ହିନ୍ଦୁ ଓ ବିବିଧତାବାଦୀ ହେବାର ଗର୍ବ

ଅରୁଣ ସିହ୍ନା

ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ଉତ୍‌ଥାନକୁ ବିଦେଶରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଐତିହାସିକ ଉପଲବ୍‌ଧି ମଣି ଆମ ଦେଶବାସୀ ଖୁବ୍‌ ଉତ୍ସାହିତ ହୋଇଥିବାର ଦେଖାଯାଇଛି। ଅବଶ୍ୟ ପୈତୃକ ମୂଳ ଥିବା ଜଣେ ପ୍ରବାସୀ ଭାରତୀୟ ବିଦେଶୀ ମାଟିରେ ଶୀର୍ଷ ସ୍ଥାନରେ ପହଞ୍ଚିବା ନେଇ ଦେଶବାସୀ ଗର୍ବ କରିବାରେ କିଛି ଭୁଲ୍‌ ନାହିଁ।

ତେବେ ଏପରି ଢୋଲ ପିଟିବା ବେଳେ ଆମକୁ ସଂଯମ ଅବଲମ୍ବନ କରିବାର ଅଛି। ଆଜିକାଲି ଆମ ଦେଶରେ ଭାବପ୍ରବଣତା ବିଚାରଶକ୍ତିକୁ କଠୋର ଆଘାତ ଦେଇ ତାକୁ ଜାତୀୟ ମାନସପଟରୁ ବିଲୋପ କରିଦେବାକୁ ଉଦ୍ୟମ କରୁଛି। ଋଷି ସୁନକଙ୍କ ବାବଦରେ ମଧ୍ୟ ଅନୁରୂପ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏ ମାମଲାରେ ଆମେ ଆମର ବିଚାରଶକ୍ତିକୁ ଭାବପ୍ରବଣତାର ଆକ୍ରମଣରୁ ରକ୍ଷା କରିବା ଆବଶ୍ୟକ।

ଭାରତୀୟ ହିସାବରେ ଆମେ ସୁନକଙ୍କୁ ଜଣେ ଭାରତୀୟ ବଂଶୋଦ୍ଭବ ଭାବେ ବିଚାର କରୁଛନ୍ତି, କିନ୍ତୁ ଆବେଗର ସୌଦାଗରମାନେ ତାଙ୍କୁ ଜଣେ ‘ଗର୍ବିତ ହିନ୍ଦୁ’ ଭାବରେ ଉପସ୍ଥାପିତ କରୁଛନ୍ତି। ସେ ଏକ ହିନ୍ଦୁ ମନ୍ଦିରରେ ପ୍ରାର୍ଥନା କରୁଥିବା, ଜଣେ ସନ୍ନ୍ୟାସୀଙ୍କ ଆଗରେ ସମ୍ମାନ ପ୍ରଦର୍ଶନ ପୂର୍ବକ ଚଟାଣରେ ବସିବା ଏବଂ ଏକ ଗାଈ (ଗୋମାତା)କୁ ପୂଜା କରୁଥିବାର ଫଟୋ ସେମାନେ ସଂଗ୍ରହ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଚାଲିଛନ୍ତି। ଏପରିକି ଜଣେ ସାଂସଦ ଭାବରେ ସୁନକ ଭଗବତ ଗୀତା ଛୁଇଁ ଶପଥପାଠ କରିଥିଲେ ବୋଲି ମଧ୍ୟ ସେମାନେ ମନେ ପକାଇ ଦେଉଛନ୍ତି।

ସେମାନଙ୍କର ଏପରି ଖେଳ ବେଶ୍‌ ସ୍ବାଭାବିକ। କାରଣ ସେମାନଙ୍କର ହିନ୍ଦୁ ମୁକୁଟରେ ସେମାନେ ସୁନକଙ୍କୁ ଏକ ରତ୍ନ ଭାବେ ଖଚିତ କରିବାକୁ ଚାହାନ୍ତି। ‘ପ୍ରାଚୀନ ହିନ୍ଦୁ ଗୌରବ’ର ଅନନ୍ତ ଶୃଙ୍ଖଳାର ଏକ କଡ଼ି ବୋଲି ସେମାନେ ତାଙ୍କୁ ‘ହିନ୍ଦୁ ପ୍ରତିଭା’ ମହାନତାର ପ୍ରମାଣ ଭାବରେ ପ୍ରଦର୍ଶନ କରିବାକୁ ଚାହାଁନ୍ତି। ବିଗତ କିଛି ବର୍ଷ ହେଲା ସେମାନେ ହିନ୍ଦୁ ଧର୍ମର ଉନ୍ମାଦୀ, ଆକ୍ଷେପୀ ଓ ପ୍ରଳୟଙ୍କରୀ ସଂସ୍କରଣର ବିଷାକ୍ତ ଧୂଆଁରେ ଦେଶର ବାତାବରଣକୁ ପ୍ରଦୂଷିତ କରିଦେଇଛନ୍ତି ଯାହାର ଏକମାତ୍ର ଶିକାର ହେଉଛନ୍ତି ମୁସଲମାନମାନେ। ସେମାନଙ୍କର ହିନ୍ଦୁତ୍ବ ଏବେ ହିନ୍ଦୁତ୍ବ ଅପେକ୍ଷା ବେଶୀ ଇସଲାମ ବିରୋଧୀ ହୋଇପଡ଼ିଛି।

ବାସ୍ତବରେ, ସେମାନେ ଭାରତରେ ଇସଲାମ, ଖ୍ରୀଷ୍ଟ କି ଇହୁଦୀ ପରି କୌଣସି ବି ଅନ୍ୟ ଧର୍ମକୁ ସ୍ଥାନ ଦେବାକୁ ଚାହାଁନ୍ତି ନାହିଁ। ସେମାନଙ୍କର ଅନୁଗାମୀମାନେ ନିଜର ‘ଭାରତୀୟତା’ର ପ୍ରମାଣ ଦେବା ଲାଗି ହିନ୍ଦୁ ଧର୍ମର ଅନୁରୂପ ହୁଅନ୍ତୁ ବୋଲି ସେମାନେ ଚାହାଁନ୍ତି। ସେମାନଙ୍କ ପାଇଁ ସେମାନେ ଏକ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥା ସୃଷ୍ଟି କରିଛନ୍ତି। ‘ତୁମେ ତୁମର ଦେବତାଙ୍କୁ ପୂଜା କରିପାରିବ, ମାତ୍ର ହିନ୍ଦୁ ସଂସ୍କୃତିକୁ ଅନୁସରଣ କରିବାକୁ ହେବ।’ କୌଣସି ସମ୍ପ୍ରଦାୟର ସଂସ୍କୃତି ତାହାର ଧର୍ମଠାରୁ ଅଲଗା ନୁହେଁ। ଏବେ ଅଣହିନ୍ଦୁମାନଙ୍କୁ ହିନ୍ଦୁ ସଂସ୍କୃତି ଅନୁସରଣ କରିବାକୁ କହିବାର ମାନେ ହେଲା ସେମାନଙ୍କୁ ହିନ୍ଦୁ ଧାର୍ମିକ ସଂସ୍କୃତି ଅନୁସରଣ କରିବା ପାଇଁ ବାଧ୍ୟ କରାଇବା।

ତେବେ ଜଣେ ହିନ୍ଦୁ ତଥା ବିବିଧତାବାଦୀ ହୋଇ ସୁଦ୍ଧା ଋଷି ସୁନକ ସେମାନଙ୍କ ପରି ନୁହନ୍ତି। ସେ ଗୀତା ଛୁଇଁ ଶପଥଗ୍ରହଣ କରିଥିଲେ, ମାତ୍ର ଅନ୍ୟ ସାଂସଦମାନେ ତାହା କରନ୍ତୁ ବୋଲି ଚାହିଁ ନ ଥିଲେ। ଯଦି ଆବେଗର ସୌଦାଗରମାନେ ପ୍ରକୃତରେ ସୁନକଙ୍କୁ ଏକ ରତ୍ନ ଭାବରେ ସେମାନଙ୍କ ମୁକୁଟରେ ସଜ୍ଜିତ କରିବାକୁ ଚାହାନ୍ତି, ସେମାନେ ତାଙ୍କ ପରି ହେବା ଦରକାର- ଜଣେ ଗର୍ବିତ ହିନ୍ଦୁ ଓ ଗର୍ବିତ ବିବିଧତାବାଦୀ। ଅନ୍ୟଥା, ସେମାନେ ତାଙ୍କ ଗୌରବରେ ସ୍ନାନ କରିବାର ପାତ୍ର ନୁହନ୍ତି। ସେମାନେ ତାଙ୍କର ଧାର୍ମିକ ଦୃଷ୍ଟିରୁ ନିଜ ପସନ୍ଦର ହିନ୍ଦୁ ଅଂଶକୁ ଗ୍ରହଣ କରି ବିବିଧତାବାଦ ଅଂଶକୁ ପ୍ରତ୍ୟାଖ୍ୟାନ କରିପାରିବେନି। ଯଦି ତାଙ୍କୁ ହିନ୍ଦୁ ଗୌରବର ପ୍ରତୀକ ରୂପେ ବିଚାର କରାଯାଉଛି, ତେବେ ତାଙ୍କୁ ସମଗ୍ର ଭାବରେ ଗ୍ରହଣ କରିବାକୁ ହେବ, କେବଳ ସୁବିଧା ପାଇଁ ଖଣ୍ଡେ ଅଂଶକୁ ନୁହେଁ।

ସେମାନେ କିନ୍ତୁ ଏପରି କରିବାଟା ସନ୍ଦେହଜନକ। ଋଷି ସୁନକ୍‌ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବାର ସାତ ବର୍ଷ ପୂର୍ବେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ଆଣ୍ଟୋନିଓ କୋଷ୍ଟା, ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ସୁନକଙ୍କ ‘ଅଭିଷେକ’ରେ ଯେଭଳି ଆମେ ଉତ୍ସାହିତ ହୋଇ ପଡ଼ିଛନ୍ତି, କୋଷ୍ଟାଙ୍କ ‘ଅଭିଷେକ’ ଅବସରରେ ଭାରତରେ ସେଭଳି କିଛି ଉତ୍ସବ ପାଳିବା କଥା କ’ଣ କାହାର ମନେ ଅଛି? ଖ୍ରୀଷ୍ଟୀୟ ସୌହାର୍ଦ୍ଦରେ କୌଣସି ଚର୍ଚ୍ଚରେ କୋଷ୍ଟା ଜଣେ ଧର୍ମଯାଜକଙ୍କ ପାଖରେ ନତମସ୍ତକ ହେବାର କି ଖ୍ରୀଷ୍ଟମାସ ଉତ୍ସବ ପାଳନ କରୁଥିବାର ଚିତ୍ର ଗଣମାଧ୍ୟମରେ କ’ଣ ଛଡ଼ାଯାଇଥିବା ଦେଖାଯାଇଥିଲା? ସେ ବାଇବେଲ ଛୁଇଁ ଶପଥ ନେଇଥିବା କଥା ଉଲ୍ଲେଖ କରାଯାଇଥିଲା କି? ନା, ସେମିତି କିଛି ଘଟିନଥିଲା। କୋଷ୍ଟାଙ୍କ ଉତ୍‌ଥାନରେ କେବଳ ଗୋଆବାସୀ ଓ ବିଶେଷ କରି ଗୋଆର ଖ୍ରୀଷ୍ଟିଆନ୍‌ମାନେ ସାମୂହିକ ଭାବେ ଗର୍ବ ଅନୁଭବ କରିଥିଲେ। କୋଷ୍ଟାଙ୍କ ସେହି ଉପଲବ୍‌ଧିରେ ଆବେଗର ସୌଦାଗରମାନେ ପୂର୍ବଜଙ୍କ ଯୋଗଦାନର ଦାବି କରିବା ଲାଗି କୌଣସି ଉତ୍ସୁକତା ଦେଖାଇନଥିଲେ। କାରଣଟା ଅତି ସ୍ପଷ୍ଟ, ସେ ଜଣେ ଖ୍ରୀଷ୍ଟିଆନ୍‌। ହିନ୍ଦୁ ସାମୂହିକ ଗୌରବରେ ‘ଗର୍ବିତ ଖ୍ରୀଷ୍ଟିଆନ୍‌’ର କୌଣସି ସ୍ଥାନ ନାହିଁ। ସେ କୋଷ୍ଟା ନହୋଇ କୌଣସି କୋସାମ୍ବି ହୋଇଥିଲେ, ଆବେଗର ସୌଦାଗରମାନେ ସମଗ୍ର ଶିବକାଶୀକୁ ବୋଧେ ପ୍ରଶଂସାରେ ପୋତି ପକାଇଥା’ନ୍ତେ।

ବ୍ରିଟିସମାନଙ୍କ ପାଇଁ ସୁନକ ଜଣେ ବହୁସଂସ୍କୃତିବାଦର ପ୍ରତୀକ, ପର୍ତ୍ତୁଗୀଜମାନଙ୍କ ପାଇଁ କୋଷ୍ଟା ମଧ୍ୟ ଅନୁରୂପ ବ୍ୟକ୍ତିତ୍ବ। ସୁନକ ହେଉଛନ୍ତି ଜଣେ ଅଳ୍ପସଂଖ୍ୟକ ସମ୍ପ୍ରଦାୟର, ଯେଉଁମାନେ ଏଭଳି ଧର୍ମର ଅନୁଗାମୀ ଯାହା ବ୍ରିଟେନ୍‌ର ସଂଖ୍ୟାଗରିଷ୍ଠ ନାଗରିକ ପାଳନ କରୁଥିବା ଧର୍ମଠାରୁ ଅଲଗା। ମୁଖ୍ୟତଃ ଏକ ଶ୍ବେତକାୟ ତଥା ବର୍ଣ୍ଣ-ସଚେତନ ଦେଶରେ ସେ ଜଣେ ଶାବନା (ଅଣଶ୍ବେତ)। ତଥାପି କଞ୍ଜରଭେଟିଭ୍‌ ଦଳର ସାଂସଦମାନେ ତାଙ୍କୁ ନେତା ଭାବେ ନିର୍ବାଚିତ କଲାବେଳେ ସେମାନେ ତାଙ୍କ ଧର୍ମ, ବଂଶ ପରମ୍ପରା କି ବର୍ଣ୍ଣ କଥା ବିଚାର କରିନଥିଲେ। ସେମାନେ ତାଙ୍କର ଯୋଗ୍ୟତାକୁ ଦେଖିଥିଲେ, ସେ ଏହି ପଦ ପାଇଁ ଶ୍ରେଷ୍ଠ ବ୍ୟକ୍ତି ବୋଲି ସେମାନେ ଭାବିଥିଲେ।

କୋଷ୍ଟା ମଧ୍ୟ ଏକ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଥିଲେ ଯଦିଓ ଅଧିକାଂଶ ପର୍ତ୍ତୁଗୀଜ ପାଳନ କରୁଥିବା ଧର୍ମକୁ ସେ ଅନୁସରଣ କରୁଥିଲେ। ସେ ମଧ୍ୟ ଶାବନା। ମାତ୍ର କେନ୍ଦ୍ର-ବାମ ମେଣ୍ଟ ଦ୍ବାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ତାଙ୍କୁ ଚୟନ କରାଯିବାରେ ତାଙ୍କର ବଂଶଗତ କି ଜାତିଗତ ଭୂମିକା ନଥିଲା। ସେମାନେ ତାଙ୍କୁ ପସନ୍ଦ କରିଥିଲେ, କାରଣ ଜଣେ ଅସାଧାରଣ ସମାଜବାଦୀ ରାଜନେତା ଭାବରେ ସେ ଖ୍ୟାତି ଅର୍ଜନ କରିଥିଲେ।

ଇଂଲାଣ୍ଡ କି ପର୍ତ୍ତୁଗାଲରେ ବିରୋଧୀ ଦଳମାନଙ୍କ ଦ୍ବାରା କେବେ ‘ବିଦେଶୀ ମୂଳ’ କଥା ଉଠାଇ ସୁନକ କି କୋଷ୍ଟାଙ୍କୁ ଆକ୍ରମଣ କରାଯାଇନାହିଁ। ପ୍ରଧାନମନ୍ତ୍ରୀ ପଦ ମଣ୍ଡନ କରିବାରୁ ସେମାନଙ୍କୁ ରୋକିବା ଲାଗି କୌଣସି ଆନ୍ଦୋଳନ, ଆରୋପ, ଆକ୍ଷେପ, ଅଭିଯୋଗ କି ଗାଳିମନ୍ଦ କରାଯାଇନାହିଁ। ଯାହା କେବଳ ସେମାନଙ୍କ ଯୋଜନା, ନୀତି ଓ ପ୍ରଦର୍ଶନକୁ ମୁଦ୍ଦା କରି ସେମାନଙ୍କୁ ଆକ୍ରମଣ କରାଯାଇଥାଇପାରେ, କିନ୍ତୁ ନିଜର ବେଶଗତ ମୂଳ ପାଇଁ ନୁହେଁ।

ରାଜନୈତିକ କାର୍ଯ୍ୟାଳୟରେ ବିଦେଶୀ ମୂଳର ବ୍ୟକ୍ତିଙ୍କୁ ପୂର୍ଣ୍ଣପ୍ରାଣରେ ସ୍ବୀକାର କରିବା ମାମଲାରେ ବ୍ରିଟେନ୍‌ ଓ ପର୍ତ୍ତୁଗାଲ ତୁଳନାରେ ଭାରତ କୋଉଠି ରହିଛି? ଏହାର ଏକ ଲଜ୍ଜାଜନକ ଉତ୍ତର ପାଇବା ପାଇଁ ଆମକୁ ସୋନିଆ ଗାନ୍ଧୀଙ୍କ ମାମଲାକୁ ମନେ ପକାଇବାକୁ ହେବ।

୨୦୦୪ ମେ’ରେ ସେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ)ର ନେତୃତ୍ବ ନେଇ ବାଜପେୟୀଙ୍କ ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କୁ ଗାଦିଚ୍ୟୁତ କରିଥିଲେ ଏବଂ ଲୋକସଭାରେ ଏକ ସୁବିଧାଜନକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। କଂଗ୍ରେସ ଓ ସହଯୋଗୀ ଦଳର ସାଂସଦମାନେ ତାଙ୍କୁ ସେମାନଙ୍କର ନେତା ଭାବେ ଚୟନ କରିବାକୁ ନିଶ୍ଚିତ ହୋଇଥିଲେ। ମାତ୍ର ବିଜେପି ତାଙ୍କ ବିରୋଧରେ ଏକ ଅପଶବ୍ଦର ଅଭିଯାନ ଆରମ୍ଭ କରିଦେଲା। ସେ ଭାରତୀୟ ନାଗରିକ ନୁହନ୍ତି ବୋଲି ପ୍ରଚାର କରାଗଲା, ସେ ସେତେବେଳକୁ ଇଟାଲିର ନାଗରିକତ୍ବ ବହନ କରୁଥିଲେ ଏବଂ ବିଦେଶୀ ମୂଳର ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାରୁ ସମ୍ବିଧାନ ବାରଣ କରେ ବୋଲି ଅପପ୍ରଚାର କରାଗଲା।

କିନ୍ତୁ ସତକଥା ହେଲା, ସେଭଳି ଦୋଷାରୋପ କରାଯିବାର ଦୁଇ ଦଶନ୍ଧି ପୂର୍ବରୁ ଅର୍ଥାତ୍‌ ୧୯୮୩ ବେଳକୁ ସେ ଭାରତୀୟ ନାଗରିକତ୍ବ ଗ୍ରହଣ କରି ସାରିଥିଲେ। ସମ୍ବିଧାନର କଥା ଯଦି ଉଠାଯାଏ, ତେବେ ତାହା ଯେ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଅନୁମତି ଦେଇଥାଏ। ଦେଶର ନାଗରିକ ହୋଇ ସାରିଥିବା କୌଣସି ବି ବିଦେଶୀ ମୂଳର ବ୍ୟକ୍ତିଙ୍କୁ ଏ ଭଳି ରାଜନୀତିକ ପଦ ଧାରଣ କରିବାରୁ ସମ୍ବିଧାନ କେବେ ରୋକିବ ନାହିଁ।

ତଥାପି ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ସଂଖ୍ୟାଗରିଷ୍ଠଙ୍କର ପସନ୍ଦ ଥିବା ସତ୍ତ୍ବେ, ଜଣେ ଭାରତୀୟ ନାଗରିକ ହୋଇଥିବା ସତ୍ତ୍ବେ, ଆବେଗର ସୌଦାଗରମାନେ ତାଙ୍କୁ ସେହି ପଦ ମଣ୍ଡନ କରିବାରୁ ବାରଣ କରିଥିଲେ। ବ୍ରିଟିସ ଓ ପର୍ତ୍ତୁଗୀଜମାନଙ୍କ ଭଳି ଯଦି ଆବେଗର ସୌଦାଗରମାନେ ବିବିଧତାବାଦୀ ହୋଇଥା’ନ୍ତେ, ସେମାନେ କେବେ ସୋନିଆଙ୍କୁ ତାଙ୍କର ବିଦେଶୀ ମୂଳ ଭିତ୍ତିରେ ଆକ୍ରମଣ କରିନଥା’ନ୍ତେ। ସେମାନେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଦେଇଥା’ନ୍ତେ ଏବଂ ପରେ ତାଙ୍କର ନୀତି ଓ ପ୍ରଦର୍ଶନ ଅନୁଯାୟୀ ତାଙ୍କୁ ଆକ୍ରମଣ କରିପାରିଥା’ନ୍ତେ।

[email protected]

ସମ୍ବନ୍ଧିତ ଖବର