ଆଧୁନିକ ଭାରତୀୟତା

ଲୋକକ୍ଷେତ୍ର - ହରପ୍ରସାଦ ଦାସ

‘ଭାରତୀୟତା’ ସମକାଳୀନ ରାଜନୀତିରେ ଏକ ବିବଦମାନ ପ୍ରସଙ୍ଗ ଭାବରେ ଆମ ସାମ୍ନାରେ ବହୁ ଚର୍ଚ୍ଚିତ ଓ ବହୁ ସ୍ପର୍ଦ୍ଧିତ। ୟାକୁ ଯେଭଳି ଭାବରେ ବୁଝିବା କଥା ବୋଧହୁଏ ଆମେ ସେଭଳି ବୁଝିପାରିନାହେଁ। ୟାର ମୂଳ କାରଣ ଆମେ ଭାରତୀୟତାକୁ ଏକ ସ୍ଥିର ସଭ୍ୟତାଗତ ସ˚ସ୍କାର ଭାବରେ କଳ୍ପନା କରିଚେ। ‘ଭାରତୀୟତା’, ଭାରତୀୟ ସଭ୍ୟତାର ଆର୍ଯ୍ୟ, ବୈଦିକ ବା ବ୍ରହ୍ମବାଦୀ ବିଚାର କି ନୁହେଁ? ‘ଭାରତୀୟତା’ର ବହୁବର୍ଣ୍ଣୀ ବିବିଧତାର ବିଚାର ନ କଲେ ୟାର ଗତିଶୀଳତା ଓ ପରିବର୍ତ୍ତନ (ଡାଇନାମିକ୍‌ସ)କୁ ବୁଝିହେବ ନାହିଁ। ଉଦାହରଣ ସ୍ବରୂପ ‘ଆଧୁନିକ ଭାରତୀୟତା’ ବୋଲି କିଛି ଗୋଟେ ଥାଇପାରେ, ଏ କଥା ଆମେ ଭାବିପାରିନାହେଁ, ଯଦିଓ ଆଧୁନିକ ରାଜନୈତିକ ଭାରତର ପରିକଳ୍ପନା ଗଣତନ୍ତ୍ର ମାଧୢମରେ ଆମର ଅଧିକାର କ୍ଷେତ୍ରରେ ଦୃଢ଼ମୂଳ ହୋଇ ରହିଚି। ଆମେ ଭାରତୀୟମାନେ ଆଧୁନିକ କି? କୋଉ ଅର୍ଥରେ ଆଧୁନିକ? ଆମର ଆଧୁନିକତା ଠିକ୍‌ କ’ଣ? ଏ ତିନିଟି ପ୍ରଶ୍ନର ଉତ୍ତର ଖୋଜି ପାଇଲେ ହୁଏ’ତ ଆମେ ଆଧୁନିକ ଭାରତୀୟତାର ଅନୁମାନ କରିପାରିବା। ଏଥିପାଇଁ ଗୋଟିଏ ବୌଦ୍ଧିକ ସୂତ୍ର ଆମ ହାତରେ ଅଛି, କିନ୍ତୁ ଆମେ ତା’ର ପ୍ରୟୋଗ କରିନାହେଁ। ଏ ସୂତ୍ରଟି ଉତ୍ତରଣରେ ନାହିଁ, ଅନ୍ତଃକରଣରେ ଅଛି। ଆମେ ଭାରତୀୟ ଭାବରେ ଏ ବିଷୟରେ ନିଶ୍ଚିତ ଯେ ଆମର ଗୋଟିଏ ମହାନ୍‌ ସଭ୍ୟତା ଥିଲା, ଯାହାର ଅଭୀଷ୍ଟ ଥିଲା ମାନବର ଉତ୍ତରିତ ସ୍ଥିତିର ନିର୍ମାଣ। ଅର୍ଥାତ୍‌ ଜୀବନର କ୍ଷୁଦ୍ରତାରୁ ଉଚ୍ଚତର ସୋପାନ ଆରୋହଣ। ଏଇ ଅଭୀଷ୍ଟ ସାଧନ ପାଇଁ ଧର୍ମ, ଅଧୢାତ୍ମ ଓ ବୌଦ୍ଧିକ ବିଚାର ହଜାର ହଜାର ବର୍ଷର ପ୍ରୟାସ କରି ଆମ ଭିତରେ ଅନ୍ତତଃ ଗୋଟିଏ ଭାବର ଉଦ୍‌ଗମ ସମ୍ଭବ କରାଇ ପାରିଚନ୍ତି। ଆମେ ସବୁବେଳେ ଭଲ କଥା, ବଡ଼ କଥା, ଜ୍ଞାନର କଥା, ଯୁକ୍ତି ଓ ମୋକ୍ଷର କଥା କହିଚେ ଓ ଶୁଣିଚେ। ସେଇଥିରୁ ଆମର ଭାରତୀୟତାର ଏକ ସ୍ଥିର ଭାବକଳ୍ପ ଆମ ଅଜାଣତରେ ନିର୍ମିତ ହୋଇଯାଇଚି। ଏ ଭାବକଳ୍ପ ସମୟର ପରିବର୍ତ୍ତନ ସତ୍ତ୍ବେ ବଦଳି ନାହିଁ। ଆମର ବାହାରର ଜୀବନ ସମକାଳୀନ ପରିବର୍ତ୍ତନ ଦ୍ବାରା ଆକ୍ରାନ୍ତ, କିନ୍ତୁ ଅନ୍ତଃକରଣରେ ଭାରତୀୟତାର ନିଷ୍କର୍ଷଗୁଡ଼ିକ ଅବିଚଳ, ସ୍ଥିର। ସରଳ ଭାବରେ କହିଲେ ଏଇଆ ହେବ ଯେ ଆମେ ବଞ୍ଚିଚୁ ବର୍ତ୍ତମାନର ସମୟରେ, କିନ୍ତୁ ଆମର ବୌଦ୍ଧିକ ବିଚାର ଓ ପ୍ରସ୍ତୁତି ଏକ ଉତ୍ତରିତ ଜୀବନର ମହାନତାରେ। ସମକାଳୀନ ସନ୍ଦର୍ଭକୁ ନେଇ ଭାରତରେ ବଡ଼ ଦାର୍ଶନିକ ବା ଦାର୍ଶନିକ ବିଚାରଧାରାର ଉଦୟ ହୋଇନାହିଁ, କାରଣ ଆମର ବୌଦ୍ଧିକ ବିଚାର ଆମର ସଭ୍ୟତାଗତ ସ˚ସ୍କାରର ଏକ ସ୍ଥିର ଉପପାଦ୍ୟରେ ବନ୍ଦୀ। ଆମର ଭାବନା ବା ଅନ୍ତଃକରଣର ଆଲୋକରେ ଏକ ଆଧୁନିକ ଭାରତୀୟତାର ନିର୍ମାଣ କରିବା ସମ୍ଭବ କି? ବା ଏମିତି କହିବା ଯେ ଆମର ଆଧୁନିକ ଭାରତୀୟତାର ଅନୁମାନ ଓ ନିର୍ମାଣ ଆମର ଅନ୍ତଃକରଣରେ ସ˚ଘଟିତ ହୋଇପାରିବ କି? ସ୍ଥିର ଭାରତୀୟତାକୁ ଚଳନଶୀଳ ଓ ସକାରାତ୍ମକ ଭାରତୀୟତାରେ ବଦଳାଇବା ସମ୍ଭବ କି?

ମୁଁ ଯାହାକୁ ଅନ୍ତଃକରଣ କହୁଚି, ତାକୁ ୟୁରୋ-ଆମେରିକାନ୍‌ ରାଜନୈତିକ ଦର୍ଶନରେ ସେମାନେ କହୁଚନ୍ତି ‘ଇମ୍ମାନେନ୍‌ସ’! ଇମ୍ମାନେନ୍‌ସର ପ୍ରୟୋଗ ଆମର ସାଧାରଣ ବୁଝାମଣାରେ ଧର୍ମରେ ବା ଈଶ୍ବରଙ୍କ ସର୍ବବ୍ୟାପୀ ସତ୍ତାର ଆଲୋଚନାରେ ବ୍ୟବହୃତ ହୁଏ। ଯେମିତି ‘ସକଳ ଘଟେ ନାରାୟଣ’। ‘ଅହ˚ ବ୍ର‌େହ୍ମାସ୍ମି’ କୁହାଯାଏ, ସେତେବେଳେ ବ୍ରହ୍ମ ଅନ୍ତଃକରଣରେ ସ୍ଥାପିତ ହୁଅନ୍ତି ଓ ସବୁ ମଣିଷଙ୍କ ଅନ୍ତଃକରଣରେ ବ୍ରହ୍ମଙ୍କ ଉପସ୍ଥିତି ଆମକୁ ମାନବୀୟ ସାମ୍ୟର ସୂତ୍ର ଦିଏ ଓ ଆମେ ବ୍ରହ୍ମଙ୍କ ସର୍ବବ୍ୟାପୀ ରୂପକୁ ନେଇ ମଣିଷର ଉତ୍ତରିତ ସ୍ଥିତିର କଳ୍ପନା କରୁ। ଅର୍ଥାତ୍‌ ବ୍ୟକ୍ତିର ଅନ୍ତଃକରଣରେ ସ୍ଥାପିତ ବ୍ରହ୍ମ ସରଳୀକରଣ ପ୍ରକ୍ରିୟାରେ ‘ସର୍ବବ୍ୟାପୀ ସାଧାରଣ’ ହୋଇଯାଏ। ‘ଇମ୍ମାନେନ୍‌ସ’ ଅନୁଭବରୁ ବାହାରିଯାଏ, ‘ଟ୍ରାନ୍‌ସେଡେନ୍‌ସ’ର ମହାପାଠ ନିର୍ମିତ ହୋଇଯାଏ।

‘ଇମ୍ମାନେନ୍‌ସ’କୁ ରାଜନୈତିକ ଦର୍ଶନରେ ବ୍ୟବହାର କରିବାର ଗୋଟେ ଅସ୍ପଷ୍ଟ ଚିତ୍ର ମୋ ମୁଣ୍ତ ଭିତରେ ଥିଲା ଓ ସେ ବିଷୟରେ ମୁଁ ଲୋକକ୍ଷେତ୍ରରେ ଚର୍ଚ୍ଚା ବି କରିଥିଲି। ଏବେ ଏବେ ମୋ ହାତକୁ ଆସିଲା ଆମେରିକାର କଲମ୍ବିଆ ୟୁନିଭର୍ସିଟି ପ୍ରେସ୍‌ ଦ୍ବାରା ୨୦୧୮ରେ ପ୍ରକାଶିତ ମାଇକେଲ୍‌ ହୋଗ୍‌ଙ୍କ ଲିଖିତ ପୁସ୍ତକ ‘ଆମେରିକାନ୍‌ ଇମ୍ମାନେନ୍‌ସ: ଡିମୋକ୍ରାସି ଫର‌୍‌ ଆନ୍‌ ଅନସର୍ଟନ୍‌ ଵର୍ଲ‌୍‌ଡ’ (ଆମେରିକାନ୍‌ ଅନ୍ତଃକରଣ: ଅନିଶ୍ଚିତ ପୃଥିବୀ ପାଇଁ ଗଣତନ୍ତ୍ର)। ମୁଁ ବିସ୍ମିତ ହେଲି, ଦୁଃଖୀ ହେଲି, କ୍ରୋଧିତ ବି ହେଲି। ଯାହାଙ୍କର ସଭ୍ୟତା ବୋଲି କିଛି ନାହିଁ, ସିଏ ଆମରି ତତ୍ତ୍ବ ଓ ସଭ୍ୟତାଗତ ଅନୁଭବରୁ ସୂତ୍ର ନେଇ ଆମେରିକାନ୍‌ ଅନ୍ତଃକରଣ ହିଁ ଅନିଶ୍ଚିତ ପୃଥିବୀରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କହୁଚନ୍ତି, ଆଉ ଆମର ଏକ ବିଶାଳ ସଭ୍ୟତା ଥିବା ସତ୍ତ୍ବେ, ଆମେ ଆଧୁନିକ ଭାରତୀୟତାକୁ ଗଣତନ୍ତ୍ରର ଏକ ସ˚ସ୍କାର ଭାବରେ ଉପସ୍ଥାପନ କରିପାରୁନାହେଁ କି ପ୍ରତିପାଦନ କରିପାରୁନାହେଁ! ପ୍ରଫେସର‌୍‌ ହୋଗ୍‌ଙ୍କୁ ଧନ୍ୟବାଦ ଯେ ସେ ଗଣତନ୍ତ୍ରରେ ଅନ୍ତଃକରଣର ପ୍ରସଙ୍ଗ ଉଠାଇ ଆମ ପାଇଁ ଚିନ୍ତନ ଓ ମନନର ଏକ କ୍ଷେତ୍ର ଦେଇଚନ୍ତି। ସେ କ୍ଷେତ୍ର ଆମ ଭିତରେ ଥିଲା କିନ୍ତୁ ଆମେ ତା’ର ବ୍ୟବହାର କରିପାରିନାହେଁ। ତେଣୁ ଭାରତରେ, ଊନ୍ନବି˚ଶ ଶତାବ୍ଦୀରେ କିପରି କେତେକ ମନୀଷୀ ଧର୍ମ ଓ ଅଧୢାତ୍ମର ଚର୍ଚ୍ଚା ଅନ୍ତରାଳରେ, ବିଚାର ଧାରାରେ ନବୀନତା ଅନ୍ତରାଳରେ, ଆଧୁନିକ ଭାରତୀୟତାର ଆଦ୍ୟ କଳ୍ପନା କରିଥିଲେ, ତା’ର ଚର୍ଚ୍ଚା ଆଜି ଜରୁରୀ ମନେ ହେଉଚି।

ଯେଉଁ ଦୁଇଟି ନବୋନ୍ମେଷୀ ବିଚାରଧାରା ବିଷୟରେ ମୁଁ କହିବାକୁ ଯାଉଚି, ସେ ଦୁଇ ବିଚାରଧାରା ହେଲେ ବ୍ରାହ୍ମ ସମାଜ ଓ ଆର୍ଯ୍ୟ ସମାଜ। ଦୁଇ ଧୀମାନ୍‌ ଭାରତୀୟ ଆଧୁନିକ ଭାରତୀୟତାର ପରିକଳ୍ପନା ‘ସମାଜ’ ମାଧୢମରେ କାହିଁକି କରିଥିଲେ, ପଛକୁ ଚାହିଁ ଅନୁମାନ କରିଦେଉଛି, କିନ୍ତୁ ସେମାନଙ୍କ କାର୍ଯ୍ୟ ଆମର ଅନ୍ତଃକରଣରେ ନାହିଁ। ବହୁଳତାବାଦୀ ଭାରତରେ ଏଇ ତ ବିଡ଼ମ୍ବନା। ବିଭିନ୍ନ କ୍ଷେତ୍ରରୁ ବିଭିନ୍ନ ସମୟରେ ବାହାରିଥିବା ନୂଆ ଚିନ୍ତା ଓ ବିଚାର ବହୁଳତାବାଦୀ ଏକକ ଗଢ଼ିବା ପରିବର୍ତ୍ତେ, ବିଚ୍ଛୁରିତ ହୋଇ ବିସ୍ମୃତ ହୋଇଯାଇଚନ୍ତି।

ରାମମୋହନ ରାୟଙ୍କ ଦ୍ବାରା ପ୍ରତିଷ୍ଠିତ (ଜାନୁଆରି ୨୩, ୧୮୩୦) ‘ବ୍ରାହ୍ମସମାଜ’ ଥିଲା ବ୍ରହ୍ମବାଦୀମାନଙ୍କର ଏକ ଗୋଷ୍ଠୀ। ୟାର ମୂଳ ଥିଲା ୧୮୧୬ରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଆତ୍ମୀୟ ସତ୍ତା’। ‘ଆତ୍ମୀୟ’ ଶବ୍ଦଟିକୁ ରକ୍ତ ସ˚ପର୍କରୁ ଅଲଗା କରି ରାମମୋହନ ଅନ୍ତଃକରଣର ସମ୍ପର୍କ ଭାବରେ କଳ୍ପନା କରିଥିଲେ। ୧୮୨୭ରେ ସେ ସ୍ଥାପନ କରିଥିଲେ ଆଉ ଗୋଟିଏ ଅନୁଷ୍ଠାନ ‘ବ୍ରିଟିସ୍‌ ଇଣ୍ତିଆ ୟୁନିଟାରିଆନ୍‌ ଆସୋସିଏସନ୍‌’। ‘ୟୁନିଟାରିଆନ୍‌’ର ଅର୍ଥ ଥିଲା ବ୍ରିଟିସ୍‌ ଓ ଭାରତୀୟ ଜୀବନମୂଲ୍ୟର ଏକୀକରଣ। ବ୍ରାହ୍ମସମାଜ ପ୍ରତିଷ୍ଠା ପୂର୍ବରୁ ଏ ଦୁଇଟି ଅନୁଷ୍ଠାନ ମାଧୢମରେ ସେ ଭାରତୀୟତାର ଏକ ସ˚ଶ୍ଳେଷଣକ୍ଷମ ଉପପାଦ୍ୟ ପ୍ରସ୍ତୁତ କରିଥିଲେ। ପୁଣି ୧୮୧୮ରେ ସତୀପ୍ରଥା ବିରୋଧରେ ସ୍ବର ଉତ୍ତୋଳନ କରି ସେ ଭାରତୀୟ ହିନ୍ଦୁ ସମାଜର କୁସ˚ସ୍କାର ବିରୋଧରେ ପ୍ରଥମ ବିବେକ ସ˚ଗ୍ରାମ ଆରମ୍ଭ କରିଥିଲେ ଓ ୧୮୨୯ରେ ଵିଲିଅମ୍‌ ବେଣ୍ଟିକ୍‌ ରେଗୁଲେସନ ୨୭ ଦ୍ବାରା ସତୀ ପ୍ରଥାର ଉଚ୍ଛେଦ ଘୋଷଣା କରିବା ପାଇଁ ବାଧୢ ହୋଇଥିଲେ। କୁସ˚ସ୍କାର ବିରୋଧରେ ବିବେକ ଜାଗରଣ, ଧର୍ମର ପୌତ୍ତଳିକତା ତଥା ବହୁଳତାବାଦ ସ୍ଥାନରେ ଏକେଶ୍ବରବାଦ ଓ ବ୍ରହ୍ମ ଦର୍ଶନ ଏବ˚ ବ୍ରିଟିସ୍‌ ଜୀବନମୂଲ୍ୟକୁ ପ୍ରତ୍ୟାଖ୍ୟାନ କରିବା ସ୍ଥାନରେ ତା’ର ଭାରତୀୟ-କରଣ ଥିଲା ଏହି ଦୂରଦର୍ଶୀ ସମୟ ପୁରୁଷଙ୍କ ତତ୍ତ୍ବଭୂମି। ରାମମୋହନଙ୍କୁ ଠିକ୍‌ ଭାବରେ ବୁଝିବାରେ ତାଙ୍କ ନିଜ ସମୟରେ କେତେଗୁଡ଼ିଏ ସାମାଜିକ ଓ ଧର୍ମୀୟ ପ୍ରତିବନ୍ଧ ଥିଲେ। ଏବେ ସେ ଆମ ଆଖି ସାମ୍ନାରେ। ବିଶେଷତଃ ଇମ୍ମାନେନ୍‌ସ ବା ଅନ୍ତଃକରଣର ରଜ୍ଜୁରେ ସମଗ୍ର ବିଶ୍ବକୁ ଏକାତ୍ମ କରି ଭାରତରୁ ହିଁ ପରିଚାଳିତ କରିବାର ଗୋଟିଏ ପରିକଳ୍ପନା ସ୍ପଷ୍ଟ ଦିଶୁଚି। ଅନ୍ୟ ଭାବରେ କହିଲେ ଊନ୍ନବି˚ଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ, ରାମମୋହନ ଓ ତାଙ୍କର ସହଯାତ୍ରୀଗଣ ‘ବ୍ରହ୍ମ’କୁ ଏକ ସାମାଜିକ, ରାଜନୈତିକ ଓ ଐତିହାସିକ ସନ୍ଦର୍ଭ ଦେବାରେ ସକ୍ଷମ ହୋଇ ଯାଇଥିଲେ।

ଏଇଥିରୁ ବାହାରିଥିଲା ଭାରତୀୟଙ୍କ ଆସ୍ଥା, ଅଭିନିବେଶ, ସ˚ପଦ, ସ୍ବାଧୀନତା, ମାନବିକତା ଓ ଜ୍ଞାନର ପ୍ରୟୋଗ ପାଇଁ ପରିକଳ୍ପନା। ଅର୍ଥାତ୍‌ ଊନ୍ନବି˚ଶ ଶତାବ୍ଦୀର ପ୍ରଥମ ତିରିଶ ବର୍ଷ ଭିତରେ ଭାରତୀୟତାର ନିର୍ମାଣ ପାଇଁ ମନୀଷୀଙ୍କ କଳ୍ପନାରେ ରହିଲା ଆହରଣ, ମୂଲ୍ୟାୟନ, ପ୍ରୟୋଜକ ଓ ସ˚ଶୋଧନ ଭଳି କାର୍ଯ୍ୟକ୍ରମ। ଜଣେ ଭାରତୀୟ ଉଦାରବାଦୀ ଭାବରେ ‘ଅନ୍ତଃକରଣ’ ବା ଇମ୍ମାନେନ୍‌ସର ପ୍ରୟୋଗ ସେ କଲେ ‘ଲୋକସ˚ଗ୍ରହ’ ଅଧିକାର-ତତ୍ତ୍ବର ଆଧାରରେ। ଭାରତୀୟ ସଭ୍ୟତା ଓ ସ˚ସ୍କାରରେ ଆତ୍ମାପୁରୁଷଙ୍କ ବାର୍ତ୍ତା ଭାବରେ ଯେଉଁ ନୀତିଗୁଡ଼ିକ ବିଦ୍ୟମାନ, ସେଗୁଡ଼ିକର ତତ୍କାଳୀନ ପ୍ରାସଙ୍ଗିକତା ସିଦ୍ଧ କରି ପ୍ରୟୋଗରେ ବ୍ୟାପକ କରିବା ଥିଲା ତାଙ୍କର ବୌଦ୍ଧିକ ରଣ କୌଶଳ। ‘ବ୍ରାହ୍ମ’, ବ୍ରହ୍ମକୁ ମୂଳ କରି, ପୌତ୍ତଳିକତା ଓ ବହୁଳତାବାଦକୁ ପରିତ୍ୟାଗ କରି, ମୁକ୍ତ ଚିନ୍ତନ ଓ ରୂଢ଼ିମୁକ୍ତ ବିଚାର ସମ୍ଭବ କରି ସମଗ୍ର ବିଶ୍ବର ବିଚାରଧାରାକୁ ଭାରତୀୟ ବ୍ରହ୍ମବୋଧ ଦ୍ବାରା ପରିଚାଳିତ କରିବାକୁ ଚାହୁଁଥିଲା, କିନ୍ତୁ ଭାରତ ଭଳି ଏକ ଧର୍ମପ୍ରାଣ ଦେଶରେ ଉପଚାର, ଆରାଧନା, ସ୍ତୁତି ଓ ସମର୍ପଣ ‘ବ୍ରାହ୍ମ’କୁ ‘ବୈଠକଖାନା’ ଡିଆଁଇ ଦେଲେନାହିଁ। ବହୁ ମନସ୍ବୀ ଓ ସୃଜନଶୀଳ ବ୍ୟକ୍ତି ଧୀରେ ଧୀରେ ‘ବ୍ରାହ୍ମ’ରୁ ଓହରି ଆସିଲେ। ବ୍ରାହ୍ମସମାଜ ବଙ୍ଗଳାର ଅଭ୍ୟୁଦୟ ପାଇଁ କାରକ ସିଦ୍ଧ ହେଲା, କିନ୍ତୁ ସର୍ବଭାରତୀୟ ଏକକ ପରିଚୟ ନିର୍ମାଣ କରିପାରିଲା ନାହିଁ। ୟାର ଅବଦାନ, ସମକାଳୀନ ଗଣତନ୍ତ୍ରରେ, ଅନ୍ତଃକରଣକୁ ଆଲୋକିତ କରିଥିବା ପ୍ରଥମ ଭାରତୀୟ ରଶ୍ମିପାତ!

ସ୍ବାମୀ ଦୟାନନ୍ଦ (୧୮୨୪-୧୮୮୩) ଥିଲେ ଠିକ୍‌ ବିପରୀତ ଧ୍ରୁବରେ। ରାମମୋହନ ଓ ତାଙ୍କର ସତୀର୍ଥମାନେ ବ୍ରହ୍ମବାଦର ଯେଉଁ ଅନ୍ତର୍ଲୋକ କଥା କହୁଥିଲେ, ତା’ର ପ୍ରତ୍ୟାଖ୍ୟାନ କରିଥିଲେ ସେ। ରାମମୋହନ ବଙ୍ଗଳା ନବୋନ୍ମେଷର ଭୂମି ନିର୍ମାଣ କରିଥିଲେ। ଦୟାନନ୍ଦ ନିର୍ମାଣ କରିଥିଲେ ପଶ୍ଚିମ ଓ ଉତ୍ତର ଭାରତରେ ଭାରତୀୟ ଅସ୍ତିତ୍ବ ସନ୍ଧାନ, ଅସ୍ତିତ୍ବ ଜାଗରଣ ଓ ପୁନରୁତ୍‌ଥାନର ଭୂମି। ରାମମୋହନ ଥିଲେ ଜଣେ ସ˚ସ୍କାରକ, ଦୟାନନ୍ଦ ଥିଲେ ଜଣେ ଧର୍ମ ଧ୍ବଜାଧାରୀ, ଶାସ୍ତ୍ରଜ୍ଞ, ବେଦବିଦ୍ବାନ, ବିଦ୍ରୋହୀ ସନ୍ନ୍ୟାସୀ। କିନ୍ତୁ ଦୁଇ ଜଣଙ୍କର କଳ୍ପନାରେ ଥିଲା ଭାରତୀୟ ଅନ୍ତଃକରଣର ସ୍ଥାପନା। ଏବେ ପଛକୁ ଚାହିଁଲେ ଦିଶୁଚି ଯେ ରାମମୋହନ ଓ ଦୟାନନ୍ଦଙ୍କ ଅଭୀଷ୍ଟ ଗୋଟିଏ ଥିଲା, କିନ୍ତୁ ମାର୍ଗ ଅଲଗା ଥିଲା। ଦୟାନନ୍ଦଙ୍କ ମାର୍ଗ ଥିଲା ଆକ୍ରାମକ ବୌଦ୍ଧିକ ମାର୍ଗ। ୧୮୬୯, ନଭେମ୍ବର ୧୭ ତାରିଖ ଦିନ କାଶୀର ହିନ୍ଦୁ ପଣ୍ତିତଙ୍କ ସହିତ ତାଙ୍କର ଯେଉଁ ଶାସ୍ତ୍ରାର୍ଥ ହୋଇଥିଲା, ତାହା ଥିଲା ଅଭୂତପୂର୍ବ। ସତେ ଅବା ସେ ଥିଲେ ସନାତନ ଧର୍ମକୁ ବ୍ରାହ୍ମଣ୍ୟ ହିନ୍ଦୁତ୍ବ କବଳରୁ ମୁକ୍ତ କରି ଏକ ଐଶ୍ବର୍ଯ୍ୟମୟ ଅମୃତଲୋକ ପ୍ରତିଷ୍ଠା ପାଇଁ ତର୍କର ଅସ୍ତ୍ର ପ୍ରୟୋଗ କରୁଥିବା ଜଣେ ନୂଆ ଶଙ୍କରାଚାର୍ଯ୍ୟ! ତାଙ୍କର ‘ସତ୍ୟାର୍ଥ ପ୍ରକାଶ’ରେ ସେ ତାଙ୍କର ଦର୍ଶନ ସ୍ପଷ୍ଟ କରିଚନ୍ତି। ତାଙ୍କର ଦର୍ଶନରେ ବୈଦିକ ସ୍ବରାଜ୍ୟ ଓ ଆର୍ଯ୍ୟ-ବିଶ୍ବବୋଧର ଯେଉଁ ବ୍ୟାଖ୍ୟା ଅଛି, ତା’ର ପ୍ରାସଙ୍ଗିକତା ଆଜି ଅନୁଭବ କରି ହେଉନି, ଯେତେବେଳେ ଆମେରିକାନ୍‌ ବିଶ୍ବବିଦ୍ୟାଳୟମାନଙ୍କର ମାତ୍ର ଚାରିଶହ ବର୍ଷର ଇତିହାସରୁ ସେମାନେ ଆମେରିକାନ୍‌ ଅନ୍ତଃକରଣର ବିଶ୍ବମୟତାକୁ ନେଇ ଚର୍ଚ୍ଚା କରୁଚନ୍ତି। ହୋଗ୍‌ଙ୍କ ‘ଆମେରିକାନ୍‌ ଇମ୍ମାନେନ୍‌ସ’, ଆମର ଭାରତୀୟ ‘ଇମ୍ମାନେନ୍‌ସ’ ତୁଳନାରେ କେତେ କ୍ଷୁଦ୍ର! ଦୟାନନ୍ଦ ସରସ୍ବତୀ ଭାରତୀୟ ଅନ୍ତଃକରଣରେ ବୈଦିକ ସ୍ବରାଜ୍ୟ ଓ ଆର୍ଯ୍ୟ ବିଶ୍ବବୋଧର ଯେଉଁ ବାର୍ତ୍ତା ଉତ୍‌କୀର୍ଣ୍ଣ କରିଯାଇଚନ୍ତି, ତା’ର ଆବିଷ୍କାର କରି ବିଶ୍ବମୁଖୀ କରାଇବ କିଏ? ରାମମୋହନ ରାୟ ଭାରତୀୟ ଅନ୍ତଃକରଣରେ ଯେଉଁ ‘ବ୍ରହ୍ମ’ର ଏକକ ସ୍ଥାପିତ କରିଯାଇଚନ୍ତି, ତାକୁ ବିସ୍ମୃତିରୁ ଉଦ୍ଧାର କରିବ କିଏ? ଉଭୟ ବ୍ରାହ୍ମ ସମାଜ ଓ ଆର୍ଯ୍ୟ ସମାଜ ଭାରତୀୟ ଅନ୍ତଃକରଣର ସର୍ବବ୍ୟାପୀ ଆବେଦନ ସହିତ ଭାରତକୁ ପରିଚିତ କରେଇଥିଲେ ଊନ୍ନବି˚ଶ ଶତାବ୍ଦୀରେ। ନୂଆ ରାଜନୀତି ବିଜ୍ଞାନୀମାନେ ୟାକୁ ଭାରତୀୟ ତତ୍ତ୍ବ ଭାବରେ ବିକଶିତ ନ କରିପାରିବା ଏକ ଜାତୀୟ ଟ୍ରାଜେଡି। ଭାରତୀୟ ବୌଦ୍ଧିକତାର ବିଫଳତା ଭାରତର ହୀନମନ୍ୟତା ପାଇଁ ଦାୟୀ।

ଆମେରିକାର ଷ୍ଟାନଫୋର୍ଡ, କର୍ନେଲ୍‌ ଓ କଲମ୍ବିଆ ବିଶ୍ବ ବିଦ୍ୟାଳୟରେ ଭାରତୀୟ ଶାସ୍ତ୍ର ପୋଥି ଆଧାରରେ ନୂଆ ଚିନ୍ତନର ଦିଗ ଫିଟିଲା ବେଳେ, ଭାରତରେ ଆମର ବିପୁଳ ବୌଦ୍ଧିକ ପୁଞ୍ଜିକୁ ଘୁଣପୋକ ଖାଇ ଧୂଳି କରି ଦିଅନ୍ତି। ଆଧୁନିକ ଭାରତୀୟତାର ଯେଉଁ ପରିକଳ୍ପନା ଊନ୍ନବି˚ଶ ଶତାବ୍ଦୀରେ ବ୍ରହ୍ମ, ସତ୍ୟ, ବୈଦିକ ସ୍ବରାଜ୍ୟ ଓ ଆର୍ଯ୍ୟ ବିଶ୍ବବୋଧର ଆଧାରରେ ରାଜା ରାମମୋହନ ଓ ସ୍ବାମୀ ଦୟାନନ୍ଦ କରିଥିଲେ ତାକୁ ଯଦି କେହି ସ୍ବାଧୀନତା ସ˚ଗ୍ରାମ ଓ ଗାନ୍ଧୀବାଦ ସହିତ ଯୋଡ଼ି ପୁଣିଥରେ ପଢ଼େ ଓ ତତ୍ତ୍ବନିର୍ମାଣ କରିବାକୁ ଚାହେଁ, ତେବେ ସବୁ ମାର୍ଗ ତ ଖୋଲା! ଅନ୍ତରାୟ କେଉଁଠି? ଅନ୍ତରାୟ ଏଇଠି ଯେ ଆମେ ଏବେ ବି ବିଦେଶୀ ସାମ୍ରାଜ୍ୟବାଦର ପ୍ରଭାବରେ ସ˚କ୍ରମିତ, ଆମେ ଏବେ ବି ସେମାନଙ୍କର ମାନସ-ଉପନିବେଶରେ ବନ୍ଦୀ। ହୋଗ୍‌ ଲେଖିବେ ଇମ୍ମାନେନ୍‌ସର କଥା, ଡିଲ୍ୟୁଜ୍‌ ଲେଖିବେ ଇମ୍ମାନେନ୍‌ସର କଥା, ଆମେ ତାଙ୍କୁ ଉଦ୍ଧାର କରି ଏଠି ନିଜ ଭିତରେ ବୌଦ୍ଧିକ ମୁଷ୍ଟିଯୁଦ୍ଧରେ ଶକ୍ତି ଅପଚୟ କରିବା? ‘ଭାରତ କ’ଣ’? ‘ଆଇଡିଆ ଅଫ୍‌ ଇଣ୍ତିଆ’? ଏ ପ୍ରଶ୍ନର ଉତ୍ତର ଆମର ସମ୍ବିଧାନରେ ବା ଗଣତନ୍ତ୍ରରେ ବା ସାମାଜିକ-ରାଜନୈତିକ ଚିନ୍ତନରେ ନାହିଁ କାହିଁକି ତା’ର ଉତ୍ତର ଆମେ ଜାଣୁ, କିନ୍ତୁ କି ଭଳି ଭାବରେ ନୂଆ ବିଚାର ପ୍ରତିଷ୍ଠିତ ହେବ, ସେ ସ୍ବପ୍ନ ପାଇଁ ଆମର ରାତି ନାହିଁ। ଅର୍ଥତନ୍ତ୍ର ଭାରତର ବଳ ନୁହେଁ, ବୌଦ୍ଧିକ ବିଚାରଧାରା ଭାରତର ବଳ। ଭାରତ ପାଇଁ ଦରକାର ବଡ଼ ବୌଦ୍ଧିକ ଅନୁଷ୍ଠାନ ଓ ବୌଦ୍ଧିକ ନେତୃତ୍ବ। ଆଶା କରିବି, ଆଧୁନିକ ଭାରତୀୟତାର ତତ୍ତ୍ବ ନିର୍ମାଣ ପାଇଁ ରାଷ୍ଟ୍ର ଓ ରାଜ୍ୟମାନେ ଭାରତର ସ˚ଘୀୟ ଗଣତନ୍ତ୍ରରେ ଏକାଠି ରହିବେ। ଯଦି କେହି ପଚାରେ ଏ ତତ୍ତ୍ବରୁ ମିଳିବ କ’ଣ, ତାକୁ ଆଜିର ମୁଖର ଯୁବପିଢ଼ି ଉତ୍ତର ଦେବ: ‘ଭାରତ ମିଳିବ! ଆମ ଭିତରେ ଭାରତ!’

ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର-୧୫
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର