ବୃତ୍ତି, ପାର୍ଟି ଓ ମାଟି

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ଆଜିର ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗୋଟିଏ ବ୍ୟକ୍ତିଗତ ଦ୍ବନ୍ଦ୍ବ ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ମନେକରୁଛି। ଅତୀତରେ ବହୁବାର ଏପରି ଦ୍ବନ୍ଦ୍ବର ସମ୍ମୁଖୀନ ହେଇଛି ଏବଂ ଯେଉଁ ନିଷ୍ପତ୍ତି ନେଇଛି ବା ଆଚରଣ ପ୍ରଦର୍ଶନ କରିଛି ତାହା ଯେ ସବୁବେଳେ ଠିକ୍‌ ହୋଇଛି ସେ କଥା ଜୋର୍‌ ଦେଇ କହିହେବ ନାହିଁ। ତେବେ ଏ ଦ୍ବନ୍ଦ୍ବଟି କ’ଣ? ବୃତ୍ତି, ପାର୍ଟି ଓ ମାଟିକୁ ନେଇ ଏହି ଦ୍ବନ୍ଦ୍ବ ମୋ ପାଇଁ ନୂଆ ନୁହେଁ। ସାଧାରଣ ଜୀବନରେ ରହି ଏକାଧିକ ଭୂମିକା ନିଭାଇବାକୁ ଉଦ୍ୟମ କଲେ ଏଭଳି ଦ୍ବନ୍ଦ୍ବର ସମ୍ମୁଖୀନ ହେବାକୁ ହୁଏ। ଦୀର୍ଘ ୩୫ ବର୍ଷ କାଳ ଓଡ଼ିଶାର ସାଧାରଣ ଜୀବନରେ ରହି ବାରମ୍ବାର ଏହିପରି ଦ୍ବନ୍ଦ୍ବର ସମ୍ମୁଖୀନ ହୋଇଛୁ। ତେବେ ଏଭଳି ଦ୍ବନ୍ଦ୍ବ ସମୟରେ ବିଚାର ବିଭ୍ରାଟର ଶିକାର ନହେବା ପାଇଁ ‌ଯଥା ସମ୍ଭବ ଚେଷ୍ଟା କରିଛୁ। କେତେବେଳେ ଭୁଲ୍‌ କରିଛୁ ତ କେତେବେଳେ ଠିକ୍ କରିଛୁ ବୋଲି ନିଜକୁ ବୁଝାଇ ପାରୁଥିଲେ ମଧ୍ୟ ଅନ୍ୟ ସମସ୍ତଙ୍କୁ ଶତକଡ଼ା ଶହେ ବୁଝାଇ ପାରିନାହୁଁ। ଫଳରେ କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାର ଶିକାର ହୋଇଛୁ। ସେଥିପାଇଁ ଆମକୁ ବହୁମୂଲ୍ୟ ମଧ୍ୟ ଦେବାକୁ ପଡ଼ିଛି। ଏହି ଦ୍ବନ୍ଦ୍ବକୁ ବୁଝାଇବାକୁ ହେଲେ ଅତୀତର କେତୋଟି ଘଟଣାବଳୀକୁ ମନେ ପକେଇଲେ ସହଜରେ ବୁଝାଇ ହେବ ବୋଲି ମନେକରୁଛି।

ଅଶୀ ଦଶକର କଥା। ରାଜୀବ ଗାନ୍ଧୀ ଭାରତର ଯୁବ ପ୍ରଧାନମନ୍ତ୍ରୀ। ମୁଁ କଂଗ୍ରେସ ଦଳର ଜଣେ ସଦସ୍ୟ ଓ ରାଜୀବ ଗାନ୍ଧୀଙ୍କର ପ୍ରିୟ କାର୍ଯ୍ୟକ୍ରମ ପଞ୍ଚାୟତିରାଜକୁ ନେଇ ଗଠିତ ହୋଇଥିବା ଜବାହର ରୋଜଗାର ଯୋଜନା ସେଲ୍‌ର ରାଜ୍ୟ ଆବାହକ। ସେତେବେଳେ ଓଡ଼ିଶାର ଦାରିଦ୍ର୍ୟ ପାଇଁ ସରକାର ବେଶ୍‌ ସମାଲୋଚନାର ଶିକାର ହେଉଥାନ୍ତି। କଳାହାଣ୍ଡି ଜିଲ୍ଲାରେ ଅନାହାର ମୃତ୍ୟୁ ଓ ପିଲାବିକ୍ରି ଅଭିଯୋଗକୁ ନେଇ ସରକାର ଅଡ଼ୁଆରେ ପଡ଼ିଥାନ୍ତି। ପ୍ରଧାନମନ୍ତ୍ରୀ କଳାହାଣ୍ଡି ଗସ୍ତ କରି ବିଭିନ୍ନ ଅଞ୍ଚଳ ବୁଲି ଦେଖିଲେ ଏବଂ ନୂଆଦିଲ୍ଲୀ ଫେରିଗଲେ। ତାହାର କିଛିଦିନ ପରେ ସରକାରଙ୍କ ଦ୍ବାରା ପରିଚାଳିତ ଦୂରଦର୍ଶନରେ ‘ନ୍ୟୁଜ୍‌ ଲାଇନ୍‌’ର ଏକ କାର୍ଯ୍ୟକ୍ରମ ପ୍ରସାରିତ ହେଲା। ‌କଲିକତାରୁ ପ୍ରକାଶିତ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟେଲିଗ୍ରାଫ୍‌’ର ସମ୍ପାଦକ ତଥା ରାଜୀବ ଗାନ୍ଧୀଙ୍କର ଘନିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ଏମ୍‌ଜେ ଆକବର ଏହି କାର୍ଯ୍ୟକ୍ରମର ସଂଚାଳକ ଥିଲେ। ସେହି କାର୍ଯ୍ୟକ୍ରମରେ ଓଡ଼ିଶାର ଦାରିଦ୍ର୍ୟକୁ ନେଇ ଯେଉଁ ଚିତ୍ର ପରିବେଷଣ କରାଯାଇଥିଲା ତାହା ମୋତେ ବ୍ୟକ୍ତିଗତ ଭାବେ ବାଧିଥିଲା। ମୁଁ ରାଉରକେଲାର ଏକ ସଭାରେ ଏ ସମ୍ପର୍କରେ ବକ୍ତବ୍ୟ ଦେଇ କ୍ଷୋଭ ପ୍ରକାଶ କରିଥିଲି। ମୋର ବକ୍ତବ୍ୟକୁ କଦର୍ଥ କରି ଆମର ପ୍ରତିଦ୍ବନ୍ଦ୍ବୀ ଖବର କାଗଜ ‘ପ୍ରଜାତନ୍ତ୍ର’ରେ ଏକ ଖବର ପ୍ରକାଶ ପାଇଲା ଯେ ମୋ ବକ୍ତବ୍ୟରେ ଓଡ଼ିଶାର ମାନ୍ୟବର ସାଂସଦମାନେ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ଏବଂ ମୋ ବିରୋଧରେ ସ୍ବାଧିକାରଭଙ୍ଗର ଏକ ପ୍ରସ୍ତାବ ଆଣିବା ପାଇଁ ଯୋଜନା କରୁଛନ୍ତି। ପରେ ମୋ ମତାମତ ରଖି ମୁଁ ଏହି ସ୍ତମ୍ଭରେ ଏକ ଆଲୋଚନା ରଖିଲି। ଏହାର ଶୀର୍ଷକ ଥିଲା ‘ସ୍ବାଭିମାନ ବନାମ ସ୍ବାଧିକାର’। ମୋର କହିବାର ଥିଲା ଖୋଦ୍‌ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସି ସ୍ବଚକ୍ଷୁରେ ଦାରିଦ୍ର୍ୟକୁ ଦେଖିଲା ପରେ ତାହାର ପ୍ରତିକାର ପାଇଁ କିଛି କରିବାର ଆଶ୍ବାସନା ଦେବା ପରିବର୍ତ୍ତେ ତାଙ୍କର ବନ୍ଧୁଙ୍କୁ ଲଗାଇ ନିଜର ଦୂରଦର୍ଶନ ମାଧ୍ୟମରେ ଓଡ଼ିଶା ଓ ଓଡ଼ିଆମାନଙ୍କର ଦାରିଦ୍ର୍ୟକୁ ଉପହାସ କଲା ପରି କାର୍ଯ୍ୟକ୍ରମ ପ୍ରସାରିତ କରିବାର ଅନୁମତି ଦେବା କେତେଦୂର ଯୁକ୍ତିଯୁକ୍ତ। ହୁଏତ ମୁଁ ସମ୍ପୂର୍ଣ୍ଣ ଅନାସକ୍ତ ହୋଇ ଏପରି ମନ୍ତବ୍ୟ ଦେଇ ନଥାଇ ପାରେ। କିନ୍ତୁ ଆଜିର ଦ୍ବନ୍ଦ୍ବକୁ ବୁଝାଇ କହିବା ପାଇଁ ଏହାଠାରୁ ଅଧିକ ସହଜ ଉଦାହରଣ ଆଉ କିଛି ହୋଇ ନପାରେ। ବୃତ୍ତି, ପାର୍ଟି ଓ ମାଟିର ସ୍ବାର୍ଥ ଏଠାରେ ପରସ୍ପର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଗଣମାଧ୍ୟମର ବ୍ୟକ୍ତି ଭାବରେ ଏମ୍‌ଜେ ଆକ୍‌ବର ଠିକ୍‌ କରିଛନ୍ତି ବୋଲି ଅନେ‌େକ ଯୁକ୍ତି କରିପାରନ୍ତି। ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ହୋଇଥିବାରୁ ମୁଁ ନି‌ଜ ବୃତ୍ତିଠାରୁ ଦୂରେଇ ଯାଇ ନିଜ ପରିବାର ଓ ପାର୍ଟି ପ୍ରତି ଅଧିକ ଆସକ୍ତ ହୋଇଯାଇଥିଲି ବୋଲି ଆଉ କେତେକ କହିପାରନ୍ତି। ବୃତ୍ତି ଓ ପାର୍ଟିର କଥା ଏପରି ଭାବରେ ବିଚାର କଲାବେଳେ ମାଟି କଥା କହିବ କିଏ? କଥା କଥାରେ ଓଡ଼ିଶାର ସ୍ବାଭିମାନ କଥା ଉଠାଉଥିବା ନେତାମାନେ ସେ‌େତବେ‌ଳେ କୁଆଡ଼େ ଯାଇଥିଲେ ବୋଲି ଯୁକ୍ତି କଲେ କ’ଣ ଭୁଲ ହେବ? ଏଠାରେ ଉଲ୍ଲେଖନୀୟ ଯେ ନରସିଂହ ରାଓ ପ୍ରଧାନମନ୍ତ୍ରୀ ହେଲା ପରେ ପ୍ରଣୀତ ହୋଇଥିବା କେବିକେ ଯୋଜନା ଏହି ପ୍ରତିକ୍ରିୟାର ଫଳଶ୍ରୁତି ଥିଲା।

ଆଉ ଗୋଟିଏ ଉଦାହରଣ। ନବେ ଦଶକର କଥା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବର ଶେଷ ପାଳି। ମୁଁ ଲୋକସଭା‌ରେ ଭୁବନେଶ୍ବରର ସାଂସଦ। ତତ୍କାଳୀନ ଆଡ୍‌ଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍‌ ରାୟଙ୍କ ବିରୋଧରେ ଅଞ୍ଜନା ମିଶ୍ର ବଳାତ୍କାର ଅଭିଯୋଗ ଆଣିଲେ। ସେତେବେଳେ ସେ ନୂଆପଲ୍ଲୀରେ ରହୁଥିଲେ। ଜଣେ ଓକିଲ ବନ୍ଧୁଙ୍କ ଜରିଆରେ ସାଂସଦ ହିସାବରେ ମୋଠାରୁ ‌ନ୍ୟାୟ ପାଇବା ପାଇଁ ଦାବି କଲେ। ଏହା ମୋ ପାଇଁ ସେତେବେଳେ ଏକ ଅତ୍ୟନ୍ତ ସ୍ପର୍ଶକାତର ଦ୍ବନ୍ଦ୍ବ ଥିଲା। ମୁଁ ସେତେବେଳେ ନୂଆ ସାଂସଦ ହିସାବରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲି ଯେ ଆଡ୍‌ଭୋକେଟ୍‌ ଜେନେରାଲ୍‌ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ ନ କଲା ପର୍ଯ୍ୟନ୍ତ ସରକାରଙ୍କ ପାଇଁ ଆଉ କେସ୍‌ ଲଢ଼ନ୍ତୁ ନାହିଁ। ଏପରିକି ତାଙ୍କ ପାଇଁ ଏକ ନମୁନା ଇସ୍ତଫାପତ୍ର ମଧ୍ୟ ଲେଖି ଦେଇଥିଲି। ସେଥିରେ ଉଲ୍ଲେଖ କରିଥିଲି ଯେ ‘ମୁଁ ସରକାରଙ୍କର ଓକିଲ ନିଜ କେସ୍‌ ଲଢ଼ି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ ନ କଲା ପର୍ଯ୍ୟନ୍ତ ସରକାରୀ କେସ୍‌ ଲଢ଼ିବି ନାହିଁ। ସେଥିପାଇଁ ପଦରୁ ଇସ୍ତଫା ଦେଉଛି।’ ଜାନକୀବାବୁ କିନ୍ତୁ ମୋ ପରାମର୍ଶକୁ ଗ୍ରହଣ କଲେ ନାହିଁ। ସମ୍ଭବତଃ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏପରି ବଳି ଦେବା ପାଇଁ ପାର୍ଟିର ସ୍ବାର୍ଥ ଦୃଷ୍ଟିରୁ ସେ ସାହସ କୁଳେଇ ପାରିଲେ ନାହିଁ। ଅଞ୍ଜନାଙ୍କ କେସ୍‌ ପାଇଁ ପରବର୍ତ୍ତୀ ରାଜନୈତିକ ଅବସ୍ଥା କ’ଣ ହେଲା ତାହା ସମସ୍ତଙ୍କୁ ଜଣା।

ଏଭଳି ପୃଷ୍ଠଭୂମିରେ ମମିତା ହତ୍ୟାକାଣ୍ଡକୁ ନେଇ ଦିବ୍ୟଶଙ୍କର ମିଶ୍ରଙ୍କ କଥିତ ଭୂମିକା ଆମ ପାଇଁ ଅନୁରୂପ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ବୃତ୍ତି, ପାର୍ଟି ଓ ମାଟିର ସ୍ବାର୍ଥ କଥା ପୁଣି ମନକୁ ଆସୁଛି। ଦିବ୍ୟଶଙ୍କର ମିଶ୍ର ମମିତା ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ୍‌ ବିବୃତି ଦେଇ ଆମର ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଇଛନ୍ତି। ଦଶଟି ବିନ୍ଦୁରେ ସେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି ନିରବତା ଭଙ୍ଗ କରିଛନ୍ତି।

ପ୍ରଥମରୁ କହିଛନ୍ତି ଯେ ମମିତା ମେହେରଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ସେ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ଜଣେ ବାପା ଭାବରେ ମେହେର ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ଅଛି। ଥିଲେ କ’ଣ ହେବ, ମାନ୍ୟବର ବିଧାୟକ କିନ୍ତୁ ସେହି ସମବେଦନା ଜଣାଇବା ପାଇଁ ଆଜି ପର୍ଯ୍ୟନ୍ତ ପରିବାର ନିକଟକୁ ଯିବାକୁ ଉଚିତ ମଣିଲେ ନାହିଁ କି ସମୟ ପାଇଲେ ନାହିଁ।

ରାଜନୀତିରେ ଯୋଗଦେବା ପୂର୍ବରୁ ସେ ସଶସ୍ତ୍ର ବାହିନୀର ବାୟୁସେନାରେ ଥିଲେ। ବାୟୁସେନାରୁ ଯେଉଁ ଆଦର୍ଶକୁ ସେ ଶିଖିଛନ୍ତି ତାହା ହେଲା ନିଜକୁ ପଛେ ବଳି ଦେବେ ଜଣେହେଲେ ସାଧାରଣ ନାଗରିକକୁ ଆହତ ହେବାକୁ ଦେବେ ନାହିଁ। ନିଜେ ପଛେ କ୍ଷତିଗ୍ରସ୍ତ ହେବେ, ହେଲେ ଜଣେହେଲେ ବ୍ୟକ୍ତିଙ୍କୁ ଦୁଃଖ ଦେବେ‌ ନାହିଁ। ମମିତା ମେହେରଙ୍କ ଘଟଣାରେ କିଏ ଆହତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ କିଏ ଦୁଃଖ ପାଉଛନ୍ତି? ଓଡ଼ିଶା, ନାରୀ ସମାଜ, ମେହେର ସମାଜ, କଳାହାଣ୍ଡିର ନାଗରିକ, ବିଜୁ ଜନତା ଦଳ, ମମିତାଙ୍କର ଶୁଭେଚ୍ଛୁ, ବନ୍ଧୁ ଓ ପରିବାରବର୍ଗ ନା ନିଜେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର? ସଶସ୍ତ୍ର ବାହିନୀର ଲଢ଼ୁଆ ସୈନିକର ସାହସ ଓ ବଳିଦାନର ଆଦର୍ଶ କୁଆଡ଼େ ଗଲା?

ସେ ବିଶ୍ବାସ କରନ୍ତି ଯେ ହତ୍ୟା ପରି ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ ବାଟରେ ଯିବ। ଆଇନକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ନିରପେକ୍ଷ ଓ ମୁକ୍ତ ଭାବରେ କାର୍ଯ୍ୟ କରିବା ଉଚିତ। ସେଥିପାଇଁ ସେ ଏତେଦିନ ପର୍ଯ୍ୟନ୍ତ ନିରବ ଥିଲେ। ଏବେ କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳଗୁଡ଼ିକ ତାଙ୍କୁ ବଦ୍‌ନାମ କରିବା ପାଇଁ ରୀତିମତ ଏକ ଅଭି‌ଯାନ ଆରମ୍ଭ କରିଥିବା ପରି ମନେହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ। କିନ୍ତୁ ସେ କ’ଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସମ୍ପୃକ୍ତି ଅଭିଯୋଗର ମୁକ୍ତ ଓ ନିର‌େପକ୍ଷ ତଦନ୍ତ ହୋଇପାରିବ ନାହିଁ।

ଜଣେ ବିଧାୟକ ଓ ବାୟୁସେନାର ଅଧିକାରୀ ଭାବେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା ଅପରାଧ ନୁହେଁ। ପରବର୍ତ୍ତୀ ସମୟରେ ସେହି ଅନୁଷ୍ଠାନରେ ଘଟିଥିବା ଅପରାଧ ପାଇଁ ତାଙ୍କୁ ଦୋଷୀ କରାଯାଇ ପାରିବ ନାହିଁ। ତେବେ ଏଠାରେ କେବଳ ଗୋଟିଏ କଥା ସ୍ମରଣ କରାଇଦେଲେ ଯଥେଷ୍ଟ ହେବ ଯେ ସମ୍‌ ହସ୍ପିଟାଲରେ ନିଅଁା ଲାଗିଯିବା ଘଟଣାରେ ତତ୍‌କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଅତନୁବାବୁଙ୍କର କୌଣସି ଭୂମିକା ନଥିଲା। ତଥାପି ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବା ପାଇଁ ପଡ଼ିଥିଲା। ଏହାଦ୍ବାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଉଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା?

ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳ ଏଭଳି ଏକ ଘୃଣ୍ୟ ଷଡ୍‌ଯନ୍ତ୍ରରେ ଲିପ୍ତ ଅଛନ୍ତି, ମନ୍ତ୍ରୀଙ୍କ ପରିବାର ଏ ନେଇ ମାନହାନି ମକଦ୍ଦମା କରିବେ ବୋଲି ସୂଚନା ଦେଇଛନ୍ତି। ଆଶା କରୁଛି ଅଦାଲତ ତା’ର ଉଚିତ ବିଚାର କରି ନ୍ୟାୟ ଦେବେ। ତେବେ ସଂଖ୍ୟାଖେଳର ନିର୍ବାଚନସର୍ବସ୍ବ ରାଜନୀତି ଓ ପ୍ରତି‌ଦ୍ବନ୍ଦ୍ବିତାମୂଳକ ବଜାରରେ ଆମ ରାଜନୈତିକ ଦଳ ଓ ଗଣମାଧ୍ୟମଗୁଡ଼ିକ ମଧ୍ୟ ନିଜ ଆଚରଣ ସମ୍ପର୍କରେ ନିଜେ ଆତ୍ମସମୀକ୍ଷା କରିବା ଉଚିତ।

ମାନ୍ୟବର ମନ୍ତ୍ରୀ ମହୋଦୟ ସାମ୍ବାଦିକ ଓ ମିଡ଼ିଆ ହାଉସ୍‌ମାନଙ୍କୁ ବ୍ୟକ୍ତିଗତ ଓ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହୃତ ନହୋଇ ନୈତିକତା ଅନୁଯାୟୀ ବଞ୍ଚିବା ପାଇଁ ପରାମର୍ଶ ଦେଇଛନ୍ତି। ନୈତିକତାର ମୂଲ୍ୟବୋଧ କ’ଣ ଗୋଟିଏ ପକ୍ଷଙ୍କ ପାଇଁ? ନିଜ ପକ୍ଷର ମୂଲ୍ୟବୋଧ କଥା ଗଲା କୁଆଡ଼େ?

ତାଙ୍କ ବିରୋଧରେ ଯଦି କିଛି ପ୍ରମାଣ ଅଛି ତାହା ପୁଲିସ କିମ୍ବା କୋ‌ର୍ଟରେ ଦାଖଲ କରାଗଲେ ସେ କେବଳ ପଦବିରୁ ଇସ୍ତଫା ଦେବେ ନାହିଁ ବରଂ ସାଧାରଣ ଜୀବନରୁ ସନ୍ନ୍ୟାସ ନେବେ। ବାରମ୍ବାର ନୈତିକତାର ଦ୍ବାହି ଦେଇ ସନ୍ନ୍ୟାସ ନେବେ ବୋଲି କହୁଥିବା ମନ୍ତ୍ରୀ ମହୋଦୟଙ୍କୁ ଗୋଟିଏ ଅତୀତ ଓ ଗୋଟିଏ ନିକଟ ଅତୀତର ପ୍ରଶ୍ନ ପଚାରୁଛୁ।

ଅତୀତରେ ରେଳ ଦୁର୍ଘଟଣାରେ ନୈତିକତା ଦୃଷ୍ଟିରୁ ଲାଲାବାହାଦୁର ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ନିକଟ ଅତୀତରେ ଅତନୁ ସବ୍ୟସାଚୀ ନାୟକଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାପାଇଁ କାଳେ କୁହାଯାଇଥିଲା। ଏମାନଙ୍କ ବିରୋଧରେ କ’ଣ ପ୍ରମାଣ ଥିଲା? ପ୍ରମାଣ ଖୋଜିବାର ଦାୟିତ୍ବ ପୁଲିସ ନା ସାଧାରଣ ନାଗରିକଙ୍କର?

ଶେଷରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କୁ ମଧ୍ୟ ମାନ୍ୟବର ମନ୍ତ୍ରୀ ତାଙ୍କ ସପକ୍ଷରେ ବ୍ୟବହାର କରିବା ପାଇଁ ଭୁଲି ନାହାନ୍ତି। ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଈଶ୍ବରଙ୍କ ନିକଟରେ ଶରଣାପନ୍ନ ହୁଏ ତାହା ସହଜରେ ବୁଝି ହେଉଛି। ତେବେ ମାନ୍ୟବର ମନ୍ତ୍ରୀ ମହୋଦୟ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି? ତାଙ୍କ ସପକ୍ଷରେ ତ ବହୁତ ବଡ଼ବଡ଼ ଲୋକ ଅଛନ୍ତି।

ଗତ ତିନି ସପ୍ତାହର ମନ୍ତ୍ରୀଙ୍କ ଆଚରଣ ଆମର ସନ୍ଦେହ ଓ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇ ଦେଉଛି। ମୁଖ୍ୟମନ୍ତ୍ରୀଙ୍କର ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ ମହୋଦୟଙ୍କର ଯୋଗ ଦେବାର ଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପରିପ୍ରେକ୍ଷୀରେ ସେ ସେହି କାର୍ଯ୍ୟକ୍ରମକୁ ଗଲେ ନାହିଁ। ସରକାରୀ ସଭାକୁ ଯାଉନଥିବା ମନ୍ତ୍ରୀ ମନ୍ତ୍ରିସଭାରେ କିପରି ରହିବେ ବୋଲି ଓଲଟା ପ୍ରଶ୍ନ ଉଠିଲା। ତା’ ପରେ ପରେ ଦ୍ବିତୀୟ ସରକାରୀ କାର୍ଯ୍ୟକ୍ରମ ଟେକ୍ସଟାଇଲ୍‌ ମେଳାରେ ପୁଣି ମନ୍ତ୍ରୀ ଦୃଶ୍ୟମାନ ହେଲେ। ପୁଣି କୁହାଯାଉଛି ଯେ ବିଗତ ଦିନମାନଙ୍କରେ ମନ୍ତ୍ରୀ ମହୋଦୟ ଭୁବନେଶ୍ବରରେ ଥିବା ନିଜ ସରକାରୀ ବାସଭବନରେ ନରହି ଅନ୍ୟ ଜଣେ ବନ୍ଧୁଙ୍କ ଘରେ ରହୁଥିଲେ। ସମ୍ଭବତଃ ବିରୋଧୀ ଦଳମାନଙ୍କର ପ୍ରତିବାଦ ପରିପ୍ରେକ୍ଷୀରେ ସେ ସରକାରୀ ବାସଭବନରେ ରହିବା ପାଇଁ ନିଜକୁ ସୁରକ୍ଷିତ ମଣୁନଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯଦି ଗୃହରାଷ୍ଟ୍ର ମନ୍ତ୍ରୀ ନିଜେ ସୁରକ୍ଷିତ ନୁହନ୍ତି ସେ ଅନ୍ୟକୁ ସୁରକ୍ଷା ଦେବେ କିପରି?

ନିକଟ ଅତୀତରେ ଏ ପ୍ରକାର ଦ୍ବନ୍ଦ୍ବ ସମୟରେ ଆମର ବିଚାର ଓ ଭୂମିକା କିପରି ହେବା ଉଚିତ ସେ ସମ୍ପର୍କରେ ଆମର ମତ ରଖିବାକୁ ଯାଇ ଆମେ ଅନେକ ସମାଲୋଚନାର ଶରବ୍ୟ ହୋଇଛୁ। ଯେପରିକି ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ନା ତୃତୀୟ ନୟନ, ସାଂପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ନିରପେକ୍ଷତା, ଗ୍ରାହକ ବଡ଼ ନା ବିଜ୍ଞାପନଦାତା, ଆମ ବୃତ୍ତି ପାଇଁ ପାର୍ଟି ବଡ଼ ନା ମାଟି ଇତ୍ୟାଦି… ଇତ୍ୟାଦି… ଇତ୍ୟାଦି….। ଆମ ବିଚାରରେ ଏସବୁ ପ୍ରସଙ୍ଗରେ ଆମର ଭୂମିକା କ’ଣ ହେବା ଉଚିତ ଆମେ ନିଶ୍ଚୟ କରି ସାରିଛୁ। ଏଥିରେ କୌଣସି ବିଚାର ବିଭ୍ରାଟ ନାହିଁ। ଆଜିର ଦୁନିଆରେ ଗଣମାଧ୍ୟମ ନିରପେକ୍ଷ ହେବା ସମ୍ଭବ ନୁହେଁ। ପକ୍ଷଭୁକ୍ତ ହେବା କଥାଟିକୁ ଲୁଚାଇ ରଖିବା ପାଇଁ ଚେଷ୍ଟା ନ କରି ନିଜ ପକ୍ଷକୁ ଖୋଲାଖୋଲି ସ୍ବୀକାର କରି ପାଠକ ଏବଂ ଗ୍ରାହକଙ୍କ ଉପରେ ଆମେ ବିଚାର ଛାଡ଼ି ଦେଇଛୁ। ଗ୍ରାହକ ଓ ପାଠକ ହିଁ ଭଗବାନ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ଆମେ ପକ୍ଷଧର। ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କରିବାର ବାଧ୍ୟବାଧ୍ୟକତାରୁ ମୁକ୍ତି ପାଇବା ପାଇଁ ଆମେ ଗ୍ରାହକମାନଙ୍କୁ ବାରମ୍ବାର ନିବେଦନ କରି ମୂଲ୍ୟବୃଦ୍ଧିର ବୋଝ ଲଦିଛୁ। ଆମର ଏ ପ୍ରକାର ନିଷ୍ପତ୍ତି ଓ ଭୂମିକା ସମସ୍ତଙ୍କ ପାଇଁ ମଙ୍ଗଳକାରକ ହେବ ବୋଲି ଆମେ ବିଶ୍ବାସ କରୁ। ଗଣମାଧ୍ୟମ ତା’ର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେସଙ୍ଗେ ଆବଶ୍ୟକ ପଡ଼ୁଥିବା ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ। ସତ୍ୟାଗ୍ରହୀ ଗଣମାଧ୍ୟମଗୁଡ଼ିକ ବିରୋଧୀଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହନ୍ତି, ବରଂ ମିତ୍ର ହୋଇ ପାରନ୍ତି। ଏହାଦ୍ବାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ବଳ ହେବ ସିନା ମଳିନ ପଡ଼ିବ ନାହିଁ। ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ। ଆମ ବିଚାରରେ ପାର୍ଟି ବଡ଼ ନା ମାଟି ବଡ଼ ଆଦୌ ଏକ ବିବାଦୀୟ ପ୍ରସଙ୍ଗ କି ପ୍ରଶ୍ନ ନୁହେଁ। ମାଟିର ସ୍ବାର୍ଥ ସର୍ବୋପରି।

ସମ୍ବନ୍ଧିତ ଖବର