ଅାମ୍ବେଦକରଙ୍କ ଜୀବନ ଯନ୍ତ୍ରଣା ଓ ତିନି ମହିଳା

ଧନେଶ୍ବର ସାହୁ

ବିଂଶ ଶତାବ୍ଦୀର ଜଣେ କ୍ରାନ୍ତିକାରୀ ବ୍ୟକ୍ତିତ୍ବ ହେଲେ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର, ଯିଏ ସାର୍ବଜନୀନ ଭାବେ ବାବାସାହେବ ନାମରେ ପରିଚିତ। ସେ ଥିଲେ ଜଣେ ସମାଜ-ବିଜ୍ଞାନୀ, ଅର୍ଥଶାସ୍ତ୍ରୀ, ଆଇନଜୀବୀ, ଶିକ୍ଷାବିତ୍ ଓ ସଂବିଧାନ ବିଶାରଦ। ସେ ମଧ୍ୟ ଥିଲେ ଜଣେ ସୁଲେଖକ, ସମାଜ ସଂସ୍କାରକ, ମାନବାଧିକାରର ବଡ଼ ପ୍ରବକ୍ତା ଓ ସାମାଜିକ ନ୍ୟାୟ ଆନ୍ଦୋଳନର କର୍ଣ୍ଣଧାର ତଥା ବହୁ ପ୍ରଜ୍ଞା ଓ ପ୍ରତିଭାର ଅଧିକାରୀ। ବାବାସାହେବଙ୍କର ଜନ୍ମ ୧୮୯୧ ଏପ୍ରିଲ ୧୪ରେ ହୋଇଥିବା ଗ୍ରହଣ କରାଯାଏ, କାରଣ ତାଙ୍କ ବିଦ୍ୟାଳୟ ସାର୍ଟିଫିକେଟରେ ଏହା ଉଲ୍ଲେଖ ରହିଛି। ତାଙ୍କ ଜନ୍ମର କୌଣସି ପ୍ରମାଣପତ୍ର ତାଙ୍କ ବାପା ରଖି ନ ଥିଲେ। ସେ ପିତାମାତାଙ୍କର ଚତୁର୍ଦ୍ଦଶ ସନ୍ତାନ ଥିଲେ। ତାଙ୍କର ଜନ୍ମ ଏକ ଦଳିତ ମାହାର ପରିବାରରେ ହୋଇଥିଲା ଏବଂ ପିଲାବେଳ ଓ ସ୍କୁଲ ଜୀବନ ମୁମ୍ବାଇର ଏକ ଦଳିତ ବସ୍ତିରେ ଅତିବାହିତ ହୋଇଥିଲା। ବମ୍ବେ ବିଶ୍ବବିଦ୍ୟାଳୟରୁ ବି.ଏ. ପାସ୍‌ କଲାପରେ ବରୋଦା ମହାରାଜାଙ୍କ ସାହାଯ୍ୟ ପାଇ ସେ ଆମେରିକା ସ୍ଥିତ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ତିନି ବର୍ଷରେ ଏମ୍.ଏ. ଓ ପିଏଚ୍‌.ଡି. ଡିଗ୍ରି ହାସଲ କରିପାରିଥିଲେ। ପରେ ଲଣ୍ଡନ୍ ସ୍କୁଲ ଅଫ୍ ଇକୋନୋମିକ୍‌ସରୁ ଅର୍ଥନୀତିରେ ଏମ୍.ଏସ୍‌ସି. ଓ ଡି.ଲିଟ୍‌. ଡିଗ୍ରି ଲାଭ କରିଥିଲେ। ଏହାସହିତ ଲଣ୍ଡନ୍ ବିଶ୍ବବିଦ୍ୟାଳୟରୁ ଆଇନରେ ବି.ଏଲ୍. ଡିଗ୍ରି ପ୍ରାପ୍ତ ହୋଇଥିଲେ। ଦୁଇଟି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବିଶ୍ବବିଦ୍ୟାଳୟରୁ ଏପରି ଉଚ୍ଚଶିକ୍ଷା ଓ ଡିଗ୍ରି ଲାଭ କରିବାରେ ସେ ସମସାମୟିକ ଭାରତରେ ଅଦ୍ବିତୀୟ ଥିଲେ।
ଏତେ ଉଚ୍ଚଶିକ୍ଷା ସତ୍ତ୍ବେ ତାଙ୍କ ଜୀବନରେ ସେ ବହୁ ଅସମ୍ମାନ, ଦୁଃଖ, ଦୁର୍ଦ୍ଦଶା ଓ ବିପର୍ଯ୍ୟୟକୁ ସାମ୍ନା କରିଥିଲେ। ସମାଜରୁ ଅନେକ କଳଙ୍କିତ ଓ ଅମାନବିକ ପ୍ରଥା ଦୂର କରିବା ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ଭାରତବର୍ଷରେ ହଜାର ହଜାର ବର୍ଷ ଧରି ଦଳିତମାନେ ସମାଜର ଅସ୍ପୃଶ୍ୟ, ସଂଖ୍ୟାଲଘୁ, ବହିଷ୍କୃତ ଗୋଷ୍ଠୀ ଭାବେ ଅସହାୟ ସ୍ଥିତିରେ ଜୀବନ ବଞ୍ଚିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କର ସର୍ବନିମ୍ନ ମାନବିକ ଅଧିକାର ନ ଥିଲା ଓ ସେମାନେ ନିରକ୍ଷର, ଦରିଦ୍ର ଓ ଅସହାୟ ଭାବେ ଜୀବନ ବଞ୍ଚୁଥିଲେ। ଘଟଣାକ୍ରମେ ଆମ୍ବେଦକର ଏହି ଦଳିତ ଗୋଷ୍ଠୀର ବ୍ୟକ୍ତି ହୋଇଥିବାରୁ ଓ ଉଚ୍ଚଶିକ୍ଷା ପାଇଥିବାରୁ ଦଳିତମାନେ କିପରି ସମାଜର ମୁଖ୍ୟସ୍ରୋତକୁ ଆସିପାରିବେ ସେଥିପାଇଁ ଜୀବନସାରା ସଂଗ୍ରାମ କରିଥିଲେ। ସୁଯୋଗକ୍ରମେ ସେ ସ୍ବାଧୀନ ଭାରତର ଆଇନ ମନ୍ତ୍ରୀ ଓ ଭାରତୀୟ ସଂବିଧାନ ଚିଠା ପ୍ରସ୍ତୁତି ବା ଡ୍ରାଫ୍‌ଟିଂ କମିଟିର ଚେୟାରମ୍ୟାନ୍ ହୋଇଥିଲେ। ତା’ର ବହୁ ବର୍ଷ ପୂର୍ବରୁ ସେ ଅଧ୍ୟାପକ, ଆଇନଜୀବୀ, ବମ୍ବେ ବିଧାନ ପରିଷଦର ସଭ୍ୟ ଓ ପରାଧୀନ ଭାରତରେ ଶ୍ରମମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଯେଉଁ ବୃତ୍ତି ବା ପଦରେ ଥିଲେ ମଧ୍ୟ ସେ ଭାରତୀୟ ସମାଜରୁ ଅସ୍ପୃଶ୍ୟତା ବିଲୋପନ, ସାମାଜିକ ସମତା, ବ୍ୟକ୍ତି ସମ୍ମାନବୋଧ, ଶିକ୍ଷାର ସାର୍ବଜନୀନ ବିକାଶ, ମହିଳା ସଶକ୍ତୀକରଣ ପରି ଆଦର୍ଶମାନଙ୍କର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଥିଲେ। ଶଂସିତ ଆଲୋଚନାରେ ତାଙ୍କ ବ୍ୟକ୍ତିଗତ ଜୀବନର କେତେକ ଘଟଣା ଓ ପାରିବାରିକ ଜୀବନର କେତେକ ଦିଗ ସମ୍ପର୍କରେ ଆଲୋଚନା କରିବା।
ଆମ୍ବେଦକର ବାଳୁତ ଅବସ୍ଥାରେ ମା’ଙ୍କୁ ହରାଇଥିଲେ। ମାତୃ ସ୍ନେହରୁ ବଞ୍ଚିତ ହୋଇ ତାଙ୍କର ଜଣେ ଭିନ୍ନକ୍ଷମ ପିଉସୀଙ୍କ ଯତ୍ନରେ ବଢ଼ିଥିଲେ। ସେ ସମୟର ସାମାଜିକ ପ୍ରଥାନୁଯାୟୀ ଆମ୍ବେଦକର ଷୋହଳ ବର୍ଷ ବୟସରେ ନ’ ବର୍ଷର ରମାଙ୍କୁ ବିବାହ କରିଥିଲେ। ଏହା ବାଲ୍ୟବିବାହ ଥିଲା। ବମ୍ବେର ଏକ ମାଛ ମାର୍କେଟ୍‌ ରାତି ନ’ଟାରେ ବନ୍ଦ ହେବା ପରେ ସେହି ସ୍ଥାନରେ ଆମ୍ବେଦକର ଓ ରମାଙ୍କ ପରିବାର, ସଂପର୍କୀୟମାନେ ସମବେତ ହୋଇ ସେମାନଙ୍କର ବିବାହ ସଂପନ୍ନ କରିଥିଲେ। ସେଥିରେ ସାମାନ୍ୟ ଆଡ଼ମ୍ବର ନ ଥିଲା। ମାହାରମାନଙ୍କର ଜଣେ ପୂଜକ ବିବାହ ସଂପନ୍ନ କରାଇଥିଲେ।
ରମା ପାଠ ପଢ଼ିବାର ସୁଯୋଗ ପାଇ ନ ଥିଲେ। ତେବେ ରମାଙ୍କ ସହ ଆମ୍ବେଦକରଙ୍କର ଏକ ସଫଳ ବୈବାହିକ ଜୀବନ ଥିଲା। ରମା ଜଣେ ସରଳ, ନିରୀହ ଓ ଗଭୀର ଈଶ୍ବର-ବିଶ୍ବାସୀ ମହିଳା ଥିଲେ। ବିବାହର ଆଦ୍ୟ ବର୍ଷଗୁଡ଼ିକରେ ଆମ୍ବେଦକର ସର୍ବଦା ଅଧ୍ୟୟନ ଓ ନିଜର ବୌଦ୍ଧିକ ସାଧନାରେ ବ୍ୟସ୍ତ ରହୁଥିଲେ। ସ୍ବାମୀଙ୍କର ପଢ଼ାପଢ଼ିରେ ଯେପରି କିଛି ପ୍ରତିବନ୍ଧକ ନ ହୁଏ ସେଥିପ୍ରତି ସେ ବେଶ୍ ସଚେତନ ଥିଲେ। ବହୁ ଅଭାବ, ଅସୁବିଧା ଭିତରେ ସେ ଜଣେ ସଫଳ ଗୃହିଣୀ ଭାବେ ପରିବାର ଚଳାଉଥିଲେ। ବିବାହର କିଛି ବର୍ଷ ପରେ ଆମ୍ବେଦକର କଲମ୍ବିଆ ବିଶ୍ବବିଦ୍ୟାଳୟକୁ ପଢ଼ିବାକୁ ଗଲେ। ମହାରାଜାଙ୍କ ଠାରୁ ଯେଉଁ ବୃତ୍ତି ପାଉଥିଲେ, ସେଥିରୁ କିଛି ଟଙ୍କା ପତ୍ନୀଙ୍କ ପାଖକୁ ପଠାଉଥିଲେ। ଘରେ ପତ୍ନୀ, ସାବତ ମା’ ଓ ପୁଅ ରହୁଥିଲେ। ଚାରି ବର୍ଷ ପରେ ଆମ୍ବେଦକର ଫେରିଲେ ଓ ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ହେଲା। ଆମ୍ବେଦକର ପାଞ୍ଚଟି ସନ୍ତାନର ବାପା ହେଲେ। କିନ୍ତୁ ଗୋଟିଏ ପରେ ଗୋଟିଏ ଏପରି ଚାରିଟି ସନ୍ତାନ ଚିକିତ୍ସା ଅଭାବରୁ ଅଖି ବୁଜିଲେ। ସାନ ପୁଅଟି ମରିଯିବା ପରେ ପତିପତ୍ନୀ ବହୁ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପାଞ୍ଚଟି ସନ୍ତାନରୁ ଚାରି ଜଣ ମୃତ୍ୟୁମୁଖରେ ପଡ଼ିବା ସେମାନଙ୍କୁ ବହୁ ଭାବରେ ମ୍ରିୟମାଣ କରି ରଖିଥିଲା। ତେବେ ସବୁ ପରିସ୍ଥିତିରେ ରମାଙ୍କର ସରଳତା ଓ ସମର୍ପିତ ଭାବ ଆମ୍ବେଦକରଙ୍କ ଜୀବନ ପାଇଁ ପ୍ରେରଣାର ଉତ୍ସ ହୋଇରହିଥିଲା। ତେବେ ରମା ଅସୁସ୍ଥ ହୋଇ ୧୯୩୫ରେ ସବୁଦିନ ପାଇଁ ଆଖି ବୁଜିଲେ। ପତ୍ନୀଙ୍କର ଅକାଳ ବିୟୋଗରେ ଆମ୍ବେଦକର ପୂରା ଭାଙ୍ଗି ପଡ଼ିଲେ। ଏପରିକି ସନ୍ନ୍ୟାସ ନେବା କଥା ମଧ୍ୟ ସେ ଭାବୁଥିଲେ। ପ୍ରାୟ ଏକ ମାସ କାଳ ଦୁଃଖ, ନୈରାଶ୍ୟ ଭିତରେ କାଟିବା ପରେ ସେ ଧୀରେ ଧୀରେ ସ୍ବାଭାବିକ ହେଲେ। ଜୀବନର ବାସ୍ତବତାକୁ ସ୍ବୀକାର କରି ପୁଣି ନିଜର କର୍ମମୟ ଜୀବନ ଓ ସାମାଜିକ କାର୍ଯ୍ୟରେ ନିଜକୁ ସଂପୃକ୍ତ ରଖିଲେ।
ଆମ୍ବେଦକର ଯେତେବେଳେ ଲଣ୍ଡନ୍‌ ସ୍କୁଲ ଅଫ୍ ଇକୋନୋମିକ୍‌ସରେ ଗବେଷଣା କରୁଥିଲେ ସେହି ସମୟରେ ଜଣେ ଆଇରିସ୍ ବିଧବା ମହିଳାଙ୍କ ସହ ତାଙ୍କର ବନ୍ଧୁତା ସୃଷ୍ଟି ହୋଇଥିଲା। ମହିଳା ଜଣଙ୍କ ସଂସଦ ଲାଇବ୍ରେରିରେ କର୍ମଚାରୀ ଥିଲେ। ସେହି ଲାଇବ୍ରେରିକୁ ପଢ଼ିବା ପାଇଁ ଓ ତଥ୍ୟ ସଂଗ୍ରହ ପାଇଁ ଆମ୍ବେଦକର ଅନେକ ସମୟରେ ଯାଉଥିଲେ। ଆମ୍ବେଦକରଙ୍କ ଅଧ୍ୟୟନ ଜିଜ୍ଞାସା ଓ ପରିଶ୍ରମ ଦେଖି ସେହି ମହିଳା ଜଣଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଓ ଦଲିଲ୍ ଲାଇବ୍ରେରିରୁ ତାଙ୍କୁ ପଢ଼ିବାକୁ ଦେଉଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା। ଆମ୍ବେଦକର ନିଜର ଗବେଷଣା କାର୍ଯ୍ୟ ଶେଷ କରି ଭାରତ ଫେରି ଆସିବା ପରେ ମହିଳା ଜଣଙ୍କ ନିୟମିତ ଆମ୍ବେଦକରଙ୍କ ସହ ପତ୍ରାଳାପ କରୁଥିଲେ। ବାବାସାହେବଙ୍କ ଜଣେ ଜୀବନୀ ଲେଖକ ସେହି ମହିଳାଙ୍କର କେତେକ ପତ୍ର ତାଙ୍କ ପୁସ୍ତକରେ ସନ୍ନିହିତ କରିଛନ୍ତି। ସେ ଲେଖିଥିବା ପ୍ରତ୍ୟେକ ପତ୍ରରେ ଆମ୍ବେଦକରଙ୍କୁ ‘ଡିଅର୍ ଡାର୍ଲିଂ ଭିମ୍‌’ ବୋଲି ସଂବୋଧନ କରୁଥିଲେ। ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏକ ବୋମା ମାଡ଼ରେ ସେହି ମହିଳାଙ୍କର ଦେହାନ୍ତ ହୋଇଥିଲା। ଆମ୍ବେଦକର ତାଙ୍କର ଏକ ବହି ଏହି ମହିଳାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ମହିଳାଙ୍କର ନାମ ‘ପଲ୍’ ବୋଲି ପତ୍ରରୁ ଜଣାଯାଏ ଓ ଆମ୍ବେଦକର ଯେଉଁ ବହିଟି ତାଙ୍କୁ ଉତ୍ସର୍ଗ କରିଛନ୍ତି ତାହା ହେଲା- ‘ଅସ୍ପୃଶ୍ୟମାନଙ୍କ ପାଇଁ କଂଗ୍ରେସ ଓ ଗାନ୍ଧୀ କ’ଣ କରିଛନ୍ତି।’
ଆମ୍ବେଦକରଙ୍କ ଜୀବନର ଶେଷ ଭାଗରେ ଯେଉଁ ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ ହେଲା ସେ ଥିଲେ ଶାରଦା କବୀର୍। ଆମ୍ବେଦକର ଅଳ୍ପ ବୟସରୁ ରକ୍ତଚାପ, ମଧୁମେହ ଓ ପରେ ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇ ବମ୍ବେର ଡାକ୍ତର ମାଧବ ଜି. ମାଲଭଙ୍କର୍‌ଙ୍କ ନିକଟରେ ଚିକିତ୍ସିତ ହେଉଥାନ୍ତି। ସେଠାରେ ଡାକ୍ତର ଶାରଦା କବୀର୍ ମଧ୍ୟ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରୁଥାନ୍ତି। ଏକଦା ଡାକ୍ତର ଶାରଦା କବୀର୍ ଆମ୍ବେଦକରଙ୍କୁ ପରାମର୍ଶ ଦେ‌ଲେ ଯେ ସେ ଘରେ ଜଣେ ନର୍ସଙ୍କୁ ରଖି ନିୟମିତ ଔଷଧ ଖାଇବେ ଓ ଫିଜିଓଥେରାପି କରିବେ, ଫଳରେ ରୋଗ ନିୟନ୍ତ୍ରଣରେ ରହିବ। ଯଦି ଆମ୍ବେଦକର ଚାହିଁବେ ତେବେ ସେ (ଶାରଦା) ନିଜେ କିଛି ଦିନ ତାଙ୍କ ଘରେ ରହି ତାଙ୍କର ଚିକିତ୍ସା କରିବେ। ଶାରଦାଙ୍କ ଏହି ପ୍ରସ୍ତାବରେ ଆମ୍ବେଦକର ସମ୍ମତ ହେଲେ ନାହିଁ। ସେ ଦିଲ୍ଲୀ‌େର ଏକା ଏକ ସରକାରୀ ଘରେ ରହୁଥିବାରୁ ଜଣେ ମହିଳାଙ୍କୁ ତାଙ୍କ ଘରେ ରଖି ସନ୍ଦେହ ଭିତରକୁ ଯିବାକୁ ଚାହିଁଲେ ନାହିଁ। ତେବେ ଦିଲ୍ଲୀ ଫେରି ଆମ୍ବେଦକର ଶାରଦାଙ୍କୁ ଏକ ପତ୍ର ଲେଖି କେଉଁ କାରଣରୁ ସେ ତାଙ୍କ ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ ତାହା ବୁଝାଇ, ଯଦି ଶାରଦା ତାଙ୍କୁ ବିବାହ କରିବାକୁ ଚାହିଁବେ ତେବେ ସେ ସମ୍ମତ ବୋଲି ଜଣାଇଲେ। ଯଦି ଶାରଦା ଏଥିରେ ସମ୍ମତ ନୁହନ୍ତି ତେବେ ଏହି କଥା ଭୁଲିଯାଇ ସେମାନେ ଡାକ୍ତର ଓ ରୋଗୀର ସଂପର୍କ ଭିତରେ ରହିବେ। ଶାରଦା ଏହି ପତ୍ର ପାଇ ଦ୍ବନ୍ଦ୍ବରେ ପଡ଼ିଲେ। ଶାରଦା ନିଜ ପରିବାରରେ ଏ ବିଷୟରେ ଜଣାଇଲେ। ତାଙ୍କ ପରିବାର ଏକ ବ୍ରାହ୍ମଣ ପରିବାର, ‌େ‌ହଲେ କେହି ଏଥିରେ ବିରୋଧ କଲେନାହିଁ। ସେତେବେଳେ ଆମ୍ବେଦକର କେନ୍ଦ୍ର ସରକାରରେ ଆଇନ ମନ୍ତ୍ରୀ, ଓ ସେମାନଙ୍କ ଭିତରେ ବୟସ ପାର୍ଥକ୍ୟ ଷୋହଳ ବର୍ଷ। ଶେଷରେ ଆମ୍ବେଦକର ଓ ଶାରଦା ୧୯୪୮ ଏପ୍ରିଲ ୧୫ ତାରିଖ ଦିନ ଦିଲ୍ଲୀ ଠାରେ ସିଭିଲ୍ ମ୍ୟାରେଜ କରି ଏକ ନୂଆ ଜୀବନ ଆରମ୍ଭ କଲେ। ଶାରଦା ବିବାହ ପରେ ହେଲେ ସବିତା ଆମ୍ବେଦକର। ଆମ୍ବେଦକର ଓ ସବିତା ବିବାହ ରେଜିଷ୍ଟର୍‌ରେ ବନ୍ଧୁମାନଙ୍କ ଗହଣରେ ଦସ୍ତଖତ କରି ପ୍ରଥମେ ସର୍ଦ୍ଦାର ପଟେଲଙ୍କ ଘରକୁ ଯାଇଥିଲେ। ପଟେଲ ଏହି ଉପଲକ୍ଷେ ଏକ ପାର୍ଟିର ଆୟୋଜନ କରିଥିଲେ। ଆମ୍ବେଦକରଙ୍କର ଏହି ବିବାହ ସେତେବେଳେ ଗଣମାଧ୍ୟମରେ ଏକ ପ୍ରମୁଖ ସମ୍ବାଦ ଥିଲା। ଦେଶର ଗୃହମନ୍ତ୍ରୀ ସର୍ଦ୍ଦାର ପଟେଲ ଆମ୍ବେଦକର ଦଂପତିଙ୍କୁ ସ୍ବାଗତ କରିବା ଅବସରରେ ଭାବବିହ୍ବଳ ହୋଇ କହିଥିଲେ ଯେ ଯଦି ମହାତ୍ମା ଗାନ୍ଧୀ ଜୀବିତ ଥାଆନ୍ତେ, ତେବେ ଏହି ବିବାହରେ ସେ ସବୁଠାରୁ ଅଧିକ ଖୁସି ହୋଇଥାଆନ୍ତେ। ଜଣେ ଉଚ୍ଚ ଜାତିର ମହିଳା ଜଣେ ଦଳିତଙ୍କୁ ବିବାହ କରିବା ଦ୍ବାରା ଭାରତର ଜାତିପ୍ରଥା ଯେ ବିଲୋପ ହେବାକୁ ଯାଉଛି, ଏହା ବାପୁଙ୍କ ପାଇଁ ସବୁଠାରୁ ଆନନ୍ଦର ବିଷୟ ହୋଇଥାଆନ୍ତା।
ଆମ୍ବେଦକର ଓ ସବିତାଙ୍କର ବୈବାହିକ ଜୀବନ ଥିଲା ଆଠ ବର୍ଷ ଆଠ ମାସର। ଆମ୍ବେଦକରଙ୍କ ଦେହାନ୍ତ ହେଲା ୧୯୫୬ ଏପ୍ରିଲରେ। ଆମ୍ବେଦକରଙ୍କ ଦେହାନ୍ତ ପରେ ସବିତା ମରାଠୀ ଭାଷାରେ ଏକ ବହି ଲେଖିଥିଲେ, ଯାହା ହେଉଛି ‘ଆମ୍ବେଦକରଙ୍କ ସହ ମୋର କିଛି ବର୍ଷ।’ ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆମ୍ବେଦକରଙ୍କର ଜ୍ଞାନ ଥିଲା ସାଗର ସଦୃଶ, ଯାହାଙ୍କ ଜୀବନରେ ସେ ଏକ ଫୋଟକା ସଦୃଶ ଆସିଥିଲେ। ଭାରତୀୟ ସଂବିଧାନର ମୁଖ୍ୟ ରୂପକାର, ଦଳିତ ସଂପ୍ରଦାୟର ତ୍ରାଣକର୍ତ୍ତା, ପୃଥିବୀର ଦୁଇଟି ବିଖ୍ୟାତ ବିଶ୍ବବିଦ୍ୟାଳୟରୁ ପିଏଚ୍.ଡି. ଡିଗ୍ରି, ଅସାଧାରଣ ବାଗ୍ମୀ ଓ ଜଣେ ବିଶିଷ୍ଟ ବୁଦ୍ଧିଜୀବୀ ଭାବରେ ଆମ୍ବେଦକର ଭାରତରେ ଓ ବିଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କପରି ଜଣେ ବ୍ୟକ୍ତିଙ୍କର ପତ୍ନୀ ହେବାର ସୌଭାଗ୍ୟ ଥିଲା ତାଙ୍କ ଜୀବନର ଏକ ମହତ୍ତମ ଉପଲବ୍‌ଧି।
ଆମ୍ବେଦକରଙ୍କ ଜୀବନ ଥିଲା ସଂଗ୍ରାମ ଓ ବହୁ ଯନ୍ତ୍ରଣାର କାହାଣୀ। କୁହାଯାଏ ପ୍ରତ୍ୟେକ ପୁରୁଷଙ୍କର ସଫଳତା ପଶ୍ଚାତରେ ଜଣେ ମହିଳାଙ୍କର ଅବଦାନ ଥାଏ। କିନ୍ତୁ ଆମ୍ବେଦକରଙ୍କ ଜୀବନକୁ କୌଣସି ଜଣେ ମହିଳା ନିୟନ୍ତ୍ରିତ କରିନାହାନ୍ତି। ଆଦ୍ୟ ଯୌବନରେ ଧର୍ମପ୍ରାଣା ଅଶିକ୍ଷିତା ପତ୍ନୀଙ୍କର ସ୍ନେହ, ଆଦର, ସାମୟିକ ଭାବରେ ଜଣେ ଆଇରିସ୍ ଭଦ୍ର ମହିଳାଙ୍କ ସହ ଆନ୍ତରିକ ବନ୍ଧୁତା ଓ ଜୀବନର ଶେଷ ପର୍ଯ୍ୟାୟରେ ଜଣେ ଡାକ୍ତର ପତ୍ନୀଙ୍କର ସେବାଯତ୍ନ ତାଙ୍କର ଜୀବନର କାହାଣୀ। ତାଙ୍କ ବ୍ୟକ୍ତିତ୍ବର ବିକାଶ, ବୌଦ୍ଧିକ କୀର୍ତ୍ତି ଓ ସଫଳତା ପାଇଁ ଏ ସମସ୍ତେ ତାଙ୍କୁ ପ୍ରଭାବିତ କରିଛନ୍ତି।
ମୋ: ୯୪୩୮୫୪୭୮୯୫

ସମ୍ବନ୍ଧିତ ଖବର