ଶିଖିବା ଓ ବଢ଼ିବା

ଚିତ୍ତର˚ଜନ ବେହେରା

ଶିଖିବା ପାଇଁ କୌଣସି ବୟସ ସୀମା ନଥାଏ। ଜଣେ ସବୁ ସମୟରେ କିଛି ନା କିଛି ଶିଖିପାରେ; କେବଳ ଯାହା ଲୋଡ଼ା, ତାହା ହେଉଛି ଜାଣିବାର ବା ଶିଖିବାର ଆଗ୍ରହ ଓ ଉତ୍ସାହ।

ଶିଖିବା ଶବ୍ଦଟି ଆସିଛି ସ˚ସ୍କୃତ ଶବ୍ଦ ଶିକ୍ଷାରୁ। କିନ୍ତୁ ଶିକ୍ଷା କହିଲେ ଆଜିକାଲି ଆମେ ସାଧାରଣତଃ ଯାହା ବୁଝିଥାଉଁ ତାହା ହେଲା ସ୍କୁଲ୍‌ ବା କଲେଜରୁ ଅଥବା କୌଣସି ଶିକ୍ଷାନୁଷ୍ଠାନକୁ ଯାଇ ପାଠ ପଢ଼ିବା, ଯାହାର ଅନ୍ତିମ ପରିଣାମ ଓ ପ୍ରମାଣ ହେଉଛି ସାର୍ଟିଫିକେଟ୍‌ଟିଏ ହାସଲ କରିବା। ଏଭଳି ଶିଖିବାର ଗୋଟିଏ ଧାରା ମଧୢ ରହିଛି। ସେହି ଧାରାରେ ପାଠ ପଢ଼ିବାକୁ ହୁଏ, ଟ୍ୟୁସନ ଯିବାକୁ ପଡ଼େ ଏବ˚ ପରୀକ୍ଷା ଦେଇ ପାସ୍‌ କରିବାକୁ ହୁଏ। ଏହି ଧାରାର ଶିକ୍ଷା ଗୋଟିଏ ପର୍ଯ୍ୟାୟରେ ସରିଯାଏ। ତା’ ପରେ ଚାକିରି ବା ବ୍ୟବସାୟ ବା ଅନ୍ୟ କିଛି ବୃତ୍ତିରେ ନିୟୋଜିତ ରହିବାକୁ ପଡ଼େ। ତେଣିକି ବହିରେ ଡୋରି ବନ୍ଧାଯାଏ, ପଢ଼ିବା ବନ୍ଦ ହୋଇଯାଏ ଏବ˚ ସତ କହିଲେ ଶିକ୍ଷା ସମାପ୍ତ ହେଲା ବୋଲି ବିଚାର କରାଯାଏ।

କିନ୍ତୁ କିଛି ଲୋକ ଶିଖିବା ଛାଡ଼ନ୍ତି ନାହିଁ। ସେମାନେ ବିଭିନ୍ନ ସୂତ୍ରରୁ ଶିଖି ଚାଲନ୍ତି; ଜୀବନର ବିଭିନ୍ନ ସୂତ୍ରରୁ ଓ ବିଭିନ୍ନ ଅନୁଭୂତିରୁ ଶିଖି ଚାଲନ୍ତି। ସେମାନେ କହନ୍ତି ଯେ ଶିକ୍ଷା ଅସରନ୍ତି। ଶେଷ ପର୍ଯ୍ୟନ୍ତ ଶିଖି ହେବ। ଭାଗବତର ଏକାଦଶ ସ୍କନ୍ଧରେ ରହିଛି କିଭଳି ଅବଧୂତ ଚବିଶଟି ଗୁରୁଙ୍କ ଠାରୁ ଶିକ୍ଷା ପାଇଥିଲେ। ସେହି ଗୁରୁମାନଙ୍କ ଭିତରେ ସାମିଲ ଥିଲେ ପୃଥିବୀ, ପବନ, ଅନଳ, ଆକାଶ, ରବି, ଅଜଗର, ପିଙ୍ଗଳା ବେଶ୍ୟା, କପୋତ ପକ୍ଷୀ ଇତ୍ୟାଦି। ଯେଉଁମାନେ ଅବଧୂତଙ୍କ ଭଳି ଶିକ୍ଷା ହାସଲ କରନ୍ତି ସେମାନଙ୍କ ଶିକ୍ଷା କେବେ ସରେ ନାହିଁ।

ଏହି ପ୍ରସଙ୍ଗରେ ବିଖ୍ୟାତ ମନୋଚିକିତ୍ସକ କାର୍ଲ ଗୁଷ୍ଟାଭ ୟୁଙ୍ଗଙ୍କ ଜୀବନର ଗୋଟିଏ କଥା ମନେ ପଡ଼େ। ଥରେ ସେ ଗୋଟିଏ ଜାହାଜରେ ଯାଉଥିବା ବେଳେ ଦେଖିବାକୁ ପାଇଲେ ଯେ ଜଣେ ଅତ୍ୟନ୍ତ ବୃଦ୍ଧ ଜର୍ମାନ (ଜର୍ମାନି ଦେଶର ବାସିନ୍ଦା) ଡେକ୍‌ ଉପରେ ବସି କୌଣସି ଏକ କାର୍ଯ୍ୟରେ ମଗ୍ନ ଅଛନ୍ତି। ପାଖକୁ ଯାଇ ୟୁଙ୍ଗ ଦେଖିଲେ ଯେ ସେ ‘ଚାଇନିଜ୍‌ କାଲିଗ୍ରାଫି’ ବା ଚିତ୍ରତୁଲ୍ୟ ପ୍ରତୀୟମାନ ଚୀନା ଅକ୍ଷର ବା ବର୍ଣ୍ଣ ଲେଖାର କୌଶଳ ଶିଖିବାରେ ବ୍ୟସ୍ତ। ପରେ ୟୁଙ୍ଗଙ୍କ ସହ କଥୋପକଥନ ବେଳେ ସେହି ବୃଦ୍ଧ ବ୍ୟକ୍ତି ଯାହା କହିଥିଲେ ତାହା ବର୍ଣ୍ଣନା କରି ୟୁଙ୍ଗ ଲେଖିଥିଲେ ଯେ ତାଙ୍କର ବୟସ ପ୍ରକୃତରେ ପଞ୍ଚାନବେ ନ ଥିଲା, ଥିଲା ପାଞ୍ଚ। କାରଣ କଥୋପକଥନ ବେଳେ ବୃଦ୍ଧ ଜଣକ କହିଥିଲେ ଯେ ଅନେକ ଲୋକ ପରିହାସସୁଲଭ ଢଙ୍ଗରେ ତାଙ୍କୁ କହୁଥିଲେ ଯେ ଗୋଟିଏ ପାଦ ମଶାଣିରେ ଥିବା ସତ୍ତ୍ବେ ସେ ଏହା ଶିଖୁଛନ୍ତି କାହିଁକି? ସେଥିରୁ ତାଙ୍କୁ କି ଲାଭ ମିଳିବ? ଏଭଳି ପ୍ରଶ୍ନରେ ତାଙ୍କର ଉତ୍ତର ଥିଲା ଯେ ଏକମାତ୍ର ଲାଭ ହେଉଛି ଏହି କଳା ଶିଖିବା ବେଳେ ଓ ତାର ଅଭ୍ୟାସ କଲା ବେଳେ ସେ ଲାଭ କରୁଥିବା ଅନିର୍ବଚନୀୟ ଆନନ୍ଦ।

ୟୁଙ୍ଗ କହିଥିଲେ ଯେ କୌଣସି ଲାଭର ଆଶା ନ ରଖି, କେବଳ ଆନନ୍ଦ ଲାଗି ଜାଣିବା ବା ଶିଖିବାର ଆଗ୍ରହ କେବଳ ପିଲାମାନଙ୍କ ଠାରେ ଦେଖିବାକୁ ମିଳିପାରେ। ବୟସ ବଢ଼ିବା ସହିତ ସେ ଆଗ୍ରହ ମଉଳି ଯାଏ।

କଥାରେ ଅଛି ଯେ ମଣିଷର ବଢ଼ିବା ସେତିକି ବେଳେ ସରିଯାଏ ଯେତେବେଳେ ତା ମନରେ ଶିଖିବାର ବା ନୂତନ କଥା ଜାଣିବାର ଆଗ୍ରହ ଏବ˚ ଉତ୍ସାହ ମରିଯାଏ। ଟିକିଏ ଆତ୍ମ ନିରୀକ୍ଷଣ କଲେ ବୁଝିପାରିବା ଯେ ଆମମାନଙ୍କ ମଧୢରୁ ଅଧିକା˚ଶ ଏଭଳି ଜଣେ ଜଣେ ବ୍ୟକ୍ତିରେ ପରିଣତ ହୋଇଛୁ, ଯେଉଁମାନଙ୍କର ବୟସ ତ ବଢ଼ି ଚାଲିଛି, କିନ୍ତୁ ସେମାନେ ବଢୁ ନାହାନ୍ତି। କିନ୍ତୁ ଅଳ୍ପ କିଛି ଯେଉଁମାନେ ସେମାନଙ୍କର ଶିଖିବାର ଆଗ୍ରହ ଜାରି ରଖିଛନ୍ତି, ସେଥିରୁ ନିରୋଳା ଆନନ୍ଦ ଲାଭ କରୁଛନ୍ତି, ସେମାନେ ବଢ଼ି ଚାଲିଛନ୍ତି।

[email protected]

ସମ୍ବନ୍ଧିତ ଖବର