ଟପି ସାରିଲାଣି, ଯାହା ଉଦ୍‍ବେଗଜନକ। ୨୦୩୦ ସୁଦ୍ଧା ଆମଦାନି ୨ କୋଟି ଟନରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ୨୦୧୯-୨୦ରେ ବିଦେଶରୁ ୬୧୫୫୯ କୋଟି ଟଙ୍କା ମୂଲ୍ୟର ୧.୩୩୫ କୋଟି ଟନ ଖାଇବା ତେଲ ଆମଦାନି ହୋଇଥିଲା, ଯାହା ଚାହିଦାର ପ୍ରାୟ ୫୬ ପ୍ରତିଶତ। ଏଥିରୁ ପାମ୍‌ ତେଲର ପରିମାଣ ସର୍ବାଧିକ ୭୦ ଲକ୍ଷ ଟନ ହୋଇଥିବା ବେଳେ ସୋୟାବିନ ତେଲ ୩୫ ଲକ୍ଷ ଟନ ଓ ସୂର୍ଯ୍ୟମୁଖୀ ତେଲ ୨୫ ଲକ୍ଷ ଟନ ଥିଲା। ଭାରତକୁ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ ତେଲ, ଆର୍ଜେଣ୍ଟିନା ଓ ବ୍ରାଜିଲରୁ ସୋୟାବିନ ତେଲ, ୟୁକ୍ରେନ, ଆର୍ଜେଣ୍ଟିନା ଓ ରୁଷିଆରୁ ସୂର୍ଯ୍ୟମୁଖୀ ତେଲ ଆମଦାନି ହୋଇଥାଏ। ଏତଦ୍‌ବ୍ୟତୀତ ବିଦେଶରୁ କିଛି ଅଲିଭ ଅଏଲ ଓ ଅନ୍ୟ ତେଲ ବି ଆମଦାନି କରା ଯାଇଥାଏ। ଆମଦାନି ଉପରେ ଅତ୍ୟଧିକ ନିର୍ଭରଶୀଳତା ହିଁ ବର୍ତ୍ତମାନ ତେଲ ଦର ବୃଦ୍ଧିର ମୁଖ୍ୟ କାରଣ। ଅଶୋଧିତ ପାମ୍‌ ତେଲର ଦର ‘ବୁର୍ସା ମାଲେସିଆ ଡେରିଭେଟିଭ୍‌ ଏକ୍ସଚେଞ୍ଜ’ରେ ଓ ଅଶୋଧିତ ସୋୟାବିନ ତେଲର ଦର ‘ସିକାଗୋ ବୋର୍ଡ ଅଫ ଟ୍ରେଡ୍‌’ରେ ନିର୍ଦ୍ଧାରିତ ହୋଇଥାଏ ଓ ସେଠାକାର ଦର ଏକ ପ୍ରକାର ଭାରତରେ ତେଲର ଦର ନିର୍ଦ୍ଧାରଣ କରିଥାଏ। ଏହି ଦୁଇଟି ସ୍ଥାନରେ ଗତ ବର୍ଷକ ମଧ୍ୟରେ ଅଶୋଧିତ ପାମ୍‌ ତେଲ ଓ ସୋୟାବିନ ତେଲର ଦରରେ ଯଥେଷ୍ଟ ବୃଦ୍ଧି ହୋଇଛି। ଏହାର ଏକ ବଡ଼ କାରଣ ହେଉଛି ଆମେରିକା, ବ୍ରାଜିଲ ଭଳି କେତେକ ଦେଶ ସୋୟାବିନ ତେଲକୁ ଅଧିକ ପରିମାଣରେ ବିକଳ୍ପ ଇନ୍ଧନ ଭାବେ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଚୀନରେ ଖାଇବା ତେଲର ଚାହିଦାରେ ହଠାତ୍ ବୃଦ୍ଧି, ପାମ୍‌ ଓ ସୋୟାବିନ ଉତ୍ପାଦନ ହ୍ରାସ ଆଦି ମଧ୍ୟ ବିଦେଶରେ ଖାଇବା ତେଲ ଦର ବୃଦ୍ଧିର ଗୋଟିଏ ଗୋଟିଏ କାରଣ।

ଦେଶରେ ପ୍ରାୟ ୨.୬ କୋଟି ହେକ୍ଟର ଚାଷ ଜମିରେ ତୈଳବୀଜ ଚାଷ ହୋଇ ବାର୍ଷିକ ପ୍ରାୟ ୩୬ କୋଟି ଟନ ଓଜନର ତୈଳବୀଜ ଉତ୍ପାଦିତ ହୋଇଥାଏ, ଯେଉଁଥିରେ ସୋୟାବିନ, ବାଦାମ, ସୋରିଷ, ଧଳା ସୋରିଷ (ରେପସିଡ), ସୂର୍ଯ୍ୟମୁଖୀ, ତିଳ, କୁସୁମ, ଅଳସୀ (ନାଇଜର), ଟିସି ଓ କପା (ଲିନସିଡ), ଜଡା ଆଦି ପ୍ରମୁଖ। ନଡ଼ିଆ, ଅଏଲ ପାମ, ଧାନ ତଷୁ, ଟୋଲ (ମହୁଲ) ଆଦିରୁ ମଧ୍ୟ ତେଲ ପ୍ରସ୍ତୁତ ହୋଇଥାଏ। ଏହିପରି ଦେଶ ଭିତରେ ୧ କୋଟି ଟନରୁ ସାମାନ୍ୟ ଅଧିକ ତେଲ ଉତ୍ପାଦିତ ହୋଇଥାଏ। ଦେଶରେ ଉତ୍ପାଦିତ ତେଲ ମଧ୍ୟରୁ ସର୍ବାଧିକ ୩୫ ପ୍ରତିଶତ ସୋରିଷ ଓ ରେପସିଡ (ଧଳା ସୋରିଷ) ତେଲ ହେଉଥିବା ବେଳେ ବାଦାମ ତେଲ ୨୫ ପ୍ରତିଶତ ଓ ସୋୟାବିନ ତେଲ ୨୩ ପ୍ରତିଶତ। ଖାଇବା ତେଲରେ ଆମଦାନି ନିର୍ଭରଶୀଳତା ହ୍ରାସ କରିବାକୁ ହେଲେ ତୈଳବୀଜ ଚାଷକୁ ଅନ୍ତତଃ ପକ୍ଷେ ୫ କୋଟି ହେକ୍ଟରକୁ ବଢ଼ାଇବାକୁ ହେବ। ତୈଳବୀଜର ଦର ବୃଦ୍ଧି ସତ୍ତ୍ୱେ ୨୦୨୦ରେ ୨.୭ କୋଟି ହେକ୍ଟରରେ ତୈଳବୀଜ ଚାଷ ହୋଇଥିବାରୁ ଉତ୍ପାଦନ ବୃଦ୍ଧି ନ ପାଇ ପ୍ରାୟ ସ୍ଥିର ରହିଛି। ଓଡ଼ିଶାରେ ତ କମି କମି ଚାଲିଛି। ଅଧିକ ଜମିରେ ତୈଳବୀଜ ଚାଷ ନ ହେବାର କାରଣ ଖୋଜି ଉଚିତ ପଦକ୍ଷେପ ନେବାକୁ ହେବ। ତୈଳବୀଜର ଚାହିଦା ତୁଳନାରେ ଉତ୍ପାଦନ କମ ହେଉ ଥିବାରୁ ଚାଷୀମାନେ ସରକାରଙ୍କ ଘୋଷିତ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ଅପେକ୍ଷା ଅଧିକ ଦରରେ ବିକ୍ରି କରିବାକୁ ସମର୍ଥ ହେଉଥିଲେ ମଧ୍ୟ ସରକାରୀ ଭାବେ ଏହାର ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥିତ ହେଉ ନ ଥିବାରୁ ଅନେକ ଅଞ୍ଚଳରେ ଚାଷୀମାନେ ଅଭାବୀ ବିକ୍ରି କରୁଛନ୍ତି। ତେଣୁ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଉପରୋକ୍ତ ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ। ଅଧିକନ୍ତୁ, ଉଚ୍ଚ ଉତ୍ତାପ ଓ ରାସାୟନିକ ଦ୍ରବ୍ୟ ବ୍ୟବହାରରେ ‘ହଟ୍‌ ପ୍ରେସ୍‌’ ପ୍ରକ୍ରିୟାରେ ପ୍ରସ୍ତୁତ ପ୍ୟାକିଂ ତେଲ ତୁଳନାରେ ଘଣା ଆଦି ଦ୍ୱାରା ‘କୋଲ୍‌ଡ ପ୍ରେସ୍‌’ ପ୍ରକ୍ରିୟାରେ ପ୍ରସ୍ତୁତ ତେଲ ସ୍ୱାସ୍ଥ୍ୟ ପକ୍ଷରେ ହିତକର ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦ ସଂଘ ଆଦି ଦ୍ୱାରା ସେହି ପ୍ରକ୍ରିୟାରେ ତେଲ ପ୍ରସ୍ତୁତିକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏହା ଦ୍ୱାରା ଗାଁଗୁଡ଼ିକ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବା ସହ ଗ୍ରାମ୍ୟ ଅର୍ଥନୀତି ପ୍ରାଣବନ୍ତ ହୋଇପାରିବ।

ଖାଇବା ତେଲ ଦର ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଯୋଗଦାନକୁ ଅସ୍ୱୀକାର କରି ହେବନାହିଁ। ୨୦୧୪ରେ ଏନ୍‌ଡିଏ ସରକାର କ୍ଷମତାକୁ ଆସିଲା ବେଳେ ଅଶୋଧିତ ଓ ବିଶୋଧିତ ଖାଇବା ତେଲ ଉପରେ ଆମଦାନି ଶୁଳ୍‍କ ଥିଲା ଯଥାକ୍ରମେ ମାତ୍ର ୨.୫ ଓ ୧୦ ପ୍ରତିଶତ। ଏହି ଶୁଳ୍‍କ ହାରକୁ ବଢ଼ାଇ ଜୁନ ୧୪, ୨୦୧୮ରେ ଅଶୋଧିତ ଓ ବିଶୋଧିତ ତେଲ ଉପରେ ଯଥାକ୍ରମେ ୩୫ ଓ ୪୫ ପ୍ରତିଶତ କରି ଦିଆଗଲା। ଜାନୁଆରୀ ୧, ୨୦୨୦ରେ ଅଶୋଧିତ ଓ ବିଶୋଧିତ ପାମ୍‌ ତେଲ ଉପରେ ଆମଦାନି ଶୁଳ୍‍କ ଯଥାକ୍ରମେ ୩୭.୫ ଓ ୪୫ ପ୍ରତିଶତ ହେଲା। ଫେବ୍ରୁଆରି ୧, ୨୦୨୧ରେ ଅଶୋଧିତ ପାମ୍‌ ତେଲ, ସୋୟାବିନ ତେଲ, ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନି ଶୁଳ୍‍କକୁ ୧୫ ପ୍ରତିଶତକୁ କମାଇ ଦିଆଗଲା, ହେଲେ ଏକ ନୂଆ ‘ଆଗ୍ରି-ସେସ୍‌’ ଭାବେ ପାମ୍‌ ତେଲ ଉପରେ ଅତିରିକ୍ତ ୧୭.୫ ପ୍ରତିଶତ ଓ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ଅତିରିକ୍ତ ୨୦ ପ୍ରତିଶତ ଲାଗୁ କରାଗଲା। ସେପ୍ଟେମ୍ୱର ୧୧, ୨୦୨୧ରେ ସେହି ତିନିଟି ଅଶୋଧିତ ତେଲ ଉପରେ ଆମଦାନି ଶୁଳ୍‍କକୁ କମ କରି ୨.୫ ପ୍ରତିଶତ କରି ପାମ୍‌ ତେଲ ଉପରେ ଆଗ୍ରି-ସେସ୍‌ ୨.୫ ପ୍ରତିଶତ ବଢ଼ାଇ ଦିଆଯିବାରୁ ତିନିଟି ତେଲ ଉପରେ ଆଗ୍ରି-ସେସ୍‌ ୨୦ ପ୍ରତିଶତ ହୋଇଗଲା। ଏହା ଉପରେ ୧୦ ପ୍ରତିଶତ ସାମାଜିକ କଲ୍ୟାଣ ସେ୍‌କୁ ମିଶାଇଲେ ଉପରୋକ୍ତ ତିନି ପ୍ରକାର ଅଶୋଧିତ ତେଲ ଉପରେ ପ୍ରଭାବୀ ଟିକସ ଦର ୨୪.୭୫ ପ୍ରତିଶତ ଓ ବିଶୋଧିତ ତେଲ ଉପରେ ୩୫.୭୫ ପ୍ରତିଶତ ହେଲା। ନଭେମ୍ୱର ୫, ୨୦୨୧ରେ ସରକାରଙ୍କ ଖାଇବା ତେଲ ଉପରେ ଟିକସ ହ୍ରାସ ନିଷ୍ପତ୍ତି ଯୋଗୁଁ ପ୍ରଭାବୀ ଟିକସ ଦର ଅଶୋଧିତ ପାମ୍‌ ତେଲ ଉପରେ ୮.୨୫, ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲ ଉପରେ ୫.୫ ପ୍ରତିଶତ ହେଲା ଏବଂ ତିନି ପ୍ରକାର ବିଶୋଧିତ ତେଲ ଉପରେ ତାହା ୧୭.୫ ପ୍ରତିଶତ ହେଲା। ଏହି ୭ ବର୍ଷ ଧରି ଖାଇବା ତେଲ ଉପରେ ପ୍ରଭାବୀ ଟିକସ ଦର ଯଥେଷ୍ଟ ଅଧିକ ରହିବା ପରେ ଏବର ହ୍ରାସ ନିଷ୍ପତ୍ତି ସତ୍ତ୍ୱେ ତାହା ୨୦୧୩-୧୪ର ଟିକସ ହାର ତୁଳନାରେ ଅଧିକ ରହିଛି, ଯାହା ତେଲ ଦର ବୃଦ୍ଧିର ଅନ୍ୟତମ କାରଣ। ଆମଦାନି ଶୁଳ୍‍କ ଦର କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଉଥିବାରୁ ସେଥିରେ ରାଜ୍ୟଗୁଡ଼ିକର କୌଣସି ଭୂମିକା ନ ଥାଏ। ଚାଷୀ, ତୈଳ ଉତ୍ପାଦକ ଓ ଖାଉଟିଙ୍କ ହିତ ମଧ୍ୟରେ ସମନ୍ୱୟ ରକ୍ଷା କରି ଶୁଳ୍‍କ ନିର୍ଦ୍ଧାରିତ ହୋଇଥାଏ ବୋଲି କୁହାଯାଏ। କିନ୍ତୁ ଖାଇବା ତେଲର ପ୍ରକ୍ରିୟାକରଣ ଓ ଆମଦାନି ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ଥିବାରୁ ଏ ସଂକ୍ରାନ୍ତ ସରକାରୀ ନୀତି ଓ ନିଷ୍ପତ୍ତିକୁ ପ୍ରଭାବିତ କରିବାରେ ସମ୍ପୃକ୍ତ ଲବି ସଫଳ ହେଉଛନ୍ତି। ତେବେ ଏତେ ଅଧିକ ଟିକସ ଦର ଯେ ଖାଉଟିଙ୍କ ହିତରେ ନୁହେଁ, ତାହା ବୁଝିବାରେ ଅସୁବିଧା ନାହିଁ। ଅଧିକନ୍ତୁ, ପୂର୍ବେ ସମସ୍ତ ଟିକସ ଆମଦାନି ଶୁଳ୍‍କ ଆକାରରେ ଆଦାୟ ହେଉଥିବାରୁ ସେଥିରୁ ଏକ ଅଂଶ ରାଜ୍ୟଗୁଡ଼ିକୁ ମିଳୁଥିଲା। ଏଣିକି ଶୁଳ୍‍କ ହାର ଶୂନ ହୋଇଯିବାରୁ ଓ ସମସ୍ତ ଟିକସ ସେସ୍‌ ଆକାରରେ ଆଦାୟ ହେଉଥିବାରୁ ରାଜ୍ୟଗୁଡ଼ିକୁ ସେଥିରୁ କୌଣସି ଅଂଶ ମିଳିବ ନାହିଁ; କାରଣ ସେସ୍‌ ଉପରେ ରାଜ୍ୟଗୁଡ଼ିକୁ ଭାଗ ମିଳି ନ ଥାଏ।

ଲୋକଙ୍କର ଖାଦ୍ୟାଭ୍ୟାସରେ ଯେଉଁଭଳି ପରିବର୍ତ୍ତନ ଦେଖା ଦେଇଛି, ସେଥି ପାଇଁ ଭାରତରେ ଖାଇବା ତେଲର ଚାହିଦା ଯଥେଷ୍ଟ ବଢ଼ିଛି ଓ ଆଗାମୀ ଦିନରେ ଆହୁରି ବଢ଼ିବ ମଧ୍ୟ। ୧୯୯୩-୯୪ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖାଇବା ତେଲର ବ୍ୟବହାର ମାସିକ ମୁଣ୍ଡ ପିଛା ଯଥାକ୍ରମେ ୩୭୦ ଓ ୫୬୦ ଗ୍ରାମ ଥିଲା ବେଳେ ୨୦୦୪-୦୫ ବେଳକୁ ତାହା ଯଥାକ୍ରମେ ୪୮୦ ଓ ୬୬୦ ଗ୍ରାମକୁ ବଢ଼ି ଯାଇଥିଲା। ତେବେ ଦେଶରେ ଏଣିକି ତେଲର ବ୍ୟବହାର ବାର୍ଷିକ ମୁଣ୍ଡ ପିଛା ହାରାହାରି ୧୯ କିଲୋଗ୍ରାମ (ମାସିକ ୧୬୦୦ ଗ୍ରାମ)ରେ ପହଞ୍ଚି ସାରିଲାଣି, ଯାହା ସ୍ୱାସ୍ଥ୍ୟ ପକ୍ଷରେ ଅତ୍ୟନ୍ତ କ୍ଷତିକାରକ ବୋଲି ଉଦ୍‍ବେଗ ପ୍ରକାଶ ପାଇଲାଣି। ଶରୀରର ସମନ୍ୱିତ ଖାଦ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୁଣ୍ଡ ପିଛା ଦୈନିକ ୨୯ ଗ୍ରାମ ବା ବାର୍ଷିକ ୧୦.୬ କିଲୋଗ୍ରାମ ଚର୍ବି ଜାତୀୟ ଖାଦ୍ୟ ବା ଖାଇବା ତେଲର ବ୍ୟବହାର ହିଁ ଯଥେଷ୍ଟ। ପୁନଶ୍ଚ ପାମ୍‌ ତେଲରେ ‘ସାଚ୍ୟୁରେଟେଡ ଫ୍ୟାଟ୍‌’ର ମାତ୍ରା ଅଧିକ ଥିବାରୁ ଏହାର ଅଧିକ ବ୍ୟବହାର ବି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ। ଓଡ଼ିଶା ପରି ଏକ ରାଜ୍ୟରେ କେବଳ ପାମ୍‌ ତେଲର ବ୍ୟବହାର ୭୭ ପ୍ରତିଶତ ହେବା ରାଜ୍ୟ ପାଇଁ ଶୁଭଙ୍କର ନୁହେଁ। ଖାଉଟିଙ୍କର ଏକ ବଡ଼ ଅଂଶ ଶସ୍ତା ତେଲ ଖୋଜୁଥିବାରୁ ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବାକୁ ସରକାର ପାମ୍‌ ତେଲର ଆମଦାନି ଓ ଦେଶ ଭିତରେ ଅଏଲ ପାମ୍‌ର ଅଧିକ ଚାଷ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଦେଖାଯାଉଛି, କାରଣ ଅନ୍ୟ ତେଲ ତୁଳନାରେ ପାମ୍‌ ତେଲର ଦାମ କମ। ସେଥିପାଇଁ ତାହା ଅନ୍ୟ ତେଲରେ ମିଶ୍ରଣ ହେଉଥିବାର ଅଭିଯୋଗ ମଧ୍ୟ ହୁଏ। ଜନସାଧାରଣଙ୍କ ହିତ ଦୃଷ୍ଟିରୁ ସରକାର ଏହାକୁ ପ୍ରୋତ୍ସାହନ ନ ଦେଇ ବରଂ ଏହାର ବ୍ୟବହାରକୁ କମ କରିବା ପାଇଁ ସଚେତନତା ବୃଦ୍ଧି ଲାଗି ପ୍ରୟାସ କରିବା ଜରୁରୀ।

ଖାଇବା ତେଲର ବ୍ୟବହାର ବୃଦ୍ଧି ଦେଶର ଅର୍ଥନୀତି ପ୍ରତି ମଧ୍ୟ କିଛି କମ କ୍ଷତିକାରକ ନୁହେଁ। କାରଣ ତଦ୍ଦ୍ୱାରା ଦେଶକୁ ପ୍ରତି ବର୍ଷ ବହୁ ପରିମାଣରେ ବିଦେଶୀ ମୁଦ୍ରା ବ୍ୟୟ କରିବାକୁ ହେଉଛି। ତେଣୁ ଖାଇବା ତେଲର ବ୍ୟବହାର ହ୍ରାସ ପାଇଁ ଯୋଜନା ପ୍ରସ୍ତୁତ ହୋଇ ଅବିଳମ୍ୱେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଦେଶରେ ବିଭିନ୍ନ ପ୍ରକାର ତୈଳବୀଜର ଉତ୍ପାଦନକୁ ଆଗାମୀ ୫ ବର୍ଷ ମଧ୍ୟରେ କିପରି ଅନ୍ତତଃ ପକ୍ଷେ ଦୁଇ ଗୁଣ କରି ହେବ, ସେଥିପାଇଁ ଖସଡ଼ା ପ୍ରସ୍ତୁତ କରାଯିବା ଦରକାର।

ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର