ସାହିତ୍ୟିକ ପାଣିପାଗ: ଘରକଳିର କେତେ ରଙ୍ଗ!

ଅସିତ ମହାନ୍ତି

ଦୀନକୃଷ୍ଣ ଦାସଙ୍କ ‘କବାଟ ଫିଟା ଓ ଲକ୍ଷ୍ମୀନାରାୟଣ ଭେଟ’ ଏବଂ ଲୋକନାଥ ବିଦ୍ୟାଧର ମହାପାତ୍ରଙ୍କ ‘ନୀଳାଦ୍ରି ମହୋତ୍ସବ’ ପରି, ଆମକୁ ଆଉ ଗୋଟିଏ ‘ବଚନିକା’ ମିଳେ ଆମର ଅତି ସମୃଦ୍ଧ ଚଉତିଶା ସାହିତ୍ୟରୁ। ସେଇଟି ହେଉଛି, ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀର ଶ୍ରୀଧର ଦାସଙ୍କ ‘ଗୁଣ୍ଡିଚାବିଜେ ଚଉତିଶା’। ଡକ୍ଟର ହରିଶ୍ଚନ୍ଦ୍ର ବେହେରା ତାଙ୍କ ‘ପ୍ରାଚୀନ ଚଉତିଶା ସାହିତ୍ୟରେ ଜଗନ୍ନାଥ’ ପୁସ୍ତକରେ ଏହାକୁ ସଂକଳିତ କରିଛନ୍ତି। ‘ସୁଖଦାନୀ’ ଶ୍ରୀଜଗନ୍ନାଥ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରର ସିଂହଦ୍ୱାରକୁ ଫେରିବା, ଫେରିବା ବେଳେ ‘କମଳିଣୀ’ ତାଙ୍କ ଶ୍ରୀମୁଖକୁ ଜଗତି (ଚାହାଣି ମଣ୍ଡପ)ରୁ ଦର୍ଶନ କରିବା, ପରିଶେଷରେ ଦାସୀମାନଙ୍କୁ ସୁବର୍ଣ୍ଣ, ରତ୍ନ ଓ ବସନ ଲାଞ୍ଚ ଦେଇ ଜଗନ୍ନାଥ ମନ୍ଦିର ଭିତରେ ପଶିବା ଏବଂ ଲକ୍ଷ୍ମୀଙ୍କୁ ନାନା ଚାଟୁ କରି ଶାନ୍ତ କରାଇବା ଆଦିର ରୋଚକ ବର୍ଣ୍ଣନା ସେଥିରେ କରିଛନ୍ତି କବି ଶ୍ରୀଧର ଦାସ।

ଏହି ‘ଗୁଣ୍ଡିଚାବିଜେ ଚଉତିଶା’ର ‘ଶ’ (୩୧) ଚଉତିଶାରେ ବର୍ଣ୍ଣିତ ଅଛି- “ଶୀତଳ ମଣୋହି ବେଗେଣ ବଢ଼ାଇ ବିଜେ କରିବାର ଶୁଣିଲେ/ ଶ୍ରୀମୁଖ ଚାହାଁନ୍ତି ଜଗତି ଉପରେ ଉଠିକରି କମଳିଣୀରେ/ସଂଘାତେ, ଶୀଘ୍ରେ ପାଛୋଟି ଅଇଲେ/ଶାନ୍ତି ହୋଇଛନ୍ତି ଅନୁରାଗ ଭରେ ପୁଣି ଦେଉଳେ ପଶିଲେରେ।” ସେହିପରି, ଏହାର ପରବର୍ତ୍ତୀ ‘ସ’ (୩୨) ଚଉତିଶାରେ କବି ବର୍ଣ୍ଣନା କରିଛନ୍ତି- “ସୁଖଦାନୀ ସିଂହଦୁଆରେ ହୁଅନ୍ତେ କପାଟ ପାଡ଼ିଲେ ଦାସୀରେ/ ସୁବର୍ଣ୍ଣ ରତ୍ନ ବସନ ଲାଞ୍ଚ ଦେଇ ଭିତରେ ପଶିଲେ ହରିରେ/ ସଂଘାତ, ଶୁଭେ ବିଜେ ନୀଳଗିରିରେ/ ସିନ୍ଧୁନନ୍ଦିନୀକି ଶାନ୍ତ କରାଇଲେ ବହୁବିଧ ଚାଟୁ କରିରେ।” ଉପଲବ୍‌ଧ ବଚନିକାଗୁଡ଼ିକରୁ ଜଣାଯାଏ, ସପ୍ତଦଶ ଶତାବ୍ଦୀର ଶେଷଭାଗଠାରୁ ଆରମ୍ଭ କରି ଊନବିଂଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ, ଏହି ରୋଚକ ପ୍ରସଙ୍ଗକୁ ନେଇ ଆମ ସାହିତ୍ୟରେ ଅନେକ କାବ୍ୟ-କବିତା-ଚଉତିଶା ଆଦି ରଚିତ ହୋଇଛି। ସେସବୁର କବିଙ୍କ ମଧ୍ୟରେ ଅଛନ୍ତି କୃଷ୍ଣ ଦାସ, ବିପ୍ର ରାମ ଦାସ, ବିପ୍ର କାଶୀ ଦାସ, ଦୀନ ହୀନମତି, ଦୀନ ଯୁଧିଷ୍ଠିର ଦ୍ୱିଜ, ନୃପ ଗୋପୀନାଥ ସିଂହ, ଗଉର ଚରଣ ଦାସ, ବିପ୍ର ମହେଶ୍ୱର ଓ ଜଗନ୍ନାଥ ପାଣି ପ୍ରମୁଖ।

କୃଷ୍ଣ ଦାସଙ୍କ ‘ଲକ୍ଷ୍ମୀନାରାୟଣ କଳି ଓ ଗମ୍ଭୀରା ବିଜେ’ ଏ ପ୍ରସଙ୍ଗରେ ଅତ୍ୟନ୍ତ କୌତୂହଳଜନକ। କାରଣ, ଏହା ତୁମୂଳ ଏକ ଘରକଳିର ରୂପ ନେଇଛି। ଏହି ବଚନିକାଟିର ଆରମ୍ଭ ହୋଇଛି ଏମିତି- “ଆଷାଢ଼ ମାସରେ ଶୁକ୍ଳ ଦଶମୀରେ ନନ୍ଦିଘୋଷ ତେଜି ହରି, /ଦେଉଳେ ପ୍ରବେଶ ହୋଇ ପୀତବାସ ଡାକନ୍ତି କୋମଳ କରି। /ଗୋ ଉଠ, ବାରେ ଫିଟାଇ ଦିଅ କବାଟ ଗୋ। /ଶୀତେ କମ୍ପିଲାଣି ଆମ୍ଭ ଓଷ୍ଠ ଗୋ। /ଆମ୍ଭେ ପାଇଲୁଣି ବଡ଼ କଷ୍ଟ ଗୋ।” ଏହାପରେ, ଲକ୍ଷ୍ମୀଙ୍କ ଉତ୍ତରରେ କୁହାଯାଇଛି- “ପ୍ରଭୁ ବାଣୀ ଶୁଣି ଲକ୍ଷ୍ମୀ ଠାକୁରାଣୀ ଦାସୀକି ହକାରି କହି, /କଳାମୁଖା ପ୍ରାୟ ବଚନ ଶୁଭୁଛି କବାଟ ଦିଅ ପକାଇ। ଗୋ ଦାସୀ, ତାଙ୍କୁ ଭିତରେ ନଦିଅ ପଶି ଗୋ। /ସେ ତ ପୂତନା ଛନ୍ତି ବିନାଶି ଗୋ। /ଏବେ ଆସୁଛନ୍ତି ପେଲି ପଶି ଗୋ।”

ଏହିପରି ଭାବରେ ଦୀର୍ଘ ୨୧ଟି ପଦରେ କବି ସମଗ୍ର ଘଟଣାର ବର୍ଣ୍ଣନା କରିଛନ୍ତି। ଜଗନ୍ନାଥ ନିଜକୁ “ବାଆ ବତାସରେ ଦୁଃଖୀ” ବୋଲି କହି, ଲକ୍ଷ୍ମୀଙ୍କ ହୃଦୟରେ ‘ଦୟା’ର ଉଦ୍ରେକ କରିବାକୁ ଚେଷ୍ଟା କରିଛନ୍ତି। ଏହା ମଧ୍ୟ କହିଛନ୍ତି- “ଘୋଷଯାତ୍ରା ତ ବର୍ଷକେ ବାରମାସରେ ଥରେ; ସେଥିରେ କାହିଁକି ଏ କୋପ? ତୁମର ଭାଷା (କୋପୋକ୍ତି) ତ ମୁଁ ଏ ଦେହରେ ସହୁଛି!” କିନ୍ତୁ ତାହା ଶୁଣି କମଳା କହିଛନ୍ତି- “ହେ ନନ୍ଦବଳା, ଶୁଣ! ସତ୍ୟ, ତ୍ରେତୟା ଓ ଦ୍ୱାପରଠାରୁ ଏ କଳିଯୁଗ ପର୍ଯ୍ୟନ୍ତ- ମୁଁ ଠିକ୍ ଠିକ୍ ଜାଣିଚି, ତୁମର ଦେହ କାଷ୍ଠ ପାଷାଣ ପରାଏ! ଯେତେ କହିଲେ ବି ତୁମର ଲଜ୍ଜା ନାହିଁ। ମୋ’ ଠାରେ ତୁମର ସ୍ନେହ କ’ଣ ଆଉ ଅଛି!” କିନ୍ତୁ ଜଗନ୍ନାଥ କହିଛନ୍ତି- “ତୁମ ନାରୀଙ୍କର ହୃଦୟ କେତେ ନିଷ୍ଠୁର! ଏତେ କରି କହିଲେ ବି, ଏତେ କାୟା କଷ୍ଟ ସହିଲେ ବି, ତୁମର ଟିକିଏ ହେଲେ ଦୟା ନାହିଁ!” କିନ୍ତୁ ତାହା ବି ଲକ୍ଷ୍ମୀଙ୍କୁ ପ୍ରଭାବିତ କରି ନାହିଁ। ସେ କହିଛନ୍ତି, “ତୁମର ଏ ସବୁ କଥା ମିଛ। ତୁମ ଦେହ ତ ପାଷାଣଠୁ ବି ଅଧିକ ଟାଣ! ଯେତେ କହିଲେ ତୁମ ଶ୍ରବଣକୁ କିଛି ଦୁଃଖ ବାଧେ ନାହିଁ। ମୁଁ ତୁମ ବଚନ ଶୁଣିବାକୁ ଚାହେଁ ନାହିଁ।”
ଏଣୁ ପରିସ୍ଥିତି ଅଣାୟତ୍ତ ହେବା ଦେଖି ଜଗନ୍ନାଥ ଅନ୍ୟ ଉପାୟ ପାଞ୍ଚିଛନ୍ତି। କବି କୃଷ୍ଣ ଦାସ ତାହାର ବର୍ଣ୍ଣନା କରିଛନ୍ତି ଏହିପରି-
“କ୍ଷୀରୋଦନନ୍ଦିନୀ ବାଣୀ ପ୍ରଭୁ ଶୁଣି ବୋଲନ୍ତି ଶୁଣ ଗୋ ତୁମ୍ଭେ। /ସ୍ୱର୍ଣ୍ଣ ଅଳଙ୍କାର ପାଟ ପୀତାମ୍ବରୀ ବସ୍ତ୍ର ଆଣିଦେଲୁ ଆମ୍ଭେ। / ଗୋ ଆର, ଗଳା ପାଇଁ ମୁକୁତାର ହାର ଗୋ। / ନାସା ବସଣି ଶୋଭା ଅପାର ଗୋ। / ସୁନା ଚୁଡ଼ି ହସ୍ତ କଇଁ ସାର, ଗୋ ଆର।”

କିନ୍ତୁ ତାହା ବି ଲକ୍ଷ୍ମୀଙ୍କୁ ପ୍ରଭାବିତ କରି ପାରି ନାହିଁ। ତୀବ୍ର ଅଭିମାନରେ ସେ କହିଛନ୍ତି- ‘‘ଯେଉଁ ଭଉଣୀଙ୍କୁ ନେଇ ଗୁଣ୍ଡିଚା ଯାତ୍ରାରେ ଯାଇଥିଲ, ଏସବୁ ଆୟ, ଅଳଙ୍କାର, ବେଭାର ସେଇ ସୁଭଦ୍ରା ଭଉଣୀଙ୍କୁ ଦିଅ; ସେଥିରେ ତାଙ୍କୁ ସଜ କର; ସେଇ ଭଉଣୀକୁ ନେଇ ଏମିତି ଯାତ୍ରା କରୁଥାଅ!” ତାହା ଶୁଣି ଜଗନ୍ନାଥ ଟିକିଏ ଦୃଢ଼ କଣ୍ଠରେ କହିଛନ୍ତି- “ହେ ବରୁଣନନ୍ଦିନୀ କମଳା, ଶୁଣ! ସୁଭଦ୍ରା ଆମର ବାଳୁତ ଭଉଣୀ। ତାଙ୍କୁ ସାଙ୍ଗରେ ନେଲୁ ତ ତୁମର କ’ଣ ଗଲା? ତୁମ ସ୍ତ୍ରୀଲୋକଙ୍କର ଦେହ, ମନରେ ପାପଚିନ୍ତା। ଯାହାସବୁ କହିଲ, ତାହା ତ ଏ ଦେହ ସହିଲା; ତଥାପି କାହିଁକି ତୁମର ଏତେ ଅହଂକାର?”
ତଥାପି କିନ୍ତୁ ଲକ୍ଷ୍ମୀ ମାନିବାକୁ ପ୍ରସ୍ତୁତ ନୁହନ୍ତି। କହିଛନ୍ତି- “ହେ ଭାବଗ୍ରାହୀ, ଶୁଣ! ତୁମେ ଯାହାକୁ ‘ବାଳୁତ’ କହୁଛ, ସେ ତ ଷୋଳବୟସୀ! ଖାଲି କ’ଣ ସେତିକି? ହେ ହରି! ସେ ତ୍ରିଲୋକକୁ ସଂହାରିପାରେ। ତାକୁ ଏ ସଂସାରରେ କିଏ ସରି ହେବ! ତୁମେ ଏତେ ବୁଲେଇବାଙ୍କେଇ କହିଲେ କ’ଣ ହେବ?”
ଏହିପରି ନାନା ଉକ୍ତି-ପ୍ରତ୍ୟୁକ୍ତି ପରେ ବି କିଛି ଫଳ ନମିଳିବାରୁ, ଶେଷରେ ବଡ଼ଭାଇ ବଳରାମ (ବଳଭଦ୍ର)ଙ୍କର ଶରଣ ପଶିଛନ୍ତି ଜଗନ୍ନାଥ। ତ‌ାଙ୍କୁ କହିଛନ୍ତି, “ତୁମେ ହେଲେ ଟିକିଏ କୁହ! ତୁମେ କହିଲେ କାଳେ ‘ବରୁଣରାଜା ତନୟୀ’ କବାଟ ଫେଡ଼ିଦେବ!”

ଏହା ଫଳରେ, ବଳରାମ ହସ୍ତକ୍ଷେପ କରିଛନ୍ତି। କବି କୃଷ୍ଣ ଦାସ କହିଛନ୍ତି- “ପ୍ରଭୁଙ୍କ ବଚନ ଶୁଣି ଶଙ୍କର୍ଷଣ ବୋଲନ୍ତି ଶୁଣ କମଳା। /ଘୋଷଯାତ୍ରା ସାରି ଅଇଲୁଣୁ ଫେରି ତହିଁ ଅବିଗୁଣ ହେଲା, / ସେ ହଟ, ତୁଚ୍ଛା କଥାକୁ କେତେ ଚହଟ ଗୋ। /ବେଗେ ଫିଟାଇ ଦିଅ କବାଟ ସେ। /ତୁମ୍ଭେ ବଡ଼ଘର ଝିଅ ଅଟ ସେ।” ଫଳରେ, ଦେଡ଼଼ଶୁରଙ୍କ କଥାକୁ ଏଡ଼ାଇ ପାରି ନାହାନ୍ତି ଲକ୍ଷ୍ମୀ। କୃଷ୍ଣ ଦାସ କହିଛନ୍ତି- “ବଳଦେବ ବାଣୀ ଲକ୍ଷ୍ମୀଦେବୀ ଶୁଣି ନାସ୍ତି କରି ନପାରିଲେ। /ଦାସୀଙ୍କି ହକାରି ହସ୍ତ ଦେଲେ ଠାରି କବାଟ ଫିଟାଇ ଦେଲେ। / ଗୋ ହରି, ବିଜେ କଲେ ଧୀରି ଧୀରି କରି ଗୋ। /ଦେଖି ଅନ୍ତର ସିନ୍ଧୁକୁମାରୀ ସେ। /ଯାଇ ସିଂହାସନେ ବିଜେ କରି ସେ।”

କବି କୃଷ୍ଣ ଦାସଙ୍କ ଅନୁସାରେ, ଏହିପରି ଭାବରେ, ସେହି ଘରକଳି ତୁଟିଛି। ପରିଶେଷରେ କବି ତାହାର ବର୍ଣ୍ଣନା କରି କହିଛନ୍ତି- “ତିନି ମୂର୍ତ୍ତି ସେ ଯେ ସିଂହାସନେ ବିଜେ କଲେକ ଆନନ୍ଦ ହୋଇ। /ବାମେ ବଳଭଦ୍ର ମଧ୍ୟରେ ସୁଭଦ୍ରା ଡାହାଣେ କମଳାସାଇଁ, /ସେ ହରି, ଧୂପ ଦୀପ ନଇବେଦ୍ୟ କରି ସେ। /ଲୋକେ ଶରଣ ଯାନ୍ତି ଫୁକାରି ସେ। /ସର୍ବ ଘଟରେ ଅଛନ୍ତି ପୂରି ସେ।” ଏହି ହେଉଛି ଲକ୍ଷ୍ମୀ-ନାରାୟଣ ବଚନିକାଗୁଡ଼ିକର ଚିରାଚରିତ ଛାଞ୍ଚ। ନିଜନିଜର କଳ୍ପନାମତେ କବିମାନେ ଏହି ଅନୁସାରେ ହିଁ ଏ ଘରକଳିକୁ ଗଢ଼ିଛନ୍ତି। ବିପ୍ର ରାମ ଦାସ ତାଙ୍କ ‘ଗୁଣ୍ଡିଚା ବସନ୍ତ’ରେ ଏହାର ବର୍ଣ୍ଣନା କରି କହିଛନ୍ତି- ଜଗନ୍ନାଥ ଲକ୍ଷ୍ମୀଙ୍କ ପାଇଁ ଯାତ୍ରାରୁ ‘ଚିତ୍ରମେଘୀ ପାଟ’ ଆଣି ଆସିଛନ୍ତି। ତଥାପି କିନ୍ତୁ ଲକ୍ଷ୍ମୀ ‘କୋପେ ପ୍ରଚଣ୍ଡ ପ୍ରଖର’ ହୋଇ କହିଛନ୍ତି- “ଏ ତ ତୁମ୍ଭର ପୁର ନୁହେଁ; ବାଟବଣା ହୋଇ କାହିଁକି ଏଠାକୁ ଆସିଛ? ତୁମ ମୁହଁକୁ କ’ଣ ଲାଜ ନାହିଁ? ଭଉଣୀକୁ ନେଇ, ସେହି ଏକାନ୍ତ ଭୂମି, ସେ ବାଲି ନବରରେ ଯାଇ ରୁହ!” କିନ୍ତୁ ଏହି ପ୍ରଚଣ୍ଡ, ପ୍ରଖର କୋପ ବି ପରିଶେଷରେ ଶାନ୍ତ ହୋଇଛି। ଲକ୍ଷ୍ମୀ କହିଛନ୍ତି- “ମୋତେ ତ ସାଙ୍ଗରେ ନନେଇ ଚାଲିଗଲ! କିନ୍ତୁ ଏ ନବଦିନ ମୋର ନୟନର ନୀରରେ ଭୂମି କେତେ ତିନ୍ତିଛି!” ତାହା ଶୁଣି ଜଗନ୍ନାଥ କହିଛନ୍ତି- “ନଜାଣିବା ପଣରେ ଛାଡ଼ି ଚାଲିଯାଇଥିବାରୁ, ଏ ଦୋଷ ଆମ୍ଭେ ସ୍ୱୀକାର କରୁଛୁ।” ଏହା ଫଳରେ ଘଟଣାର ମଧୁର ଅନ୍ତ ଘଟିଛି।

ବିପ୍ର ରାମ ଦାସଙ୍କ ପରି, ବିପ୍ର କାଶୀ ଦାସଙ୍କ ‘ଗୁଣ୍ଡିଚାବିଜେ’ ବି ଏହାର ବ୍ୟତିକ୍ରମ ନୁହେଁ। ସେଥିରେ ବି ଅଛି ‘ଲକ୍ଷ୍ମୀ ନାରାୟଣ ଭେଟ ଓ ବଚନିକା’। ଗୁଣ୍ଡିଚାଯାତ୍ରାରେ ସାଙ୍ଗରେ ନେଇ ନଥିବାରୁ, ସେଥିରେ ବି ବର୍ଣ୍ଣିତ ଅଛି ଲକ୍ଷ୍ମୀଙ୍କର ଅଭିଯୋଗ ଓ ଅଭିମାନ। ବିବାହ ସମୟରେ ଜଗନ୍ନାଥ କରିଥିବା ସତ୍ୟ କଥା ସ୍ମରଣ କରାଇଦେଇ ଦାସୀ ମୁଖରେ ସେ କହିଛନ୍ତି- “ବରୁଣ ନବରେ ବିଭାର କାଳେ /ସତ୍ୟ କଲ ହସ୍ତଯୋଡ଼ାଣ ବେଳେ। /ଲକ୍ଷ୍ମୀଙ୍କି ମୋର କ୍ଷଣେ ନଛାଡ଼ିବି/ଲକ୍ଷେ ଦୋଷ କଲେ କ୍ଷମା କରିବି/କରିଅଛ ସତ୍ୟ, /ସତ୍ୟ ଭଗ୍ନ ହେଲା ଶ୍ରୀଜଗନ୍ନାଥ।” ଫଳରେ ଜଗନ୍ନାଥ ଦାସୀଙ୍କୁ ‘ଲକ୍ଷେକ ଧନ’ ଦେଇ କହିଛନ୍ତି- “ଲୋ ଦାସୀଏ, ଶୁଣ! ଅପାର ରାତ୍ର ହେଲାଣି। ମୋର ସେବକମାନେ ବାହାରେ ବର୍ଷାରେ ତିନ୍ତୁଛନ୍ତି। ତୁମ୍ଭ ଠାକୁରାଣୀଙ୍କ ଛାମୁରେ ଯାଇ ଜଣାଇ, ଦ୍ୱାର ଫେଡ଼ିଦିଅ!” ଫଳରେ ଦାସୀ ଚଞ୍ଚଳା ଓ ବିମଳା ଯାଇ ସିନ୍ଧୁନନ୍ଦିନୀଙ୍କ ଛାମୁରେ ଜଣାଇଛନ୍ତି ଏବଂ ଲକ୍ଷ୍ମୀ ଅତ୍ୟନ୍ତ ଆବେଗସ୍ପନ୍ଦିତ ହୃଦୟରେ, ଦ୍ୱାର ଖୋଲିଦେବାକୁ ଦାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାହାର ସୁନ୍ଦର ବର୍ଣ୍ଣନା କରି ବିପ୍ର କାଶୀ ଦାସ କହିଛନ୍ତି- “ଶୁଣି ଦେବୀ ସଖି ମୁଖକୁ ଚାହିଁ। / ଦେହ ପୁଲକ ଅଶ୍ରୁଜଳ ବହି। /ଗଦଗଦ ବାଣୀ କହି ଉତ୍ତର।/ଅଇଲେ ଯେବେ ମୋ ପ୍ରାଣ ଈଶ୍ୱର। /ଦାସୀ, ଯାଅ ବହନ; ଫେଡ଼ କବାଟ ଆସନ୍ତୁ ବହନ।” ଆହୁରି ମଧ୍ୟ ସେ କହିଛନ୍ତି- “ଆମ୍ଭେ ନ ଜାଣିଲା ପ୍ରାୟେକ ହୋଉ/ଫେଡ଼ କବାଟ ଆସ ମହାବାହୁ। /ସେହି ଆମ୍ଭର ଜୀବର ଜୀବନ/ବେଗେ ଆଣ ମୋର ବେଶ ବେଶାନ। /ଦାସୀ ଫେଡ଼ ବହନ, /ରଙ୍ଗାଧରଙ୍କୁ କରିବା ଦ୍ରଶନ।” ଫଳରେ ଦାସୀଏ ଯାଇ କବାଟ ଫେଡ଼ି ଦେଇଛନ୍ତି। କବିଙ୍କ ଅନୁସାରେ, ସେହି ‘ବିଚ୍ଛେଦରସ’ର ଇତି ଆନନ୍ଦରେ ହୋଇଛି। ତାହାର ବର୍ଣ୍ଣନା କରି କବି କହିଛନ୍ତି- “ଆଜ୍ଞା ପାଇ ଦାସୀ ଫେଡ଼ିଲେ ଦ୍ୱାର/ହରି ଶବଦ ଶୁଭେ ନିରନ୍ତର। /ଶୋଭା ଦିଶିଲା ଶ୍ରୀମୁଖ ମଣ୍ଡଳ/ ମନ ହରଷେ ବହେ ଅଶ୍ରୁଜଳ। /କେ କହିବ ରସ, / କରି ନୁହଇ ଭାଷାରେ ପ୍ରକାଶ।”

କବି ଦୀନ ହୀନମତିଙ୍କ ‘ଯାତ୍ରା କଦମ୍ବ’ର ବର୍ଣ୍ଣନା ଏ ପ୍ରସଙ୍ଗରେ ଆହୁରି ରୋଚକ। ଏହି ରଚନାଟି ଅପ୍ରକାଶିତ ଥାଇ, ସଂପ୍ରତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ‘କବିକଣ୍ଠେ ଲକ୍ଷ୍ମୀନାରାୟଣ ବଚନିକା’ରେ ସଂକଳିତ ହୋଇଛି। ନୀଳାଦ୍ରିବିଜେ ସମୟରେ ଶ୍ରୀମନ୍ଦିରର ଦ୍ୱାର ରୁଦ୍ଧ ଥିବା ଦେଖି, ଲକ୍ଷ୍ମୀଙ୍କୁ କହି ତାହା ଉନ୍ମୁକ୍ତ କରିଦେବାକୁ ଦାସୀଙ୍କୁ କହିଛନ୍ତି ଜଗନ୍ନାଥ। କିନ୍ତୁ ଦାସୀଏ ତାଙ୍କୁ କହିଛନ୍ତି, ଏହା ତ ବିରହିଣୀପୁର; ଏହା ଲୋତକରେ ପରିପୂର୍ଣ୍ଣ; ଏଠାକୁ କାହିଁକି ଆସିଛ? ତୁମର ସେହି ଗୁଣ୍ଡିଚା ମନ୍ଦିରକୁ ଫେରିଯାଅ- “ଗୁଣ୍ଡିଚା ଘର ତୁମ୍ଭର ଅଟଇ ସିନା ମନ୍ଦିର / ଯହିଁ ନାନା ପରିମଳ ଠୁଳ ହୋଇଛି, / ତେତିଶକୋଟି ଦେବତାମାନଙ୍କ ସବୁ ବନିତା / ଯେଉଁଠାରେ ମେଳ, ଚଳ ସେଠାକୁ ପୁଚ୍ଛି। / ଏତ ବିରହିଣୀ ମନ୍ଦିର / ପୂର୍ଣ୍ଣ ହୋଇଅଛି ନେତ୍ର ସଲିଳ ପୁର।” କିନ୍ତୁ ତାହା ଶୁଣି ଜଗନ୍ନାଥ ଦାସୀଙ୍କୁ କହିଛନ୍ତି- “ଲକ୍ଷ୍ମୀ ମୋର ନିତ୍ୟଶକ୍ତି; ମୋର ହୃଦୟରେ ହିଁ ତାଙ୍କର ସ୍ଥିତି। ତାଙ୍କୁ ଯାଇ କୁହ, ସେ କୃପା କରନ୍ତୁ! ସେ ହରଷ ହେଲେ ସ୍ନେହ ବଢ଼ିବ। ଏଇଥିପାଇଁ ତ ଏହି ଗୁଣ୍ଡିଚା ଉତ୍ସବ!” ତାହା ଶୁଣି ଦାସୀ ହରିପ୍ରିୟା ଯାଇ ଲକ୍ଷ୍ମୀଙ୍କ ଛାମୁରେ ତାହା ଜଣାଇଛି ଏବଂ ଲକ୍ଷ୍ମୀ ରୋଷ ତେଜି କହିଛନ୍ତି- “ଲୋ ଦାସୀଏ! ପ୍ରଭୁ କେତେବେଳ ହେଲା ଆସି ଦ୍ୱାରରେ ରହିଛନ୍ତି; ତାଙ୍କୁ ବେଗେ ବିଜେ କରାଅ!” ଦାସୀମାନେ ତକ୍ଷଣେ ଦ୍ୱାର ଫିଟାଇଦେଇ, ନାନା ଦ୍ରବ୍ୟ ଉପହାର ରୂପେ ପାଇଛନ୍ତି।

ଏହି ମିଳନାନ୍ତକ ଦୃଶ୍ୟର ବର୍ଣ୍ଣନା କରି କବି ଦୀନ ହୀନମତି କହିଛନ୍ତି- “ତହୁଁ ଭିତରକୁ ବିଜେ କଲେ ପ୍ରଭୁ ଦେବରାଜେ / ନାନା ପରିବନ୍ଧେ ବାଜେ ବାଦିତ୍ର ଶ୍ରେଣୀ, /ଉଛୁଳିଲା ସୁଖସିନ୍ଧୁ ଦରଶନେ ଭବବନ୍ଧୁ/ତରିଗଲେ ଭଲେ ନାନା ଅଧମ ପ୍ରାଣୀ।” ଏହାପରେ ଶ୍ରୀଜଗନ୍ନାଥ ଯାଇ ରତ୍ନସିଂହାସନରେ ବିଜେ କରିଛନ୍ତି। ବିଧି ଅନୁସାରେ, ଠାକୁରମାନଙ୍କର ବଡ଼ସିଂହାର ବେଶ, ଭୋଗ ଓ ପହୁଡ଼ ଆଦି ନୀତି ବଢ଼ିଛି। ଦେବତାମାନେ ତାହା ଦର୍ଶନ କରି ବିଦାୟ ନେଇଛନ୍ତି। ଜଗନ୍ନାଥଙ୍କ ଅଙ୍ଗ ଅବଶ ଥିବାରୁ ସିନ୍ଧୁସୁତା ତାଙ୍କର ସେବା ବି କରିଛନ୍ତି। ଏହାର ବର୍ଣ୍ଣନା କରି ‘ଯାତ୍ରା କଦମ୍ବ’ର କବି ପରିଶେଷରେ କହିଛନ୍ତି- “ନାନା କଉତୁକ ରସେ ମଧୁର ରସ ପରଶେ/ଅନ୍ତରଙ୍ଗ କଥାମାନ ପ୍ରିୟାକୁ ଭାଷି/ଅତନୁ ସଭବ ଲୀଳା ବଢ଼ାଇଣ ଚକାଡୋଳା/ପହୁଡ଼ିଲେ ସଙ୍ଗେ ଘେନି ପ୍ରାଣ ପ୍ରେୟସୀ।” କବିଙ୍କ ଅନୁସାରେ, “ଶ୍ରୀଜଗନ୍ନାଥଙ୍କର ଏହି ଗୁଣ୍ଡିଚା ଉତ୍ସବ ଏକ ସିନ୍ଧୁ ତୁଲ୍ୟ ଏବଂ ଏହି ବଚନିକା ସେଥିରୁ ବିନ୍ଦୁଏ ମାତ୍ର!” କିନ୍ତୁ ବଚନିକାର ଏହି ବିନ୍ଦୁଟିମାନ କେତେ ବିଚିତ୍ରବର୍ଣ୍ଣା ସତରେ!
ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର