କିଲି-ନିମାଙ୍କ ଭିଡିଓ

ଝରକା

ଭାରତର ଜାତୀୟ ସଂଗୀତ ହେଉ ବା ଲତା ମଙ୍ଗେସକରଙ୍କ ଗୀତ ହେଉ ବା ଅନ୍ୟ କୌଣସି ହିନ୍ଦୀ ଗୀତ; ସେ ସବୁରେ ‘ଲିପ୍-ସିଙ୍କ୍‌’ କରି ଅର୍ଥାତ୍‌ ଗୀତର ଉଚ୍ଚାରଣ ଅନୁସାରେ ‘କେବଳ ଓଠ ଚାଳନା’ କରି ତାର ଭିଡିଓ ପ୍ରସ୍ତୁତ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ତାଞ୍ଜାନିଆର କିଲି ପୋଲ ଓ ତାଙ୍କ ଭଉଣୀ ନିମାଙ୍କ କାର୍ଯ୍ୟ ସାଧାରଣ ପର୍ଯ୍ୟାୟର ମନେ ହେଉଥିଲେ ହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ଏକ ଦୃଷ୍ଟାନ୍ତ ଭାବେ ରବିବାର ଦିନ ‘ମନ୍ କି ବାତ୍’ରେ ଉପସ୍ଥାପନ କରିଛନ୍ତି। ସେଥିରେ ସେ ଆମ ଦେଶର ଯୁବପିଢ଼ିଙ୍କୁ ଆହ୍ବାନ କରି କହିଛନ୍ତି ଯେ ଏଭଳି ଉଦ୍ୟମ ଆମ ଦେଶରେ ମଧ୍ୟ ହେବା ଦରକାର।

ପ୍ରଧାନମନ୍ତ୍ରୀ ଭାରତର ଯୁବ ବର୍ଗଙ୍କୁ ପରାମର୍ଶ ଦେବା ଛଳରେ କହିଛନ୍ତି ଯେ ବର୍ତ୍ତମାନ ସମୟର ‘ଟ୍ରେଣ୍ଡ୍’ ଭିତରେ ରହି ତରୁଣ ପିଢ଼ି ଭାରତୀୟତା ଓ ଭାରତୀୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରିପାରିବେ ଓ ଅନ୍ୟର ସଂସ୍କୃତି ପ୍ରତି ଶ୍ରଦ୍ଧାଶୀଳ ହୋଇପାରିବେ। କିଲି-ନିମାଙ୍କ ସୃଜନଶୀଳତା ସାମାଜିକ ଗଣମାଧ୍ୟମରେ ତରଙ୍ଗ ସୃଷ୍ଟି କରି ଥିବାରୁ ତା’ର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ବିବିଧତାର ପ୍ରଚାର-ପ୍ରସାରର ଦାୟିତ୍ବ ଦେଶର ଯୁବ ବର୍ଗ ନେବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ବିଭିନ୍ନ ଜଣା-ଅଜଣା ପ୍ରାନ୍ତୀୟ ଭାଷାର ଗୀତରେ କିଲି-ନିମାଙ୍କ ତୁଲ୍ୟ ‘ଲିପ୍-ସିଙ୍କ୍’ କରି ଭିଡିଓ ପ୍ରସ୍ତୁତ କରାଯିବା ଦରକାର। ଯଦି ସେ ସବୁ ଲୋକପ୍ରିୟ ହୁଏ, ତେବେ ତାହା ଦ୍ବାରା ଭାରତୀୟ ଭାଷା ଓ ସଂସ୍କୃତିର ଅନେକ ଅଜଣା ବିଭବ ଉପରେ ପୃଥିବୀର ଦୃଷ୍ଟି ପଡ଼ିବ।

ଭାରତୀୟ ଭାଷା ବୁଝୁ ନ ଥିବା ତାଞ୍ଜାନିଆର ତରୁଣ ବର୍ଗର ଦୁଇ ଜଣ ହିନ୍ଦୀ ଗୀତ ଉଚ୍ଚାରଣ ଉଦ୍ୟମ କରୁଥିବା ଦେଖି ଭାରତୀୟମାନେ ଯେଭଳି ଆନନ୍ଦ ବିମୋହିତ ହେଉଛନ୍ତି, ସେମିତି କାଶ୍ମୀରର କେହି ଜଣେ ଓଡ଼ିଆ ଗୀତର ପଦ ଆବୃତ୍ତି କରିବା ଦେଖିଲେ ଓଡ଼ିଆଙ୍କୁ ଅନୁରୂପ ସନ୍ତୋଷ ମିଳିବ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଏହା କେବଳ ଭାରତୀୟ ବିବିଧତାର ପରିଚାୟକ ହେବ ନାହିଁ; ଏହା ବିଭିନ୍ନ ଭାଷାଭାଷୀ ଭାରତୀୟମାନଙ୍କ ମନରେ ଅନ୍ୟ ଭାଷା ପ୍ରତି ଆଗ୍ରହ ଓ ସମ୍ମାନ ବଢ଼ାଇବ, ଯାହା ଜାତୀୟ ସଂପ୍ରୀତିରେ ଏକ ବଡ଼ ଭୂମିକା ମଧ୍ୟ ନିର୍ବାହ କରିବ।

ସମ୍ବନ୍ଧିତ ଖବର