ଆମେରିକାରେ ବର୍ଣ୍ଣ ବୈଷମ୍ୟ- କିଛି ଚିନ୍ତା

ଗୋବିନ୍ଦ ଭୂୟାଁ

ଆମେରିକାର ହ୍ବାଇଟ୍‌ ହାଉସ୍‌; ମେ ମାସ ୩୦ ତାରିଖ ରାତିରେ ନିଜେ ଡୋନାଲ୍‌ଡ ଟ୍ରମ୍ପ୍‌ ତା’ ଭିତରେ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ବଙ୍କର‌୍‌ ମଧୢରେ ଘଣ୍ଟାଏ କାଳ ପଶିଲେ; ହାଉସ୍‌ ବାହାରେ ହଜାର ହଜାର ବିକ୍ଷୁବ୍‌ଧ ବିକ୍ଷୋଭକାରୀ। ୨୫ ତାରିଖରେ ଖଣ୍ତେ ସିଗାରେଟ୍‌ କିଣିବା ବେଳେ ନୋଟ୍‌ ଖଣ୍ତିକ ଅସଲି କି ନକଲି; ଏଇ ଛୋଟିଆ କଥାକୁ ନେଇ ଦୋକାନୀ ସହିତ ବଚସାରୁ ଜର୍ଜ ଫ୍ଲଏଡ୍‌ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କଲା। ଅତି ନିର୍ଦ୍ଦୟ ଭାବରେ ତାଙ୍କ ତଣ୍ଟି ଉପରେ ଆଣ୍ଠୁଚାପ ଦେଇ ପୁଲିସ ଶ୍ବାସରୁଦ୍ଧ କରିଦେଲା ା ‘ମୁଁ ନିଶ୍ବାସ ନେଇ ପାରୁନାହିଁ’ (ଆଇ କ୍ୟାନ୍‌ ନଟ୍‌ ବ୍ରେଦ୍‌), ମୋତେ ଛାଡ଼ିଦିଅ, ଛାଡ଼ିଦିଅ ବୋଲି ଆର୍ତ୍ତ ଚିତ୍କାର କରିକରି ସେ ବିଚରାଟିର ଜୀବନ ସେଇଠି ଶେଷ ହୋଇଗଲା। ୮ମିନିଟ୍‌ ୪୬ ସେକେଣ୍ତ୍‌ର ସେହି ନୃଶ˚ସ ନରହତ୍ୟାର ଚିତ୍ର ଓ ମୃତ୍ୟୁ ପୂର୍ବର କାତର-କରୁଣ ସ୍ବର ଆଖି ପିଛୁଳାକେ ଦେଶ ବିଦେଶରେ ବ୍ୟାପିଗଲା। ଛୟାଳିଶ ବର୍ଷୀୟ ମୃତ ଫ୍ଲଏଡ୍‌ ଥିଲେ ଜଣେ ଆଫ୍ରିକୀୟ-ଆମେରିକା ଅଧିବାସୀ; ବର୍ଣ୍ଣ କଳା। ହତ୍ୟାକାରୀ ପୁଲିସ ହେଉଛି ଗୋରା। ସେତିକିବେଳୁ ଆମେରିକା ଅଶାନ୍ତ ହେଇଗଲା, ସହରଗୁଡ଼ିକରେ କର୍ଫ୍ୟୁ। କଳା-ଗୋରା ଭେଦକୁ ନେଇ ବିଭେଦର ନିଆଁରେ ଆମେରିକା ଜଳିଲା। ଏବ˚ ସେ ନିଆଁ ଆମେରିକାର ଚୌହଦୀ ଡେଇଁ କାନାଡ଼ା, ନିୟୁଜିଲାଣ୍ତ, ଅଷ୍ଟ୍ରେଲିଆ, ଇଉରୋପ ଆଦି ଦେଶକୁ ବ୍ୟାପିଛି। ଏବ˚ ତାହା ସାରା ପୃଥିବୀକୁ ବ୍ୟାପିପାରେ; ମହାବିପତ୍ତି।

ଅନ୍ୟପଟରେ ମହାମାରୀ କୋଭିଡ଼୍‌-୧୯ର ଭୟାବହତା ଆମେରିକାବାସୀଙ୍କୁ ତ୍ରସ୍ତ କରି ରଖିଛି। ରୋଗ ସ˚କ୍ରମଣରେ ଆମେରିକା ପରି ଏକ ସମୃଦ୍ଧ ରାଷ୍ଟ୍ରର ସ୍ଥାନ ହେଉଛି ଏବେ ପୃଥିବୀରେ ପ୍ରଥମ। ଭୂତାଣୁ ସ˚କ୍ରମଣକୁ ନିୟନ୍ତ୍ରଣ କରିବା ତ ଦୂରର କଥା, ସେଠାରେ ସବୁ ଆକ୍ରାନ୍ତଙ୍କୁ ସର୍ବନିମ୍ନ ଡାକ୍ତରଖାନା ସୁବିଧା ମଧୢ ଉପଲବ୍‌ଧ ହେଉନାହିଁ ା ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ରୋଗର ମହାମାରୀ ଲକ୍ଷଣ ସ˚ପର୍କରେ ବିଭିନ୍ନ ରାଷ୍ଟ୍ରକୁ ବାରମ୍ବାର ତାଗିଦ କରିବା ସତ୍ତ୍ବେ ଏବ˚ ଆମେରିକାରେ ରୋଗୀ ଚିହ୍ନଟ ହୋଇସାରିବା ପରେ ମଧୢ ଟ୍ରମ୍ପ୍‌ ଅନେକ ଦିନ ପର୍ଯ୍ୟନ୍ତ ଭୂତାଣୁ ସ˚କ୍ରମଣର ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ। କୋଭିଡ-୧୯କୁ ଚାଇନା ଭୂତାଣୁ କହି ଚାଇନା ଉପରେ ଦୋଷ ଲଦି ଅତି ଦାୟିତ୍ବହୀନ ଢଙ୍ଗରେ ସେ ସମୟ ଅପଚୟ କରି ଚାଲିଲେ।

୨୦୧୬ ମସିହାରେ ରାଷ୍ଟ୍ରପତି ନିର୍ବାଚନ ବେଳେ ଆମେରିକାର ଗୋଟାଏ ବଡ଼ ସଚେତନ ନାଗରିକ ଗୋଷ୍ଠୀ ଟ୍ରମ୍ପ୍‌ଙ୍କ ବିଜୟକୁ ପ୍ରତିହତ କରିବାକୁ ଜୋର‌୍‌ଦାର‌୍‌ ଉଦ୍ୟମ କରିଥିଲେ। ଟ୍ରମ୍ପ୍‌ଙ୍କର ବ୍ୟବସାୟ-ସର୍ବସ୍ବ ଓ ସର୍ବୋପରି ଅବ୍ୟବସ୍ଥିତ ବ୍ୟକ୍ତି-ସ୍ବଭାବ ସ˚ପର୍କରେ ସେମାନେ ଅବଗତ ଥିଲେ। ପ୍ରତିଷ୍ଠିତ ଗଣମାଧୢମଗୁଡ଼ିକର ମତ ମଧୢ ଟ୍ରମ୍ପ୍‌ଙ୍କ ପାଇଁ ଅନୁକୂଳ ନଥିଲା। ଏବେ ଦ୍ବିତୀୟ ବାର କୌଣସି ପ୍ରକାର ରାଷ୍ଟ୍ରପତି ଆସନ ଜିତିବାର ଝୁଙ୍କ୍‌ ଟ୍ରମ୍ପ୍‌ଙ୍କ ମୁଣ୍ତରେ ସବାର ହୋଇଛି। ତେଣୁ କୋଭିଡ୍‌-୧୯ ମହାମାରୀର ପ୍ରାର୍ଦୁଭାବ ହେଉ ଅବା ଗୋଟାଏ ଅତି ଘୃଣ୍ୟ ବିଚାର ଉପରେ ପର୍ଯ୍ୟବସିତ ବର୍ଣ୍ଣ ବୈଷମ୍ୟକୁ ନେଇ ଗଣବିକ୍ଷୋଭ ହେଉ; ଏ ଦୁଇ ମହାବିପତ୍ତି ଭିତରୁ ମନେ ହେଉଛି ସେ ନିଜ ପାଇଁ ରାଜନୀତିକ ସୁଯୋଗର ସନ୍ଧାନ କରିବାରେ ବ୍ୟସ୍ତ ଅଛନ୍ତିି। ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ନିଜ ବାଗରେ ଅଙ୍କ କଷି ସେ ନିଜ ପାଇଁ ଲାଭକ୍ଷତିର ଅନୁଶୀଳନ କରୁଛନ୍ତି। ଟ୍ରମ୍ପ୍‌ଙ୍କର ଲକ୍ଷ୍ୟ ହେଉଛି, କୋଭିଡ୍‌-୧୯କୁ ଚାଇନା ଉତ୍ପାଦ ବୋଲି ଆମେରିକାବାସୀଙ୍କ ମନରେ ଏକ ମଜଭୁତିଆ ଧାରଣା ତିଆରି କରି, ଚାଇନା ପ୍ରତି ଆମେରିକାର ସାମୂହିକ ବିଦ୍ବେଷ ଠିଆ କରେଇବା ଏବ˚ ନିଜକୁ ଆମେରିକାବାସୀଙ୍କ ଆଗରେ ଚାଇନା ଦମନର ସମର୍ଥ ଯୋଦ୍ଧା ଭାବରେ ଚିତ୍ରଣ କରେଇବା। ସେହିପରି କଳା-ଗୋରା ଭେଦ-ଯୁଦ୍ଧରୁ ସେ ଆମେରିକାର ସ˚ଖ୍ୟାଗରିଷ୍ଠ ଗୋରା ଭାବପ୍ରବଣତାକୁ ଜୋର‌୍‌ରେ ଉସକେଇ ଭୋଟ୍‌ ପାଇଁ ନିଜ ଆଡ଼କୁ ମୁହାଁଇ ପାରିବେ ବୋଲି ହିସାବ ଯୋଡ଼ିବାରେ ଅଛନ୍ତି। କ୍ଷମତାର ଶୀର୍ଷରେ ଥିବା ଜଣେ ରାଜନେତାର ଏପରି ଚିନ୍ତାଧାରା ଓ ଆଚରଣ ନିଶ୍ଚୟ ମାରାତ୍ମକ। ଅତ୍ୟନ୍ତ ଅମାନବୀୟ; ସାମଗ୍ରିକ ଭାବରେ ଗଣତନ୍ତ୍ର-ବିରୁଦ୍ଧ।

ମନେହୁଏ, ଯଦି ପ୍ରଥମରୁ ଦାୟିତ୍ବନିଷ୍ଠ ଓ ସତର୍କ ପଦକ୍ଷେପ ଗ୍ରହଣ କରାଯାଇଥା’ନ୍ତା, ତେବେ ଫ୍ଲଏଡ୍‌ଙ୍କ ହତ୍ୟା ବର୍ଣ୍ଣ ବୈଷମ୍ୟର ରୂପ ଧାରଣ କରି ନଥା’ନ୍ତା; ଜନକ୍ରୋଧ ଆଦୌ ସୃଷ୍ଟି ହୋଇ ନ ଥା’ନ୍ତା। ଆମେରିକାବାସୀ କୋଭିଡ୍‌-୧୯ର ନିଘନ ବିଭୀଷିକା ସହିତ ସରକାରଙ୍କ ସହ ଲଢ଼େଇ ଭଳି ଅନ୍ୟ ଏକ ଆହ୍ବାନକୁ ଗ୍ରହଣ କରିବାକୁ କଦାପି ପସନ୍ଦ କରି ନ ଥା’ନ୍ତେ। ହେଲେ ଟ୍ରମ୍ପ୍‌ କ୍ଷୁବ୍‌ଧ ଜନଗଣଙ୍କ ଭିତରେ ସାମାନ୍ୟତମ ବିଶ୍ବାସ ତିଆରି କରିପାରିଲେ ନାହିଁ; ବର˚ ବାରମ୍ବାର ସମ୍ବେଦନହୀନ-ପ୍ରତିକୂଳ ମନ୍ତବ୍ୟ ଦେଇ ଉତ୍ତେଜନାକୁ ତେଜିବାରେ ଲାଗିଲେ। ଗଲା ୩ ତାରିଖ ଦିନ ସେନା ଲଗେଇ ଆନ୍ଦୋଳନ ଦମନ କରିବାକୁ ଟ୍ରମ୍ପ୍‌ ସେନାବାହିନୀକୁ ନିର୍ଦ୍ଦେଶ ଦେଇଥିଲେ। ସେନା ମୁଖ୍ୟାଳୟ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକୁ ଏଡ଼େଇ ଦେଲା। ଦେଶର ପ୍ରତିରକ୍ଷା ସଚିବ ମାର୍କ ଏସପ୍‌ର କହିଲେ, ସାଧାରଣ ଜନତାର କୌଣସି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଉପରେ ସେନା ପ୍ରୟୋଗ ଉଚିତ ହେବ ନାହିଁ ା ଆମେରିକାର ରାଷ୍ଟ୍ରପତିଙ୍କ ହୁକୁମ୍‌କୁ ସେନା ଫାଙ୍କି ଦେବା, ଆମେରିକାର ଗଣତନ୍ତ୍ର ବିଷୟରେ ଏକ ତର୍କ-ସାପେକ୍ଷ ଦିଗକୁ ଚିହ୍ନିତ କରୁଛି ସତ; ହେଲେ ଏହା ଟ୍ରମ୍ପ୍‌ଙ୍କ ପ୍ରତି ଆମେରିକାର ଗୋଟାଏ ବଡ଼ ନାଗରିକ ସମାଜର ଆସ୍ଥା ଭଙ୍ଗ, ପ୍ରତିବାଦ ଓ ପ୍ରତ୍ୟାଖ୍ୟାନର ଏକ ବଳିଷ୍ଠ ସ˚କେତ ପ୍ରଦାନ କରୁଛି। ଏଭଳି ଏକ ସମ୍ଭାବନା ଓ ବିଶ୍ବାସକୁ ଅଧିକ ପୁଷ୍ଟ କରୁଛି, ଆମେରିକାର ହ୍ୟୁଷ୍ଟନ୍‌ ପୁଲିସ ମୁଖ୍ୟ ‘ଆର୍ଟ ଆସେବେଡୋ’ଙ୍କ ମନ୍ତବ୍ୟ ା ଗଣମାଧୢମ ସାମ୍ନାରେ ସେ ଟ୍ରମ୍ପ୍‌ଙ୍କ ଉଦ୍ଦେଶ୍ୟରେ କହିଲେ, ‘ଯଦି ଆମ ରାଷ୍ଟ୍ରପତିଙ୍କ ପାଖରେ କୌଣସି ଗଠନଶୀଳ ଅଭିବ୍ୟକ୍ତି ନାହିଁ, ତେବେ ସେ ନିରବ ରହିବା ଭଲ ହେବ।’ ଆମେରିକା ଶାସନ ବ୍ୟବସ୍ଥାର ଏହି ଦୁଇ ଅଧିକାରୀ ଦୁଇଟି ଅତି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ସହିତ ଜଡ଼ିତ। ଶାସନ ଓ ପ୍ରଶାସନ ଭିତରେ ଏଭଳି ମୁକ୍ତ ଭାବ-ବିନିମୟ ମନେହୁଏ ସାମଗ୍ରିକ ଭାବରେ ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ଶକ୍ତି ଯୋଗାଇବ।

ଆମେରିକାରେ ବର୍ଣ୍ଣ ବୈଷମ୍ୟର ଇତିହାସ ପୁରୁଣା ଓ ଲମ୍ବା। କେତେ ଯାତନା, କେତେ ତ୍ୟାଗ, କେତେ ଲଢ଼େଇର ଲୋମଟାଙ୍କୁରା କାହାଣୀ ସେଥିରେ ଲେଖା ହୋଇ ରହିଛି। ପ୍ରଥମ ଥର ପାଇଁ ଆଫ୍ରିିକୀୟ-ଆମେରିକା ପୃଷ୍ଠଭୂମିର ଜଣେ କୃଷ୍ଣକାୟ ରାଜନେତା ବାରାକ୍‌ ଓବାମା ୨୦୦୮ ମସିହାରେ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେଲେ। ନିଜର କାର୍ଯ୍ୟଶୈଳୀରେ ସେ ଆମେରିକାବାସୀଙ୍କୁ ପ୍ରଭାବିତ କରିଥିଲେ ଏବ˚ ଯୁକ୍ତରାଷ୍ଟ୍ରର ବାହାରେ ଜଣେ ଅନୁଭବୀ ଓ ପାରଦର୍ଶୀ ରାଷ୍ଟ୍ରନେତାର ପରିଚୟ ପ୍ରତିଷ୍ଠା କରିଥିଲେ। ତାଙ୍କୁ ଆମେରିକାବାସୀ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପଦରେ ଆସୀନ କରାଇଥିଲେ। ମନେ କରାଯାଉଥିଲା ଅମାନବୀୟ ବର୍ଣ୍ଣ-ବୈଷମ୍ୟର ଭୂତାଣୁଟି ଆମେରିକା ମାଟିରୁ ସବୁଦିନ ପାଇଁ ଅନ୍ତ ହୋଇଗଲା। ଦୁଃଖର କଥା, ସେପରି ଘଟିଲା ନାହିଁ। ରାଷ୍ଟ୍ରପତି ପଦରେ ସାଢ଼େ ତିନି ବର୍ଷର କାର୍ଯ୍ୟକାଳରେ ଦେଶ ନିମନ୍ତେ କୌଣସି ଉଲ୍ଲେଖନୀୟ ଉପଲବ୍‌ଧି ରଖି ପାରି ନ ଥିବା ଟ୍ରମ୍ପ୍‌ ବର˚ ଆମେରିକାର ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ ବିଭିନ୍ନ ରାଷ୍ଟ୍ର ପାଖରେ ଉପଯୋଗ କରି ନିଜ ପାଇଁ ସମର୍ଥନ ଜୁଟେଇବାରେ ଚତୁରତା ପ୍ରଦର୍ଶନ କରିଛନ୍ତିି। ୨୦୨୦ ମସିହା ଶେଷ ଭାଗରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସାହାଯ୍ୟ କରିବାକୁ ଟ୍ରମ୍ପ୍‌ ଚୀନର ଶାସନ ମୁଖ୍ୟ ଜିିନ ପିଙ୍ଗଙ୍କ ସହ କିପରି ବୁଝାମଣା କରିଥିଲେ, ଜନ ବୋଲଟନ ତାଙ୍କ ଲିଖିତ ‘ଦ ରୁମ ହେଵାର ଇଟ୍‌ ହାପେନ୍‌ଡ’ ପୁସ୍ତକରେ ତାହା ବର୍ଣ୍ଣନା କରିଛନ୍ତି। ୨୦୧୯ରେ ଦୁଇ ରାଷ୍ଟ୍ର ମୁଖ୍ୟଙ୍କର ଏହି ଆଲୋଚନା କାଳରେ ବୋଲଟନ ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଥିଲେ। ଏ ପ୍ରକାର ଚମତ୍କାରିତା, ମନେ ହୁଏ, ଟ୍ରମ୍ପ୍‌ ଭାରତ ଉପରେ ମଧୢ ବ୍ୟବହାର କରିଛନ୍ତି। ୨୦୧୯ ମସିହା ସେପ୍‌ଟେମ୍ବର ମାସରେ ମୋଦୀଜୀ ଆମେରିକା ଗସ୍ତ କରି ସେଠାରେ ଅବସ୍ଥାନ କରୁଥିବା ଭାରତୀୟମାନଙ୍କୁ ଏକ ବର୍ଣ୍ଣାଢ଼୍ୟ ସମାବେଶରେ ‘ଔର ଏକବାର ଟ୍ରମ୍ପ୍‌ ସରକାର’ କହି ଟ୍ରମ୍ପ୍‌ଙ୍କର ପ୍ରଶସ୍ତି ଗାନ କରିଥିଲେ। ନିଜ ରାଷ୍ଟ୍ରର କୌଣସି ସୁଯୋଗ ପାଇଁ କୂଟନୈତିକ ଦୃଷ୍ଟିରୁ ଅନ୍ୟ ରାଷ୍ଟ୍ରର ନିକଟତର ହେବାରେ ‘ମିତ୍ର-ଭାଷା’ ବ୍ୟବହାରର ଗୋଟାଏ ବଡ଼ ଭୂମିକା ଥାଏ; ହେଲେ କୌଣସି ବ୍ୟକ୍ତିର ବ୍ୟକ୍ତି-ସ୍ବାର୍ଥ ପାଇଁ କୌଣସି ବିଚାରଶୀଳ ରାଷ୍ଟ୍ର ନିଜ ଭାବମୂର୍ତ୍ତିକୁ କେବେହେଲେ ବ୍ୟବହାର କରେ ନାହିଁ। ୨୦୧୮ ମସିହା ଜନଗଣନା ଅନୁସାରେ ଆମେରିକାରେ ସାଢ଼େ ୨୬ ଲକ୍ଷ ଭାରତୀୟ ବାସ କରୁଛନ୍ତି।

ରୁଗ୍‌ଣ, ବିକୃତ ଓ ସ˚କୁଚିତ ମାନସିକତାରୁ ବର୍ଣ୍ଣ ବୈଷମ୍ୟ ଚେତନାଟିର ଜନ୍ମ। ଶତାବ୍ଦୀ ଶତାବ୍ଦୀ ଧରି ପୃଥିବୀ ପୃଷ୍ଠରେ ଏହା ବଞ୍ଚିଛି। ବିଭିନ୍ନ ସମୟ ଖଣ୍ତରେ କେଉଁଠି କେଉଁ ଧୂର୍ତ୍ତ ମଣିଷ ନିଜର ବା ନିଜ ଗୋଷ୍ଠୀର ସ୍ବାର୍ଥ ପାଇଁ ଏହି ବିଷାକ୍ତ ଭାବନାଟିକୁ ତେଜି ଦେଉଛି, ଭେଦ ସୃଷ୍ଟି ପାଇଁ ବ୍ୟବହାର କରୁଛି। ଏହା ମଣିଷ ଭିତରର ସୂକ୍ଷ୍ମ-କୋମଳ ସମ୍ବେଦନଶୀଳ ପ୍ରବଣତାଗୁଡ଼ିକର ବିନାଶ ଘଟେଇ ସେଠି ତିଆରି କରୁଛି ଛଳ, ଘୃଣା ଓ ନିଷ୍ଠୁରତା ଯାହା ସଭ୍ୟତା ବିରୋଧୀ, ସ˚ସ୍କୃତି ବିରୋଧୀ ଓ ଯାବତୀୟ ପ୍ରଗତିର ପରିପନ୍ଥୀ। ଏକବି˚ଶ ଶତାବ୍ଦୀର ମଣିଷ ଶିକ୍ଷା ଓ ସଭ୍ୟତା କ୍ଷେତ୍ରରେ ଯଥେଷ୍ଟ ଆଗକୁ ଗଲାଣି। ବିଜ୍ଞାନର ବୈପ୍ଳବିକ ଉତ୍ତରଣ, ବିକାଶର ନୂଆ ନୂଆ ସମ୍ଭାବନା ଓ ଶିଖର ସହିତ ପରିଚିତି ଓ ମିତ୍ର ପଣ ଗଢ଼ି ସାରିଲାଣି। ଏବ˚ ମନେହୁଏ, ପୃଥିବୀରେ ମଣିଷର ସର୍ବବିଧ କଲ୍ୟାଣ ପାଇଁ ଏବେ ସବୁଠୁ ଅଧିକ ଲୋଡ଼ା ହେଉଛି ମାନବବାଦ।

ମନେହୁଏ, ମାନବବାଦର ଯାତ୍ରାପଥରେ ସମାଜରେ ଅନ୍ୟ ତିନିଟି ‘ବାଦ’ ପ୍ରତିପକ୍ଷ ହୋଇ ଉଭା ହୋଇଛି। ଜାତି, ଧର୍ମ ଓ ବର୍ଣ୍ଣ। ଗାନ୍ଧୀଜୀ ବର୍ଣ୍ଣଭେଦକୁ ଭେଟିଥିଲେ ଦକ୍ଷିଣ-ଆଫ୍ରିକାରେ। ସାମ୍ନା ସାମ୍ନି। ଲଢ଼ିଥିଲେ ଏକା ଏକା। ସେଦିନ ଅନ୍ୟାୟକୁ ସହ୍ୟ ନ କରିବାର ‘ପଣ’ ଥିଲା ତାଙ୍କ ଲଢ଼େଇର ‘ବଳ’। ତାଙ୍କ ଭିତରର ସୁପ୍ତ ଅଥଚ ଆଲୋକିତ ଚେତନାର ବିଚ୍ଛୁରଣ ଘଟିଥିଲା। ଜାଣତରେ ଅବା ଅଜାଣତରେ ସେ ଗଢ଼ି ହୋଇଯାଇଥିଲେ ମହାତ୍ମାରେ, ମହାମାନବରେ। ବ୍ୟକ୍ତି ସ୍ବାଧୀନତାର କଥା ହେଉ, ଅସ୍ପୃଶ୍ୟ ନିବାରଣ ହେଉ, ସ୍ବଦେଶୀ ଜାଗରଣ ହେଉ ବା ସ୍ବଚ୍ଛତାର ପରିଚର୍ଯ୍ୟା ହେଉ, ତାଙ୍କ ଆଚରିତ ଏ ସବୁରି ମୂଳରେ ଥିଲା ବିଶୁଦ୍ଧ ମାନବବାଦର ପ୍ରତିଷ୍ଠା। ‘ବାପୁ’ଙ୍କ ଧର୍ମର ବିଶ୍ଳେଷଣ ଓ ବିଶେଷତ୍ତ୍ବ ଥିଲା ‘ମାନବବାଦ’।

ଆଜି ୨୦୨୦ ମସିହାରେ ନିର୍ବାଚନ ଜିତିବାକୁ ‘ଟ୍ରମ୍ପ୍‌’ ବର୍ଣ୍ଣ ବୈଷମ୍ୟ ଭିତରୁ ନିଜ ପାଇଁ ନିର୍ବାଚନୀ ସମର୍ଥନ ଖୋଜୁଛନ୍ତି। ଆମ ଦେଶରେ ମନ୍ଦିର ନିର୍ମାଣର ହଲପ୍‌ ସ୍ଥାନ ପାଉଛି ନିର୍ବାଚନୀ ଆଜେଣ୍ତାରେ, ସଫଳତାର କାହାଣୀରେ। ଅଥଚ ବିଶ୍ବର ୧୦୦ଟି ବିଶ୍ବବିଦ୍ୟାଳୟର ତାଲିକା ଭିତରେ ଭାରତର ସ୍ଥାନ ଖୋଜିଲେ ମିଳୁନାହିଁ। କୋଭିଡ୍‌-୧୯ର ତାଡ଼ନାରେ ଲକ୍ଷ ଲକ୍ଷ ଖଟିଖିଆ ଶ୍ରମିକ ପେଟରେ ଭୋକ, ତଣ୍ଟିରେ ଶୋଷ, କାଖରେ କଅଁଳ ଛୁଆକୁ ଜାକି, ଶହ-ଶହ ମାଇଲ ଚାଲୁଛି, ଡହ-ଡହ ଖରାରେ, ଢୁ-ଢୁ ମେଘରେ, ରାଜରାସ୍ତାରେ। ଅଥଚ ଆମ ଭିତରୁ କେହି କେହି ନିର୍ବୋଧ-ବୁଦ୍ଧିଜୀବୀ ବେଳେବେଳେ ବିଳିବିଳୋଉଛନ୍ତି, ଆମେ କୁଆଡ଼େ ବିଶ୍ବଗୁରୁ!

ଇତି ମଧୢରେ ଆମେରିକାରେ ଆଇକନ୍‌ ହେଇସାରିଥିବା ଫ୍ଲଏଡ୍‌ଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସାରି ଜୁନ୍‌ ୧୦ ତାରିଖରେ ତାଙ୍କ ଭାଇ ଫିଲୋନାଇଜ୍‌ କହିଛନ୍ତି ‘ମୋ ଭାଇର ମୃତ୍ୟୁ ବଦଳରେ ଯଦି ପୃଥିବୀ ଏକ ପରିବର୍ତ୍ତିତ ସକାଳ ଦେଖିବ, ତେବେ ମୋତେ ଲାଗିବ, ତାଙ୍କ ମୃତ୍ୟୁ ହୋଇଥିଲେ ମଧୢ ମୃତ୍ୟୁ ହୋଇନାହିଁ’।

ସତରେ ବଡ଼ ତାତ୍ପର୍ଯ୍ୟପୂର୍ଣ୍ଣ ଧାଡ଼ିଟିଏ! କେତେ ଉଦାର, ଉଦାତ୍ତ, ଉଷ୍ମ ଓ ଉଜ୍ଜ୍ବଳ ନିଷ୍ପାପ-ନିରୀହ ମଣିଷର ସ୍ବର ଇଏ; ସତରେ, ଅଣମରଣ ସ୍ମୃତିଟିଏ! କେତେ ନିଦା ଓ କେତେ ନିକ; କରୁଣ ପୁଣି ନିଷ୍କରୁଣ ପ୍ରାର୍ଥନାଟିଏ!

‘ଶକୁନ୍ତଳା’, ମହାନଦୀ ବିହାର, କଟକ
ଫୋନ୍‌- ୯୪୩୮୨୭୫୦୯୧

ସମ୍ବନ୍ଧିତ ଖବର