ଲୋକେ ବଞ୍ଚିବେ କେମିତି?

ଅରଣ୍ୟ ରୋଦନ - ବସନ୍ତ ଦାସ

ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରୀ ଉଦ୍ୟମ ପର୍ଯ୍ୟାପ୍ତ ନ ହେବାରୁ ଅନେକେ ନିଜ ଉଦ୍ୟମରେ ଘରକୁ ଫେରିବାକୁ ପ୍ରଚେଷ୍ଟା କଲେ। କିଏ ନିଜର ସର୍ବସ୍ବ ବିକି ଡଙ୍ଗା କିଣି ସମୁଦ୍ର ପଥରେ ଜୀବନକୁ ବାଜି ଲଗାଇ ଫେରିଲେ। ଆଉ କେହି କେହି ସାଇକେଲ ଯୋଗେ କିମ୍ବା ଚାଲି ଚାଲି ଦୀର୍ଘ ପଥ ଅତିକ୍ରମ କଲେ। ରାସ୍ତାରେ ସେମାନଙ୍କର ସେହି କରୁଣ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା

ଗତ କେତେମାସ ହେଲା ଓଡ଼ିଶାବାସୀ କରୋନା ମହାମାରୀ ଦ୍ବାରା ପ୍ରପୀଡ଼ିତ ହେଉଥିଲା ବେଳେ ଅମ୍ଫାନ ବାତ୍ୟା ରାଜ୍ୟର କେତେକ ଅଞ୍ଚଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ତକୁ ଦୋହଲାଇ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରି ବାତ୍ୟାଗ୍ରସ୍ତ ଲୋକଙ୍କ ରିଲିଫ ଓ ଥଇଥାନ ଉଦ୍ଦେଶ୍ୟରେ ପ୍ରଥମ କିସ୍ତିରେ ପାଞ୍ଚ ଶହ କୋଟିର କେନ୍ଦ୍ରୀୟ ସାହାଯ୍ୟ ଘୋଷଣା କରିବା ସହିତ କ୍ଷୟକ୍ଷତି ସମ୍ପର୍କରେ ଚୂଡାନ୍ତ ଆକଳନ ପରେ କେନ୍ଦ୍ର ସରକାର ଅଧିକ ଅର୍ଥ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ମଧୢ ଦେଇଛନ୍ତି। ଏହି ଅର୍ଥ ହୁଏତ କିଛି ପରିମାଣରେ ବାତ୍ୟାଞ୍ଚଳ ଲୋକଙ୍କ ଅଣ୍ଟା ସଳଖିବାରେ ସହାୟକ ହୋଇପାରେ। କିନ୍ତୁ ଯେଉଁମାନେ କରୋନାଜନିତ ପରିସ୍ଥିତି ଯୋଗୁ ଜୀବିକା ହରାଇ ବାସଚ୍ୟୁତ ହୋଇଛନ୍ତି, ସେମାନେ ବଞ୍ଚିବେ କେମିତି ତାହା ହିଁ ଆଜି ବଡ଼ ସମସ୍ୟା ସୃଷ୍ଟି କରିଛି।

ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ଦୁଇ ହଜାର ସାତ ଶହରୁ ଅଧିକ ହେଲାଣି। ପ୍ରତିଦିନ ଆକ୍ରାନ୍ତଙ୍କ ସ˚ଖ୍ୟା ଯେଭଳି ବଢ଼ୁଛି ସେଥିରେ ଏହି ସ˚ଖ୍ୟା କୋଉଠି ପହଞ୍ଚିବ ସେକଥା କଳନା କରାଯାଇ ପାରୁନାହିଁ। ଇତି ମଧୢରେ ଦୁଇ ଲକ୍ଷରୁ ଅଧିକ ଓଡ଼ିଆ ପ୍ରବାସୀ ଜୀବିକା ହରାଇ ଆମ ରାଜ୍ୟକୁ ଫେରି ଆସିଲେଣି। ଜନ୍ମମାଟିକୁ ଫେରିବା ପାଇଁ ପନ୍ଦର ଲକ୍ଷ ପ୍ରବାସୀ ସେମାନଙ୍କ ନାମ ପଞ୍ଜିକୃତ କରିଥିବାର ଖବର ମିଳିଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଅଣପଞ୍ଜିକୃତ ପ୍ରବାସୀ ରହିଛନ୍ତି ଯେଉଁମାନଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ। ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାରୀ ଉଦ୍ୟମ ପର୍ଯ୍ୟାପ୍ତ ନ ହେବାରୁ ଅନେକେ ନିଜ ଉଦ୍ୟମରେ ଘରକୁ ଫେରିବାକୁ ପ୍ରଚେଷ୍ଟା କଲେ। କିଏ ନିଜର ସର୍ବସ୍ବ ବିକି ଡଙ୍ଗା କିଣି ସମୁଦ୍ର ପଥରେ ଜୀବନକୁ ବାଜି ଲଗାଇ ଫେରିଲେ। ଆଉ କେହି କେହି ସାଇକେଲ ଯୋଗେ କିମ୍ବା ଚାଲି ଚାଲି ଦୀର୍ଘ ପଥ ଅତିକ୍ରମ କଲେ। ରାସ୍ତାରେ ସେମାନଙ୍କର ସେହି କରୁଣ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ମା’ମାନେ ଶିଶୁ ପୁତ୍ରକୁ କୋଳରେ ଧରି ଚାଲି ଚାଲି ଆସୁଥିଲା ବେଳେ ବାଟରେ ସେମାନଙ୍କୁ ପିଇବା ପାଇଁ ପାଣି ଢୋକେ ମିଳିଲା ନାହିଁ କିମ୍ବା କୋଳରେ ଥିବା ପିଲାକୁ ବିସ୍କୁଟ ଖଣ୍ତେ ଦେବା ସମ୍ଭବ ହେଲା ନାହିଁ। ଅଧାବାଟରେ କେତେଜଣଙ୍କର ମୃତ୍ୟୁ ଘଟିଥିବା ସମ୍ପର୍କରେ ମଧୢ ଖବର ମିଳିଛି। ଦେଶ ସ୍ବାଧୀନ ହେବାର ତେସ୍ତରି ବର୍ଷ ପରେ ଏପରି ଘଟଣା ନିଶ୍ଚିତ ଭାବରେ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ।

ସରକାରୀ ଘୋଷିତ ନୀତି ଅନୁଯାୟୀ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସେମାନଙ୍କ ଗ୍ରାମ ନିକଟରେ କ୍ବାରେଣ୍ଟାଇନ ହୋମ୍‌ରେ ରଖାଯାଇ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗାଁ ଗହଳରେ କରୋନା ସ˚କ୍ରମଣକୁ ରୋକିବା ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ବୋଲି କୁହାଯାଇପାରେ। କ୍ବାରେଣ୍ଟାଇନ ହୋମ୍‌ରେ ରହିବା ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଦିନକୁ ଶହେ କୋଡ଼ିଏ ଟଙ୍କାର ବ୍ୟବସ୍ଥା କରାଯାଇଛି। ମାତ୍ର କେତେକ କ୍ଷେତ୍ରରେ ଏହି ଅର୍ଥ ବାଟମାରଣା ହେଉଥିବାର ଖବର ମିଳୁଛି। କୋଉଠି ଅନ୍ତେବାସୀମାନଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବାର ଅଭିଯୋଗ ହେଉଛି ତ ଆଉ କୋଉଠି ସର୍ବନିମ୍ନ ଶୋଇବା ପାଇଁ ଖଟ, ନିତ୍ୟକର୍ମ ସାରିବା ପାଇଁ ଶୌଚାଳୟ ନ ଥିବା ସମ୍ପର୍କରେ ଅଭିଯୋଗ ଶୁଣାଯାଉଛି। ଚିରାଚରିତ ପ୍ରଥାରେ ସମ୍ପୃକ୍ତ ପଦାଧିକାରୀମାନେ ଏସବୁ ଅଭିଯୋଗକୁ ଖଣ୍ତନ କରୁଥିଲେ ହେଁ ସତ୍ୟକୁ ଘୋଡ଼େଇ ପାରୁନାହାନ୍ତି। ଗୋଟିଏ ଦୁଇଟି ସ୍ଥାନରେ ପ୍ରଶାସକମାନେ ପ୍ରବାସୀମାନଙ୍କ ପ୍ରତି ଅଶାଳୀନ ଭାଷା ପ୍ରୟୋଗ ସହିତ ସେମାନଙ୍କ ପ୍ରତି ଦୁର୍ବ୍ୟବହାର କରିଥିବାର ଭିଡ଼ିଓ ଭାଇରାଲ ହୋଇଛି। କରୋନା ଜନିତ ପରିସ୍ଥିତିରେ ଜୀବିକା ଓ ବାସସ୍ଥାନ ହରାଇ ନିଜ ଜନ୍ମମାଟିକୁ ଫେରୁଥିବା ଲୋକେ ଆମ ରାଜ୍ୟର ଅଧିବାସୀ। ସ୍ବାଭିମାନର ସହିତ ବଞ୍ଚି ରହିବା ପାଇଁ ସେମାନଙ୍କର ଜନ୍ମଗତ ଅଧିକାର ରହିଛି। କ୍ଷମତା ଓ ପଦ ବଳରେ ବଳୀୟାନ ପଦାଧିକାରୀମାନେ ଏପରି ଏକ ବାସ୍ତବ ସତ୍ୟକୁ ଭୁଲିଯିବା ଉଚିତ ନୁହେଁ।

କରୋନା ଜନିତ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କୋଡ଼ିଏ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ସେଥି ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାଞ୍ଚ ଦିନ ଧରି ଏହି ଅର୍ଥର ଆବଣ୍ଟନ ସମ୍ପର୍କରେ ଦୀର୍ଘ ସୂଚନା ଦେଇଛନ୍ତି। ମାତ୍ର ଏହି ଅର୍ଥରୁ କୋଉ ରାଜ୍ୟକୁ କେତେ ମିଳିବ ଓ ସେଥିରୁ କେତେ ପରିମାଣରେ ଋଣ ଓ କେତେ ପରିମାଣରେ ଅନୁଦାନ, ସେକଥା ସ୍ପଷ୍ଟ ହୋଇନାହିଁ। ତା’ଛଡ଼ା ଏହି ଅର୍ଥ କେଉଁମାନଙ୍କୁ ଓ କିପରି ଭାବରେ ଦିଆଯିବ ସେକଥା ମଧୢ ଅସ୍ପଷ୍ଟ ରହିଛି। ଏ ସମ୍ପର୍କରେ ଅଖିଳ ଭାରତ କ˚ଗ୍ରେସ କମିଟିର ସଭାନେତ୍ରୀ ସୋନିଆ ଗାନ୍ଧୀ ‘ଏପରି ପ୍ୟାକେଜ ଦେଶବାସୀଙ୍କ ପ୍ରତି କ୍ରୂର ପରିହାସ’ ବୋଲି ଯାହା କହିଛନ୍ତି ତା’ର ଯଥାର୍ଥତା ଥିଲା ଭଳି ମନେ ହୁଏ। ପୂର୍ବରୁ ଶ୍ରୀମତୀ ଗାନ୍ଧୀ, ସରକାର ସୁଧଖୋର ନ ହୋଇ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରିଥିଲେ।

ଆମ ରାଜ୍ୟରେ ଲୋକମାନଙ୍କର ମନସ୍ତାତ୍ତ୍ବିକ ସ୍ଥିତି ଯାହା, ସେଥିରେ ନିତାନ୍ତ ବିପଦରେ ନ ପଡ଼ିଲେ କେହି ଋଣ କରିବା ପାଇଁ ଗ୍ରାମ୍ୟ ମହାଜନ କିମ୍ବା ବ୍ୟାଙ୍କ୍‌ର ଦ୍ବାରସ୍ଥ ହେବାକୁ ଚାହିଁ ନ ଥାନ୍ତି। ଏପରି ଋଣ କରି ଠିକ୍‌ ସମୟରେ ଶୁଝି ନ ପାରି ଆମ ରାଜ୍ୟରେ ଶତାଧିକ ଚାଷୀ ଆତ୍ମହତ୍ୟା କରିଥିବାର ଦୃଷ୍ଟାନ୍ତ ଆମ ଆଗରେ ରହିଛି। ତା’ଛଡ଼ା ସମ୍ବଳହୀନ ବ୍ୟକ୍ତିମାନଙ୍କୁ କ’ଣ ବ୍ୟାଙ୍କ୍‌ମାନେ ବିନା ବନ୍ଧକରେ ଋଣ ଯୋଗେଇ ଦେବେ? ବ୍ୟାଙ୍କ୍‌ରୁ ଋଣ ପାଇବା କ’ଣ ଏତେ ସହଜ ବ୍ୟାପାର? କେନ୍ଦ୍ର ସରକାର ଲୋକଙ୍କ ପାଇଁ ଯୋଉ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି, ନାଲିଫିତା ଟପି ତାହା ସେମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ ବଞ୍ଚି ରହିଥିବେ ତ?

ବର୍ତ୍ତମାନ ସ୍ଥିତିରେ ଋଣ ଯୋଗାଇବା ଅପେକ୍ଷା ଜୀବିକା ହରାଇଥିବା ଲୋକଙ୍କୁ କର୍ମସ˚ସ୍ଥାନ ଯୋଗାଇ ଦେବାର ଅଧିକ ଆବଶ୍ୟକତା ଦେଖାଦେଇଛି। ରାଜ୍ୟ ସରକାର ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ମାଧୢମରେ ଲୋକମାନଙ୍କୁ କାମରେ ଲଗାଇବାର ବ୍ୟବସ୍ଥା କରିଛନ୍ତି। ହେଲେ ସମସ୍ୟା ସମାଧାନ ପାଇଁ ଏହା ଯଥେଷ୍ଟ ନୁହେଁ। କାରଣ, ଯେଉଁମାନେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ କଳ କାରଖାନାରେ କାମ କରି ଗୁଜୁରାଣ ମେଣ୍ଟୋଉଥିଲେ, ସେମାନେ ସମସ୍ତେ କୁଲି, ମୁଲିଆ ନୁହନ୍ତି। ସେମାନେ ଅର୍ଧ କୁଶଳୀ, କୁଶଳୀ କିମ୍ବା ଅତି କୁଶଳୀ ଶ୍ରେଣୀଭୁକ୍ତ ଶ୍ରମିକ। ସେମାନଙ୍କ ପକ୍ଷରେ ମାଟି ବୋହିବା ହୁଏତ ସମ୍ଭବ ହୋଇ ନ ପାରେ। ଏବେ ମନରେଗା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଦୁର୍ନୀତିର ଅଭିଯୋଗ ଶୁଣାଗଲାଣି। କେଉଁ କେଉଁ ସ୍ଥାନରେ ଶ୍ରମିକମାନଙ୍କୁ ସେମାନଙ୍କ ଉପଯୁକ୍ତ ପାଉଣା ମିଳୁ ନାହିଁ ତ ଆଉ କୋଉଠି କାମ ନ କରି କେବଳ ଫଳକ ମାରି ଦେଉଥିବାର ଖବର ସମ୍ବାଦପତ୍ରରେ ଦେଖିବାକୁ ମିଳିଲାଣି। ଏସବୁ ଅଭିଯୋଗ ତଦନ୍ତ ସାପେକ୍ଷ।

ସମସ୍ତ ପ୍ରକାର ପ୍ରଚାର, ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଭୋଜନ, ମାଗଣାରେ ଛତା, ଜୋତା, ମୋବାଇଲ, ‘କାଳିଆ’ ଓ ‘ପିଠା’ ମାଧୢମରେ ଆର୍ଥିକ ସାହାଯ୍ୟ ସତ୍ତ୍ବେ ଆମ ରାଜ୍ୟର ପନ୍ଦର ଲକ୍ଷରୁ ଅଧିକ ଲୋକ ଯେ ପେଟ ପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ ସେ କଥା କରୋନା ମହାମାରୀ ହୋଇ ନ ଥିଲେ ହୁଏତ ଜଣା ପଡ଼ିନଥାନ୍ତା। ଏବେ ସେମାନେ କେମିତି ବଞ୍ଚିବେ ଓ ସେମାନଙ୍କ ପାଇଁ କ’ଣ କର୍ମସ˚ସ୍ଥାନ କରାଯାଇ ପାରିବ, ସେ କଥା ରାଜ୍ୟ ସରକାରଙ୍କର ପ୍ରଥମ କାମ ହେବା ଦରକାର।

ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ଶେଷ ହେଉଥିଲେ ହେଁ ରାଜ୍ୟରେ ଏ ପର୍ଯ୍ୟନ୍ତ ସ୍ବାଭାବିକ ସ୍ଥିତି ଫେରି ନାହିଁ। ସହର ବଜାରରେ ହୋଟେଲ, ରେଷ୍ଟୁରାଣ୍ଟ, ସିନେମାହଲ୍‌, ମଲ୍‌ ଓ ସାଧାରଣ ମାର୍କେଟ୍‌ ଦୀର୍ଘ ଅଢ଼େଇ ମାସରୁ ଅଧିକ କାଳ ହେଲା ବନ୍ଦ ରହିବା ଫଳରେ ଲକ୍ଷାଧିକ ଲୋକଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଘରେ ଯାହା ସାମାନ୍ୟ ସଞ୍ଚିତ ଅର୍ଥ ଥିଲା, ତାହା ଶେଷ ହୋଇ ଆସିଲାଣି। ସେ ସବୁ କେବେ ଖୋଲିବ ସେ ନେଇ କୌଣସି ନିଶ୍ଚିତତା ନାହିଁ। ସେହି ଭଳି ଅନେକ ଦିନ ଧରି ଚାଲିଥିବା ସ˚ଧୢା ‘କର୍ଫ୍ୟୁ’ ଅନେକ ଲୋକଙ୍କ ବ୍ୟବସାୟରେ ବାଧା ଆଣିଛି।

ରାଜ୍ୟବାସୀ ଦୁଇ ଦୁଇଟି ବିପର୍ଯ୍ୟୟରେ ଘାଣ୍ଟି ହେଉଥିଲା ବେଳେ ସାଧାରଣ କ୍ଷେତ୍ରରେ ଜନପ୍ରତିନିଧି ମାନଙ୍କର ଦେଖାମିଳୁନାହିଁ। ସେମାନଙ୍କ ସ୍ଥାନରେ ପ୍ରଶାସକମାନେ ସବୁ କଥା ଚଳାଉଛନ୍ତି। ସେମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟବୋଧ ନିଶ୍ଚିତ ଭାବରେ ପ୍ରଶ˚ସନୀୟ। ମାତ୍ର ଲୋକଙ୍କ ଦୁର୍ଗତି ସମୟରେ ସେମାନଙ୍କ ପ୍ରତିନିଧିମାନଙ୍କର ‘ଅଜ୍ଞାତବାସ’ ଗଣତନ୍ତ୍ର ପ୍ରତି ଏକ ଉପହାସ ବୋଲି ରାଜନୀତି ବିଶାରଦମାନେ ବିଚାରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଲୋକେ କେମିତି ବଞ୍ଚିବେ, ସ୍ଥାଣୁ ପାଲଟି ଯାଇଥିବା ଅର୍ଥନୀତି କିପରି ପୁଣି ଥରେ ପୂର୍ବାବସ୍ଥାକୁ ଫେରିବ, ସେ ଦିଗରେ ଜନପ୍ରତିନିଧି ଓ ପ୍ରଶାସକମାନେ ମିଳିତ ଭାବରେ ଖସଡ଼ା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। କରୋନା ସ˚କ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେବା ଯେତିକି ଦରକାର, ଭୋକିଲା ଲୋକଙ୍କ ମୁହଁରେ ଦାନା ଦେବା ତା’ ଠାରୁ ଅଧିକ ଆବଶ୍ୟକ; ସେକଥା କେହି ଭୁଲିଯିବା ଉଚିତ ନୁହେଁ।

ମୋ: ୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର