ବିଜେପୁର ଉପନିର୍ବାଚନ : ବିଜେଡିର ରଣନୀତି ସଫଳ, ବିଦ୍ରୋହୀଙ୍କ ବିରୋଧ ବିଜେପି ପାଇଁ ବିପର୍ଯ୍ୟୟ ଆଣିଲା

ବରଗଡ଼ : ଉପନିର୍ବାଚନ ପାଇଁ ସବୁ ଦଳ ଭିନ୍ନଭିନ୍ନ ରଣନୀତିରେ ଓହ୍ଲାଇଥିଲେ। ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ‘ବିକାଶ’କୁ ଏଜେଣ୍ଡା କରିଥିଲା। ଏହି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଖି ଝଲସିଲା ଭଳି ପ୍ୟାକେଜ୍‌ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୟୀ ହେବା ପରେ ବିଜେପୁର ଆସନ ଛାଡ଼ିଥିଲେ ହେଁ ଦଳ ‘ବିକାଶ’କୁ ପୁନର୍ବାର ପ୍ରସଂଗ କରି ନିର୍ବାଚନ ଲଢ଼ି ମଧୁର ଫଳ ପାଇଛି। ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରୀତା ସାହୁଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ନେଇ ତିନି ବ୍ଲକ ବିଜେପୁର, ବରପାଲି ଏବଂ ଗାଇସିଲାଟ୍‌ରେ ବିରୋଧ ହୋଇଥିଲା। ‌ଦଳୀୟ କର୍ମୀମାନେ ରୀତାଙ୍କୁ ଟିକଟ୍‌ ମିଳିଲେ ବିଦ୍ରୋହ ହେବ ବୋଲି ଚେତାବନୀ ବି ଦେଇଥିଲେ। ଏହାବାଦ ବିଜେଡିରେ ଟିକଟ୍‌ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ଥିଲା। ଟିକଟ୍‌ରୁ ବାଦ୍‌ ପଡ଼ୁଥିବା ଆଶାୟୀ ବିଦ୍ରୋହ କରିବେ ବୋଲି ଚିନ୍ତା ଥିଲା। କିନ୍ତୁ ବିଜେଡି ବିଦ୍ରୋହୀଙ୍କୁ ଚୁପ୍‌ ରଖିବା ସହ ରୀତାଙ୍କୁ ପୁନର୍ବାର ସୁଯୋଗ ଦେଇ ସଫଳ ହୋଇଛି।

ଅପରପକ୍ଷେ ବିଜେପି ଶିବିରରେ ବିଦ୍ରୋହୀମାନେ ଗୋଟିଏ ପରେ ‌େଗାଟିଏ ଝଟ୍‌କା ଦେଇଥିଲେ। ପୂର୍ବତନ ବିଧାୟକ ତଥା ଗତ ଉପନିର୍ବାଚନର ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଦଳ ଛାଡ଼ି ଦେଲେ। ତାଙ୍କ ସମର୍ଥକଙ୍କ ସହ ବିଜେଡି ପାଇଁ ପ୍ରଚାର କଲେ। କିଛି ଦିନ ପରେ ନାରୀନେତ୍ରୀ ଶକୁନ୍ତଳା ମହାପାତ୍ର ମଧ୍ୟ ବିଜେପି ଛାଡ଼ି ବିଜେଡି‌ରେ ମିଶିଗଲେ। ତୃଣମୂଳରେ ସଂଗଠନ ବହୁଧା ବିଭକ୍ତ ହେବା ବିଜେପିର ପରାଜୟର କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବିଜେପି ନିଜସ୍ବ କିଛି ଏଜେଣ୍ଡା ନରଖି କେବଳ ବିଜେଡିକୁ ଆକ୍ରମଣ କରିବାରେ ଧ୍ୟାନ ଦେଇଥିଲା। ଯାହା ଦଳର ଅନ୍ୟତମ ବିପର୍ଯ୍ୟୟର କାରଣ ବୋଲି ସମୀକ୍ଷକମାନେ କହୁଛନ୍ତି। ସେହିପରି କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଏକୁଟିଆ କରି ଦେଇଥିଲା। ପ୍ରଚାର ଅଭିଯାନର ଶେଷ ଭାଗରେ ଦିଲୀପ ପଣ୍ଡାଙ୍କୁ ତୁଙ୍ଗ ନେତାଙ୍କ ସମର୍ଥନ ମିଳିଥିଲା। ନଚେତ ଦିଲୀପ ଏକୁଟିଆ ଅନେକ ସମୟରେ ପ୍ରଚାର କରିଥିଲେ। ତେଣୁ ସେ ଅଧିକାଂଶ ଗାଁକୁ ସେ ଛୁଇଁ ପାରିନଥିଲେ। ଦଳରେ ସମନ୍ବୟର ଅଭାବ ପୁଣି ଏକ ବିପର୍ଯ୍ୟୟ ଆଣି ଦେଲା ବୋଲି ଆକଳନ କରାଯାଉଛି। ବିଜେଡିର ସବୁ ରଣନୀତି ପାସ୍‌ ହୋଇଥିବା ବେଳେ ବିଜେପି, କଂଗ୍ରେସ ଫେଲ୍‌ ମାରିଛନ୍ତି।

ସମ୍ବନ୍ଧିତ ଖବର