କୋଟିପତି କିରାଣିଙ୍କ କଥା

ଆମ ଘରର ହାଲଚାଲ - ସୌମ୍ୟର˚ଜନ ପଟ୍ଟନାୟକ

ନବୀନବାବୁଙ୍କ ଈର୍ଷଣୀୟ ରାଜନୈତିକ ସଫଳତା ଏବେ ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହା ପଛରେ ଥିବା ରହସ୍ୟ ଓ କାରଣଗୁଡ଼ିକ ସଂପର୍କରେ ମଧ୍ୟ ତର୍ଜମା ଚାଲିଛି। ଓଡ଼ିଶାରେ ଅନାହାର ମୃତ୍ୟୁ ବିରୋଧୀ ସଂଗ୍ରାମରେ ବିଜୟୀ ହେବା ସଙ୍ଗେସଙ୍ଗେ ବାତ୍ୟା ଓ ବନ୍ୟାର ସଫଳ ମୁକାବିଲା କେତେକଙ୍କୁ ପ୍ରଭାବିତ କରୁଥିଲା ବେଳେ ସଂପ୍ରତି କରୋନା ନିୟନ୍ତ୍ରଣରେ ଓଡ଼ିଶା ସରକାରଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସଂକ୍ଷେପରେ କହିଲେ, ନବୀନଙ୍କର ରାଜନୈତିକ ସଫଳତାକୁ ଚାରି ପାଞ୍ଚଗୋଟି ଶବ୍ଦରେ ଉଲ୍ଲେଖ କରିହେବ। ‘କଥା କମ୍‍, କାମ ବେଶି’ ନବୀନବାବୁଙ୍କର ଦାରିଦ୍ର୍ୟ ବିରୋଧୀ ଯୋଜନାମାନଙ୍କ ସଂପର୍କରେ ସୂଚନା ଦେଉଥିବା ବେଳେ ‘ସ୍ୱଚ୍ଛତା’ ତାଙ୍କ ଶାସନର ଉଲ୍ଲେଖନୀୟ ଲକ୍ଷଣ ବୋଲି କୁହାଯାଇପାରେ। ଶେଷରେ ସକଳ ସଫଳତା ସତ୍ତ୍ବେ ‘ନିରହଂକାର ଓ ବିନମ୍ର’ ରହିବା ନବୀନଙ୍କ ସଫଳତାର ସର୍ବଶ୍ରେଷ୍ଠ ଲକ୍ଷଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ବି ମନେଅଛି ୨୦୦୪ ମସିହାରେ ତାଙ୍କର ପ୍ରଥମ ପାଳିର ଶାସନ କଥା। ବରିଷ୍ଠ ସହଯୋଗୀମାନଙ୍କ ବିରୋଧରେ ସାମାନ୍ୟ ଦୁର୍ନୀତିର ଅଭିଯୋଗ ଆସିଲେ ତାଙ୍କୁ ସେ କ୍ଷମତାରୁ, ଏପରିକି ଦଳରୁ ହଟାଇ ଦେବା ଭଳି କଠୋର ନିଷ୍ପତ୍ତି ନେବା ପାଇଁ ସଙ୍କୋଚ କରୁ ନଥିଲେ। ତାଙ୍କର ସହଯୋଗୀମାନେ ଏ ପ୍ରକାର ନିଷ୍ପତ୍ତିର ଟେର ମଧ୍ୟ ପାଇପାରୁ ନଥିଲେ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ତାଙ୍କ ଶାସନର ପ୍ରମୁଖ ଲକ୍ଷଣ ଭାବରେ ଗ୍ରହଣ କରାଯାଉଥିଲା।

ଏହି ପରିପ୍ରେକ୍ଷୀରେ ନିକଟ ଅତୀତରେ ଘଟିଥିବା ବିରଞ୍ଚି ନାରାୟଣ ସାହୁଙ୍କ କଥା ମନକୁ ଆସୁଛି। ବିରଞ୍ଚିବାବୁ ୧୯୯୦ ମସିହାରେ ଓଡ଼ିଶା ସରକାରଙ୍କ ଜଣେ କନିଷ୍ଠ ଷ୍ଟେନୋଗ୍ରାଫର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ୧୯୯୪ ମସିହାରେ ପଦୋନ୍ନତି ପାଇ ବରିଷ୍ଠ ଷ୍ଟେନୋଗ୍ରାଫର ହେଲେ ଓ ଷ୍ଟାଫ୍‍ ସିଲେକ୍‌ସନ୍‍ କମିସନ୍‌ରେ ଯୋଗଦେଲେ। ୨୦୦୬ ମସିହାରେ କମିସନ୍‍ର ଜଣେ ସଭ୍ୟଙ୍କର ବ୍ୟକ୍ତିଗତ ସଚିବ ଭାବେ କାମକଲେ। ଏଭଳି ଜଣେ କିରାଣିଙ୍କର କୋଟିକୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଅଛି ବୋଲି ଅଭିଯୋଗ କରି ସରକାର ତାଙ୍କୁ ତାଲିବାନୀ ଢଙ୍ଗରେ ଚାକିରିରୁ ବହିଷ୍କାର କରିଛନ୍ତି। ଖବରକାଗଜରେ କୋଟିପତି କିରାଣି ଶୀର୍ଷକ ଖବର ପଢ଼ିଲେ ବେଳେବେଳେ ଆମୋଦିତ ହେବାକୁ ହୁଏ। କିରାଣି ବାବୁଟିଏ ଯେଉଁଠି କୋଟିପତି ସେ ରାଜ୍ୟରେ ଦାରିଦ୍ର୍ୟ କାହିଁକି ରହିବ? ଏତେଗୁଡ଼ିଏ ଯୋଜନାର ବା ଆବଶ୍ୟକତା ପଡ଼ିବ କାହିଁକି ବୋଲି ମନରେ ସ୍ୱତଃ ପ୍ରଶ୍ନ ଉଠେ। ଓଡ଼ିଶା ବିକାଶ କରିନାହିଁ ବୋଲି ମଧ୍ୟ କହିହେବ ନାହିଁ। କିନ୍ତୁ ଟିକିଏ ତଳେଇ ଦେଖିଲେ କୋଟିପତି କିରାଣିମାନଙ୍କ ରହସ୍ୟ ଆମକୁ ଅଧିକ ଆମୋଦିତ କରିବ। ଅଶୀ ନବେ ଦଶକର କିରାଣିଟିଏ କଥା ଚିନ୍ତା କରାଯାଉ। ସ୍ୱଳ୍ପ ବେତନଭୋଗୀ କର୍ମଚାରୀଟିଏ ରାଜଧାନୀ ଭୁବନେଶ୍ୱରରେ ଏଲ୍‍.ଆଇ.ଜିଙ୍କ ପାଇଁ ଉଦ୍ଦିଷ୍ଟ ଘରଟିଏ କିଣିଥିଲା। ମୂଲ୍ୟ ଥିଲା ମାତ୍ର କୋଡ଼ିଏ ହଜାର ଟଙ୍କା ଏବଂ ଏହା ମଧ୍ୟ କିସ୍ତିରେ ଦେଇ ହେଉଥିଲା। ଏବେ ଏହାର ମୂଲ୍ୟ ହୋଇଛି ଏକ କୋଟିରୁ ଅଧିକ।

ଆଜି ସ୍ମାର୍ଟ ସହରରେ ଜମିର ମୂଲ୍ୟ ବଢ଼ିଛି କିନ୍ତୁ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ସେଦିନର କିରାଣିମାନେ ଆଜି କୋଟିପତି ହୋଇଯାଇଛନ୍ତି। ଏକଥା କହିଆମେ ବିରଞ୍ଚିବାବୁଙ୍କର ଅପରାଧକୁ ଛୋଟ କରି ଦେଖିବା ପାଇଁ ଆଦୌ ପ୍ରୟାସ କରୁନାହୁଁ। ତେବେ ଯେଉଁ ପ୍ରଶ୍ନଟି ଆମକୁ ଅଧିକ ଆନ୍ଦୋଳିତ କରୁଛି ତାହା ହେଲା, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଏପ୍ରକାର ଅଭିଯୋଗକୁ ପ୍ରମାଣିତ କରିବାରେ ସଫଳତାର ହାର କେତେ? ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ରହିବ ନାହିଁ ଯଦି ବର୍ଷେ ଦୁଇବର୍ଷ ପରେ ଦେଖାଯିବ ଯେ ଭୁଲ ହିସାବ ବା ପ୍ରମାଣ ଅଭାବରୁ କୋର୍ଟରେ ବିରଞ୍ଚିବାବୁ ନିର୍ଦ୍ଦୋଷ ଘୋଷିତ ହୋଇଛନ୍ତି। ଏ ଖବର କିନ୍ତୁ ଖବରକାଗଜମାନଙ୍କରେ ପ୍ରକାଶ ପାଇବ ନାହିଁ। ପୁଣି ଏକ ପ୍ରଶ୍ନ ମନକୁ ଆସୁଛି। ଶୂନ୍ୟ ସହନଶୀଳତାର ଆଭିମୁଖ୍ୟ ସମସ୍ତଙ୍କ ପାଇଁ ରହୁଛି ନା ମାର୍‍ ମାର୍‍ ଭଣ୍ଡାରିଆକୁ ମାର୍‍ ନ୍ୟାୟରେ କେବଳ କିରାଣିମାନଙ୍କ ପାଇଁ। ବିରଞ୍ଚିବାବୁ ଜଣେ ସାଧାରଣ କିରାଣିସ୍ତରୀୟ ବ୍ୟକ୍ତିଗତ ସଚିବ ହୋଇ ଏତେ କ୍ଷମତା ଓ ଅଧିକାର ପାଇଲେ କେଉଁଠୁ? ବ୍ୟକ୍ତିଗତ ସଚିବମାନଙ୍କର ଦାୟିତ୍ୱ ଓ କାର୍ଯ୍ୟସୂଚୀକୁ ଅନୁଧ୍ୟାନ କରି ଦେଖିଲୁ ଯେ ହାକିମଙ୍କର ଦପ୍ତର ସମ୍ଭାଳିବାଠାରୁ ଆରମ୍ଭ କରି ଯାବତୀୟ ଛୋଟମୋଟ କାମ କରିବାକୁ ପଡ଼େ। କୌଣସି ନିଷ୍ପତ୍ତି ନେବାର ବା ବଦଳାଇବାର କ୍ଷମତା ତାଙ୍କର ନାହିଁ। ଏତେଗୁଡ଼ିଏ ବେନିୟମ କାର୍ଯ୍ୟ କରିବା ପାଇଁ ତାଙ୍କୁ ସୁଯୋଗ ଦେଲା କିଏ? ତାଙ୍କ ହାକିମ ସେ କଥା ଜାଣି ନପାରିଲେ କିପରି?

ଷ୍ଟାଫ୍‌ ସିଲେକ୍‌ସନ୍ କମିସନ୍‌ରେ ଦୁର୍ନୀତି ଯେ ହେଉଥିବ ଏ କଥାକୁ ଅସ୍ବୀକାର କରିହେବ ନାହିଁ। ଏହା ମୁଁ ବିଧାୟକ ଭାବେ ମୋ ନିଜ ଅନୁଭବରୁ ଜାଣେ। ମୋ ନିର୍ବାଚନମଣ୍ଡଳୀର ବହୁ ଯୁବକ ଯୁବତୀ ତାଙ୍କ ପିତାମାତାଙ୍କ ସହ ମୋତେ ଭେଟିବାକୁ ଆସନ୍ତି ଓ ମିନତି ହୁଅନ୍ତି। ବିକଳ ହୋଇ କହନ୍ତି, ଯେତେ ଲାଗିବ ଦେବୁ ପଛେ ବାବୁ ପିଲାଟିକୁ ଟିକେ ଲଗେଇ ଦିଅ। ମୋଠାରୁ ନାସ୍ତିବାଣୀ ଶୁଣିଲେ ସେମାନେ ଅସନ୍ତୁଷ୍ଟ ହୁଅନ୍ତି। ମୁଁ ଭାବେ, ମୁଁ ଗୋଟିଏ ପରିବାରର ଭୋଟ୍‌ ହରାଇଲି। କମିସନ ସ୍ତରରେ ଅନିୟମିତତା ହେଉ ନଥିଲେ ସାଧାରଣରେ ଏପରି ଧାରଣା ବା ହୁଅନ୍ତା କାହିଁକି? କିନ୍ତୁ ଏଥିପାଇଁ ଯେ କିରାଣିଟି କେବଳ ଦାୟୀ ଏବଂ ଉଚ୍ଚ ଅଧିକାରୀଙ୍କର କୌଣସି ଦାୟିତ୍ବ ନାହିଁ, ଏକଥାକୁ ଗ୍ରହଣ କରି ହେଉନାହିଁ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଏବେ ଆଉ ଅପରାଧ ହୋଇ ରହିନାହିଁ। ଆମେ ବିଧାୟକମାନେ ନିଜକୁ ନିଜେ ପ୍ରଶ୍ନ କଲେ ଜାଣି ପାରିବା ଯେ ନିର୍ବାଚନ ପ୍ରଚାରର ଖର୍ଚ୍ଚଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ ଯେପରି ଚଳୁଛୁ ତାକୁ ବିଚାରକୁ ନେଲେ ଆମେ କେହି ବି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରିବା ନାହିଁ। ଗୋଟିଏ ଛୋଟିଆ ଉଦାହରଣ ଦେଲେ ଏହାକୁ ବୁଝାଇ ହେବ। ନିର୍ବାଚିତ ହେବା ପରେ ଆମେ ଯେଉଁ ଗାଡ଼ିଗୁଡ଼ିକ ବ୍ୟବହାର କରୁଛୁ; ତାହାର ଋଣ ବାବଦକୁ ମାସିକ କିସ୍ତି, ଚାଳକର ଦରମା ଓ ତେଲପାଣିର ଖର୍ଚ୍ଚକୁ ହିସାବକୁ ନେଲେ ତାହା ଆମ ମାସିକ ଦରମାରୁ ଅଧିକ ହେବ। ଅନ୍ୟ କୌଣସି ସୂତ୍ରରୁ ଆୟ ନଥିଲେ ନିଜକୁ ନିର୍ଦ୍ଦୋଷ ବୋଲି କହି ହେବ ନାହିଁ। ଆମ ବ୍ୟବସ୍ଥାର ବଡ଼ବଡ଼ ବାବୁମାନଙ୍କ କଥା ନ କହିଲେ ଭଲ।

ବିରଞ୍ଚିବାବୁଙ୍କୁ ବରଖାସ୍ତ କରି ସେ କରିଥିବା ଦୁର୍ନୀତିର ଆମେ କେତେ ପ୍ରତିକାର କରିପାରିଲେ ତାହା ପରବର୍ତ୍ତୀ ସମୟ କହିବ। କିନ୍ତୁ ତାଙ୍କର କଥିତ ଦୁର୍ନୀତି ଯୋଗୁଁ ଯେଉଁମାନେ ଚାକିରି ପାଇବାରୁ ବଞ୍ଚିତ ହେଲେ ସେମାନଙ୍କୁ ନ୍ୟାୟ ଦେବ କିଏ? ଯେଉଁ ହାକିମମାନଙ୍କର ଅବହେଳା ବା ସଂପୃକ୍ତି ଯୋଗୁଁ ଏପ୍ରକାର ଅଘଟଣ ଘଟିଲା ସେମାନଙ୍କର ବିଚାର କରିବ କିଏ? ଆମର କାହିଁକି ମନେହେଉଛି, ନବୀନବାବୁ ଯେଉଁ ପରିମାଣରେ ବିନମ୍ର ଓ ନିରହଂକାର ତାଙ୍କର ଅମଲାତନ୍ତ୍ର ତା’ଠାରୁ ଅଧିକ ଉଗ୍ର ଓ ଅହଂକାରୀ। ଆଉ ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ପ୍ରମାଣିତ କରିହେବ। ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରକୁ ସରସ ସୁନ୍ଦର କରି ଗଢ଼ି ତୋଳିବା ସହିତ ଏହାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ନବୀନବାବୁଙ୍କ ଉଦ୍ୟମକୁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱୀକାର କରୁଛନ୍ତି। କିନ୍ତୁ ଏହି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ଯାଇ ବେଳାଭୂମିରେ ମଦ ଦୋକାନ ଖୋଲିବାର ନିଷ୍ପତ୍ତିି କେଉଁ ଉର୍ବର ମସ୍ତିଷ୍କର ଆମେ ଜାଣୁନା। ସୁଖର କଥା ଭକ୍ତମାନଙ୍କ ଭାବନା ଓ ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ଏପ୍ରକାର ନିଷ୍ପତ୍ତି ପ୍ରତ୍ୟାହୃତ ହୋଇଛି। କିନ୍ତୁ ଆହୁରି ଅନେକ ନିଷ୍ପତ୍ତି ଏପରି ନିଆଯାଉଛି ଯାହା ରାଜନୈତିକ ଉତ୍ତରଦାୟିତ୍ୱର ସର୍ବନିମ୍ନ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉପେକ୍ଷା କରୁଛି। ରାଜନୀତି ବିଜ୍ଞାନର ଛାତ୍ର ଭାବରେ ଆମେ ପଢ଼ିଥିଲୁ ଯେ ଅମଲାତନ୍ତ୍ର ରାଜନୈତିକ ଉତ୍ତରଦାୟିତ୍ୱର ଆଢ଼ୁଆଳରେ ରହି ସବୁକାର୍ଯ୍ୟ କରେ। ଏବେ କିନ୍ତୁ ମନେହେଉଛି ସବୁକିଛି ଓଲଟି ଯାଇଛି। ସରକାରଙ୍କର କୌଣସି ନୀତିଗତ ମୌଳିକ ନିଷ୍ପତ୍ତି ଏବଂ ଉଲ୍ଲେଖନୀୟ କାର୍ଯ୍ୟକ୍ରମର ଘୋଷଣା ସମୟରେ ମନ୍ତ୍ରୀମାନେ ଦୃଶ୍ୟମାନ ହେଉନାହାନ୍ତି। କରୋନା କଟକଣାର ସବୁକଥାକୁ ନୂଆ ନିୟମ ଭାବରେ ଗ୍ରହଣ କରିନେଲା ପରି ଆମ ରାଜନେତାମାନେ ଏହାକୁ ଆଧୁନିକ ଗଣତନ୍ତ୍ରର ନୂଆ ବ୍ୟବସ୍ଥା ଭାବି ମାନି ନେଇଛନ୍ତି।

ସମ୍ବନ୍ଧିତ ଖବର