ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଯୁବକଙ୍କ ଆତ୍ମଦାହ ଉଦ୍ୟମ

ସମ୍ବଲପୁର : ‘ମୁଁ ବଞ୍ଚିକି ଲାଭ କ’ଣ ? ମତେ ତ ସମସ୍ତେ ଦୋଷୀ କହୁଛନ୍ତି। ସେମାନେ ମୋତେ ମାଡ଼ ମାରିଲେ, ମୁଁ ମେଡିକାଲ୍‌ରେ ପଡ଼ିଲି, ହେଲେ ପୁଲିସ ତାଙ୍କୁ କିଛି କହୁନି। ଓଲଟି ମୁଁ ବନ୍ଧୁକ ରଖିଛି ବୋଲି କହାଯାଉଛି।’ ଏଭଳି କହି ବୁଧବାର ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ଯୁବକ ଆତ୍ମଦାହ କରିବାକୁ ଉଦ୍ୟମ କରିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାକୁ ଅଢେଇ ମାସ ନହେଉଣୁ ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଉ ଜଣେ ଯୁବକ ଆତ୍ମଦାହ କରିବାକୁ ଉଦ୍ୟମ କରିବା ଘଟଣା ପୂରା ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ଦିନ ୧୨ଟା ୪୫ ସମୟରେ ଜଣେ ଯୁବକ ଏକ ବ୍ୟାଗ ଭିତରେ ଏକ ଜାର୍‌ରେ କିରାସିନି ଧରି ଆତ୍ମଦାହ ପାଇଁ ପହଞ୍ଚି ଥିଲେ। କିରାସିନି ବାହାର କରି ଆତ୍ମଦାହ କରିବାକୁ ଉଦ୍ୟମ କରିବା ବେଳେ ସେଠାରେ ଥିବା କିଛି ସାମ୍ବାଦିକ ଓ ପୁଲିସ ଅଧିକାରୀ ତତ୍ପରତା ପ୍ରକାଶ କରିବା ସହ ତାଙ୍କୁ ଉଦ୍ଧାର କରିଥିଲେ।

ସୂଚନାନୁସାରେ, ଆତ୍ମଦାହ ପାଇଁ ଉଦ୍ୟମ କରିଥିବା ଯୁବକ ଜଣକ ହେଉଛନ୍ତି ବିକି ବାଗ। କ୍ଷେତରାଜପୁର ଥାନା ଅଧୀନ ନୂଆପଡ଼ାରେ ତାଙ୍କ ଘର। କଳହ କାରଣରୁ ସେ ଓ ତାଙ୍କ ସ୍ତ୍ରୀ ୨ ବର୍ଷ ହେବ ଅଲଗା ଅଲଗା ରହୁଛନ୍ତି। ତାଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରହୁଛନ୍ତି। ମଝିରେ ମଝିରେ କଥା ହୁଅନ୍ତି, ହେଲେ ଏକାଠି ରହିବା ପାଇଁ ତାଙ୍କ ସ୍ତ୍ରୀ ଚାହୁ ନାହାନ୍ତି। ସଖୀ- ଵାନ୍‌ ଷ୍ଟେପ୍‌ ସେଣ୍ଟର ପକ୍ଷରୁ ମଧ୍ୟ ଉଭୟଙ୍କୁ ବୁଝାସୁଝା କରାଯାଇଥିଲା, କିନ୍ତୁ କିଛି ସଫଳତା ମିଳି ନଥିଲା। ତେବେ ଯୁବକଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କ କାକା ଓ ଭାଇମାନେ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ସେ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ରକ୍ତାକ୍ତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ସୋମବାର ଦିନ ଚାଲି ଚାଲି ଯାଉଥିବା ବେଳେ ବଡ଼ବଜାର ନିକଟରେ ତଳେ ପଡ଼ିଯାଇଥିଲେ। ତାପରେ ସ୍ଥାନୀୟ ଲୋକେ ପୁଲିସକୁ ଜଣାଇବା ପରେ ପୁଲିସ ତାଙ୍କୁ ଆଣି ଘରେ ଛାଡ଼ିଥିଲା ଏବଂ ଡାକ୍ତରଖାନାରେ ଦେଖାଇବା ପାଇଁ କହିଥିଲା। ତାପରେ ତାଙ୍କୁ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଚାପଗ୍ରସ୍ତ ଥିଲେ ବିକି
ବିକିଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ମାଡ଼ ମାରିବା ନେଇ କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ତ୍ରୀ ଡାକିବା ପରେ ସେ ତାଙ୍କ ସ୍ତ୍ରୀଙ୍କ ବାପ ଘରକୁ ଯାଇଥିଲେ। ସେଠାରେ ତାଙ୍କୁ କୁଆଡେ ଆସିଛୁ ବୋଲି ପଚାରିବା ସହ ତାଙ୍କ ଶଳା ଓ କାକାଶ୍ବଶୁର ଧମକାଇ ଥିଲେ। ଗାଳି ଗୁଲଜ କରିବା ସହ ତାଙ୍କ ତାଙ୍କୁ ମାଡ଼ ମାରିଥିଲେ। କେବଳ ସେତିକି ନୁହେଁ ବିକିଙ୍କ ଘରକୁ ତାଙ୍କ ଶ୍ବଶୁର ଘର ଲୋକେ ଆସି ସବୁଦିନ ଗାଳି ଗୁଲଜ ମଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପାଇଁ ପରିବାର ଲୋକଙ୍କୁ ସବୁଦିନ ଗାଳି ଶୁଣିବାକୁ ପଡ଼ୁଥିବା ଭାବି ବିକି ଭାଙ୍ଗି ପଡ଼ିଥିଲେ। ଅନ୍ୟପଟେ ସପ୍ତାହେ ହେବ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା କାରଣରୁ ସେ ମାନସିକ ଭାବେ ଚାପଗ୍ରସ୍ତ ଥିଲେ। ଯେଉଁ କାରଣରୁ ବୁଧବାର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ସେ ଆତ୍ମଦାହ କରିବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି।

ଏହା ସହିତ ସେ ବିଷ ଖାଇଦେଇଥିବା କହିଥିଲେ। ତେଣୁ ତାଙ୍କୁ ପୁଲିସ ଉଦ୍ଧାର କରି ପିସିଆର୍‌ ଭ୍ୟାନ୍‌ରେ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାକୁ ଚେଷ୍ଟା କରିଥିଲା। ସେ କିନ୍ତୁ ଯିବାକୁ ରାଜି ହୋଇ ନଥିଲେ ଏବଂ ବାରମ୍ବାର କିରାସିନି ଢାଳିହେବାକୁ ପ୍ରୟାସ କରିଥିଲେ। କିରାସିନି ଜାର୍‌ ଛଡ଼ାଇ ନିଆଯିବା ସହ ତାଙ୍କୁ ଗାଡ଼ି ଭିତରେ ବସାଯାଇଥିଲା। ଗାଡ଼ି ଭିତରେ ସେ ତାଙ୍କ ମୁଣ୍ଡକୁ ବାରମ୍ବାର ପିଟିବା ଆରମ୍ଭ କରିଦେଇଥିଲେ। ତାଙ୍କ ଦୁଇ ପାର୍ଶ୍ବରେ ୨ ଜଣ ପୁଲିସ ବସି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଅନ୍ୟପଟେ ବିକିଙ୍କ ସ୍ତ୍ରୀ ମଧ୍ୟ ବିକିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର