ଗାଣତନ୍ତ୍ରିକ ବ୍ୟବସ୍ଥାରେ ଉପନିର୍ବାଚନର ଫଳାଫଳ ସବୁବେଳେ ଶିକ୍ଷଣୀୟ ହୋଇଥାଏ। ବିଜେପୁରରେ ବିଜେଡିର ବିପୁଳ ବିଜୟ ରାଜନୈତିକ ଦଳଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ବାର୍ତ୍ତା ଦେଉଛି। ମାତ୍ର ଛଅ ମାସ ତଳେ ଓଡ଼ିଶାର ଜନସାଧାରଣ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ପାଇଁ ଓଡ଼ିଶାର ଶାସନ ଦାୟିତ୍ବ ଦେଇଥିଲେ। ଛଅମାସ ପରେ ବିଜେପୁରର ଉପନିର୍ବାଚନ ସମୟରେ ଯେଉଁ ପ୍ରଶ୍ନଗୁଡ଼ିକ ସାଧାରଣ ଜନତାର ମନକୁ ଆନ୍ଦୋଳିତ କରୁଥିଲା ସେଗୁଡ଼ିକର ଉପଯୁକ୍ତ ଉତ୍ତର ମିଳିଛି ବୋଲି ନିର୍ବାଚନର ଫଳାଫଳରୁ ଅନୁମାନ କରାଯାଇପାରେ। ନବୀନଙ୍କ ନେତୃତ୍ବ ଓ କାର୍ଯ୍ୟକ୍ରମକୁ ବିଜେପୁରବାସୀ ପୁଣି ସ୍ବୀକୃତି ଦେଇଛନ୍ତି। ଏଥର ବିଜେପୁରର ବିଜୟ ବ୍ୟବଧାନ ତାଙ୍କର କଠୋର ସମାଲୋଚକ ଓ ରାଜନୈତିକ ଶତ୍ରୁମାନଙ୍କୁ ମଧ୍ୟ ଚକିତ କରିଛି ଏବଂ ଅନୁରୂପ ସ୍ବୀକୃତି ଦେବାପାଇଁ ବାଧ୍ୟ କରିଛି। ଲକ୍ଷ୍ୟ କରିବାର କଥା, ବିଜେପୁରବାସୀ ଗତ ୨୦ ମାସ ମଧ୍ୟରେ ନିୟମିତ ବ୍ୟବଧାନରେ ତିନିଟି ନିର୍ବାଚନରେ ଭାଗ ନେଲେଣି। ସେଥିପାଇଁ ଏହି ନିର୍ବାଚନରେ ବିଜେପୁରବାସୀଙ୍କ ଉପରେ ବାରମ୍ବାର ନିର୍ବାଚନ ଲଦି ଦିଆ ଯାଉଥିବାର ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀ ବିଜେପୁରର ବିକାଶ ଦାୟିତ୍ବ ନିଜେ ନେଇଛନ୍ତି ବୋଲି ପ୍ରତିଶ୍ରୁତି ଦେଇ ସେଥିରୁ ଓହରି ଯାଇଥିବାର ଅଭିଯୋଗ, ପୁଣି ସେହି ରୀତା ସାହୁଙ୍କୁ ଯଦି ପ୍ରାର୍ଥୀ କରିବାର ଥିଲା ତାଙ୍କୁ ମୂଳରୁ ପ୍ରାର୍ଥୀ କରାଇଥିଲେ କ’ଣ କ୍ଷତି ହୋଇଥାନ୍ତା ଆଦି ପ୍ରଶ୍ନ ବିରୋଧୀମାନେ ଉଠାଇଥିଲେ। ନିର୍ବାଚନ ଫଳ ଘୋଷଣା ପରେ ଆଜି ସେ ସବୁ ଅପ୍ରାସଙ୍ଗିକ ମନେହେଉଛି। ଭାରତୀୟ ଜନତା ପାର୍ଟି ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଅତ୍ୟନ୍ତ ଉତ୍ସାହିତ ହୋଇ ଓଡ଼ିଶାେର ବିଜେଡିର ବିକଳ୍ପ ଭାବରେ ନିଜକୁ ଉପସ୍ଥାପିତ କରିଆସୁଥିଲା। ପୁଣି ଗତ ସାଧାରଣ ନିର୍ବାଚନରେ ପଞ୍ଚାୟତ ନିର୍ବାଚନର ସଫଳତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପାଥେୟ କରି ଓଡ଼ିଶାରେ ୧୨୦ ଆସନ ଜିତିବ ବୋଲି ଆସ୍ଫାଳନ କରୁଥିଲା। ଲକ୍ଷ୍ୟ କରିବାର କଥା, ବିଜେପୁର ପାଇଁ ହୋଇଥିବା ଗତ ତିନିଟି ନିର୍ବାଚନରେ ବିଜେଡିର ଜନସମର୍ଥନ କ୍ରମବର୍ଦ୍ଧିଷ୍ଣୁ ଭାବରେ ବଢ଼ି ଚାଲିଥିବା ବେଳେ ବିଜେପିର ଜନାଧାର ସେହି ଅନୁପାତରେ କମିକମି ଚାଲିଛି। ସ୍ବାଭାବିକ ଭାବରେ ସାଧାରଣ ବିଜେପି କର୍ମୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିଛି। କଂଗ୍ରେସ ସମ୍ପର୍କରେ ଏହି ନିର୍ବାଚନକୁ ନେଇ ଯେତେ କମ୍ ଆଲୋଚନା କରାଯିବ ସେତେ ଭଲ। ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ବିଜେପୁରରେ ଏହାର ଜନାଧାର ମଧ୍ୟ କମି କମି ଚାଲିଛି। ତେବେ ହରିୟାଣାରେ କଂଗ୍ରେସର ଅପ୍ରତ୍ୟାଶିତ ଚମତ୍କାର ପ୍ରଦର୍ଶନ ଓଡ଼ିଶାର କଂଗ୍ରେସ ନେତୃମଣ୍ଡଳୀକୁ ନିଶ୍ଚୟ ଆତ୍ମ ସମୀକ୍ଷା କରିବାକୁ ବାଧ୍ୟ କରୁଥିବ।
ସାରା ଭାରତର ୫୦ରୁ ଅଧିକ ଉପନିର୍ବାଚନ ସହିତ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମଧ୍ୟ ଆମ ସମସ୍ତଙ୍କ ପାଇଁ କମ୍ ଶିକ୍ଷଣୀୟ ହୋଇନାହିଁ। ଗତ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ଦେଇ ଭାରତବାସୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଇଥିଲେ। ଏହାକୁ ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଫଳତା, ତାଙ୍କ ନୀତି, ଆଦର୍ଶ ଓ ଯୋଜନା ପ୍ରତି ଭାରତୀୟ ଜନସାଧାରଣଙ୍କର ସମର୍ଥନ ବୋଲି ବିବେଚନା କରାଯାଉଥିଲା। ବିଶେଷକରି ନରେନ୍ଦ୍ର ମୋଦୀଙ୍କର ଘନଘନ ବିଦେଶ ଗସ୍ତ ଓ ଆତଙ୍କବାଦର ପେଣ୍ଠସ୍ଥଳୀ ପାକିସ୍ତାନ ବିରୋଧରେ ତାଙ୍କର ଦୃଢ଼ କାର୍ଯ୍ୟାନୁଷ୍ଠାନ ଭାରତୀୟ ମତଦାତାଙ୍କୁ ପ୍ରଭାବିତ କରିଛି ବୋଲି ମନେ କରାଯାଉଥିଲା। ଦ୍ବିତୀୟଥର ପ୍ରଧାନମନ୍ତ୍ରୀ ହେଲା ପରେ ନରେନ୍ଦ୍ର ମୋଦୀଙ୍କର କଶ୍ମୀର ପ୍ରସଙ୍ଗକୁ ନେଇ ଧାରା ୩୭୦ ଉଚ୍ଛେଦର ଦୁଃସାହସିକ ପଦକ୍ଷେପ ମଧ୍ୟ ଭାରତର ଜନମତକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି କୁହାଯାଉଥିଲା। ମହାରାଷ୍ଟ୍ର ଓ ହରିୟାଣାର ଫଳାଫଳ ଏସବୁକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ପ୍ରମାଣିତ କରି ନଥିଲେ ମଧ୍ୟ ଏ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅର୍ଥନୈତିକ ମାନ୍ଦାବସ୍ଥା, ଚାଷୀଙ୍କ ଦୁରବସ୍ଥା, ଯୁବକମାନଙ୍କର ସର୍ବକାଳୀନ ରେକର୍ଡ ବେକାରି ଆଦି ପ୍ରସଙ୍ଗରୁ ଦୃଷ୍ଟି ହଟାଇବା ପାଇଁ ନରେନ୍ଦ୍ର ମୋଦୀଙ୍କର ବିଦେଶ ନୀତି ଓ ପାକିସ୍ତାନ ବିରୋଧୀ ଆଚରଣ ଓ ଉଚ୍ଚାରଣ ଉଦ୍ଦିଷ୍ଟ ଥିଲା ବୋଲି ଯେଉଁ ସନ୍ଦେହ କିଛି କିଛି ଲୋକ କରୁଥିଲେ ତାହା ଯେ ସମ୍ପୂର୍ଣ୍ଣ ଅମୂଳକ ତାହା ଯୋର୍ ଦେଇ କହି ହେବ ନାହିଁ। ସବୁ ରାଜନୈତିକ ଦଳ ପାଇଁ ଏହି ନିର୍ବାଚନଗୁଡ଼ିକରୁ ଅନେକ ବାର୍ତ୍ତା ମିଳୁଛି। ମୂଳ ବାର୍ତ୍ତାଟି ହେଲା, ରାଜନୀତିରେ ଶେଷ କଥା ବୋଲି କିଛି ନାହିଁ। ଶୋଚନୀୟ ପରାଜୟ ଓ ବିପୁଳ ବିଜୟ କ୍ଷଣସ୍ଥାୟୀ। ତେଣୁ ହତାଶା ଓ ଅହଙ୍କାରର ଏଥିରେ ସ୍ଥାନ ନାହିଁ।
ଶେଷରେ ଆମ ଗଣମାଧ୍ୟମମାନଙ୍କୁ ମଧ୍ୟ ଏହା ଭିନ୍ନ ଏକ ଶିକ୍ଷା ଦେଉଛି। ନରେନ୍ଦ୍ର ମୋଦୀଙ୍କ କ୍ଷମତାକୁ ଆସିବା ପରଠାରୁ ଗଣମାଧ୍ୟମର ଆଚରଣ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଅଛି। ଏହି ନିର୍ବାଚନ ପୂର୍ବରୁ ଏକାଧିକ ଟେଲିଭିଜନ ସଂସ୍ଥା ଜନମତର ପୂର୍ବାନୁମାନ କରିଥିଲେ। ଭୋଟ୍ ଗ୍ରହଣ ପରେ ମଧ୍ୟ ବାହୁଡ଼ା ମତ ସଂଗ୍ରହ କରି ଦଳମାନଙ୍କର ବିଜୟ ସମ୍ଭାବନାର ସୂଚନା ଦେଇଥିଲେ। ଗୋଟିଏ ମାତ୍ର ସଂସ୍ଥାକୁ ଛାଡ଼ିଦେଲେ ପ୍ରାୟ ସମସ୍ତେ ଭାରତୀୟ ଜନତା ପାର୍ଟି ଏକପାଖିଆ ବିଜୟ ହାସଲ କରିବ ବୋଲି କହିଥିଲେ। ଏହା ଆମର ଚରିତ୍ର ନେଇ ପ୍ରଶ୍ନ ଉଠାଉଛି। ତେଣୁ ଆମ୍ଭମାନଙ୍କ ପାଇଁ ଏହି ନିର୍ବାଚନ ମଧ୍ୟ ଶିକ୍ଷଣୀୟ ହୋଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଶ୍ରୀମତୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇବା ବେଳେ ବ୍ୟକ୍ତିଗତ ଭାବେ ମୋର ଟିକେ ମଧୁର ଈର୍ଷା ମଧ୍ୟ ହେଉଛି। ଗତ ନିର୍ବାଚନରେ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାର ଶ୍ରେୟ ମୋତେ ମିଳିଥିଲା। ଏ ରେକର୍ଡ ସେ ମୋଠାରୁ ଛଡ଼ାଇ ନେଲେ। ତାଙ୍କୁ ସେଥିପାଇଁ ଏକ ସୁଯୋଗ୍ୟ ପ୍ରତିଦ୍ବନ୍ଦ୍ବୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।