ସୃଜନଶୀଳତାକୁ ମହତ୍ତ୍ବ

ରାଷ୍ଟ୍ରୀୟ ଶିକ୍ଷାନୀତି - ମହାମେଘବାହନ ଐର ଖାରବେଳ ସ୍ୱାଇଁ

ସ୍ବାଧୀନତା ପରେ ୧୯୬୮ ଓ ୧୯୮୬ରେ ରାଷ୍ଟ୍ରୀୟ ଶିକ୍ଷାନୀତିମାନ ପ୍ରଣୟନ ହୋଇଥିଲା। କିନ୍ତୁ ଏହାର ଆଭିମୁଖ୍ୟ କ’ଣ ଥିଲା? ଭାରତର ଶିକ୍ଷାନୀତିର ଆଭିମୁଖ୍ୟ ସମ୍ପର୍କରେ ପୃଥିବୀ ବିଖ୍ୟାତ ଇ-କମର୍ସ ସ˚ସ୍ଥା ‘ଆମାଜୋନ’ର ସ୍ରଷ୍ଟା ଜେଫ ବେଜୋସ ସ୍ପଷ୍ଟ କହିଛନ୍ତି ‘ଭାରତରେ ପାଠପଢ଼ାର ଲକ୍ଷ୍ୟ ହେଲା କେମିତି ଗୋଟିଏ ବଡ଼ ଚାକିରି ପାଇବା, ଯେଉଁଠି ଦରମା ବହୁତ ଥିବ। ସେମାନେ କିନ୍ତୁ କିଛି ନୂଆ ସର୍ଜନା କରିବାକୁ ଚେଷ୍ଟିତ ନୁହନ୍ତି। ଆଜି ଭାରତରେ ଯାହାକୁ ତା’ର ପୁଅ କ’ଣ କରୁଛି ପଚାରିଲେ, ସେ କହିବ, ସେ ଆମେରିକାରେ ଅଛି, ୟୁରୋପରେ ଅଛି, ବେଙ୍ଗାଲୁରୁରେ ଅଛି, ହାଇଦ୍ରାବାଦରେ ଅଛି, ଆଉ ଆଇ.ଟି.ରେ କାମ କରୁଛି, ଆଉ ବର୍ଷକୁ କେତେ କୋଟି ଟଙ୍କାର ଦରମା ପ୍ୟାକେଜ୍‌ ପାଉଛି। ପୃଥିବୀ ଓ ଆଇ.ଟି. କ୍ଷେତ୍ରର ପ୍ରାଣକେନ୍ଦ୍ର ଆମେରିକାର ସିଲିକନ ଭେଲିରେ ୩୪% ଭାରତୀୟ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ଗୋଟିଏ ‘ଫେସ୍‌ବୁକ୍‌’ ତିଆରି କରିଛନ୍ତି କି? ‘ଟୁଇଟର‌୍‌’ ତିଆରି କରିଛନ୍ତି କି? ‘ଗୁଗଲସ୍‌’ ତିଆରି କରିଛନ୍ତି କି? ମାଇକ୍ରୋସଫ୍‌ଟ ଅବା ଏପଲ କମ୍ପ୍ୟୁଟର ତିଆରି କରିଛନ୍ତି କି? ଫେସ୍‌ବୁକ୍‌ ତିଆରି କରିଛନ୍ତି ଆମେରିକାର ମାର୍କ ଜୁକରବର୍ଗ ଯେତେବେଳେ ସେ ମାତ୍ର ୩୨ ବର୍ଷର ହୋଇଥିଲେ। ଗୁଗଲସ୍‌ ତିଆରି କରିଛନ୍ତି ଲ୍ୟାରି ପେଜ ଓ ସରଗେ ବିନ। ମାଇକ୍ରୋସଫ୍‌ଟ ତିଆରି କରିଛନ୍ତି ବିଲ୍‌ ଗେଟ୍‌ସ୍‌। ପୃଥିବୀର ଅଲଗା ବ୍ୟବସାୟ ମଡେଲ ‘ଆମାଜୋନ’ ତିଆରି କରିଛନ୍ତି ଜେଫ ବୋଜୋସ। ସେଇମିତି ନୂଆ ଭଡ଼ା ଗାଡ଼ି ଡାକିବା କମ୍ପାନି ‘ଉବେର’ ତିଆରି ହୋଇଛି ଆମେରିକାରେ। ହୁଏତ ଏବେ ସତ୍ୟ ନନ୍ଦେଲା ‘ମାଇକ୍ରୋସଫ୍‌ଟ’ର ଓ ସୁନ୍ଦର ପିଚାଇ ଗୁଗଲ୍‌ସର ମୁଖ୍ୟ ଅଛନ୍ତି। କିନ୍ତୁ ସେମାନେ ଏହି କମ୍ପାନି ବା ଟେକ୍‌ନୋଲୋଜିର ଉଦ୍ଭାବକ ନୁହନ୍ତି। ସେମାନେ ସେହି କମ୍ପାନିର କର୍ମଚାରୀ ଅଟନ୍ତି। ଏପରିକି ଯେଉଁ ‘ଟିକ୍‌ଟକ୍‌’ ଭିଡିଓ ଆପ୍‌କୁ ନେଇ ଚୀନ ଓ ଅନ୍ୟ ଦେଶମାନଙ୍କ ମଧ୍ୟରେ ଏତେ ବିବାଦ, ତାହା ଚୀନରେ ସୃଷ୍ଟି ହୋଇଛି। ଭାରତ ସେପରି ଆପ୍‌ ସୃଷ୍ଟି କରିପାରିନାହିଁ। ଭାରତରେ ମୋବାଇଲ ଫୋନ୍‌ ବଜାରର ୮୨% ଚୀନ ମୋବାଇଲ କମ୍ପାନିମାନେ ମାଡ଼ିବସିଛନ୍ତି। ଭାରତର ଯେଉଁ ୨/୩ ମୋବାଇଲ କମ୍ପାନି ଅଛନ୍ତି, ସେମାନେ କେବଳ ନାମକୁ ମାତ୍ର।

ଏହାର ଅର୍ଥ ହେଲା, ଅତୀତରେ ଯେଉଁ ଦୁଇ ଦୁଇଟି ଶିକ୍ଷାନୀତି ଘୋଷଣା ଭାରତରେ କରାଯାଇଛି, ତା’ର ମୂଳ ଲକ୍ଷ୍ୟ ହେଲା, ଚାକିରି ପାଇଁ ପିଲାଙ୍କୁ ତିଆରି କରିବା, ନୂଆ କଥା ସୃଷ୍ଟି ପାଇଁ ନୁହେଁ। ଅତୀତରେ ଶିକ୍ଷାନୀତି କହିଲେ ବି.ଏ. ୨ ବର୍ଷର ପାଠ୍ୟକ୍ରମ ହେବ ନା ୩ ବର୍ଷର? ମେଟ୍ରିକ ପାଠ ୧୧ ବର୍ଷର ହେବ ନା ୧୦ ବର୍ଷର। ଆଖିବୁଜା ବିଶ୍ବବିଦ୍ୟାଳୟ, କଲେଜମାନଙ୍କୁ କେମିତି ସ୍ବୀକୃତି ମିଳିବ ଏହା ହିଁ ଲକ୍ଷ୍ୟ ଥିଲା। ଆମେରିକାରେ ଜଣେ ଛାତ୍ର ବିଶ୍ବବିଦ୍ୟାଳୟରୁ ବାହାରିଲା ବେଳକୁ ଅନେକ କ୍ଷେତ୍ରରେ ଛୋଟକାଟର ହେଲେ ବି ଗୋଟିଏ ବ୍ୟବସାୟ ଆରମ୍ଭ କରିଦେଇଥାଏ। ଭାରତର ଛାତ୍ରଟିଏ ଏ ସମ୍ପର୍କରେ କୌଣସି ଚିନ୍ତା ବି କରିପାରେ ନାହିଁ। ତା’ର ବାପ ମା’ ତାକୁ ନୂଆ କିଛି ସର୍ଜନା ପାଇଁ ପ୍ରୋତ୍ସାହିତ ମଧ୍ୟ କରନ୍ତି ନାହିଁ। ସେ ୯୯% ନମ୍ବର ପାଇଲା ନା ୧୦୦% ପାଇଲା, ତାହାକୁ ନେଇ ଘୋର ବିବାଦରେ ଓ ମାଲି ମୋକଦ୍ଦମାରେ ଫସିଥା’ନ୍ତି।

୨୦୨୦ର ଶିକ୍ଷାନୀତିରେ ଅନେକ ନୂଆ କଥା ଅଛି ଯାହା ଅତୀତରେ ଚିନ୍ତା ମଧ୍ୟ କରାଯାଉନଥିଲା। ଗୋଟିଏ ହେଲା, ବିଭିନ୍ନ ପ୍ରକାରର ପାଠ୍ୟକ୍ରମଗୁଡ଼ିକ ଏତେ ଅପରିବର୍ତ୍ତନୀୟ ଥିଲେ ଯେ, ସେହି ପାଠକୁ ଥରେ ପଢ଼ିବା ପରେ ଆଉ ସେଥିରୁ କେବେ ବାହାରି ଯିବା ଅବା ଅନ୍ୟ ବିଷୟ ପଢ଼ିବାର ସୁଯୋଗ ପାଉନଥିଲା। ଅର୍ଥାତ୍‌, କଳା, ବିଜ୍ଞାନ ଓ ବାଣିଜ୍ୟ ପାଠରେ ଥରେ ପଶିଯିବା ପରେ କଳା ଛାତ୍ର ଆଉ କେବେ ବିଜ୍ଞାନ ପାଠ, ଅବା ବିଜ୍ଞାନର ଛାତ୍ର ବାଣିଜ୍ୟ ପାଠ ପଢ଼ିବାକୁ ସୁଯୋଗ ପାଉନଥିଲା। ଆମେରିକା ଓ ଅନ୍ୟାନ୍ୟ ବିକଶିତ ଦେଶମାନଙ୍କରେ ତାହା ହୋଇଥାଏ। ଏବେ ପ୍ରତ୍ୟେକ ପାଠ୍ୟକ୍ରମରେ ମଝିରେ ମଝିରେ ଗୋଟିଏ ସମୟ ରହିବ ଯେତେବେଳେ ପାଠ୍ୟକ୍ରମକୁ ଜଣେ କେହି ନୂଆ କରି ପ୍ରବେଶ କରିପାରିବ ଅବା ପାଠ୍ୟକ୍ରମରୁ ବାହାରି ଯାଇ ଅନ୍ୟପାଠ ପଢ଼ିବ। ପାଠ୍ୟକ୍ରମରେ ଏହି ନମନୀୟତା ନିଶ୍ଚିତ ଭାବରେ ଏକ ସ୍ବାଗତଯୋଗ୍ୟ ପଦକ୍ଷପ ଯାହା ଫଳରେ ବିଦ୍ୟାର୍ଥୀଟି ତା’ର ଇଛା ମୁତାବକ ଭବିଷ୍ୟତ ଗଢ଼ିବ।

ଆଉ ଏକ ପ୍ରଶ୍ନ ଉଠେ, ସମସ୍ତେ ଉଚ୍ଚ ଶିକ୍ଷା ପାଇବା ଦରକାର କି? ଆମେରିକା ଓ ୟୁରୋପର କେତେକ ବିକଶିତ ଦେଶମାନଙ୍କରେ ମିଶିକରି ଯେତେ ଗ୍ରାଜୁଏଟ ଅଛନ୍ତି, କେବଳ ଭାରତରେ ତା’ର ୪ ଗୁଣ ଅଧିକ ଗ୍ରାଜୁଏଟ ଅଛନ୍ତି। କିନ୍ତୁ ଭାରତର ଗ୍ରାଜୁଏଟମାନେ କରନ୍ତି କ’ଣ? ଏମାନେ ସମସ୍ତେ କୌଣସି ପ୍ରକାର କଲେଜ ଶିକ୍ଷାରେ ପ୍ରବେଶ କରି, ପାସ୍‌ କରିବାର ପ୍ରମାଣପତ୍ରଟିଏ ପାଇବା ପାଇଁ ଚେଷ୍ଟା କରନ୍ତି ଯଦ୍ଦ୍ବାରା ସେମାନଙ୍କୁ ଚାକିରି ଓ ବିଶେଷକରି ସରକାରୀ ଚାକିରି ମିଳିବ। ଏମାନଙ୍କ ପାଖରେ କୌଣସି ସୃଜନଶୀଳତା ନଥିଲା ବେଳେ ସେମାନେ ଉଚ୍ଚ ଶିକ୍ଷା କାହିଁକି ପାଇବେ? ସେମାନେ ବର˚ ନୂଆକରି ବିଦ୍ୟାଳୟ ଓ କଲେଜ ସ୍ତରରେ ଧନ୍ଦାମୂଳକ ଶିକ୍ଷାରେ ନିଜକୁ ନିୟୋଜିତ କରିବା ଦରକାର ଫଳତଃ ସେମାନଙ୍କର ରୋଜଗାର ହୋଇପାରିବ। କଲେଜ ଶିକ୍ଷାକୁ ପ୍ରବେଶ କରିବା ପାଇଁ ଯେଉଁ ରାଷ୍ଟ୍ରୀୟ ପ୍ରବେଶିକା ପରୀକ୍ଷାର ବ୍ୟବସ୍ଥା ଏ’ ନୂଆ ଶିକ୍ଷାନୀତିରେ କରାଯାଇଛି ତାହା ଯଥାର୍ଥ। ଯିଏ, ଉଚ୍ଚ ଶିକ୍ଷା ପାଇଁ ଯୋଗ୍ୟ ସେ ହିଁ କେବଳ ଉଚ୍ଚ ଶିକ୍ଷା ପାଉ।

ଜଣେ ବିଦ୍ୟାର୍ଥୀର ଯୋଗ୍ୟତା କେତେ ତାହା ଆକଳନ କଲାବେଳେ ତା’ର ଦକ୍ଷତା କେତେ ଓ ତା’ର ଗ୍ରହଣ କରିବାର ଶକ୍ତି କେତେ, ତାହା ଆକଳନ କରିବା ମଧ୍ୟ ଏକ ଅତ୍ୟନ୍ତ ଆବଶ୍ୟକ ନୀତି ଅଟେ। ଦକ୍ଷତା ଓ ଗ୍ରହଣ କରିବାର କ୍ଷମତା ହିଁ ଜଣକୁ ସୃଜନଶୀଳ କରିଥାଏ। ସେଥିପାଇଁ ଏବେ କଲେଜମାନେ କୌଣସି ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ନହୋଇ ନିଜେ ନିଜ ଛାତ୍ର-ଛାତ୍ରୀଙ୍କୁ ପ୍ରମାଣପତ୍ର ଦେବେ। ଅର୍ଥାତ୍‌, ପ୍ରତିଟି କଲେଜ ଏକ ‘ଡିମ୍‌ଡ ୟୁନିଭର୍‌ସିଟି’ରେ ପରିଣତ ହେବେ।

ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ପଞ୍ଚମ ଅବା ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷା ଦିଆଯିବା ଏକ ଅତି ଗୁରୁତ୍ବପୂର୍ଣ୍ଣ କଥା। ଜଣେ ବିଦ୍ୟାର୍ଥୀ ତିନିଟି ଭାଷା ଶିଖିବ ଯାହା ମଧ୍ୟରୁ ଦୁଇଟି ଆଂଚଳିକ ହୋଇଥିବ। ଏବେ ଆପତ୍ତି ଉଠୁଛି ଯେ, ଏହାଦ୍ବାରା ଇ˚‌େରଜୀକୁ ହତାଦର କରାଯିବ। କିନ୍ତୁ ତିନିଟି ଭାଷା ମଧ୍ୟରୁ ଯଦି ଦୁଇଟି ଆଂଚଳିକ ହୁଏ ତୃତୀୟ ଭାଷାଟି ଇ˚‌େରଜୀ ହୋଇପାରେ। ମାତୃଭାଷା ମାଧ୍ୟମରେ ଜଟିଳ ବିଦ୍ୟା ଶିଖିବା ଯେତେ ସହଜକର ଇ˚‌େରଜୀ ମାଧ୍ୟମରେ ଶିଖିବା ସେତେ ସହଜକର ନୁହେଁ। ଇ˚‌େରଜୀ ମାଧ୍ୟମରେ ଜଟିଳ ବିଦ୍ୟା ଶିଖିଲେ, ପ୍ରଥମେ ଇ˚‌େରଜୀ ଭାଷା ଶିଖିବାକୁ ପଡ଼ିବ ଓ ତା’ପରେ ତା’ମାଧ୍ୟମରେ ଜଟିଳ ବିଦ୍ୟା। ଫ୍ରାନ୍‌ସ, ଜର୍ମାନୀ, ଜାପାନ, ରୁଷିଆ ଓ ଚୀନ ପରି ଦେଶମାନଙ୍କରେ ଜଟିଳ ବିଦ୍ୟା ଓ ବିଜ୍ଞାନ ତଥା ଟେକ୍‌ନୋଲୋଜି ସେମାନଙ୍କ ନିଜ ଭାଷାରେ ପଢ଼ାଯାଇଥାଏ। ସେମାନେ ଇ˚‌େରଜୀକୁ ସେତେ ଗୁରୁତ୍ବ ଦିଅନ୍ତି ନାହିଁ। ଭାରତ ମଧ୍ୟ ସେଇଆ କରିବା ଉଚିତ।

ବୋର୍ଡ ପରୀକ୍ଷାର ଫଳାଫଳକୁ ଏହି ଶିକ୍ଷାନୀତିରେ କମ୍‌ ଗୁରୁତ୍ବ ଦିଆଯାଇଛି ଯାହା ଏ ପର୍ଯ୍ୟନ୍ତ ସବୁଠୁଁ ଗୁରୁତ୍ବପୂର୍ଣ୍ଣ ହୋଇ ରହିଛି। ବିଦ୍ୟାଳୟ ଅବା କଲେଜମାନେ ସେମାନଙ୍କର ଛାତ୍ର-ଛାତ୍ରୀମାନଙ୍କର ଯୋଗ୍ୟତାକୁ ଏକ ନିର୍ଦ୍ଧାରିତ, ନିର୍ଦ୍ଦିଷ୍ଟ ଓ ବିଶ୍ବାସଯାଗ୍ୟ ପଦ୍ଧତିରେ ପ୍ରମାଣପତ୍ର ଦେବେ। ସାଧାରଣତଃ ସରକାର ଯୋଗ୍ୟତା ଦେଖି ଶିକ୍ଷାନୁଷ୍ଠାନମାନଙ୍କୁ ଆର୍ଥିକ ସାହାଯ୍ୟ ଦେବେ ଓ ଛାତ୍ର-ଛାତ୍ରୀମାନଙ୍କୁ ବୃତ୍ତି ଦେବେ। ସବୁ ଶ୍ରେଣୀରେ ଛାତ୍ର-ଛାତ୍ରୀଙ୍କ ଯୋଗ୍ୟତାର ଆକଳନ ନହୋଇ କେବଳ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଆକଳନ ହେବ। ପ୍ରତି ବର୍ଷ ଦୁଇଟି ପରୀକ୍ଷା ହେବ। ଯେଉଁମାନେ ପ୍ରଥମ ପରୀକ୍ଷାରେ ବିଫଳ ହେବେ ସେମାନେ ଦ୍ବିତୀୟ ପରୀକ୍ଷା ଦେଇପାରିବେ ଓ ନିଜର ଯୋଗ୍ୟତା ପ୍ରମାଣିତ କରିପାରିବେ। ମାଧ୍ୟମିକ ଶିକ୍ଷା ବେଳେ ଧନ୍ଦାମୂଳକ ଶିକ୍ଷା ପାଇଁ ଯେଉଁ ପ୍ରୋତ୍ସାହନ ଦିଆଯିବ, ସେଥିପାଇଁ ବର୍ଷରେ ଦଶ ଦିନ କରି ଛାତ୍ର-ଛାତ୍ରୀମାନଙ୍କୁ ବିଭିନ୍ନ ଶିଳ୍ପ ବା ବ୍ୟବସାୟିକ ଅନୁଷ୍ଠାନମାନଙ୍କୁ ବାସ୍ତବ ଅନୁଭବ ଓ ତାଲିମ ପାଇଁ ପଠାଯିବ। ସେମାନେ ସେହି ୧୦ ଦିନ ‘ପୁସ୍ତକମୁକ୍ତ’ ହେବେ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିଶ୍ବର ପ୍ରସିଦ୍ଧ ବିଶ୍ବବିଦ୍ୟାଳୟମାନଙ୍କୁ ଭାରତରେ କ୍ୟାମ୍ପସ (ଶାଖା) ଖୋଲିବା ପାଇଁ ଅନୁମତି ମିଳିବ। ଏହା ଫଳରେ ସେ ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷାଦାନର ପଦ୍ଧତି ସମ୍ପର୍କରେ ଭାରତରେ ଅଧିକ ଧ୍ୟାନ-ଧାରଣା ସୃଷ୍ଟି ହେବ ଓ ସେମାନଙ୍କର ଗୁଣବତ୍ତାକୁ ଅନୁସରଣ କରିବାକୁ ଭାରତର ଶିକ୍ଷାନୁଷ୍ଠାନମାନେ ଆଗ୍ରହ ପ୍ରକାଶ କରିବେ।

ଉଦାହରଣ ସ୍ବରୂପ, କରୋନା ପାଇଁ ଟିକା (ଭାକ୍‌ସିନ) ବାହାର କରିବା କ୍ଷେତ୍ରରେ ବିଭିନ୍ନ ଔଷଧ କମ୍ପାନି ନୁହନ୍ତି, ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟ ଅଗ୍ରଣୀ ଭୂମିକା ନେଇଛି ଓ ପ୍ରଥମେ ତା’ର ଟିକାର ମାନବ ପରୀକ୍ଷା କରିଛି। ଏହା ପ୍ରମାଣ କରୁଛି ଯେ, ବିଶ୍ବବିଦ୍ୟାଳୟମାନଙ୍କର ବାସ୍ତବ ଉଦ୍ଦେଶ୍ୟ କ’ଣ? ସେମାନେ କ’ଣ କରିବା ଉଚିତ। କେବଳ ବିଦେଶୀ ବିଶ୍ବବିଦ୍ୟାଳୟମାନେ ଭାରତରେ ଶାଖା ଖୋଲିବେ ସେତକ ନୁହେଁ, ଭାରତର ବିଶ୍ବବିଦ୍ୟାଳୟମାନଙ୍କୁ ମଧ୍ୟ ବିଦେଶରେ ସେମାନଙ୍କ ଶାଖା ଖୋଲିବା ପାଇଁ ସରକାର ପ୍ରୋତ୍ସାହନ ଦେବେ। ବାସ୍ତବରେ ଏହା ଏକ ଅତି ଆବଶ୍ୟକୀୟ ପଦକ୍ଷେପ ଯାହା ଭାରତ ବହୁ ଆଗରୁ ନେବାର ଥିଲା। ଏହା ଫଳରେ ବିଦେଶୀ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟମାନେ ସେମାନଙ୍କର ପାଠ ପଢ଼ାଇବାର ପଦ୍ଧତି ଓ ଲକ୍ଷ୍ୟ ସମ୍ପର୍କରେ ଭାରତରେ ଧାରଣା ସୃଷ୍ଟି କରିପାରିବେ।

ବିଶ୍ବବିଦ୍ୟାଳୟ ସ୍ତରରେ ଉଚ୍ଚ ସ୍ତରର ଚିନ୍ତନ ଅର୍ଥାତ୍‌ ଯାହାକୁ ସୂକ୍ଷ୍ମଦର୍ଶୀ ଚିନ୍ତନ କୁହାଯାଏ, ତାହାକୁ ଛାତ୍ର-ଛାତ୍ରୀମାନଙ୍କ ମଧ୍ୟରେ ଉଦ୍ରେକ ବଢ଼ାଇବା ଉଚ୍ଚ ଶିକ୍ଷାର ମୂଳମନ୍ତ୍ର ହେବା ଆବଶ୍ୟକ, ଯାହା ଭାରତରେ ବି ନାହିଁ। ଉଚ୍ଚ ସ୍ତରର ଚିନ୍ତନ ଦ୍ବାରା ହିଁ ନୂଆ ନୂଆ ପ୍ରଚେଷ୍ଟା ଆରମ୍ଭ ହୁଏ ତଥା ନୂଆ ସର୍ଜନା ହୁଏ।

ତେବେ ଆହୁରି ଏକ ବଡ଼ କଥା ହେଉଛି, ଏହି ଶିକ୍ଷାନୀତିରେ ଘରୋଇ ଶିକ୍ଷା ପ୍ରତି ଏତେ ଅଧିକ ଗୁରୁତ୍ବ ଦିଆଯାଇନାହିଁ। ପ୍ରାଥମିକ ସ୍ତରରେ ସରକାର ଶିକ୍ଷା ପ୍ରଦାନ କରିପାରିବେ ଓ କରିବା ଉଚିତ ମଧ୍ୟ। କିନ୍ତୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସରକାର ତାହା କରିପାରିବେ ନାହିଁ। ଏହାର ଦାୟିତ୍ବ ଅଧିକା˚ଶ କ୍ଷେତ୍ରରେ ଘରୋଇ ଶିକ୍ଷା ବ୍ୟବସ୍ଥା ଉପରେ ଛାଡ଼ି ଦିଆଯିବା ଆବଶ୍ୟକ। ଯେଉଁ ଶିକ୍ଷାନୁଷ୍ଠାନମାନେ ଉନ୍ନତ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ଦିଆଯିବା ଦରକାର। ଏହି ଶିକ୍ଷାନୀତିରେ ଶିକ୍ଷାନୁଷ୍ଠାନମାନଙ୍କୁ ଲାଭ କରିବା ପାଇଁ ସୁଯୋଗ ସମ୍ପର୍କରେ କିଛି କୁହାଯାଇନାହିଁ। ଲାଭ ନକଲେ ଘରୋଇ ଶିକ୍ଷାନୁଷ୍ଠାନମାନେ ଗଢ଼ିଉଠିବେ ନାହିଁ। ହାର୍ଭାର୍ଡ‌୍, ମାସାଚୁସେଟ୍‌ସ୍‌, କେମ୍ବ୍ରିଜ, ଅକ୍‌ସଫୋର୍ଡ ପରି ପୃଥିବୀ ବିଖ୍ୟାତ ବିଶ୍ବବିଦ୍ୟାଳୟମାନେ କେହି ସରକାରୀ ନୁହନ୍ତି। ସେମାନେ ସମସ୍ତେ ବେସରକାରୀ। ହୁଏତ ସରକାରମାନେ ସେମାନଙ୍କୁ କିଛି ଅନୁଦାନ ଦେଇଥାନ୍ତି। କିନ୍ତୁ ସେମାନଙ୍କର ଆୟ ସେମାନେ ନିଜେ ଛାତ୍ର-ଛାତ୍ରୀ, ଶିଳ୍ପାନୁଷ୍ଠାନମାନଙ୍କଠାରୁ କରିଥା’ନ୍ତି। ଲାଭ ନକଲେ ଘରୋଇ ଶିକ୍ଷାନୁଷ୍ଠାନମାନେ ବଂଚିବେ କେମିତି ଓ କାହିଁକି? ତେଣୁ ଶିକ୍ଷା କେବଳ ସରକାରଙ୍କ ନିୟନ୍ତ୍ରଣରେ ନରହୁ। ଏ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଏକ ବହୁ ବଡ଼ ଭୂମିକା ରହିଛି।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର