ବିଦାୟୀ ବର୍ଷ ଓ ନାଗାର୍ଜୁନ ବେଶ

ସାହିତ୍ୟିକ ପାଣିପାଗ / ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ରୀତିନୀତି ଦୃଷ୍ଟିରୁ, ୨୦୨୦ ବିଦାୟୀ ବର୍ଷଟି ଥିଲା ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ବର୍ଷରେ, ଦୀର୍ଘ ୨୬ ବର୍ଷ ପରେ, ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହୋଇଥିଲା। କିନ୍ତୁ ଗୋଟିଏ ବିଷୟ ଉଲ୍ଲେଖନୀୟ ଯେ ୧୯୯୩ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ ନାଗାର୍ଜୁନ ବେଶ ହେବା ପରେ, ୧୯୯୪ ମସିହା ନଭେମ୍ବର ମାସ ୧୬ ତାରିଖରେ ମଧ୍ୟ ଏହି ବେଶ ହୋଇଥିଲା। ସେହିପରି, ୨୦୨୦ ନଭେମ୍ବର ୨୭ରେ ଏହି ବେଶ ହେବା ପରେ, ୨୦୨୧ ନଭେମ୍ବର ୧୫ ତାରିଖରେ ମଧ୍ୟ ଏହି ବେଶ ହୋଇପାରେ ବୋଲି ସମ୍ଭାବନା ପ୍ରକାଶ ପାଇଛି। ବିଶେଷକରି ୨୦୨୧ ଇଂରେଜୀ ବର୍ଷର କେତେକ ପ୍ରମୁଖ ପାଞ୍ଜିରେ ଏ ସଂପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ରହିଛି। ଏଣୁ, ଭକ୍ତ ଓ ଜନସାଧାରଣ ଆଶା ବାନ୍ଧି ବସିଛନ୍ତି ଯେ କୋଭିଡ୍‌ କଟକଣା ଦୃଷ୍ଟିରୁ ୨୦୨୦ରେ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ମଧ୍ୟ, ୨୦୨୧ରେ ସେମାନେ ଏହି ବେଶ ଦର୍ଶନର ସୌଭାଗ୍ୟ ଲାଭ କରିପାରିବେ।

କିନ୍ତୁ ୨୦୨୦ର ନାଗାର୍ଜୁନ ବେଶ ଅବସରରେ, କେତେକ ଲେଖା ଓ ବ୍ୟାଖ୍ୟାରେ ଏପରି କେତେକ ପ୍ରସଙ୍ଗର ଅବତାରଣା କରାଯାଇଛି, ଯାହାର ଆଲୋଚନା ଆବଶ୍ୟକ। ଏପରି ଗୋଟିଏ ହେଉଛି, ‘ଶୂନ୍ୟତାର ଚିତ୍ରକଳ୍ପ’ (ସମ୍ବାଦ, ଡିସେମ୍ବର ୩, ୨୦୨୦)। ଏହାର ସ୍ତମ୍ଭକାର ହରପ୍ରସାଦ ଦାସ। ତାଙ୍କ ଲେଖାର କେତେକ ଅସଙ୍ଗତି ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୧୮ ଡିସେମ୍ବର)ରେ ଆଲୋଚିତ ହୋଇଛି। କିନ୍ତୁ ସେହି ଲେଖାରେ ଆହୁରି କେତେକ ଗୁରୁତର ଅସଙ୍ଗତି ରହିଛି, ଯାହାର ଆଲୋଚନା ପାଠକ, ପାଠିକାଙ୍କ ଭ୍ରାନ୍ତି ଦୂର ପାଇଁ ନିହାତି ଆବଶ୍ୟକ।

ସ୍ତମ୍ଭକାରଙ୍କର ପ୍ରଶ୍ନ ବା ସଂଶୟ ହେଉଛି- “ବୀରବେଶର ନାମ ନାଗାର୍ଜୁନ ବେଶ କାହିଁକି ହେବ, ଯଦି ଧର୍ମଗ୍ରନ୍ଥ ବା ପୁରାଣରେ ତା’ର ସୂଚନା ନାହିଁ?”

ସମ୍ବାଦପତ୍ରର ପାଠକ କୌଣସି ଆଲୋଚନାରେ ପ୍ରଶ୍ନ ବା ସଂଶୟ ଚାହେନାହିଁ। ସେ ଚାହେ ପ୍ରଶ୍ନର ଉତ୍ତର ଓ ସଂଶୟର ସମାଧାନ। କିନ୍ତୁ ଲେଖାଟି ପଢ଼ିଲେ ମନେହୁଏ, ସ୍ତମ୍ଭକାର ଉତ୍ତର ବା ସମାଧାନ ଦେବା ତ ଦୂରର କଥା- ବରଂ ପାଠକକୁ ଅଧିକ ଦ୍ୱନ୍ଦ୍ୱ ଭିତରେ ହିଁ ଛାଡ଼ି ଦେଇଛନ୍ତି। ପାଠକ ଲେଖାଟି ପଢ଼ି ଏକ ‘ଭୁଲ୍ ଭୁଲୈୟା’ ଭିତରେ ପଡ଼ିଯାଉଛି। ସ୍ତମ୍ଭକାର ଲେଖିଛନ୍ତି, “ଏ ନାଗାର୍ଜୁନ କ’ଣ ଏକ ପୌରାଣିକ ଚରିତ୍ର? ଏ କ’ଣ କୌଣସି କିଂବଦନ୍ତୀୟ ନାୟକ? ସାଧାରଣ ଲୋକମାନଙ୍କର ଏଭଳି ଏକ ପ୍ରତ୍ୟୟ ସୃଷ୍ଟି ହେଲା ଯେ ନାଗାର୍ଜୁନ ‘ମହାଭାରତ’ର ଚରିତ୍ର। ଇଏ ନାଗକନ୍ୟା ଉଲୁପି ଓ ଅର୍ଜୁନଙ୍କ ପୁତ୍ର। ଇଏ ଅର୍ଜୁନଙ୍କୁ ପରାସ୍ତ କରିଥିଲେ ଓ ବ୍ରହ୍ମଲୋକରେ ଭ୍ରାମ୍ୟମାଣ ଅମୋକ୍ଷ ପଣ୍ଡୁଙ୍କ ମୋକ୍ଷ ପାଇଁ ୟାଙ୍କୁ ଶ୍ରୀକୃଷ୍ଣ ଚକ୍ରରେ କାଟି ଦେଇଥିଲେ।’’ ‘‘କିନ୍ତୁ ଅର୍ଜୁନଙ୍କ ପିତାଙ୍କ ମୋକ୍ଷ ପାଇଁ ଅର୍ଜୁନଙ୍କ ପୁତ୍ରର ବଧ ଏତେ ଅବିଶ୍ୱସନୀୟ ଭାବରେ ଭାରତୀୟ ଲୋକମାନ୍ୟତାର ପରିପନ୍ଥୀ ଯେ ୟାକୁ ଗ୍ରହଣ କରି ଶେଷଯାଏଁ ଦୃଢ଼ କରି ରଖିବା ମୁସ୍କିଲ୍।”

କେବଳ ଏତିକି ନୁହେଁ; ସେହି ସ୍ତମ୍ଭଲେଖରେ ଶ୍ରୀ ଦାସ ମଧ୍ୟ ପୁଣି ପ୍ରଶ୍ନ କରିଛନ୍ତି, “ଇଏ ଦ୍ୱାପର ଯୁଗର କଥା। କଳିଯୁଗରେ ଜଗନ୍ନାଥ ଓ ବଳଭଦ୍ର କାହିଁକି ନାଗାର୍ଜୁନ ବେଶ ହେବେ?”

ଏତିକିରେ ବି ଏ କଥା ସରିନାହିଁ। ସେହି ଲେଖାରେ ସେ ଆହୁରି ମଧ୍ୟ କହିଛନ୍ତି- “କେବଳ ଶାରଳା ମହାଭାରତରେ ଠାଏ ଏ ଚରିତ୍ର ମିଳନ୍ତି। ୟାଙ୍କୁ ପଣ୍ଡୁଙ୍କ ମୋକ୍ଷ ପାଇଁ ଶ୍ରୀକୃଷ୍ଣ ମାରିବାର କଳ୍ପନା କ୍ରମବର୍ଦ୍ଧମାନ ଏକ ଲୋକକଳ୍ପନାର ପରିଣତି ହୋଇପାରେ।”

କେବଳ ପ୍ରଶ୍ନ, ପ୍ରଶ୍ନ ଆଉ ପ୍ରଶ୍ନ। ଉତ୍ତର ନାହିଁ। ପୁଣି ‘ମହାଭାରତ’ର କାହାଣୀ ଭାବରେ ଯାହା କୁହାଯାଇଛି, ସେଥିରେ ଦ୍ୱନ୍ଦ୍ୱ ଆଉ ଦ୍ୱନ୍ଦ୍ୱ ଏତେ ଯେ ପାଠକ ବିଚରା ଦ୍ୱନ୍ଦ୍ୱର ଆବର୍ତ୍ତ ଭିତରେ ପଡ଼ିଯାଏ। ଏପରି ବି ମନେହୁଏ, ଯେ ସ୍ତମ୍ଭକାର ବ୍ୟାସଦେବଙ୍କ ‘ମହାଭାରତ’ର କାହାଣୀ ବୋଧହୁଏ ଜାଣନ୍ତି ନାହିଁ। ‘ସାରଳା ମହାଭାରତ’ ବି ପଢ଼ି ନାହାନ୍ତି। ନିଜର ଦ୍ୱନ୍ଦ୍ୱକୁ ହିଁ “ସାଧାରଣ ଲୋକଙ୍କର ପ୍ରତ୍ୟୟ” ବୋଲି କହି, ଖସିଯିବାର ଏକ ଗଳିବାଟ ବାଛିଛନ୍ତି। ଏହା ‘ଲୋକକ୍ଷେତ୍ର’ର ଜଣେ ଆଲୋଚକଙ୍କ କ୍ଷେତ୍ରରେ ସ୍ପୃହଣୀୟ ନୁହେଁ। ଏହା ‘ପଲ୍ଲବଗ୍ରାହିତା’ର ଏକ ଚରମ ନିଦର୍ଶନ। କାରଣ, ‘ପଲ୍ଲବଗ୍ରାହିତା’ର ଆଭିଧାନିକ ଅର୍ଥ ହେଉଛି, “କୌଣସି ବିଷୟରେ ଗଭୀର ଜ୍ଞାନ ନଥାଇ ଅନେକ ବିଷୟରେ କିଛି କିଛି ଜ୍ଞାନ ଥିବାର ଗୁଣ ଓ ସ୍ୱଭାବ।” (ତରୁଣ ଶବ୍ଦକୋଷ)

ଏବେ ସ୍ତମ୍ଭକାର କିପରି ‘ପଲ୍ଲବଗ୍ରାହୀ’ ଏହା ଦେଖାଯାଉ। ସେ ଲେଖିଛନ୍ତି- “ନାଗାର୍ଜୁନ ‘ମହାଭାରତ’ର ଚରିତ୍ର। ଇଏ ନାଗକନ୍ୟା ଉଲୁପି ଓ ଅର୍ଜୁନଙ୍କ ପୁତ୍ର।” ପାଠକ, ପାଠିକାଙ୍କ ସୂଚନାପାଇଁ, ଏ ପ୍ରସଙ୍ଗରେ କହିରଖିବା ଆବଶ୍ୟକ ଯେ ଉଲୁପି ନାଗରାଜ କୌରବ୍ୟଙ୍କର କନ୍ୟା ଏବଂ ଅର୍ଜୁନଙ୍କର ଚାରି ପତ୍ନୀଙ୍କ ମଧ୍ୟରୁ ଅନ୍ୟତମା। ତାଙ୍କର ଅନ୍ୟ ତିନି ପତ୍ନୀ ହେଉଛନ୍ତି ଦ୍ରୌପଦୀ, ଚିତ୍ରାଙ୍ଗଦା ଓ ସୁଭଦ୍ରା। ନାଗକନ୍ୟା ଉଲୁପିଙ୍କର ପୁତ୍ର ହେଉଛନ୍ତି ‘ଇରାବାନ’। ଅର୍ଜୁନଙ୍କ ଦ୍ୱାରା ମହାଭାରତ ଯୁଦ୍ଧରେ ଭୀଷ୍ମ ଶରଶଯ୍ୟାଶାୟୀ ହୋଇ ନିହତ ହେବାରେ, ବସୁଗଣ ଅଭିଶାପ ଦେଇଥିଲେ ଯେ ସେ ନିଜ ପୁତ୍ରଦ୍ୱାରା ନିହତ ହେବେ। ତେଣୁ ଉଲୁପିଙ୍କର ପିତା ତଥା ଅର୍ଜୁନଙ୍କର ଶ୍ୱଶୁର, ଭୀଷ୍ମଙ୍କର ମାତା ଗଙ୍ଗାଙ୍କ ନିକଟକୁ ଯାଇ, ସେହି ଅଭିଶାପ ଖଣ୍ଡନ କରିବାକୁ ଅନୁରୋଧ କରିଥିଲେ। ଗଙ୍ଗା ତାଙ୍କୁ କହିଥିଲେ ଯେ ଅଭିଶାପ ଅବଶ୍ୟ ଫଳିବ ଏବଂ ଅର୍ଜୁନ ନିଜ ପୁତ୍ର ଦ୍ୱାରା ନିହତ ହେବେ; କିନ୍ତୁ ଉଲୁପି ନାଗମଣି ଦ୍ୱାରା ତାଙ୍କୁ ବଞ୍ଚାଇ ଦେବେ। ପରେ ଅର୍ଜୁନ ଚିତ୍ରାଙ୍ଗଦାଙ୍କ ପୁତ୍ର ବବ୍ରୁବାହନଙ୍କ ଦ୍ୱାରା ନିହତ ହେବାରେ, ଉଲୁପି ନାଗମଣି ଦ୍ୱାରା ତାଙ୍କୁ ବଞ୍ଚାଇ ଦେଇଥିଲେ।

ବ୍ୟାସଦେବଙ୍କ ‘ମହାଭାରତ’ର କାହାଣୀ ପରି, ସାରଳା ଦାସଙ୍କ ‘ମହାଭାରତ’ର କାହାଣୀକୁ ବି ସ୍ତମ୍ଭକାର ଭୁଲ୍ ଭାବରେ ଉପସ୍ଥାପିତ କରିଛନ୍ତି। ସେଥିରୁ ମନେହୁଏ, ଯେ ସେ ‘ସାରଳା ମହାଭାରତ’ ବି ଠିକ୍‌ରେ ପଢ଼ି ନାହାନ୍ତି। ସେ ଲେଖିଛନ୍ତି- ନାଗକନ୍ୟା ଉଲୁପି ଓ ଅର୍ଜୁନଙ୍କ ପୁତ୍ର ଅର୍ଜୁନଙ୍କୁ ପରାସ୍ତ କରିଥିଲେ ଓ ବ୍ରହ୍ମଲୋକରେ ଭ୍ରାମ୍ୟମାଣ ପଣ୍ଡୁଙ୍କ ମୋକ୍ଷପାଇଁ, ୟାଙ୍କୁ ଶ୍ରୀକୃଷ୍ଣ ଚକ୍ରରେ କାଟି ଦେଇଥିଲେ।” କିନ୍ତୁ ବ୍ୟାସଦେବଙ୍କ ‘ମହାଭାରତ’ ବା ସାରଳା ଦାସଙ୍କ ‘ମହାଭାରତ’, କୌଣସିଟିରେ ବି ଏହା ନାହିଁ। ଆହୁରି ମଧ୍ୟ ସେ ଲେଖିଛନ୍ତି, “କେବଳ ଶାରଳା ମହାଭାରତରେ ଠାଏ ଏ ଚରିତ୍ର (ନାଗାର୍ଜୁନ ଚରିତ୍ର) ମିଳନ୍ତି।” କିନ୍ତୁ ‘ଠାଏ’ ନୁହେଁ- ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଂପାଦିତ ତଥା ରାଜ୍ୟ ସରକାରଙ୍କ ‘ସାଂସ୍କୃତିକ ବ୍ୟାପାର ବିଭାଗ’ ଦ୍ୱାରା ପ୍ରକାଶିତ ‘ସାରଳା ମହାଭାରତ’ର ‘ସଭାପର୍ବ’ର ବିଭିନ୍ନ ଅଧ୍ୟାୟରେ, ପୃଷ୍ଠା-୩୩୪ରୁ ୩୬୧ ପର୍ଯ୍ୟନ୍ତ, ଦୀର୍ଘ ୨୮ ପୃଷ୍ଠା ବ୍ୟାପୀ ନାଗାର୍ଜୁନଙ୍କ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ସେହିସବୁ ଅଧ୍ୟାୟର ଶିରୋନାମ ହେଉଛି- ‘ଶିବଙ୍କଠାରୁ ନାଗାର୍ଜୁନର ବରପ୍ରାପ୍ତି’, ‘ଅର୍ଜୁନଙ୍କ କର୍ତ୍ତୃକ ଗଣ୍ଡାବଧ’, ‘ନାଗାର୍ଜୁନ କର୍ତ୍ତୃକ ଅର୍ଜୁନର ମୃତ୍ୟୁ’, ‘ଅର୍ଜୁନଙ୍କ ନିଧନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ଶିବଙ୍କ ପ୍ରତି କୋପ’, ‘ଅର୍ଜୁନର ପୁନର୍ଜୀବନ ଲାଭ ଓ ସମସ୍ତଙ୍କ ମହାନନ୍ଦ’। ଏ ସମଗ୍ର ବ୍ୟାପାରରେ, କୌଣସିଠାରେ ବି ନାଗାର୍ଜୁନ ନିହତ ହୋଇନାହାନ୍ତି। ସ୍ତମ୍ଭକାରଙ୍କ ଅନୁସାରେ, ଶ୍ରୀକୃଷ୍ଣ ତାଙ୍କୁ ଚକ୍ରରେ କାଟିଦେବା ବି କୌଣସିଠାରେ ଘଟିନାହିଁ। ଅଥଚ ସେ ପୁଣି ଲେଖିଛନ୍ତି, “ୟାଙ୍କୁ ପଣ୍ଡୁଙ୍କ ମୋକ୍ଷ ପାଇଁ ମାରିବା କଳ୍ପନା କ୍ରମବର୍ଦ୍ଧମାନ ଲୋକକଳ୍ପନାର ପରିଣତି ହୋଇପାରେ। ଅର୍ଜୁନଙ୍କ ପିତାଙ୍କ ମୋକ୍ଷପାଇଁ ଅର୍ଜୁନଙ୍କ ପୁତ୍ରର ବଧ ଏତେ ଅବିଶ୍ୱସନୀୟ ଭାବରେ ଲୋକମାନ୍ୟତାର ପରିପନ୍ଥୀ ଯେ ୟାକୁ ଗ୍ରହଣ କରି ଶେଷଯାଏ ଦୃଢ଼ କରି ରଖିବା ମୁସ୍କିଲ୍।”

କିନ୍ତୁ ଏ “ମୁସ୍କିଲ୍‌” ନା ବ୍ୟାସଦେବ ନା ସାରଳା ଦାସ, କେହି ବି ନିଜ ନିଜ ସର୍ଜନାରେ ପାଠକପାଇଁ ସୃଷ୍ଟି କରି ନାହାନ୍ତି। ଖୋଦ୍ ସ୍ତମ୍ଭକାର ଶ୍ରୀ ଦାସଙ୍କର ବିଭ୍ରାନ୍ତ କଳ୍ପନାର ଏହା ଏକ ଅପସୃଷ୍ଟି ମାତ୍ର।

ଏହା ସତ୍ୟ ଯେ ବ୍ୟାସଦେବଙ୍କ ‘ମହାଭାରତ’ରେ ‘ନାଗାର୍ଜୁନ’ ନାହାନ୍ତି। କିନ୍ତୁ ‘ରାମାୟଣ’ର ଉତ୍ତରାକାଣ୍ଡରେ ଅଛି ‘ସହସ୍ରାର୍ଜୁନ’ଙ୍କର ଉପାଖ୍ୟାନ। ସେହି ଉପାଖ୍ୟାନ ଅନୁସାରେ, ନର୍ମଦା ତଟରେ ଥିଲା ହୈହୟ ନାମକ ଏକ ରାଜ୍ୟ। ତାହାର ରାଜଧାନୀ ଥିଲା ମାହିଷ୍ମତୀ। ସେହି ରାଜ୍ୟର ରାଜା ଥିଲେ କୃତବୀର୍ଯ୍ୟ। ତାଙ୍କ ପୁତ୍ରର ନାମ ଥିଲା ‘ଅର୍ଜୁନ’। କିନ୍ତୁ କୃତବୀର୍ଯ୍ୟଙ୍କର ପୁତ୍ର ହୋଇଥିବାରୁ ସେ ପରିଚିତ ହେଉଥିଲା ‘କାର୍ତ୍ତବୀର୍ଯ୍ୟ’ ଭାବରେ। ତେଣୁ ତାର ନାମ ହୋଇଥିଲା ‘କାର୍ତ୍ତବୀର୍ଯ୍ୟାର୍ଜୁନ’। ଦତ୍ତାତ୍ରେୟ ଋଷିଙ୍କୁ ସେବା କରି ତାଙ୍କଠାରୁ ସହସ୍ରବାହୁ ହେବାର ବର ମଧ୍ୟ ସେ ପାଇଥିଲା। ଫଳରେ ତାର ନାମ ହେଲା ‘ସହସ୍ରାର୍ଜୁନ’।

ଏକଦା ରାବଣ ମାହିଷ୍ମତୀ ନଗରୀ ନିକଟ ନର୍ମଦା ନଦୀତଟରେ ଶିବପୂଜା କରୁଥିଲା। ସେତିକିବେଳେ ନର୍ମଦାରେ ଜଳକ୍ରୀଡ଼ା କରୁଥିବା ସହସ୍ରାର୍ଜୁନ ନର୍ମଦାର ସ୍ରୋତକୁ ନିଜର ସହସ୍ରବାହୁ ଦ୍ୱାରା ଅବରୋଧ କରି ଦେବାରୁ, ରାବଣର ପୂଜାସ୍ଥଳ ଜଳପ୍ଳାବିତ ହୋଇଗଲା। ପୂଜାରେ ବ୍ୟାଘାତ ଘଟିବାରୁ ରାବଣ କ୍ରୋଧିତ ହୋଇ ସହସ୍ରାର୍ଜୁନକୁ ଆକ୍ରମଣ କଲା। କିନ୍ତୁ ସହସ୍ରାର୍ଜୁନ ରାବଣକୁ ପରାସ୍ତ କରି ବନ୍ଦୀ କରିନେଲା। ପରେ ରାବଣର ପିତାମହ ପୁଲସ୍ତ୍ୟ ଋଷି ଅନୁରୋଧ କରିବାରୁ ସେ ରାବଣକୁ ମୁକ୍ତ କଲା। ରାବଣ ଓ ସେ ପରସ୍ପରର ବନ୍ଧୁ ହୋଇଗଲେ। ଏହିପରି ଭାବରେ ସମୟକ୍ରମେ ସହସ୍ରାର୍ଜୁନ ଗର୍ବୀ ଓ ଉଦ୍ଧତ ହୋଇଗଲା।

ଦିନେ ସହସ୍ରାର୍ଜୁନ ସୈନ୍ୟସାମନ୍ତ ନେଇ ମୃଗୟା ନିମନ୍ତେ ବଣକୁ ଯାଇଥିବା ବେଳେ, କ୍ଷୁଧା ଓ ତୃଷାରେ ଅଧୀର ହୋଇ ଋଷି ଜମଦଗ୍ନିଙ୍କ ଆଶ୍ରମରେ ପହଞ୍ଚିଲା। ସେହି ଆଶ୍ରମରେ ଦିବ୍ୟଶକ୍ତିସଂପନ୍ନ ଗୋଟିଏ କାମଧେନୁ ଥିଲା। ଜମଦଗ୍ନି ଯାହା କାମନା କରୁଥିଲେ, ସେହି କାମଧେନୁ ତାହା ତାଙ୍କୁ ଦେଇପାରୁଥିଲା। ତେଣୁ ତାହାର ପ୍ରସାଦରୁ ସହସ୍ରାର୍ଜୁନ ଓ ତା’ ସାଙ୍ଗରେ ଥିବା ସୈନ୍ୟସାମନ୍ତଙ୍କୁ ଜମଦଗ୍ନି ଭୁରିଭୋଜନ ଦେଲେ।

ଋଷିଙ୍କ ଆଶ୍ରମରୁ ସେହି ଦିବ୍ୟ ସତ୍କାର ପାଇ ସହସ୍ରାର୍ଜୁନ ଜାଣିଲା ଯେ କାମଧେନୁ ପ୍ରସାଦରୁ ହିଁ ତାହା ସମ୍ଭବ ହୋଇଛି। ତେଣୁ ଲୋଭରେ ପଡ଼ି ସେ ଜମଦଗ୍ନିଙ୍କୁ କାମଧେନୁଟିକୁ ମାଗିଲା। ଜମଦଗ୍ନି ରାଜି ନହେବାରୁ, ସେ ବଳପୂର୍ବକ ତାହାକୁ ଅପହରଣ କରିନେବାକୁ ଚାହିଲା। କିନ୍ତୁ କାମଧେନୁ ଅସଂଖ୍ୟ ସୈନ୍ୟସାମନ୍ତ ଓ ଅସ୍ତ୍ରଶସ୍ତ୍ର ସୃଷ୍ଟିକଲେ। ଫଳରେ ସହସ୍ରାର୍ଜୁନର ସୈନ୍ୟସାମନ୍ତ ସେମାନଙ୍କ ଦ୍ୱାରା ପରାସ୍ତ ହେଲେ। କିନ୍ତୁ ସହସ୍ରାର୍ଜୁନ ଫେରିଯାଇ, ପୁଣି ପ୍ରସ୍ତୁତ ହୋଇ ଆସି ଜମଦଗ୍ନିଙ୍କ ଆଶ୍ରମ ଉପରେ ଆକ୍ରମଣ କଲା ଏବଂ ତାଙ୍କୁ ହତ୍ୟା କଲା। କାମଧେନୁ ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କରିଗଲେ।

ସେହି ଆକ୍ରମଣ ଓ ହତ୍ୟା ସମୟରେ ଜମଦଗ୍ନିଙ୍କ ପୁତ୍ର ପରଶୁରାମ ଆଶ୍ରମରେ ନଥିଲେ। ସେ ଆଶ୍ରମକୁ ଫେରି, ସବୁ କଥା ଜାଣି କ୍ରୋଧିତ ହେଲେ ଏବଂ ଯୁଦ୍ଧ କରି, ନିଜର ପରଶୁ ଦ୍ୱାରା ସହସ୍ରାର୍ଜୁନକୁ ବଧ କଲେ।

ଶାସ୍ତ୍ର, ପୁରାଣର କୌଣସି ପ୍ରମାଣ ନଥିଲେ ମଧ୍ୟ, ସ୍ଥାନୀୟ ଲୋକବିଶ୍ୱାସ ଅନୁସାରେ, ପରଶୁରାମ ପରାକ୍ରମୀ ନାଗାବେଶରେ ଏହି ଯୁଦ୍ଧ କରିଥିଲେ। କାର୍ତ୍ତିକ ମାସ ପଞ୍ଚକର ମଳ ତିଥିରେ ସହସ୍ରାର୍ଜୁନକୁ ନିହତ କରି, ପରଶୁରାମ ଅବତାର ପୃଥିବୀର ପାପଭାର ଲାଘବ କରିଥିଲେ।

ପାରମ୍ପରିକ ବିଶ୍ୱାସ ଓ ଶାସ୍ତ୍ରମତ ଅନୁସାରେ, ଶ୍ରୀଜଗନ୍ନାଥ ହେଉଛନ୍ତି ଅବତାରୀ। ସବୁ ଅବତାର ତାଙ୍କର ଦାରୁରୂପରୁ ଉଦ୍ଭବ ହୋଇ ପୁଣି ସେହି ଦାରୁରୂପରେ ଲୀନ ହୋଇଥାଆନ୍ତି। ତେଣୁ ସ୍ଥାନୀୟ ଲୋକମତରେ, ପରଶୁରାମ ଅବତାରଙ୍କର ଏହି ଲୀଳାର ସ୍ମାରକୀ ରୂପେ, କାର୍ତ୍ତିକ ମାସର ମଳ ପଞ୍ଚକ ତିଥିରେ ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ହୋଇଥାଆନ୍ତି।
କିନ୍ତୁ ‘ସାରଳା ମହାଭାରତ’ର କାହାଣୀ ଏହାଠାରୁ ଭିନ୍ନ।

ସେ କଥା ଆରଥରକୁ।

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର